ତେଲେଙ୍ଗାନା ଇଟାଭାଟିରେ ଦୁଷ୍କର୍ମ ଶିକାର ମହିଳା ଏବେ କେଉଁଠି?

୧୩୦ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଦାବି, ଦୁଷ୍କର୍ମ ଘଟଣାକୁ ଶ୍ରମ କମିସନରଙ୍କ ଅସ୍ବୀକାର

ଭୁବନେଶ୍ବର : କେଉଁଠି ତେଲେଙ୍ଗାନା ପେଡାପାଲି ସ୍ଥିତ ଇଟାଭାଟିକୁ କାର୍ଯ୍ୟ କରିବାକୁ ଯାଇ ଗଣଦୁଷ୍କର୍ମ ଶିକାର ୨୨ ବର୍ଷିୟା ଆଦିବାସୀ ମହିଳା ତାଙ୍କ ସ୍ବାମୀ। ଏହି ମହିଳାଙ୍କୁ ନେଇ ରାଜ୍ୟ ଶ୍ରମ ବିଭାଗ, ସାମାଜିକ ସଙ୍ଗଠନ ଦୁଇଟି ଭିନ୍ନ କଥା କହୁଛନ୍ତି। ପୀଡ଼ିତା, ତାଙ୍କ ସ୍ବାମୀଙ୍କୁ ଅପହରଣ କରାଯାଇଥିବା ନେଇ ଆଶଙ୍କା କରୁଛନ୍ତି ଏହି ଘଟଣାର ଉଜାଗର କରିଥିବା ତେଲେଙ୍ଗାନାର ସିଭିଲ ଲିବର୍ଟି କମିଟି ଏବଂ ଓଡ଼ିଶାର ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଙ୍ଗଠନ। ରାଜ୍ୟ ଶ୍ରମ ବିଭାଗ ଭିନ୍ନ କଥା କହୁଛନ୍ତି। ଅନ୍ୟଦିଗରେ ଏହି ଘଟଣାରେ ସଂପୃକ୍ତ ମହିଳା କାର୍ଯ୍ୟ କରୁଥିବା ଇଟାଭାଟିରେ ବଲାଙ୍ଗୀର, କଳାହାଣ୍ଡିର ୧୩୦ ଶ୍ରମିକ ବିଭିନ୍ନ ପ୍ରକାର ନିର୍ଯାତନାର ଶିକାର ହେଉଥିବା ନେଇ ଅଭିଯୋଗ କରିଛନ୍ତି। ୯ ତାରିଖରେ ସେମାନେ ସେଠାରୁ ଚାଲି ଆସି ଓଡ଼ିଶା ଆସିବା ପାଇଁ ପେଡାପାଲି ସ୍ଥିତ ରେଳ ଷ୍ଟେସନରେ ଜମା ହୋଇଥିଲେ। ମାତ୍ର ଶେଷ ମୁହୂର୍ତ୍ତରେ ଇଟାଭାଟି ମାଲିକଙ୍କ କର୍ମଚାରୀମାନେ ସେମାନଙ୍କୁ ପୁଣି ନେଇ ଯାଇଥିବା ସଙ୍ଗଠନ କହିଛି।

ଗଣତାନ୍ତ୍ରିକ ସୁରକ୍ଷା ସଙ୍ଗଠନର ଅଭିଯୋଗ ଅନୁସାରେ, ତେଲେଙ୍ଗାନା ସ୍ଥିତ ପେଡାପାଲିର ଏଲଏନସି ବ୍ରିକ ଇଣ୍ଡଷ୍ଟ୍ରିରେ ବନ୍ଧା ପଡ଼ିଛନ୍ତି ୧୫୦ରୁ ଉର୍ଧ୍ବ ପ୍ରବାସୀ ଶ୍ରମିକ। ଏମାନଙ୍କ ମଧ୍ୟରୁ ୧୩୦ରୁ ଉର୍ଧ୍ବ ଓଡ଼ିଶାର ବଲାଙ୍ଗୀର, କଳାହାଣ୍ଡି ଜିଲ୍ଲାର। ଏମାନେ ସମସ୍ତେ ଲକଡାଉନ ସମୟରେ ଅର୍ଥାତ ମେ, ଜୁନ ମାସରେ ଘରକୁ ଚାଲି ଆସିଥିଲେ। ଏଠାରେ ଜୁଲାଇ, ଅଗଷ୍ଟ ମାସରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଅନ୍ତର୍ଗତରେ କାର୍ଯ୍ୟ ମଧ୍ୟ କରିଛନ୍ତି। ଅଗଷ୍ଟ, ସେପ୍ଟେମ୍ବର ମାସରେ ସେମାନଙ୍କୁ ପ୍ରାପ୍ୟ ମିଳିନଥିଲା। ଏଥିଯୋଗୁଁ ନଭେମ୍ବର ମାସରେ ଏଲଏନସି ଇଟାଭାଟି ପକ୍ଷରୁ ଏହି ଶ୍ରମିକମାନଙ୍କୁ ଆଣିବା ପାଇଁ ଗାଡ଼ି ପଠାଇବାରୁ ସେମାନେ ସମସ୍ତେ କାମ କରିବା ପାଇଁ ତେଲେଙ୍ଗାନା ଚାଲି ଯାଇଥିଲେ। ଶ୍ରମିକମାନଙ୍କ ମଧ୍ୟରେ ବିଶ୍ବାସ ଜନ୍ମାଇବା ପାଇଁ ଏଲଏନସି ଇଟାଭାଟି ମାଲିକ ଶ୍ରମିକମାନଙ୍କୁ କିଛି ଅଗ୍ରୀମ ଟଙ୍କା ମଧ୍ୟ ଦେଇଥିଲା। ଏଠାରେ ପହଞ୍ଚି ଶ୍ରମିକମାନେ କାର୍ଯ୍ୟ କରିବା ପରେ ଡିସେମ୍ବର, ଜାନୁଆରି ମାସରେ ଶ୍ରମିକମାନଙ୍କୁ ପ୍ରାପ୍ୟ ପ୍ରଦାନରେ ଇଟାଭାଟି ମାଲିକ ଅବହେଳା କରିଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ବରଂ ସେଠାରେ କାର୍ଯ୍ୟରତ ଥିବା ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲର ୨୨ ବର୍ଷିୟା ଆଦିବାସୀ ମହିଳାଙ୍କ ସହିତ ଗଣଦୁଷ୍କର୍ମ ଘଟିଥିଲା। ଫେବ୍ରୁଆରି ମାସ ୮ ତାରିଖରେ ତେଲେଙ୍ଗାନା ପୁଲିସ ତାଙ୍କୁ ଉଦ୍ଧାର କରିଥିଲା। ଏହି ଘଟଣାରେ ଇଟାଭାଟି ମାଲିକ, ତେଲେଙ୍ଗାନା ଶାସକ ଦଳର ସଂପୃକ୍ତି ରହିଥିବା ଅଭିଯୋଗ ହୋଇଛି। ତେଲେଙ୍ଗାନାର ସାମାଜିକ ସଙ୍ଗଠନ ସିଭିଲ ଲିବର୍ଟି କମିଟି ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟରତ ପ୍ରବାସୀ ଶ୍ରମିକଙ୍କ ସହିତ ଆଲୋଚନା ବେଳେ ଏହା ଜଣାପଡ଼ିଥିଲା। ଏଥିସଂକ୍ରାନ୍ତରେ ତେଲେଙ୍ଗାନାର ସିଭିଲ ଲିବର୍ଟି କମିଟି ପେଡାପଲିର ଜିଲ୍ଲାପାଳ, ଓଡ଼ିଶାର ଗଣତାନ୍ତ୍ରିକ ସୁରକ୍ଷା ସଙ୍ଗଠନ ପକ୍ଷରୁ ରାଜ୍ୟ ଶ୍ରମ କମିସନର, ଉପଶ୍ରମ କମିସନର, ବଲାଙ୍ଗୀର ଏସପିଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଥିଲା। ଏହାପରେ ବଲାଙ୍ଗୀର ପ୍ରଶାସନ ପକ୍ଷରୁ ଦୁଷ୍କର୍ମ ଶିକାର ମହିଳା, ବନ୍ଧା ଶ୍ରମିକମାନଙ୍କୁ ଉଦ୍ଧାର ପାଇଁ ପ୍ରଶାସନିକ କମିଟି ଗଠନ କରିଥିବା କୁହାଗଲା। ଅନ୍ୟଦିଗରେ ନିର୍ଯାତନା ସମ୍ପର୍କରେ ମୁହଁ ନଖୋଲିବା ପାଇଁ ଓଡ଼ିଆ ଶ୍ରମିକଙ୍କୁ ଧମକ ମିଳୁଥିବା ଗଣତାନ୍ତ୍ରିକ ସୁରକ୍ଷା ସଙ୍ଗଠନ କହିଛି।

ଅନ୍ୟପକ୍ଷରେ, ରାଜ୍ୟ ଶ୍ରମ କମିସନର ଏନ.ତିରୁମାଲା ନାଏକ କହିଛନ୍ତି, ତେଲେଙ୍ଗାନା ପେଡ଼ାପାଲିରେ କାର୍ଯ୍ୟ କରୁଥିବା ୨୨ ବର୍ଷିୟା ଆଦିବାସୀ ମହିଳାଙ୍କ ସହିତ କୌଣସି ପ୍ରକାର ଦୁଷ୍କର୍ମ ହୋଇନାହିଁ। ତେବେ, ତାଙ୍କ ସହିତ ମାଡ଼ପିଟ ହୋଇଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର