ଓଡ଼ାପଡ଼ା/ସମ୍ବଲପୁର: କେଉଁଠି ଅଛନ୍ତି ସମ୍ବଲପୁର ଟ୍ରାଫିକ୍‌ କନେଷ୍ଟବଳ ରଞ୍ଜିତା ବାଗଙ୍କ ସ୍ବାମୀ ରଞ୍ଜନ ନାଏକ (୩୫)? ଏକ ବର୍ଷରୁ ଅଧିକ ସମୟ ହେଲା ତାଙ୍କର ପତ୍ତା ମିଳୁ ନାହିଁ। ଏ ସଂକ୍ରାନ୍ତରେ ରଞ୍ଜନ ନାଏକଙ୍କ ମା’ ମାଳତୀ ନାଏକ ଏକ ସଙ୍ଗିନ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ପୁଅ ନିଖୋଜ ହୋଇନାହିଁ, ତାକୁ ହତ୍ୟା କରାଯାଇଛି। ଏହି ଘଟଣା ପଛରେ ପତ୍ନୀ ରଞ୍ଜିତାଙ୍କ ହାତ ଥିବା କହିଛନ୍ତି। କିନ୍ତୁ ରଞ୍ଜିତା ପୁଲିସରେ କାର୍ଯ୍ୟ କରୁଥିବାରୁ ଏହି ମାମଲାକୁ କେହି ଗୁରୁତ୍ବ ଦେଉ ନାହାନ୍ତି। ଅନ୍ୟପଟେ ସମ୍ବଲପୁର ଟାଉନ ଥାନାର କହିବା ମୁତାବକ ଗୋଟିଏ ବର୍ଷରୁ ଅଧିକ ସମୟ ହେଲା ରଞ୍ଜନ ନାଏକ ନିଖୋଜ ଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି। ଏହାକୁ ନେଇ ତଦନ୍ତ ମଧ୍ୟ ଚାଲୁଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ରଞ୍ଜନଙ୍କ ହତ୍ୟା ହୋଇଥିବା ସଂକ୍ରାନ୍ତରେ କୌଣସି ପ୍ରମାଣ କିମ୍ବା ତାଙ୍କ ମୃତଶରୀର ମିଳିନାହିଁ।  

Advertisment

ଢେଙ୍କାନାଳଜିଲ୍ଲା ଓଡ଼ାପଡ଼ାର ମାଳତୀ ନାଏକ କହିଛନ୍ତି, ତାଙ୍କ ପୁଅ ରଞ୍ଜନ ନାଏକ ଓ ସ୍ତ୍ରୀ ରଞ୍ଜିତାଙ୍କର ବହୁଦିନର ବୈବାହିକ ସମ୍ପର୍କ। ସେମାନଙ୍କର ୭ ବର୍ଷ ଏବଂ ୧୪ ବର୍ଷ ଦୁଇଜଣ ଝିଅ ଅଛନ୍ତି। ବଡ଼ଝିଅ ଜେଜେମା’ ମାଳତୀଙ୍କ ସହିତ ରହୁଛନ୍ତି। ଘଟଣା ଦିନ ସମ୍ବଲପୁର ସହର ମୁଦିପଡ଼ାସ୍ଥିତ ଘରେ ରହୁଥିଲେ ରଞ୍ଜନ। ୨୦୨୪ ମସିହା ଡିସେମ୍ବର ୯ ତାରିଖ ରାତି ପ୍ରାୟ ୧୨ଟା ସମୟରୁ ତାଙ୍କ ପୁଅଙ୍କ ପତ୍ତା ମିଳୁ ନଥିବା ନେଇ ବୋହୂ ରଞ୍ଜିତା ଫୋନ୍‌ରେ ସୂଚନା ଦେଇଥିଲେ। ଏହା ଜାଣିବା ପରେ ମା’ ମାଳତୀଙ୍କ ସମେତ ପରିବାର ସଦସ୍ୟମାନେ ରଞ୍ଜନଙ୍କୁ ଖୋଜିବା ପାଇଁ ସମ୍ବଲପୁର ପହଞ୍ଚିଥିଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ ରଞ୍ଜିତା ସେମାନଙ୍କୁ କୌଣସି ପ୍ରକାର ସହଯୋଗ କରି ନଥିବା ମାଳତୀ କହିଛନ୍ତି। ପୁଅର ନିଖୋଜ ନେଇ ସମ୍ବଲପୁର ଟାଉନ ଥାନାରେ ଏତଲା ଦେଇଥିଲେ। ଏହାପରେ ମଧ୍ୟ କୌଣସି ଲାଭ ହେଲା ନାହିଁ। ତେଣୁ ପର୍ଯ୍ୟାୟକ୍ରମେ ଏସ୍‌ପି ଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସେ ଅଭିଯୋଗ କରିଛନ୍ତି। କିନ୍ତୁ ସବୁଠି ତାଙ୍କୁ ମିଛ ପ୍ରତିଶ୍ରୁତି, ନିରାଶା ହିଁ ମିଳୁଛି। ପରିବାରର ସୂଚନା ଅନୁସାରେ, ରଞ୍ଜିତା ଏବଂ ରଞ୍ଜନଙ୍କ ୧୫ ବର୍ଷର ବୈବାହିକ ଜୀବନ। କିନ୍ତୁ ରଞ୍ଜିତାଙ୍କୁ ବିବାହର ୩ ବର୍ଷ ପରେ ରଞ୍ଜନ ନିଜ ଗାଁରେ ଆଉ ଜଣଙ୍କୁ ବିବାହ କରିଥିଲେ। ସେମାନଙ୍କର ଗୋଟିଏ ପୁଅ ଅଛି। ଅନ୍ୟଦିଗରେ ରଞ୍ଜିତା ମଧ୍ୟ ଅନ୍ୟ ଜଣେ ପୁରୁଷଙ୍କ ସହିତ ସମ୍ପର୍କ ରଖିଲେ। ରଞ୍ଜନ ଏହା ଜାଣିବା ପରେ ସମ୍ବଲପୁର ଟାଉନ୍‌ ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ଆଧାରରେ ରଞ୍ଜିତାଙ୍କ ତଥାକଥିତ ପୁରୁଷ ବନ୍ଧୁ ଗିରଫ ହୋଇ କିଛିଦିନ ଜେଲ୍‌ରେ ଥିଲେ। ଏହି ଘଟଣାକୁ ନେଇ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ହୋଇ ପରବର୍ତ୍ତୀ ସମୟରେ ସବୁକିଛି ଠିକ୍‌ ହୋଇଥିଲା। ରଞ୍ଜନ ଏବଂ ରଞ୍ଜିତା ପୁଣି ଏକାଠି ରହିଥିଲେ। ଅଚାନକ ପୁଅର ନିଖୋଜ ନେଇ ସମୁଦାୟ ଘଟଣା ରହସ୍ୟାବୃତ ରହିଛି। ରଞ୍ଜିତା, ରଞ୍ଜନଙ୍କୁ ମାରିଦେଇ ତାଙ୍କୁ ନିଖୋଜର ରୂପ ଦେଉଛନ୍ତି। ଏପରିକି ତାଙ୍କ ପୁଅ ଯେଉଁ ମୋବାଇଲ୍‌ ସିମ୍‌ ବ୍ୟବହାର କରୁଥିଲେ ସେଥିରେ ଫୋନ୍‌ କଲେ ଅନ୍ୟ ଜଣେ ପୁରୁଷ ବ୍ୟକ୍ତି ଉଠାଉଥିବାରୁ ହତ୍ୟାର ସନ୍ଦେହ ଆହୁରି ଦୃଢ଼ୀଭୂତ ହେଉଛି। ତେଣୁ ଏହି ଘଟଣାର ତଦନ୍ତ କରି ନ୍ୟାୟ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ମାଳତୀ ଗୁହାରି କରିଛନ୍ତି।

ରଞ୍ଜନ ଟଙ୍କା ନେଇ ଫେରାର ଅଛନ୍ତି: ଥାନା ଅଧିକାରୀ
ସମ୍ବଲପୁର ଟାଉନ୍‌ ଥାନା ଅଧିକାରୀ ସୁବ୍ରତ ମେହେର କହିଛନ୍ତି, ରଞ୍ଜନ ନାଏକଙ୍କ ସମ୍ବଲପୁର ଏବଂ ଢେଙ୍କାନାଳସ୍ଥିତ ନିଜ ଗାଁରେ ଦୁଇଜଣ ସ୍ତ୍ରୀ ଅଛନ୍ତି। ଏହା ଜଣାପଡ଼ିବା ପରେ ରଞ୍ଜିତାଙ୍କ ସହିତ ତାଙ୍କର ବିବାଦ ସୃଷ୍ଟି ହୋଇଥିଲା। ଏହାସହିତ ରଞ୍ଜନ ତାଙ୍କ ଗାଁର ପ୍ରାୟ ୫୦ରୁ ଅଧିକ ବ୍ୟକ୍ତିଙ୍କଠାରୁ ଟଙ୍କା ନେଇ ଫେରାର ରହିଛନ୍ତି।