ବରଗଡ଼: ବରଗଡ଼ ଜିଲ୍ଲାରେ କଂଗ୍ରେସ ଦଳର ଗତି କୁଆଡ଼େ ତାହା ଠଉରାଇ ହେଉନାହିଁ। ଜିଲ୍ଲାର ପ୍ରତିଟି ନିର୍ବାଚନମଣ୍ଡଳୀରେ ଗତ ତିନି ଥରର ନିର୍ବାଚନ ପରିସଂଖ୍ୟାନ ହିଁ କଂଗ୍ରେସର ସ୍ଥିତି ବୟାନ କରୁଛି। ଗତ ୧୫ ବର୍ଷ ମଧ୍ୟରେ ପ୍ରତିଟି ନିର୍ବାଚନମଣ୍ଡଳୀରେ କଂଗ୍ରେସର ଭୋଟ୍ବ୍ୟାଙ୍କ୍ ନିମ୍ନଗାମୀ ହୋଇଛି। ତେବେ ଦଳକୁ ସର୍ବାଧିକ କ୍ଷତି ପହଂଚାଇଛି ପଦ୍ମପୁରର ସଦ୍ୟ ଉପନିର୍ବାଚନ। ଯେଉଁଠି ଦଳ ୨୦୧୯ ସାଧାରଣ ନିର୍ବାଚନ ତୁଳନାରେ ୮୯ ପ୍ରତିଶତ ଭୋଟ୍ ହରାଇଛି। ଏହା ପୂର୍ବରୁ ଭଟଲି ନିର୍ବାଚନମଣ୍ଡଳୀରେ ୨୦୧୪ ମସିହାରେ ଦଳ ବିପର୍ଯ୍ୟୟ ଭୋଗିଥିଲା। ସେହିବର୍ଷ ଦଳ ୩୨.୯୮ ପ୍ରତିଶତ ଭୋଟ୍ ହରାଇଥିଲା। ସବୁ ନିର୍ବାଚନମଣ୍ଡଳୀରେ କ୍ରମାଗତ ଭାବେ ଦଳର ସ୍ଥିତି ନିମ୍ନଗାମୀ ହେଉଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ଏହାର ଫାଇଦା ବିଜେପି ଉଠାଇ ପାରୁନି।
ବରଂ କଂଗ୍ରେସ୍ରୁ ଉଣା ହେଉଥିବା ଭୋଟ୍ ବିଜେଡି ଖାତାରେ ଚଢ଼ୁଛି। ଯଦ୍ବାରା ବିଜେପି ଠାରୁ ଭୋଟ୍ ବ୍ୟବଧାନ ନିର୍ବାଚନ ବେଳେ ବଢ଼ି ଚାଲିଛି। କେବଳ ୨୦୧୯ ସାଧାରଣ ନିର୍ବାଚନରେ ବରଗଡ଼ ନିର୍ବାଚନମଣ୍ଡଳୀକୁ ବାଦ୍ ଦେଲେ ଜିଲ୍ଲାରେ ସବୁଠି ଏହି ସମୀକରଣ ରହିଛି। ବରଗଡ଼ରେ ୨୦୧୯ରେ କଂଗ୍ରେସ ୨୧.୫୩ ପ୍ରତିଶତ ଭୋଟ୍ ପୂର୍ବ ନିର୍ବାଚନ ତୁଳନାରେ ହରାଇଥିଲା। କିନ୍ତୁ ବିଜେପି ସେହି ବର୍ଷ ୨୫.୬୯ ପ୍ରତିଶତ ଭୋଟ୍ହାର ବଢ଼ାଇଥିଲା। ବିଜେଡି ୫.୮୧ ପ୍ରତିଶତ ଅଧିକ ଭୋଟ୍ ପାଇଥିଲା। ଫଳରେ ଭୋଟ୍ ବିଜେଡି ୮,୪୫୨ ଭୋଟ୍ ବ୍ୟବଧାନରେ ବିଜେପି ଠାରୁ ଆଗୁଆ ରହିଥିଲା। ଅନ୍ୟ ସବୁ ନିର୍ବାଚନମଣ୍ଡଳୀରେ କିନ୍ତୁ କଂଗ୍ରେସ୍ର ଭୋଟ୍ କମିଲେ ବିଜେଡିକୁ ଫାଇଦା ମିଳୁଥିବା ପରିସଂଖ୍ୟାନ ବୟାନ କରୁଛି। କିନ୍ତୁ ପଦ୍ମପୁରରେ କଂଗ୍ରେସ୍ର ପ୍ରଦର୍ଶନ ସର୍ବାଧିକ କ୍ଷତି ପହଂଚାଇଛି। ସେଠାରେ ତିନିଥର ବିଧାୟକ ଥିବା ସତ୍ୟଭୂଷଣ ସାହୁ ଯେ ୯୦ ପ୍ରତିଶତ ପାଖାପାଖି ଭୋଟ୍ ହରାଇବେ, ତାହା ସମୀକ୍ଷକଙ୍କୁ ବି ବିସ୍ମିତ କରିଛି।
ପଦ୍ମପୁର ନିର୍ବାଚନମଣ୍ଡଳୀରେ ଶ୍ରୀ ସାହୁଙ୍କ ବ୍ୟତୀତ କଂଗ୍ରେସ ପାଖରେ କିଛି ବିକଳ୍ପ ଚେହେରା ନଥିଲା। ବିଜୟର ସ୍ବପ୍ନ ନଥିଲେ ହେଁ ଦଳ ନିଜ ପକେଟ୍ ଭୋଟ୍ (ପ୍ରାୟ ୩୦ହଜାର) ହାତେଇବ ବୋଲି ନିଶ୍ଚିତ ଥିଲା। କିନ୍ତୁ ସବୁ କଳ୍ପନାଜଳ୍ପନାର ଆଶ୍ଚର୍ଯ୍ୟଜନକ ଫଳାଫଳ ମିଳିଛି। ଏବେ ପ୍ରଶ୍ନ ଉଠୁଛି ଦଳ କ୍ରମାଗତ ପରାଜୟ ଭୋଗିବା ପରେ ନୂଆ ରଣନୀତି କ'ଣ ହେବ। ବିଜେପୁରର ଦୁଇଟି ଏବଂ ପଦ୍ମପୁରର ସଦସ୍ୟ ଉପନିର୍ବାଚନରେ କଂଗ୍ରେସ ଲଢ଼ିବା ଭଳି ଲଢ଼େଇ କରିନାହିଁ। ରାଜ୍ୟ ନେତୃମଣ୍ଡଳୀ ଏବଂ ସ୍ଥାନୀୟ ନେତାଙ୍କ ମଧ୍ୟରେ ସବୁବେଳେ ତାଳମେଳର ଅଭାବ ପରିଲକ୍ଷିତ ହେଉଛି। ଯଦ୍ବାରା ପ୍ରାର୍ଥୀ ଚୟନ ବେଳରୁ ହିଁ ଦଳ ଭିତରେ ଟଣାଓଟରା ଆରମ୍ଭ ହୋଇଥାଏ। ଦଳ ତ୍ରୁଣମୂଳରେ ନିଜ ସଂଗଠନ ସଳଖାଇବା ପାଇଁ କିଛି ବ୍ୟବସ୍ଥା କରିନାହିଁ।
କେବଳ ନିର୍ବାଚନ ଆସିଲେ ରାଜ୍ୟସ୍ତରର ନେତାଙ୍କୁ ବରଗଡ଼ରେ ଦେଖିବାକୁ ମିଳୁଛି ବୋଲି ଖୋଦ୍ କର୍ମୀମାନେ ଖୋଲାଖୋଲି ଅଭିଯୋଗ କରୁଛନ୍ତି। ବିଗତ ଦିନରେ ରାହୁଲ ଗାନ୍ଧୀ ବି ବରଗଡ଼ ଜିଲ୍ଲାକୁ ଆସିଛନ୍ତି। କିନ୍ତୁ ତ୍ରୁଣମୂଳରେ ସଂଗଠନ ମଜଭୂତ ନଥିବାରୁ ସେଥିରୁ ଦଳ କିଛି ଫାଇଦା ଗୋଟାଇ ପାରୁନାହିଁ। ଦଳର ଏଭଳି ସ୍ଥିତି ସଂପର୍କରେ ଜିଲ୍ଲା ସଭାପତି ନିହାର ରଂଜନ ମହାନନ୍ଦ ମତାମତ ରଖିଛନ୍ତି। ସେ କହିଛନ୍ତି, କଂଗ୍ରେସ ଜନାଦେଶକୁ ସମ୍ମାନ ଜଣାଉଛି। ପଦ୍ମପୁର ହେଉ କି ବିଜେପୁର, ଜନତା ଯାହାକୁ ସମର୍ଥନ ଦେଲେ ତାହାକୁ ସ୍ବାଗତ କରୁଛୁ। ଆଗାମୀ ଦିନରେ କଂଗ୍ରେସ ନୂଆ ରଣନୀତିରେ କାମ କରିବ। ବୁଥ୍ୱାରୀ ଘରକୁ ଘର ପହଂଚିବୁ। ଉଭୟ ବିଜେପି ଏବଂ ବିଜେଡି ସରକାରଙ୍କ ବିଫଳତା ଜନତାଙ୍କ ସାମନାରେ ରଖିବୁ। ଜନତା ବୁଝିଲେ ଆଗାମୀ ଦିନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଶ୍ରୀ ମହାନନ୍ଦ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/15-16.jpg)