ମୁକ୍ତା ଯୋଜନାର ଗତି କୁଆଡ଼େ ? ୬ ମାସ ପରେ ବି ଆରମ୍ଭ ହୋଇନି ପ୍ରକଳ୍ପ

ସମ୍ବଲପୁର: ସମ୍ବଲପୁରରେ ମୁକ୍ତା ଯୋଜନା ଏବେ ବାଟବଣା। ପ୍ରକଳ୍ପ ମଂଜୁରୀ ମିଳିବାର ପାଖାପାଖି ୬ ମାସ ପରେ ବି ପ୍ରାୟତଃ କାମ ଆରମ୍ଭ ହୋଇପାରି ନାହିଁ। ବିଧାନସଭା ନିର୍ବାଚନରେ ବିଜେଡିର ପରାଜୟ ପରେ କାମ ଅଟକି ଯାଇଥିବା ନେଇ ଲୋକଙ୍କ ମନରେ ଅସନ୍ତୋଷ ରହିଥିବା ବେଳେ ମୁକ୍ତା ଯୋଜନାରେ ୩୬.୮୩ କୋଟି ଟଙ୍କା ମୂଲ୍ୟର ୬୦୪ଟି ପ୍ରକଳ୍ପ ମଂଜୁରୀକୁ ନେଇ ବିଜେଡି ବେଶ୍ ଉତ୍ସାହିତ ହୋଇଥିଲା। ଏପରିକି ସାମ୍ବାଦିକ ସମ୍ମିଳନୀ ଡାକି ଏ ନେଇ ସୂଚନା ଦିଆଯିବା ସହିତ ପ୍ରକଳ୍ପ ମଂଜୁରୀ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ ଶାସକ ଦଳର କର୍ମକର୍ତ୍ତା। ସରକାର ଟଙ୍କା ଦେଉଥିବା ବେଳେ କାମରେ ବିଳମ୍ବ ହେବା ନେଇ ଏବେ ଲୋକେ ଏହାକୁ ‘ସମ୍ବଲପୁରରେ ବାବୁରାଜ୍‌ର ପାର୍ଶ୍ବ ପ୍ରତିକ୍ରିୟା’ ବୋଲି କହିବା ଆରମ୍ଭ କରିଦେଲେଣି।

ଗତ ୨୦ ନଭେମ୍ବର ୨୦୨୧ରେ ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହାଯାଇଥିଲା, ଗତ ୯ ନଭେମ୍ବର ୨୦୨୧ରେ ରାଜ୍ୟ ସରକାରଙ୍କ ୫ଟି’ ସଚିବଙ୍କ ସହିତ ଭର୍ଚୁଆଲ୍‌ ମୋଡ୍‌ରେ ସମ୍ବଲପୁର ମହାନଗରର ୪୧ ୱାର୍ଡର ବାସିନ୍ଦା/ସ୍ବେଚ୍ଛାସେବୀଙ୍କୁ ନେଇ ଏକ ‌ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ମହାନଗର ନିଗମର କମିସନର ମଧ୍ୟ ଉପସ୍ଥିତ ଥିଲେ। ଏହି ବୈଠକରେ ବିଭିନ୍ନ ୱାର୍ଡ ପାଇଁ ଆବଶ୍ୟକ କାର୍ଯ୍ୟ ସଂପର୍କରେ ପ୍ରସ୍ତାବ ଆହ୍ବାନ କରାଯାଇଥିଲା। ସର୍ବମୋଟ ୬୦୪ଟି ପ୍ରକଳ୍ପ ପଠାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ସବୁ ପ୍ରକଳ୍ପକୁ ମଂଜୁରୀ ଦେଇଥିଲେ।

ମୁକ୍ତା ଯୋଜନାରେ ୭୯ଟି କ୍ଷୁଦ୍ର ଉଦ୍ୟାନ ନିମନ୍ତେ ୨୫୪ ଲକ୍ଷ, ୬୩ଟି ପବ୍ଲିକ ଜିମ୍‌ ପାଇଁ ୧୩୬ ଲକ୍ଷ, ୫୦ଟି ଶିଶୁ କ୍ରୀଡ଼ା ଉଦ୍ୟାନ ପାଇଁ ୮୬ ଲକ୍ଷ, ୮୬ଟି ଚାଲିବା ରାସ୍ତା ନିମନ୍ତେ ୧୬୬ ଲକ୍ଷ, ୧୨ଟି ଖେଳପଡ଼ିଆ ପାଇଁ ୫୧ ଲକ୍ଷ, ‌୨୫ଟି ଶୌଚାଳୟ ନିମନ୍ତେ ୭୨ ଲକ୍ଷ ଟଙ୍କା, ୨ଟି ରାସ୍ତାପାର୍ଶ୍ବ ବିକ୍ରୟସ୍ଥଳୀ ପାଇଁ ୧୩୬ ଲକ୍ଷ ଟଙ୍କା, ୧୨୮ଟି ରାସ୍ତା ଓ ଡ୍ରେନ୍ ନିମନ୍ତେ ୧୧୧୧.୩ ଲକ୍ଷ ଟଙ୍କା ଏବଂ ୧୫୯ଟି ରାସ୍ତା ପାଇଁ ୧୬୭୧.୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ଦିଆଯାଇଥିଲା। ଏଣିକି ଗଳିକନ୍ଦି ରାସ୍ତାଗୁଡ଼ିକ ଚକା୍ଚକ୍ ହୋଇଯିବ।

ସହରବାସୀଙ୍କୁ ‌ମୌଳିକ ସୁବିଧା ମିଳିବ। ଜନସାଧାରଣଙ୍କ ଉତ୍ତମ ସ୍ବାସ୍ଥ୍ୟ ରକ୍ଷା ନିମନ୍ତେ ପବ୍ଲିକ ଜିମ୍, ଖେଳପଡ଼ିଆ, ଶିଶୁ କ୍ରୀଡ଼ା ଉଦ୍ୟାନ ଭଳି ନିର୍ମାଣ କରାଯିବ କହାଯାଇଥିଲା। ଇତିମଧ୍ୟରେ ପ୍ରକଳ୍ପ ମଂଜୁରୀ ମିଳିବାକୁ ୬ ମାସ ପୂରିବାକୁ ଯାଉଛି। ଏସବୁ କାମ ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। କେତେକ ପ୍ରକଳ୍ପର କାର୍ଯ୍ୟାଦେଶ ବି ଦିଆଯାଇଥିବା କହାଯାଉଛି। ୫ ଲକ୍ଷ ଟଙ୍କାରୁ କମ୍ ମୂଲ୍ୟର ଅନେକ ପ୍ରକଳ୍ପ ସ୍ବୟଂ ସହାୟିକା ଗୋଷ୍ଠୀକୁ ବି ଦିଆଯାଇଛି। କିଛି କାମ ଆରମ୍ଭ ହୋଇଛି, ହାତଗଣିତ କିଛି କାମ ସଂପୂର୍ଣ୍ଣ ହୋଇଥିବା କହାଯାଇଛି। ତେବେ, ପ୍ରାୟତଃ ପ୍ରକଳ୍ପ ଆଗେଇ ପାରି ନାହିଁ। ମୁକ୍ତା ଯୋଜନାର ଏହି ପ୍ରକଳ୍ପ ମଧ୍ୟରେ କ‌େତେକ ଜଳାଶୟର ଉନ୍ନତୀକରଣ କାର୍ଯ୍ୟ ବି ରହିଛି। ଗ୍ରୀଷ୍ମଦିନ ଯୋଗୁ ଜଳାଶୟରେ କାମ କରିବା ସୁବିଧାଜନକ। ବର୍ଷା ଆରମ୍ଭ ହୋଇଗଲା ପରେ ତାହା କାମ ହୋଇପାରିବ ନାହିଁ।

ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ପରେ ପ୍ରତିଶୋଧ ପରାୟଣ ହୋଇ ରାଜ୍ୟ ସରକାର ସମ୍ବଲପୁର ବିକାଶ କାର୍ଯ୍ୟ ଅଟକି ଦେଇଥିବା ଅଭିଯୋଗ ହେଉଥିଲା। ପୂର୍ବ ଜିଲ୍ଲାପାଳମାନଙ୍କ ସମୟରେ ପ୍ରସ୍ତାବିତ/ଆରମ୍ଭ ହୋଇଥିବା ଅନେକ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ ହୋଇପାରୁନଥିଲା। ନୂଆ ପ୍ରକଳ୍ପ କାମ ଆସୁନଥିଲା। ଆଗାମୀ ଦିନରେ ମହାନଗର ନିର୍ବାଚନ ଥିବା ଦୃଷ୍ଟିରୁ ବିଳମ୍ବରେ ହେଲେ ମଧ୍ୟ ରାଜ୍ୟର ବିଜେଡ଼ି ସରକାର ଏଦିଗରେ ପଦକ୍ଷେପ ନେଇଥିଲେ। ହେଲେ, ସରକାରୀ ବାବୁମାନଙ୍କ ଅବହେଳା ଯୋଗୁ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ ହୋଇପାରୁନଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର