ଭୁବନେଶ୍ବର: ତିନିଟି ଜିଲ୍ଲାରେ ଜିଲ୍ଲାପାଳ ନାହାନ୍ତି। ସୁନ୍ଦରଗଡ଼, କଟକ ଓ ଜଗତସିଂହପୁର। ରାଜ୍ୟର ତିନିଟି ଯାକ ଆର୍‌ଡିସି ପଦବି ବି ଖାଲି ପଡ଼ିଛି। ରାଜ୍ୟ ପ୍ରଶାସନିକ ବ୍ୟବସ୍ଥାରେ ଏହି ଗୁରୁତ୍ବପୂର୍ଣ୍ଣ ପଦବିଗୁଡ଼ିକ ଖାଲି ପଡ଼ିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କେଉଁ କାରଣ ପାଇଁ ଏହି ପଦବିଗୁଡ଼ିକରେ ନିଯୁକ୍ତି ଦିଆଯାଉ ନାହିଁ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜ୍ୟ ସରକାରଙ୍କୁ ଯୋଗ୍ୟ ଅଧିକାରୀ ମିଳୁ ନାହାନ୍ତି ନା ନୂଆ ସରକାରଙ୍କୁ ବାଟବଣା କରାଯାଉଛି, ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।
ରାଜ୍ୟରେ ଲଗାଣ ବର୍ଷା ପାଇଁ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟ ସରକାର ଲଗାତାର ଏହାର ସମୀକ୍ଷା କରୁଛନ୍ତି। ବର୍ଷାଜନିତ ରୋଗ ନିୟନ୍ତ୍ରଣ ପାଇଁ ସରକାରଙ୍କ ପକ୍ଷରୁ ଜିଲ୍ଲାମାନଙ୍କୁ ବାରମ୍ବାର ପତ୍ର ଜାରି ହେଉଛି। ହେଲେ ରାଜ୍ୟର ୩ଟି ଜିଲ୍ଲାରେ ଏବେ ଜିଲ୍ଲାପାଳ ହିଁ ନାହାନ୍ତି।

Advertisment

କଟକ, ଜଗତସିଂହପୁର ଭଳି ସବୁବେଳେ ବନ୍ୟା ପ୍ରଭାବିତ ଅଞ୍ଚଳର ଜିଲ୍ଲାପାଳ ପଦବି ଖାଲି ପଡ଼ିଛି। କଟକ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ଓ ଜଗତସିଂହପୁର ଜିଲ୍ଲାପାଳ ଅନୁପମ ଶାହ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ଏହା ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇ ନୂଆଦିଲ୍ଲୀ ଯାଇସାରିଛନ୍ତି। ଏସବୁ ଜିଲ୍ଲାରେ ଜିଲ୍ଲାପାଳ ନ ଥିବାରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାୟିତ୍ବ ଦିଆଯାଇଛି। ଅତିରିକ୍ତ ଜିଲ୍ଲାପାଳମାନେ ବି ପୂର୍ବରୁ ଏକାଧିକ ଦାୟିତ୍ବରେ ଥିବା ବେଳେ ଏବେ ସେମାନଙ୍କୁ ଜିଲ୍ଲାପାଳ ଦାୟିତ୍ବ ଦିଆଯାଇଛି। ଏହା ଭିତରେ ୨ ସପ୍ତାହରୁ ଅଧିକ ସମୟ ବିତିଲାଣି। ହେଲେ ରାଜ୍ୟ ସରକାର ଜିଲ୍ଲାପାଳ ନିଯୁକ୍ତି ଦେବାରେ ବିଫଳ ହୋଇଛନ୍ତି।

କେବଳ ଜିଲ୍ଲାପାଳ ନିଯୁକ୍ତି ନୁହେଁ, ରାଜ୍ୟର ୩ଟି ଯାକ ଆର୍‌ଡିସି ପଦବି ଖାଲି ପଡ଼ିଛି। ବିଭିନ୍ନ ଜମିଜମା ମାମଲା, ଆଇନଶୃଙ୍ଖଳା ପରିସ୍ଥିତି ଓ ଜିଲ୍ଲାସ୍ତରୀୟ ସମସ୍ୟା‌ କ୍ଷେତ୍ରରେ ଆର୍‌ଡିସିଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ଉତ୍ତରାଞ୍ଚଳ ଓ କେନ୍ଦ୍ରାଞ୍ଚଳ ଆର୍‌ଡିସି ଏହା ଭିତରେ ଅବସର ନେଇ ସାରିଥିବା ବେଳେ ଦକ୍ଷିଣାଞ୍ଚଳ ଆରଡିସି ଥିବା ଆର୍‌. ସନ୍ଥଗୋପାଳନ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ ହୋଇଛନ୍ତି।