ବେଲଗୁଣ୍ଠା: ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ଆମ୍ବପୁଆ ପଞ୍ଚାୟତ ଅଧୀନ ଟିକରପଡ଼ା ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିଛି। ଗତ ୫ ଦିନ ମଧ୍ୟରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଦୁଇ ଜଣ ବୃଦ୍ଧ ପ୍ରାଣ ହରାଇଥିବା ବେଳେ ୨୫ରୁ ଅଧିକ ଆକ୍ରାନ୍ତ ହୋଇଛି। ସେମାନଙ୍କ ମଧ୍ୟରୁ ୧୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୦ରୁ ଅଧିକ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ମୃତକମାନେ ହେଲେ, ଗ୍ରାମର ଦେବ ଗୌଡ଼ (୮୩) ଏବଂ କନ୍ଧ ସାହୁ (୭୪) I ଗାଁ କୂଅରୁ ଦୂଷିତ ପାଣି ପିଇବା ସହ ବାହାଘରର ଭୋଜି ଖାଇ ସମସ୍ତେ ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି।
ଗତ ୬ରେ ଭଣ୍ଡାରି ସାହିର ନୀର ଗୌଡ଼ ଏବଂ ସୂର୍ଯ୍ୟ ଗୌଡ଼ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଉଭୟ ଚିକିତ୍ସିତ ହୋଇ ଘରକୁ ଫେରିଥିବା ବେଳେ ୧୪ ତାରିଖରେ ଜଣେ ବ୍ୟକ୍ତିଙ୍କ ଘରେ ବାହାଘର ଭୋଜି ହୋଇଥିଲା। ଭୋଜି ଖାଇବା ପରେ ଆୟୋଜକଙ୍କ ପରିବାରର ୪ ଜଣ ସଂପର୍କୀୟଙ୍କ ସମେତ ଅନ୍ୟମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଦେବଙ୍କୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ଡାକ୍ତରଖାନାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି ୧୫ରେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ କନ୍ଧ ଗୁରୁତର ଅବସ୍ଥାରେ ଆଖି ବୁଜିଦେଇଥିଲେ। ଏହାପରେ ମେଡିକାଲ୍ ଟିମ୍ ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କୁ ସଚେତନ କରିବା ସହ ଔଷଧ ଓ ଓଆର୍ଏସ୍ ବଣ୍ଟନ କରିଛନ୍ତି।
ଏଏନଏମ୍ ମଧୁସ୍ମିତା ସେଠୀ ଓ ଆଶାକର୍ମୀ ଭାଗ୍ୟଲତା ଦାସ ପହଞ୍ଚି ଗ୍ରାମର ବିଭିନ୍ନ ପରିତ୍ୟକ୍ତ କୂଅରେ ବ୍ଲିଚିଂ ପାଉଡର୍ ସିଞ୍ଚନ କରିଛନ୍ତି। ଗ୍ରାମରେ ଏକବର୍ଷ ହେଲା ପିଇବା ପାଣି ଯୋଗାଣ ପାଇଁ ପ୍ରକଳ୍ପ କାମ ସରିଥିଲେ ହେଁ ବିଦ୍ୟୁତ ସଂଯୋଗୀକରଣ ହୋଇପାରୁ ନଥିବାରୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରୁନି। ଫଳରେ ଗ୍ରାମବାସୀ କିଛି ନଳକୂପ ଓ ପରିତ୍ୟକ୍ତ କୂଅରୁ ପାଣି ପିଉଛନ୍ତି। ବର୍ତ୍ତମାନ ବର୍ଷା ହେବା ପରେ କୂଅ ପାଣି ପ୍ରଦୂଷିତ ହୋଇଥିବା ବେଳେ ଏହାକୁ ପିଇ ଗ୍ରାମବାସୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ମେଡିକାଲ୍ ଟିମ୍ ପକ୍ଷରୁ କୁହାଯାଇଛି।
ବର୍ତ୍ତମାନ ୧୦ରୁ ଅଧିକ ରୋଗୀ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନା, ବେଲଗୁଣ୍ଠା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଅନ୍ୟାନ୍ୟ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେହିପରି ଆଉ କିଛି ଲୋକ କ୍ବାକ୍ ଭରସାରେ ରହି ଚିକିତ୍ସିତ ହେଉଛନ୍ତି। ଝାଡ଼ାବାନ୍ତି ନିୟନ୍ତ୍ରଣ ହେବା ପର୍ଯ୍ୟନ୍ତ ଏକ ଉଚ୍ଚସ୍ତରୀୟ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଟିମ୍କୁ ଗ୍ରାମରେ ନିୟୋଜନ କରିବାକୁ ଦାବି କରାଯାଇଛି।