ଭୁବେନଶ୍ବର: ଭାରତରେ ମାର୍ଚ ମାସରୁ କରୋନା ବ୍ୟାପିବା ଆରମ୍ଭ କରିବା ପରେ ଏହାର ମୁକାବିଲା ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ଯେଉଁଭଳି ତତ୍ପରତା ଦେଖାଉଥିଲେ, ତାହା ଏବେ ଫିକା ପଡ଼ିଯାଇଥିବା ଭଳି ମନେ ହେଉଛି। ୬୫ ଦିନର ଲକ୍ଡାଉନ୍ ପରେ ଏବେ ପ୍ରଶ୍ନ ଉଠିଲାଣି ଆମେ କରୋନା ମୁକାବିଲାରେ କେତେ ସଫଳ ହୋଇଛୁ? ଲକ୍ଡାଉନ୍ ଆରମ୍ଭ ହେବାପରେ କେନ୍ଦ୍ର ସରକାରଙ୍କର ପ୍ରଥମ େସ୍ଲାଗାନ ଥିଲା କରୋନା ହାରିବ, ଦେଶ ଜିତିବ। ଏବେ କହିଲେଣି କରୋନା ସହିତ ବଞ୍ଚିବାକୁ ପଡ଼ିବ। ଏଭଳି ଅବସ୍ଥାରେ ପ୍ରଶ୍ନ ଉଠିବା ସ୍ବାଭାବିକ; ଆମେ କରୋନାକୁ ହରାଇଛୁ ନା ହାରିଛୁ। କରୋନା ମୁକାବିଲା ପାଇଁ ମାର୍ଚ ୨୫ ତାରିଖରୁ କେନ୍ଦ୍ର ସରକାର ଲକ୍ଡାଉନ୍ ଘୋଷଣା କଲେ। ପ୍ରଥମେ ଏହାକୁ ୨୧ ଦିନ ପାଇଁ କରାଯାଇଥିଲା। ତେବେ ଏହା ୫ଥର ବିଭିନ୍ନ ପର୍ଯ୍ୟାୟରେ ବୃଦ୍ଧି କରାଯାଇ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଲକ୍ଡାଉନ୍ ଘୋଷଣା କରିବା ଦିନ ଦେଶରେ ୬୧୮ ଜଣ କରୋନା ଆକ୍ରାନ୍ତ ହୋଇଥିଲା ବେଳେ ୧୩ ଜଣଙ୍କର ଏହି ରୋଗରେ ମୃତ୍ୟୁ ଘଟିଥିଲା। ଆଜିର ଦିନରେ ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୯୦ ହଜାରରେ ପହଂଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୫ ହଜାର ୩୦୦ ଛୁଇଁଲାଣି। ଲକ୍ ଡାଉନ ଯୋଗୁଁ ଭାରତକୁ ଫାଇଦା ମିଳିଛି େବାଲି କେନ୍ଦ୍ର ସରକାର ଦାବି କରୁଛନ୍ତି। କହୁଛନ୍ତି ଯେ ଏହି ସମୟରେ ଲକ୍ଡାଉନ୍ ହୋଇନଥିଲେ ଆଜି ଆକ୍ରାନ୍ତ ସଂଖ୍ୟା ୧୦ ଲକ୍ଷ ହୋଇଥାନ୍ତା। ଆମେରିକା ଏବଂ ଅନ୍ୟ ୟୁେରାପୀୟ ଦେଶ ତୁଳନାରେ ଏହା ଯେଥଷ୍ଟ କମ୍। ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୧୦୦ରୁ ଏକ ଲକ୍ଷରେ ପହଂଚିବା ଲାଗି ୬୪ ଦିନ ଲାଗିଥିବା ବେଳେ ଆମେରିକାରେ ୨୫ ଦିନ ଏବଂ ବ୍ରିଟେନରେ ୪୨ ଦିନ ଲାଗିଥିଲା। ସେହିଭଳି ଇଟାଲି, ଫ୍ରାନ୍ସ ଏବଂ ଜର୍ମାନୀରେ ମଧ୍ୟ ଏହି ସଂଖ୍ୟା ଦ୍ରୁତ ହାରରେ ବୃଦ୍ଧି ପାଇଥିଲା। ଏହିସବୁ ଦେଶ ତୁଳନାରେ ଭାରତରେ ଆକ୍ରାନ୍ତ ଓ ମୃତ୍ୟୁ ହାର ମଧ୍ୟ କମ୍। ବ୍ରିଟେନରେ କରୋନା ରୋଗୀ ମୃତ୍ୟୁ ହାର ୧୪ ପ୍ରତିଶତ ଥିବା ବେଳେ ଆମେରିକାରେ ୧୭% ଏବଂ ଭାରତରେ ୩.୩ % ରହିଛି।
ଯଦି ଏହା ସତ ତାହାହେଲେ ଏବେ କାହିଁକି କୁହାଯାଉଛି ଯେ କରୋନା ସହିତ ବଞ୍ଚିବାକୁ ପଡ଼ିବ। କରୋନା ତ ନିୟନ୍ତ୍ରଣକୁ ଆସିନାହିଁ। ଆକ୍ରାନ୍ତ ସଂଖ୍ୟା ସହିତ ମୃତ୍ୟୁ ସଂଖ୍ୟା ବି ବଢ଼ି ଚାଲିଛି। କିଛି ଦିନ ହେଲା ଏହା ଆହୁରି ଭୟଙ୍କର ରୂପ ଧାରଣ କରିଛି। ଆଜିର ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୮ହଜାର ଆକ୍ରାନ୍ତ ହୋଇଥିବା ବେଳେ ୨୦୦ରୁ ଅଧିକ ରୋଗୀଙ୍କର ମୃତ୍ୟୁ ଘଟିଛି। ଏହାର ମୁକାବିଲା କରୁ କରୁ ଏତେ ଅସହାୟ କାହିଁକି? ଏହାପଛରେ ଦୁଇଟି କାରଣ ରହିଥିବା ମନେ ହେଉଛି। ଗୋଟିଏ ହେଲା ଅର୍ଥନୀତି ଏବଂ ଦ୍ବିତୀୟଟି ହେଉଛି ପ୍ରବାସୀ ଶ୍ରମିକ ସଙ୍କଟ। ଲକ୍ଡାଉନ୍ ଯୋଗୁଁ ସବୁ ଶିଳ୍ପସଂସ୍ଥା ଓ କାମଧନ୍ଦା ବନ୍ଦ ହୋଇଗଲା। ଏହି ୬୦ ଦିନରେ ମଧ୍ୟରେ ଅକଳନୀୟ କ୍ଷତି ଘଟିଲାଣି। ଏସବିଆଇ ଇକୋରାପ୍ ହିସାବ ଅନୁଯାୟୀ ଜାତୀୟ ଅର୍ଥନୀତିରେ ୩୦ ଲକ୍ଷ କୋଟିର କ୍ଷତି ହେଲାଣି। ବସ, ଟ୍ରେନ ଓ ବିମାନ ଭଳି ସେବା ସଂପୂର୍ଣ୍ଣ ଠପ୍ ସହିତ ପର୍ଯ୍ୟଟନ କ୍ଷେତ୍ର ମଧ୍ୟ ଭୁଶିଡ଼ିଗଲା। କୋଟି କୋଟି ଲୋକ ବେକାର ହୋଇଗଲେ। ଜାତୀୟ ଅର୍ଥନୀତି ୨୦ ବର୍ଷ ପଛକୁ ଠେଲି ହୋଇଯାଇଛି। ଅର୍ଥନୈତିକ ଓ ସାମାଜିକ ଅଶାନ୍ତି ଆଶଙ୍କାରେ ସରକାର ପର୍ଯ୍ୟାୟକ୍ରମେ ଲକ୍ଡାଉନ୍ କଟକଣା କୋହଳ କରିବାକୁ ଲାଗିଲେ। ସେହିଭଳି ପ୍ରବାସୀ ଶ୍ରମିକ ସଙ୍କଟ ମଧ୍ୟ ଭୟଙ୍କର ରୂପ ଧାରଣ କଲା। ରୋଜଗାର ହରାଇବା ସହିତ ଭୋକଉପାସ ଯୋଗୁଁ ପ୍ରବାସୀମାନେ ଘରକୁ ଫେରିବାକୁ ଲାଗିଲେ। ପରିବନହନ ବ୍ୟବସ୍ଥା ନଥିବାରୁ ଲକ୍ଷ ଲକ୍ଷ ଲୋକ ଚାଲି ଚାଲି ଘରକୁ ଫେରିବାର ହୃଦୟବିଦାରକ ଦୃଶ୍ୟ ମାନବିକତାକୁ ଦୋହଲାଇ ଦେଇଥିଲା। ଏହି ସଙ୍କଟ କରୋନା ରୋଗଠାରୁ ବି ଭୟଙ୍କର ହୋଇଗଲା। ଶେଷରେ ସରକାର ବାଧ୍ୟ ହୋଇ ଟ୍ରେନ/ବସ୍ ଯୋଗେ ସେମାନଙ୍କୁ ନିଜ ନିଜ ଘରକୁ ପଠାଇଲେ। ଲକ୍ଡାଉନ୍ ଯୋଗୁଁ ଏଭଳି ସଙ୍କଟ ଦେଖାଦେବ ବୋଲି ସରକାର କେବେହେଲେ କଳ୍ପନା କରିିନଥିଲେ।
ସବୁଠୁ ଗୁରୁତ୍ବପୂର୍ଣ୍ଣ ଦିଗଟି ହେଉଛି ସ୍ବାସ୍ଥ୍ୟ ସେବା। ସରକାର ଯେତେ ଦାବି କଲେ ମଧ୍ୟ କରୋନା ମୁକାବିଲାରେ ସ୍ବାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ସଫଳ ହୋଇପାରିନାହିଁ। ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସରକାରଙ୍କ ପାରିବାପଣିଆକୁ ପଦାରେ ପକାଇଦେଇଛି କରୋନା। ଭେଣ୍ଟିଲେଟର, ପିପିଇ, ଡାକ୍ତରଖାନାରେ ବେଡ୍ ଏବଂ ସର୍ବୋପରି ପରୀକ୍ଷା କିଟ୍ର ଅଭାବ ସରକାରଙ୍କୁ କରୋନା ଆଗରେ ନୁଆଁଇେଦଇଛି। କୁହାଯାଉଛି ଯେ ସରକାର ଯାହା ଦାବି କଲେ ମଧ୍ୟ କୋଭିଡ୍ ପରୀକ୍ଷା ଠିକ୍ ଭାବେ ହେଉନାହିଁ। ଯଦି ଏହା ଠିକ୍ ଭାବେ ହୁଅନ୍ତା ପଜିଟିଭ୍ ସଂଖ୍ୟା ହୁ ହୁ ହୋଇ ବଢ଼ନ୍ତା। ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କର ପରୀକ୍ଷା ଠିକ୍ ଭାବେ କରାଯାଉନାହିଁ। ଦେଶରେ ଏବେ ଦିନକୁ ଲକ୍ଷେ କୋଭିଡ୍ ପରୀକ୍ଷା କରାଯାଉଛି। ଆମ ରାଜ୍ୟରେ ଦିନକୁ ହଜାର ହଜାର ପ୍ରବାସୀ ଆସୁଥିବା ବେଳେ ସେହି ଅନୁପାତରେ ପରୀକ୍ଷା ହୋଇପାରୁ ନାହିଁ। ଏକରିକି ପରୀକ୍ଷା ଦିନକୁ ୫ ହଜାର ଛୁଇଁପାରୁ ନାହିଁ। କୋଭିଡ୍ ହସପିଟାଲ ଏବଂ କ୍ବାରାଣ୍ଟିନ୍ କେନ୍ଦ୍ରରେ ଯାବତୀୟ ଅବ୍ୟବସ୍ଥାର ଅଭିଯୋଗ ହେଉଛି। ସରକାର ପ୍ରଥମେ ନିଷ୍ପତ୍ତି ନେଲେ ଯେ ବାହାର ରାଜ୍ୟ/ଦେଶରୁ ଆସୁଥିବା ବ୍ୟକ୍ତିଙ୍କୁ କ୍ବାରାଣ୍ଟିନ କେନ୍ଦ୍ରରେ ୧୫ ଦିନ ରଖାଯିବ। ପରବର୍ତୀ ସମୟରେ ଏହାକୁ ୨୧ ଦିନକୁ ବଢ଼ାଇଦେଲେ। ଏେବ ଏହାକୁ ପୁଣି ୭ ଦିନକୁ ଖସାଇ ଦେଇଛନ୍ତି। ଏପରିକି ୭ ଦିନ ପରେ ମଧ୍ୟ ବିନା ପରୀକ୍ଷାରେ ଲୋକଙ୍କୁ ଛାଡ଼ି ଦିଆଯାଉଥିବାର ଅଭିଯୋଗ ମଧ୍ୟ ଆସୁଛି। ଏବେ ହଜାର ହଜାର ପ୍ରବାସୀ ଯେପରି ଘରକୁ ଫେରିବାରେ ଲାଗିଛନ୍ତି ସେମାନଙ୍କର ପରୀକ୍ଷା କରାଯିବା ଏବଂ କ୍ବାରାଣ୍ଟିନ କେନ୍ଦ୍ରରେ ରଖାଯିବା କାଠିକର ପାଠ େହାଇଯିବ। ଲକ୍ଷ ଲକ୍ଷ ସଂଖ୍ୟାରେ ପ୍ରବାସୀ ଏବେ ଯେପରି ନିଜ ନିଜ ରାଜ୍ୟକୁ ଫେରିବାକୁ ଲାଗିଛନ୍ତି ତାହା ରାଜ୍ୟମାନଙ୍କୁ ଅସହାୟ କରିଦେଇଛି। କରୋନା ମୁକାବିଲା ଅପେକ୍ଷା ପ୍ରବାସୀ ଶ୍ରମିକ ସମସ୍ୟା ବେଶି ମୁଣ୍ଡବିନ୍ଧାର କାରଣ ହୋଇଯାଇଛି।
କରୋନାକୁ ହରାଇବା ନେଇ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାର ଆରମ୍ଭରୁ ଯେମିତି ବାହାସ୍ଫୋଟ ମାରୁଥିଲେ, ଉପରୋକ୍ତ ପରିସ୍ଥିତି ସେମାନଙ୍କୁ କରୋନା ଆଗେର ନଇଁବାକୁ ବାଧ୍ୟ କରିଛି। ଲକ୍ଡାଉନ୍ ନିଷ୍ପତ୍ତି ଏବଂ ଏହି ସମୟରେ ନିଆଯାଇଥିବା ପଦକ୍ଷେପ ଫେଲ୍ ମାରିଛି ବୋଲି କହିବା ଠିକ୍ ହେବ ନାହିଁ। କିନ୍ତୁ ସାଂପ୍ରତିକ ପରିସ୍ଥିତି ସରକାରଙ୍କୁ କରୋନା ଆଗରେ ଅସହାୟ କରିଦେଇଛି। ଯେଉଁଥିପାଇଁ କରୋନା ମହାବିପଦ ସତ୍ତ୍ବେ ସବୁ କଟକଣାକୁ ପ୍ରାୟ ଉଠାଇଦେଲେଣି। ଜୀବନ ପାଇଁ ଲକ୍ଡାଉନ୍ ଆରମ୍ଭ କଲେ, ଶେଷରେ ଜୀବିକା ପାଇଁ ହାତ ଟେକିଦେଲେ। କେବଳ ରହିଯାଇଛି ମାସ୍କ ଏବଂ ସାମାଜିକ ଦୂରତ୍ବ। ଏହି ଦୁଇଟି ଅସ୍ତ୍ର ସହିତ େଲାକମାନଙ୍କୁ ନିଜ ଉଦ୍ୟମରେ କରୋନା ସହ ଲଢ଼େଇ କରିବାକୁ ଛାଡ଼ି ଦିଆଯାଇଛି।