କରୋନାରେ ମୃତ ଯବାନଙ୍କ ସ୍ତ୍ରୀ ଏବେ କେଉଁଠି?

ପରିବାର କହିଲେ, ବାହା ହୋଇ ନଥିଲେ, ସହାୟତା ଦେବାକୁ ଖୋଜୁଛି ସିଆର୍‌ପିଏଫ୍

ବଲାଙ୍ଗୀର: ଦେଶର ସୁରକ୍ଷା ପାଇଁ ସଜାଗ ଥିଲେ। ହେଲେ କରୋନା ନେଇଗଲା ଜୀବନ। ସିଆର୍‌ପିଏଫ ଯବାନଙ୍କ ମୃତ୍ୟୁ ପରେ ଏବେ ତାଙ୍କ ସ୍ତ୍ରୀ ନିଖୋଜ। ଆଉ ତାକୁ ନେଇ ବଢ଼ିଛି ସସପେନସ୍। ବିଭାଗ ମୃତ ଯବାନଙ୍କ ସ୍ତ୍ରୀ ପିଲାଛୁଆଙ୍କ ପତ୍ତା ଲଗାଉଥିବା ବେଳେ ପରିବାର ଲୋକ କହୁଛନ୍ତି ଯବାନ ଜଣକ ବାହା ହୋଇ ନଥିଲେ; ସ୍ତ୍ରୀ ପିଲାଛୁଆ କେଉଁଠୁ ଆସିବେ? ପୂରା ଘଟଣା ଏବେ ରହସ୍ୟ ଘେରରେ।

ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ନୂଆଁପଡ଼ା ଗାଁର ସୂର୍ଯ୍ୟମଣି ଭୋଇ ଝାଡ଼ଖଣ୍ଡ ସିଆର୍‌ପିଏଫ୍‌ର ୧୧ ନମ୍ବର ବାଟାଲିଆନରେ ହେଡ କନେଷ୍ଟବଳ ଭାବରେ କାମ କରୁଥିଲେ। କିଛି ଦିନ ତଳେ ଗାଁକୁ ଛୁଟିରେ ଆସିଥିଲେ। ଜ୍ୱର ହେବାରୁ ସେ ବଲାଙ୍ଗୀର କୋଭିଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କୁ ଭୁବନେଶ୍ୱର କୋଭିଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଗତ ସେପ୍ଟେମ୍ବର ୨୦ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁ ପରେ ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ ସିଆର୍‌ପିଏଫ୍‌ ବିଭାଗ ତରଫରୁ ତଦନ୍ତ ଆରମ୍ଭ ହୋଇଥିଲା। ମୃତ ଯବାନଙ୍କ ନୋମିନି ଭାବରେ ପିଙ୍କି ଭୋଇ ନାମକ ଜଣେ ମହିଳା ଥିଲେ। ଯାହାଙ୍କୁ ନିଜ ସ୍ତ୍ରୀ ବୋଲି ଯବାନ ଜଣକ ଡିପେଣ୍ଡେଣ୍ଟ କାର୍ଡ ଦାଖଲ କରିଥିଲେ। ସେହି କାର୍ଡରେ ପିଙ୍କି ଭୋଇଙ୍କ ମୋବାଇଲ ନମ୍ବର ରହିଛି। ବାରମ୍ବାର ଚେଷ୍ଟା କଲା ପରେ ବି ସେହି ନମ୍ବରକୁ ଯୋଗାଯୋଗ ହୋଇପାରୁନି।

ଫଳରେ ବିଭାଗ ତରଫରୁ ଜଣେ ସିଆର୍‌ପିଏଫ୍‌ କନେଷ୍ଟବଲ ବଲାଙ୍ଗୀରକୁ ଆସି ମୃତ ଯବାନଙ୍କ ଗାଁକୁ ଯାଇଥିଲେ। ଗାଁରେ ଥିବା ପରିବାର ଲୋକେ ମୃତ ଯବାନ ସୂର୍ଯ୍ୟମଣି ବାହା ହୋଇନଥିବା କହିଥିଲେ। ମୃତ ସୂର୍ଯ୍ୟମଣିଙ୍କ ବାପା ଧୋବେଇ ଚରଣ ବେହେରା। କିନ୍ତୁ ଜନ୍ମ ସମୟରୁ ମାୟାଧର ଭୋଇଙ୍କ ପୋଷ୍ୟପୁତ୍ର ହୋଇଥିଲେ ମୃତ ଯବାନ। ଏବେ ପୋଷ୍ୟପୁତ୍ର କରିଥିବା ବାପା, ମା’ଙ୍କ ମୃତ୍ୟୁ ହୋଇସାରିଥିବାବେଳେ ତାଙ୍କ ନିଜ ବାପା ଧୋବେଇଙ୍କ ମଧ୍ୟ ମୃତ୍ୟୁ ହୋଇସାରିଛି। ଏବେ ଗାଁରେ ନିଜ ଘରେ ମା ଓ ଭାଇମାନେ ଅଛନ୍ତି। ବଲାଙ୍ଗୀର ବିଏସ୍‌ଏନ୍‌ଏଲ୍‌ ଅଫିସରେ କାମ କରନ୍ତି ମୃତ ଯବାନଙ୍କ ବଡ଼ଭାଇ ଯୁଗଳ କିଶୋର ବେହେରା। ସେ ମଧ୍ୟ ତାଙ୍କ ଭାଇ ସୂର୍ଯ୍ୟମଣି ବାହା ହୋଇନଥିବା କହୁଛନ୍ତି। ଯଦି ସେ ବାହା ହୋଇନାହାନ୍ତି ତାହେଲେ ଡିପେଣ୍ଡେଣ୍ଟ କାର୍ଡରେ ସ୍ତ୍ରୀର ପରିଚୟ ଦେଇଥିବା ପିଙ୍କି କିଏ? ଏହା ସହିତ ତାଙ୍କର ରମେଶ ଭୋଇ, ରୀନା ଭୋଇଙ୍କ ନାଁରେ ପୁଅ ଝିଅ ଥିବା ମଧ୍ୟ ଉଲ୍ଲେଖ ସେ କରିଥିଲେ। ସେମାନେ ସବୁ କେଉଁଠି? ୨୦ ଦିନ ହେଲା ସିଆର୍‌ପିଏଫ ବିଭାଗ ଓ ପରିବାର ଲୋକ ପିଙ୍କିଙ୍କୁ ଖୋଜି ବୁଲୁଛନ୍ତି। କୌଣସି ଖୋଜଖବର ମିଳୁନି। କୌଣସି କାରଣରୁ ମୃତ ଯବାନ ଜଣକ ଫେକ ନାଁରେ ଡିପେଣ୍ଡେଣ୍ଟ କାର୍ଡ ତିଆରି କରି ଦାଖଲ କରିଥିବା କହୁଛନ୍ତି ତାଙ୍କ ପରିବାର ଲୋକ। ନୋମିନି ଭାବରେ ପିଙ୍କି ଭୋଇ ଥିବାରୁ ତାଙ୍କୁ ସହାୟତା ଦେବାକୁ ଖୋଜି ବୁଲୁଛି ସିଆରପିଏଫ୍‌। ଏ ସଂପର୍କରେ ସିଆର୍‌ପିଏଫ୍‌ କର୍ମଚାରୀ ତଦନ୍ତ ପାଇଁ ଆସିଥିବା ବେଳେ ସେ ଗଣମାଧ୍ୟମ ଆଗରେ ଅନୁମତି ନଥିବାରୁ କିଛି କହିବାକୁ ମନା କରିଛନ୍ତି।

ସମ୍ବନ୍ଧିତ ଖବର