ଭୀମଭୋଇଙ୍କ ଜନ୍ମସ୍ଥାନ କେଉଠି ?

ସମ୍ବଲପୁର: ଦେଶର ୧୫ତମ ରାଷ୍ଟ୍ରପତି ଭାବେ ସୋମବାର ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ ଅବସରରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ସନ୍ଥକବି ଭୀମ ଭୋଇଙ୍କ ରଚିତ ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର’କୁ ଉଦ୍ଧାରକରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ବାନ ଦେଇଥିଲେ। ମିଳିତ ଜାତିସଂଘର କାର୍ଯ୍ୟାଳୟର କାନ୍ଥ‌ରେ ଭୀ‌ମ ଭୋଇଙ୍କ ଏହି ଉକ୍ତି ଲିପିବଦ୍ଧ ହୋଇରହିଛି। ହେଲେ, ଏହି ମହାନ ବ୍ୟକ୍ତିତ୍ବଙ୍କ ଜନ୍ମସ୍ଥାନକୁ ନେଇ ସୃଷ୍ଟି ହୋଇଛି ବିବାଦ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗ‌ବେଷଣା ଜରିଆରେ ଏହି ବିବାଦକୁ ତୁଟାଇବା ନିମନ୍ତେ ଗତ ବର୍ଷ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ପତ୍ର ଲେଖିଥିବା ବେଳେ ରେଢ଼ାଖୋଲ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ଏକ ପତ୍ରରେ କିନ୍ତୁ ଭିନ୍ନ ତଥ୍ୟ  ଦିଆଯିବା ନେଇ ଏବେ ପୁଣି ଏକ ନୂଆ ବିବାଦକୁ ଜନ୍ମ ଦେଇଛି।

ଗତ ୫ ଅକ୍ଟୋବର ୨୦୨୧ରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଶନ ରେଡ୍‌ଡିଙ୍କୁ ଏକ ପତ୍ର ଲେଖିଥିଲେ।  ସେଥିରେ ସେ ଦର୍ଶାଇଥିଲେ ଯେ, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ମଧୁପୁର ଗ୍ରାମବାସୀଙ୍କଠାରୁ ତାଙ୍କୁ ପତ୍ର ମିଳିଛି। ସେହି ଚିଠିରେ ମଧୁପୁରକୁ ମହାନ ସନ୍ଥ ଭୀମ ଭୋଇଙ୍କ ଜନ୍ମସ୍ଥାନର ମାନ୍ୟତା ପ୍ରଦାନ ପାଇଁ ଅନୁରୋଧ କରାଯାଇଛି। ଭୀ‌ମ ଭୋଇଙ୍କ ଜନ୍ମସ୍ଥାନକୁ ନେଇ ଭିନ୍ନ ମତ ରହିଛି। ସୋନପୁର, ବୌଦ୍ଧ, ଆଠମଲ୍ଲିକ ଆଦି ସ୍ଥାନରେ ଭୀମ ଭୋଇଙ୍କ ଜନ୍ମ ହୋଇଥିବା ନେଇ କେତେକ ମତ ଦେଇଛନ୍ତି। କିନ୍ତୁ, ଭୀମ ଭୋଇଙ୍କ ରଚିତ ‘ସ୍ତୁତି ଚିନ୍ତାମଣି’ର ‘ବୋଲି’ ସଂଖ୍ୟା-୨୨ ଅନୁଯାୟୀ ମଧୁପୁର ହେଉଛି ତାଙ୍କର ଜନ୍ମସ୍ଥାନ।

ତେଣୁ, ମଧୁପୁର ଗ୍ରାମବାସୀ ଭୀମ ଭୋଇଙ୍କ ଜୀବନୀ ଉପରେ ଗଭୀର ଗବେଷଣାକରି ମଧୁପୁର ଗାଁକୁ ତାଙ୍କ ଜନ୍ମସ୍ଥାନର ମାନ୍ୟତା ଦେବା ନିମନ୍ତେ ଅନୁରୋଧ କରିଛନ୍ତି। ଏଣୁ, ଏଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ‌କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀ ରେଡ୍‌ଡିଙ୍କୁ ପତ୍ର ଲେଖିଥିଲେ। ଗତ  ୩ ଡିସେମ୍ବର ୨୦୨୧ରେ  ଭୀମ ଭୋଇ ଜନ୍ମପୀଠ ଓ ସ୍ମୃତିରକ୍ଷା କମିଟିର ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ପଦ୍ମଶ୍ରୀ ହଳଧର ନାଗଙ୍କ ସମେତ ରେଢ଼ାଖୋଲ ଅଂଚଳର ବହୁ ବିଶିଷ୍ଟ ବ୍ୟକ୍ତି ସମ୍ବଲପୁର ଜିଲ୍ଲାପାଳଙ୍କୁ ମଧ୍ୟ ମଧୁପୁର ଗ୍ରାମକୁ ଭୀମ ଭୋଇଙ୍କ ଜନ୍ମସ୍ଥାନ ମାନ୍ୟତା ପ୍ରଦାନ ସହିତ ଭୀମ ଭୋଇ ତୀର୍ଥ ପରିକ୍ରମା କ୍ଷେତ୍ର ନାମରେ ଏକ ପ୍ରକଳ୍ପ ଜରିଆରେ ସାମୂହିକ ବିକାଶ କରିବାକୁ ଦାବିପତ୍ର ଦେଇଥିଲେ।

ତେ‌ବେ, ୧୯ ଜୁଲାଇ ୨୨ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର ଯୁଗ୍ମ ସଚିବ ଇ.ବି.ଜେନା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକଙ୍କୁ ଦେଇଥିବା ପତ୍ରରେ ଭୀମ ଭୋଇଙ୍କ ଜନ୍ମସ୍ଥାନ ନେଇ ଭିନ୍ନ ତଥ୍ୟ ରହିଛି। ସେହି ପତ୍ରରେ ସେ ଦର୍ଶାଇଛନ୍ତି ଯେ ତାଙ୍କୁ ସମ୍ବଲପୁର ଜିଲ୍ଲାପାଳଙ୍କଠାରୁ ଏକ ପତ୍ର ମିଳିଛି। ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଦ୍ବାରା ସୁପାରିସ କରାଯାଇଥିବା ନେଇ ଉଲ୍ଲେଖ ଥିବା ଉକ୍ତ ପତ୍ରରେ କନ୍ଧରା(ଭୀମ ଭୋଇଙ୍କ ଜନ୍ମସ୍ଥାନ)ର ବିକାଶ ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ କହାଯାଇଛି। ଏହି ପ୍ରକଳ୍ପ ସଂସ୍କୃତି ଓ ଧର୍ମ ସମନ୍ଧୀୟ ହୋଇଥିବାରୁ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ପର୍ଯ୍ୟଟନ ବିଭାଗର ଯୁ୍ଗ୍ମ ସଚିବ ରାଜ୍ୟ ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକଙ୍କୁ ଅନୁରୋଧ କରିଛନ୍ତି। ଏହି ପତ୍ରର ଏକ ନକଲ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବ୍ୟକ୍ତଗତ ସଚିବଙ୍କ ପାଖକୁ ବି ପଠାଯାଇଛି। ଏଭଳି ସ୍ଥିତିରେ ସନ୍ଥକବି ଭୀମ ଭ‌ୋଇ ଜନ୍ମସ୍ଥାନକୁ ନେଇ ଏବେ ପୁଣି ନୂଆ ବିବାଦ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର