ଝାରସୁଗୁଡ଼ା: ୪ ଦିନ ପରେ ମତଦାନ। ଭୋଟରଙ୍କୁ ଆକୃଷ୍ଟ କରିବାକୁ ଯାଇ ରାଜନୈତିକ ଦଳଗୁଡ଼ିକ ଅନ୍ତିମ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ଏହାରି ଭିତରେ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀର ସିଂହଭାଗ ମତଦାତା କୁହାଯାଉଥିବା ଆଦିବାସୀ ଭୋଟରଙ୍କ ଭୋଟ୍ କୁଆଡ଼େ ଯିବ ତାକୁ ନେଇ ଏବେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଚଳିତ ନିର୍ବାଚନରେ ଜଣେ ଆଦିବାସୀ ପ୍ରାର୍ଥୀ ହିଁ ଆଦିବାସୀଙ୍କ ଚେହେରା ହେବେ ବୋଲି ଘୋଷଣା କରି ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ସ୍ବାଧୀନ ପ୍ରାର୍ଥୀଙ୍କୁ ଛିଡ଼ା କରିଛି। କିନ୍ତୁ ମଙ୍ଗଳବାର ସମ୍ମିଳିତ ଆଦିବାସୀ ସମାଜ ଲଇକେରା ବ୍ଲକ ହାତିଆନାଳାଠାରେ ଓ କୋଲାବିରା ବ୍ଲକ ସୋଢ଼ାମାଳଠାରେ ସଭା କରି ଆଦିବାସୀଙ୍କ ଭୋଟ୍ ବିଜେଡିକୁ ଯିବ ବୋଲି ଘୋଷଣା କରିଛି। ଏ ନେଇ ପ୍ରତିକ୍ରିୟା ପାଇଁ ସମ୍ମିଳିତ ଆଦିବାସୀ ସମାଜ ସଚିବ ଅଶୋକ ମାଝୀଙ୍କୁ ପଚାରିବାରେ, ଆମ୍ବେଦକର ଜୟନ୍ତୀରେ ଉକ୍ତ ସ୍ବାଧୀନ ପ୍ରାର୍ଥୀଙ୍କୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ସେ ଆସିନଥିଲେ। ଯେହେତୁ ଉକ୍ତ ସଂଗଠନ ପକ୍ଷରୁ କୌଣସି ଉତ୍ତର ନମିଳିଲା ତେଣୁ ସମ୍ମିଳିତ ଆଦିବାସୀ ସମାଜ ବିଜେଡିକୁ ଭୋଟ୍ ଦେବାକୁ ଚୂଡ଼ାନ୍ତ ନିଷ୍ପତ୍ତି ନେଇଥିବା ଶ୍ରୀ ମାଝୀ କହିଛନ୍ତି।
ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ୨ ଲକ୍ଷ ୨୯ ହଜାର ୦୩୪ ଜଣ ଭୋଟର ରହିଛନ୍ତି। ସେଥିରୁ ଝାରସୁଗୁଡ଼ା ବ୍ଲକରେ ୩୯,୭୭୫ ଜଣ, ପୌରାଞ୍ଚଳରେ ୭୫,୯୩୩ ଜଣ, କିର୍ମିରା ବ୍ଲକରେ ୩୪,୨୬୦ ଜଣ, କୋଲାବିରା ବ୍ଲକରେ ୩୮,୫୩୩ ଜଣ ଓ ଲଇକେରା ବ୍ଲକରେ ୪୦,୫୩୩ ଜଣ ଭୋଟର ଅଛନ୍ତି। ବିଶେଷକରି ଲଇକେରା, କିର୍ମିରା ଓ କୋଲାବିରା ବ୍ଲକରେ ଏହି ହାର ଯଥେଷ୍ଟ ଅଧିକ ରହିଥିବା ବେଳେ ଝାରସୁଗୁଡ଼ା ସଦର ବ୍ଲକ୍ ଓ ମ୍ୟୁନିସିପାଲଟି ଅଞ୍ଚଳରେ ଆଦିବାସୀ ଭୋଟରଙ୍କ ସଂଖ୍ୟା ୨୮ ପ୍ରତିଶତ ରହିଛି। ତେଣୁ ଆଦିବାସୀ ସମ୍ପ୍ରଦାୟ ଯାହାକୁ ସମର୍ଥନ ଜଣାଇବେ ସେ ଦଳର ପ୍ରାର୍ଥୀଙ୍କ ବିଜୟ ଏକ ପ୍ରକାର ସୁନିଶ୍ଚିତ। ଝାରସୁଗୁଡ଼ା ମ୍ୟୁନିସିପାଲଟି ଅଞ୍ଚଳରେ ଚତୁର ଭୋଟିଂ ହେଉଥିବାରୁ ୨ ପ୍ରମୁଖ ଦଳ ବିଜେପି ଓ ବିଜେଡି ଲଇକେରା, କିର୍ମିରାର ଭୋଟ୍ ଉପରେ ଶତ ପ୍ରତିଶତ ନିର୍ଭରଶୀଳ। ଏଭଳି ସ୍ଥିତିରେ ଆଦିବାସୀ ସମୂହ ଯଦି ସ୍ବାଧୀନ ପ୍ରାର୍ଥୀଙ୍କୁ ସମର୍ଥନ ଦିଅନ୍ତି ତେବେ ବିଜେଡି ଓ ବିଜେପିର ଅଙ୍କ ବି ବିଗିଡ଼ିବା ଆଶଙ୍କା ଦେଖାଦେଇଥିଲା। ସମ୍ମିଳିତ ଆଦିବାସୀ ସମାଜ ପ୍ରଥମେ ଆଦିବାସୀ ପ୍ରାର୍ଥୀ ଦେବା ନେଇ ଘୋଷଣା କରିଥିଲା। କିନ୍ତୁ ପ୍ରାର୍ଥୀଙ୍କ ନାମ ଘୋଷଣା ପୂର୍ବରୁ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ସାମ୍ବାଦିକ ସମ୍ମିଳନୀ କରି ପ୍ରାର୍ଥୀ ଦେଇଥିଲା। ଉଭୟ ସଂଗଠନ ମଧ୍ୟରେ ସମନ୍ବୟ ନଥିବା କାରଣରୁ ଏବେ ସମ୍ମିଳିତ ଆଦିବାସୀ ସମାଜ ବିଜେଡିମୁହାଁ ହୋଇଛି। ସବୁ ମନୋମାଳିନ୍ୟ ପରେ ବି ଆଦିବାସୀ ପ୍ରାର୍ଥୀଙ୍କୁ ହିଁ ଆଦିବାସୀ ସମାଜ ସମର୍ଥନ କରିବା ନେଇ ଚର୍ଚ୍ଚା ହେଉଥିବା ବେଳେ ସେଥିରେ ଏବେ ବିରାମ ଲାଗିଛି। ତେବେ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ପକ୍ଷରୁ ଦିଆଯାଇଥିବା ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ କେବଳ ଗୋଟିଏ ସଂଗଠନ ସହିତ ଜଡ଼ିତ ଲୋକେ ଭରସା କରିବେ ନା ଆଦିବାସୀ ସମାଜର ସାଧାରଣ ଲୋକେ ବି ଭରସା କରିବେ ତାକୁ ନେଇ ଏବେ ଅଙ୍କକଷା ଆରମ୍ଭ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/tribal.jpg)