ଭୁବନେଶ୍ୱର: ମରୁଡ଼ି ମାଡ଼ ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଥିଲା। ତା’ ପରେ ଦାଉ ସାଧିଲା ଚକଡ଼ା ପୋକ। ଶେଷକୁ ଅଦିନିଆ ବର୍ଷା ଧୋଇନେଲା ଚାଷୀର ପରିଶ୍ରମ ଓ ପୁଞ୍ଜି। ରାଜ୍ୟ ସରକାର ଆଶ୍ୱାସନା ଦେବାକୁ ଯାଇ ଆଖିଦେଖା ରିପୋର୍ଟ ଆଧାରରେ ଚାଷୀଙ୍କ ପାଇଁ ଇନ୍ପୁଟ୍ ସବ୍ସିଡି ଘୋଷଣା କରିଛନ୍ତି। ଫସଲର କ୍ଷୟକ୍ଷତି ତୁଳନାରେ ଏହି ସହାୟତା ସମୁଦ୍ରକୁ ଶଙ୍ଖେ।
ଏବେ କ୍ଷତିଗ୍ରସ୍ତ ଚାଷୀଙ୍କ ଭରସା ହେଉଛି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା। ହେଲେ ଏହି ବୀମା ରାଶି ଚାଷୀ ପାଇବେ ତ? ଏଭଳି ଏକ ପ୍ରଶ୍ନ ସେମାନଙ୍କୁ ଡରାଇଲାଣି। କାରଣ କ୍ଷୟକ୍ଷତି ସଂପର୍କିତ ଅନ୍ତରୀଣ ରିପୋର୍ଟ ଦେବାରେ ଜିଲ୍ଲାପାଳମାନେ କାଳକ୍ଷେପଣ ନୀତି ଅବଲମ୍ବନ କରିଛନ୍ତି। ମରୁ଼ଡ଼ି ଓ ଚକଡ଼ା ପୋକ ପ୍ରଭାବିତ ହୋଇଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କ ଏଭଳି ଉଦାସୀନତା ପରିଣାମରେ ଚାଷୀର ଭବିଷ୍ୟତ ବାଜି ଲାଗିଛି। କୌତୂହଳର କଥା ହେଉଛି, ଚାଷୀ ଓ ଚାଷ ପାଇଁ ମୁଣ୍ଡ କୋଡ଼ି କାନ୍ଦୁଥିବା ରାଜ୍ୟ ସରକାର ଅତ୍ୟନ୍ତ ବେଫିକର ମନୋଭାବ ପ୍ରଦର୍ଶନ କରିଛନ୍ତି। ନା ମୁଖ୍ୟମନ୍ତ୍ରୀଙ୍କ ସ୍ତରରେ ଏ ନେଇ ତନାଘନା ହେଉଛି ନା ମନ୍ତ୍ରୀ। ସରକାରୀ ଫାଇଲ ପତ୍ର ଫନ୍ଦି ଭିତରେ ଏହି ବୀମା ଯୋଜନାର ସୁଫଳ ମିଳିନପାରେ ବୋଲି ଆଶଙ୍କା ପ୍ରକାଶ ପାଇଲେଣି। କୌତୂହଳର କଥା ହେଉଛି, ରାଜ୍ୟର ହଜାର ହଜାର ଭାଗଚାଷୀ ଏ ବ୍ୟବସ୍ଥାରେ ଟଙ୍କାଟିଏ ପାଇବେ ନାହିଁ। ଏଥିରେ ଥିବା ସର୍ତ୍ତ ହିଁ ସେମାନଙ୍କ ଲାଗି ବାଧକ ସାଜିଛି।
ସୂଚନାନୁସାରେ, ୨୦୧୬ ଖରିଫ ଋତୁରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ହେଉଛି। ଚଳିତ ଖରିଫ ଋତୁରେ ୬୮୦୧ ଗ୍ରାମପଞ୍ଚାୟତର ୧୮ଲକ୍ଷ ୩୬,୩୫୨ ଚାଷୀଙ୍କୁ ବୀମାଭୁକ୍ତ କରାଯାଇଛି। ସେମାନେ ବୀମା ପ୍ରିମିୟମ୍ ବାବଦରେ ୧୪୪.୨୪ କୋଟି ଜମା କରିଛନ୍ତି। ଚାଷୀଙ୍କ ପ୍ରିମିୟମ ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମାନ ଅଂଶଧନ(୫୦:୫୦ ଅନୁପାତରେ) ମିଶାଇ ମୋଟ ଜମା ରାଶି ହେଉଛି ୮୩୯.୬୮ କୋଟି। ଏଥର ଟାଟା ଏଆଇଜି, ଏଲଆଇସି ଅଫ୍ ଇଣ୍ଡିଆ, ନ୍ୟାସନାଲ୍ ଇନ୍ସ୍ୟୁରାନ୍ସ କମ୍ପାନି, ଚୋଲା ଏମ୍ଏସ୍ ଭଳି ୪ଟି ବୀମା କମ୍ପାନିକୁ ନିୟୋଜିତ କରାଯାଇଛି। ଏମାନେ ମୋଟ ବୀମା ବାବଦରେ ଦେବେ ୭୨୪୦ କୋଟି ୬୪ ଲକ୍ଷ ଟଙ୍କା।
ଯୋଜନାର ମାର୍ଗଦର୍ଶିକା ଅନୁଯାୟୀ ବିଭିନ୍ନ ପର୍ଯ୍ୟାୟରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା ରାଶି ମିଳିବ। ଫସଲକଟା ରିପୋର୍ଟ ମିଳିବା ପରେ ଚାଷୀ ସମୁଦାୟ ବୀମା ରାଶି ପାଇବେ। ମାଗଦର୍ଶିକାରେ ଭାଗଚାଷୀଙ୍କୁ ମଧ୍ୟ ବୀମା ସହାୟତା ମିଳିବ ବୋଲି ଉଲ୍ଲେଖ ରହିଛି। କିନ୍ତୁ ଏହା କେବଳ କାଗଜକଲମରେ ରହିଛି। କାରଣ ବୀମା ପଞ୍ଜୀକରଣ ବେଳେ ଭାଗଚାଷୀଙ୍କୁ ଜମି(ରେକର୍ଡ ଅଫ୍ ରାଇଟ୍ସ)ର କାଗଜାତ୍ ଦେବାକୁ ସର୍ତ ରଖାଯାଇଛି। ଏଣୁ ଚଳିତ ବର୍ଷ ମୋଟ ଚାଷୀଙ୍କ ମଧ୍ୟରୁ ମାତ୍ର ୩୩ ପ୍ରତିଶତ ବୀମାଭୁକ୍ତ ହୋଇଛନ୍ତି। ଏହି କ୍ରମରେ ନିକଟରେ ଘଟିଥିବା
ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରୁ ମରୁଡ଼ି, ରୋଗପୋକ ଦ୍ୱାରା ଫସଲର କ୍ଷୟକ୍ଷତି ନିମନ୍ତେ ୨୫ ପ୍ରତିଶତ ଅନ୍ତରୀଣ ସହାୟତା ମିଳିବାର ବ୍ୟବସ୍ଥା ରହିଛି। ନିୟମାନୁସାରେ, କ୍ଷୟକ୍ଷତି ଆକଳନ କରିବା ପାଇଁ ତହସିଲଦାରଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ କମିଟି ରହିଛି। ଏହି କମିଟି ପଞ୍ଚାୟତସ୍ତରରେ କ୍ଷତି ଆକଳନ କରି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଜିଲ୍ଲାସ୍ତରୀୟ କମିଟିକୁ ରିପୋର୍ଟ ଦେବ। ଜିଲ୍ଲାପାଳ ଦେବେ କୃଷି ନିର୍ଦେଶକଙ୍କୁ। ବୀମା ମାର୍ଗଦର୍ଶିକା ଅନୁଯାୟୀ ପଞ୍ଚାୟତ ହେଉଛି ୟୁନିଟ୍। ଗୋଟିଏ ପଞ୍ଚାୟତରେ ଯଦି ୫୦ ପ୍ରତିଶତରୁ କମ୍ ଅମଳ ହେବାର ଆନୁମାନିକ ବା ଆଖିଦେଖା ରିପୋର୍ଟ ମିଳେ, ସେ କ୍ଷେତ୍ରରେ ସଂପୃକ୍ତ ପଞ୍ଚାୟତର ପଞ୍ଜୀକୃତ ଚାଷୀଙ୍କୁ ଅନ୍ତରୀଣ ବୀମା ସହାୟତା ମିଳିପାରିବ। ଇତିମଧ୍ୟରେ ଅନୁଗୁଳ ଜିଲ୍ଲା ପ୍ରଶାସନ ଅନ୍ତରୀଣ ବୀମା ସହାୟତା ନିମନ୍ତେ ରିପୋର୍ଟ ଦେଇସାରିଛି। ବୀମା କମ୍ପାନିଗୁଡ଼ିକର ଅଧିକାରୀମାନେ ସେ ରିପୋର୍ଟ ଯାଞ୍ଚ କରି ଅନୁମୋଦନ ଦେବା ପରେ ସହାୟତା ମିଳିବ। କିନ୍ତୁ ମରୁଡ଼ି ପ୍ରଭାବିତ ଅନ୍ୟ ୧୪ଟି ଜିଲ୍ଲା ପ୍ରଶାସନ ଏଭଳି ରିପୋର୍ଟ ଦେଇନାହାନ୍ତି। ସେସବୁ ଜିଲ୍ଲାରେ ପଞ୍ଚାୟତଓ୍ଵାରି ମରୁଡ଼ି କ୍ଷୟକ୍ଷତି ୫୦ ପ୍ରତିଶତରୁ କମ୍ ହୋଇଛି ନା ଏହା ଜିଲ୍ଲା ପ୍ରଶାସନର ଅବହେଳା ସେ ନେଇ ତଦନ୍ତ ଜରୁରୀ। ସେମିତି ଚକଡ଼ା ପୋକ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନେ ମଧ୍ୟ ରିପୋର୍ଟ ଦେଇନାହାନ୍ତି।
କୃଷି ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଫସଲକଟା ରିପୋର୍ଟ ମିଳିବା ପରେ ସମୁଦାୟ କ୍ଷୟକ୍ଷତି ମୁତାବକ ପୂର୍ଣ୍ଣ ବୀମା ରାଶି ପ୍ରଦାନ କରାଯିବ। ସେତେବେଳେ ଏଭଳି ସାମୟିକ ୨୫ ପ୍ରତିଶତର ସହାୟତା ରାଶି କାଟି ଦିଆଯିବ। ଯଦି ଅନ୍ତରୀଣ ସହାୟତା ପାଇଥିବା ଚାଷୀ ଚୂଡ଼ାନ୍ତ ବୀମା ପାଇବା ପାଇଁ ଯୋଗ୍ୟ ବିବେଚିତ ନ ହୁଅନ୍ତି, ସେ କ୍ଷେତ୍ରରେ ସେ ପାଇଥିବା ବୀମା ରାଶି ଫେରାଇ ନିଆଯିବ ନାହିଁ। ବୀମା ରାଶି ପ୍ରଦାନ କରାଯିବାର ଶେଷ ତାରିଖ ହେଉଛି ଫେବ୍ରୁଆରି ୧୫ ତାରିଖ। ବର୍ତମାନ ଜିଲ୍ଲାଗୁଡ଼ିକରୁ ଫସଲକଟା ରିପୋର୍ଟ ଆସିବାରେ ଲାଗିଛି। ଆଜି ସୁଦ୍ଧା ଦେବଗଡ଼, ସମ୍ବଲପୁର, ନୂଆପଡ଼ା, ନବରଙ୍ଗପୁର, ଝାରସୁଗୁଡ଼ା, ମାଲକାନଗିରି ଜିଲ୍ଲାରୁ ଧାନକଟା ରିପୋର୍ଟ ଚୂଡ଼ାନ୍ତ ହୋଇଛି। ଏଥର ଚାଷୀଙ୍କ ବ୍ୟାପକ କ୍ଷୟକ୍ଷତି ହିସାବକୁ ନେଇ ସରକାର ଚଳିତ ମାସ ଶେଷ ସୁଦ୍ଧା ଧାନକଟା ସରିଥିବା ଜିଲ୍ଲାଗୁଡ଼ିକରେ ବୀମା ରାଶି ଦେବାକୁ ନିଷ୍ପତ୍ତି ନେଇଛନ୍ତିି। ଜାନୁଆରି ମାସରେ ଆଉ ପ୍ରାୟ ୨୦ ଜିଲ୍ଲା ଏବଂ ଫେବ୍ରୁଆରି ୧୫ ତାରିଖ ସୁଦ୍ଧା ସାରା ରାଜ୍ୟରେ ବୀମା ରାଶି ପ୍ରଦାନ ପ୍ରକ୍ରିୟା ଶେଷ ହେବ।
ସୂଚନାଯୋଗ୍ୟ ଯେ ଗତ ଖରିଫ ଋତୁରେ ରାଜ୍ୟରେ ମରୁଡ଼ି କିମ୍ବା କୌଣସି ପ୍ରାକୃତିକ ବିପର୍ଯ୍ୟୟ ହୋଇନଥିଲା। ସେତେବେଳେ ଏହି ବୀମା ଯୋଜନାରେ ୧୬.୭୨ ଲକ୍ଷ ପଞ୍ଜୀକୃତ ଚାଷୀଙ୍କୁ ୪୨୬.୧୬ କୋଟି ଟଙ୍କାର ବୀମା ରାଶି ଦିଆଯାଇଥିଲା। ଏଥର ମରୁଡ଼ି ସହିତ ରୋଗପୋକ ଭଳି ସମସ୍ୟା ଦେଖାଦେଇଥିବାରୁ ଚାଷୀମାନେ ଅନ୍ୟୂନ ୧ ହଜାର କୋଟି ଟଙ୍କାର ବୀମା ରାଶି ପାଇପାରନ୍ତି ବୋଲି ଉପଗ୍ରହ ମାଧ୍ୟମରେ କ୍ଷୟକ୍ଷତି ଦୃଶ୍ୟରୁ ଅନୁମାନ କରାଯାଉଛି।