କେଉଁ ବାଟରେ ଚାଲିଛି ପୁଲିସ ଆଧୁନିକୀକରଣ? ୨୨% ପଦ ଖାଲି

ସ୍ବୀକୃତ ପଦବି ସଂଖ୍ୟାଠୁ ଅଧିକ ଅଛନ୍ତି ଡିଜି, ଏଡିଜି
ଏସ୍‌ପିରୁ କନଷ୍ଟେବଳ ଯାଏ ସବୁଠି ଅଭାବ; କାମ କରିବେ କିଏ?

କଟକ,(କୃଷ୍ଣପ୍ରସାଦ ଦାସ) : ରାଜ୍ୟ ପୁଲିସ ବିଭାଗରେ ଏବେ ବିଚିତ୍ର ସ୍ଥିତି। ତଳସ୍ତରରେ କାମ କରିବାକୁ ଥିବା ଅଧିକାରୀ, କର୍ମଚାରୀ ପଦବି ଖାଲି ପଡ଼ିଛି। ଏମିତିକି ରୁଟିନ୍ କାମ ପାଇଁ ବି ଅନେକ ସମୟ‌ରେ କର୍ମଚାରୀ ଅଭାବ ପଡୁଛନ୍ତି। କିନ୍ତୁ ଡିଜି, ଏଡିଜି ପାହ୍ୟାରେ ସ୍ବୀକୃତ ପଦବିଠୁ ବି ଅଧିକ ସଂଖ୍ୟ‌ାରେ ଅଧିକାରୀଙ୍କୁ ଅବସ୍ଥାପିତ କରାଯାଉଛି। ଏଭଳି ସ୍ଥିତିରେ ପୁଲିସ ବିଭାଗ ସାଧାରଣ ଲୋକଙ୍କ ଆଶା, ଅପେକ୍ଷାରେ ଉତୁରିବାକୁ କେତେ ସମର୍ଥ ହେବ, ତାହାକୁ ନେଇ ପ୍ରଶ୍ନ ଉଠୁଛି।

Times of India

ରାଜ୍ୟରେ ଆଇନଶୃଙ୍ଖଳା ରକ୍ଷା, ଅପରାଧ ନିୟନ୍ତ୍ରଣ, ବିଭିନ୍ନ ଅପରାଧର ରହସ୍ୟ ଉନ୍ମୋଚନ, ସାଇବର ଅପରାଧ ତଥା ଅପରାଧୀ ମାନଙ୍କର ଆଧୁନିକ ଢଙ୍ଗରେ ଅପରାଧ କରିବାର ଶୈଳୀର ମୁକାବିଲା କରିବା ରାଜ୍ୟ ପୁଲିସ ପାଇଁ ଏବେ ସବୁଠୁ ବଡ଼ ଚାଲେଞ୍ଜ ହୋଇଛି। ବଢୁଥିବା ଜନସଂଖ୍ୟା, ବ୍ୟବସାୟ, ଦ୍ରୁତ ଶିଳ୍ପାୟନ ଭଳି ପ୍ରସଙ୍ଗ ଯୋଗୁଁ ପୁଲିସ ବିଭାଗରେ ଅଧିକ ପଦବି ସୃଷ୍ଟି କରିବାକୁ ପଡ଼ିଥାଏ। କିନ୍ତୁ ବାସ୍ତବରେ ରାଜ୍ୟ ପୁଲିସରେ ଆବଶ୍ୟକତା ଅନୁଯାୟୀ ପଦବି ସଂଖ୍ୟା ତ ବଢୁନି ଓଲଟା ରହିଥିବା ସ୍ବୀକୃତିପ୍ରାପ୍ତ ପଦବି ବର୍ଷବର୍ଷ ଧରି ପୂରଣ ନ ହୋଇ ଖାଲିପଡୁଛି। ୨୦୨୦, ଡିସେମ୍ବର ୩୧ ସୁଦ୍ଧା ରାଜ୍ୟ ପୁଲିସ ବିଭାଗରେ ଡିଜି ଠାରୁ ଆରମ୍ଭ କରି ପିଅନ ପର୍ଯ୍ୟନ୍ତ ମୋଟ ୬୦ ହଜାର ୬୪୪ ସ୍ବୀକୃତିପ୍ରାପ୍ତ ପଦବି ଥିବାବେଳେ ସେଥିରୁ ୧୩ ହଜାର ୭୪ ପଦ ଖାଲି ପଡିଛି। ଅର୍ଥାତ ସ୍ବୀକୃତିପ୍ରାପ୍ତ ପଦବିର ୨୧.୫୫ ପ୍ରତିଶତ ଏବେ ଖାଲି ପଡିଛି। ଗଲା ୬ ମାସ ଭିତରେ ଏସ୍‌ଆଇ ଏବଂ ଅନ୍ୟ ପଦବି ପୂରଣ ପାଇଁ ପଦକ୍ଷେପ ନିଆଯାଇଥିଲେ ବି ତାହା ଆବଶ୍ୟକତାକୁ ପୂରଣ କରି ପାରିବ ନାହିଁ।

ପୁଲିସ ବିଭାଗରେ ସର୍ବୋଚ୍ଚ ଡିଜି ପଦବି ରାଜ୍ୟରେ ମାତ୍ର ଗୋଟିଏ ରହିଛି। କିନ୍ତୁ ବର୍ତ୍ତମାନ ରାଜ୍ୟରେ ୨ ଜଣ ଡିଜି ପାହ୍ୟାର ଅଧିକାରୀ କାର୍ଯ୍ୟ କରୁଛନ୍ତି। ସେହିଭଳି ୧୦ଟି ଅତିରିକ୍ତ ଡିଜି (ଏଡିଜି) ପଦବି ଥିବା ବେଳେ ଏଡିଜି ପାହ୍ୟାରେ ଅଛନ୍ତି ୧୨ ଜଣ। କିନ୍ତୁ ତା ତଳକୁ ତଳକୁ ଯେତିକି ପଦବି ରହିଛି, ପ୍ରାୟ ସବୁ ପଦବିରେ ଆବଶ୍ୟକତା ଅନୁଯାୟୀ ଅଧିକାରୀ ନାହାନ୍ତି। ଡିଆଇଜି ପଦବି ୧୯ ଥିବାବେଳେ ଅଛନ୍ତି ୯ ଜଣ। ଏସ୍‌ପି ପଦବି ୬୩ ଥିବାବେଳେ ଅଛନ୍ତି ୪୮ ଜଣ। ଅତିରିକ୍ତ ଏସ୍‌ପି ପଦବି ୧୨୦ ଥିବାବେଳେ ଅଛନ୍ତି ୧୦୧ ଜଣ। ଡିଏସ୍‌ପି ପଦବି ୪୬୫ ଥିବା ବେଳେ ଅଛନ୍ତି ୧୬୨ ଜଣ। ଅର୍ଥାତ ଅଧାରୁ ଅଧିକ ଡିଏସ୍‌ପି ପଦବି ରାଜ୍ୟରେ ଖାଲି ପଡିଛି। ଇନ୍ସପେକ୍ଟର ପଦବି ୧୦୭୭ ଥିବାବେଳେ ଅଛନ୍ତି ୯୭୭ ଜଣ। ଅର୍ଥାତ ଶହେ ଇନ୍ସପେକ୍ଟର ପଦବି ରାଜ୍ୟରେ ଖାଲି ପଡିଛି। ଏସ୍‌ଆଇ ପଦବି ୩୩୯୯ ଥିବାବେଳେ ଅଛନ୍ତି ୨୧୬୨ ଜଣ। ୧୨୩୭ ଏସଆଇ ପଦବି ଖାଲି ପଡିଛି। ଏଏସଆଇ ପଦବି ୪୧୦୭ଟି ଥିବାବେଳେ ଅଛନ୍ତି ୨୫୫୨ ଜଣ। ଖାଲିପଡ଼ିଛି ୧୫୫୫ ଏଏସ୍‌ଆଇ ପଦବି। ହାବିଲଦାର ପଦବି ୨୭୬୨ ଥିବାବେଳେ ଅଛନ୍ତି ୨୩୫୯ ଜଣ। ୪୦୩ ହାବିଲଦାର ପଦବି ଖାଲି ପଡିଛି। କନଷ୍ଟେବଳ ପଦବି ୨୨ ହଜାର ୩୬୨ ଥିବା ବେଳେ ଅଛନ୍ତି ୧୯ ହଜାର ୧୭୮ ଜଣ। ୩ ହଜାର ୧୪୮ ପଦବି ଖାଲି ପଡିଛି। ବିଭାଗୀୟ କାର୍ଯ୍ୟ କରିବାକୁ ବି କର୍ମଚାରୀ ଅଭାବ। ପୁଲିସ ବିଭାଗରେ ୧୫୬ଟି ବରିଷ୍ଠ କିରାଣି ପଦବି ଥିବାବେଳେ ଅଛନ୍ତି ମାତ୍ର ୭୩ ଜଣ। ୮୩ଟି ପଦବି ଖାଲିପଡିଛି। ଜୁନିଅର୍ ଆସିଷ୍ଟାଣ୍ଟ୍ ପଦବି ୭୨ଟି ଥିବା ବେଳେ ଅଛନ୍ତି ମାତ୍ର ୨ ଜଣ। ୭୦ ପଦବି ଫାଙ୍କା ପଡିଛି। ଖାଲି ଥିବା ଭିଜିଲାନ୍ସ, ହୋମଗାର୍ଡ, ବନସୁରକ୍ଷା କର୍ମୀ ପଦବି ଏହି ହିସାବ ଭିତରେ ନାହିଁ। ତେଣୁ ମୋଟାମୋଟି ଭାବେ ପୁଲିସ ବିଭାଗରେ କର୍ମଚାରୀ ଅଭାବକୁ ନେଇ କେତେ ସାଂଘାତିକ ସ୍ଥିତି ତାହା ଏଥିରୁ ସ୍ପଷ୍ଟ। ଗାଡ଼ି, ଥାନା ଗୃହ, ହାଜତ ଇତ୍ୟାଦି ଅନ୍ୟ ଭିତ୍ତିଭୂମି ତ ଆହୁରି ଦୁର୍ବଳ। ଏଭଳି ଦୁର୍ବଳ ଭିତ୍ତିଭୂମିରେ ପୁଲିସ ବିଭାଗର କି ପ୍ରକାର ଆଧୁନିକୀକରଣ ହେଉଛି, ତାହା ସନ୍ଦେହର କାରଣ ହୋଇଛି।

ସାଧାରଣ ଭାବେ ତଳସ୍ତରରେ ପୁଲିସ ବିଭାଗକୁ ସଜାଗ ଆଉ ସକ୍ରିୟ ରଖିବାକୁ ହେଲେ କନଷ୍ଟେବଳଠୁ ଏସ୍‌ପି ପାହ୍ୟା ପର୍ଯ୍ୟନ୍ତ ଅଧିକାରୀ ପଦ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କିନ୍ତୁ ୩ ହଜାରରୁ ଅଧିକ କ‌ନଷ୍ଟେବଳ, ୧୫ଶହରୁ ଅଧିକ ଏଏସ୍‌ଆଇ, ୧୨ଶହରୁ ଅଧିକ ଏସଆଇ ଆଉ ଶହେ ଇନ୍ସପେକ୍ଟର ପଦବି ଖାଲିପଡ଼ିଲେ ପୁଲିସ ବିଭାଗ ତଳସ୍ତରରେ କିଭଳି ସକ୍ରୀୟ ଭୂମିକା ଗ୍ରହଣ କରିବ ତାହା ଏବେ ଉଦ୍‌ବେଗର କାରଣ ହୋଇଛି।

ସମ୍ବନ୍ଧିତ ଖବର