ବ୍ରହ୍ମପୁର : ବଡ଼ବଜାର ଥାନା ଅନ୍ତର୍ଗତ ଶ୍ରୀରାମନଗର ଅଂଚଳରେ ଆଜି ମଧ୍ୟାହ୍ନରେ ଏକ କୂଅ ଖୋଳିବା ବେଳେ ଅଘଟଣ ଘଟିଛି। ମାଟି ଅତଡ଼ା ଖସି କୂଅ ଖୋଳାରେ ନିୟୋଜିତ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସହର ଉପକଣ୍ଠ ଜଗଦଳପୁର ଗ୍ରାମର ସନ୍ତୋଷ ସେଠୀ(୩୫)। ସୂଚନା ମୁତାବକ, କୂଅ ଖୋଳା ଚାଲିଥିବା ବେଳେ ସନ୍ତୋଷ ଭିତରେ ରହି ମାଟି ବାହାର କରୁଥିଲେ। ଏତିକି ବେଳେ ଉପରୁ ଏକ ବଡ଼ ମାଟି ଅତଡ଼ା ଖସି ତାଙ୍କ ଉପରେ ପଡ଼ିଥିଲା। ସେ ସେହି ମାଟି ଅତଡ଼ା ତଳେ ଦବି ରହିଯାଇଥିଲେ।
ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶ୍ବାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ। ମୃତକଙ୍କ ଶବକୁ ବଡ଼ଡାକ୍ତରଖାନାର ସଂରକ୍ଷଣ ଗୃହରେ ସଂରକ୍ଷିତ ରଖାଯାଇଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।