ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା-ବାମେବାରି ଏକ୍ସପ୍ରେସ୍ ରାସ୍ତାର କମାରଯୋଡ଼ା ନିକଟରେ ଆଜି ଡ୍ରେନ୍ ନିର୍ମାଣ ପାଇଁ ମାଟି ଖୋଳା ଯାଉଥିବା ସମୟରେ ଏକ ଦୁର୍ଘଟଣା ଘଟିଛି। ମାଟି ଅତଡ଼ା ଧସିଯିବା ଫଳରେ ଦୁଇଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଜଣେ ଶ୍ରମିକ ଆହତ ହୋଇଛନ୍ତି। ମୃତ ଶ୍ରମିକ ହେଲେ, କଳାପାହାଡ଼ ତଲକହଟିଂର ଅର୍ଜୁନ ଲୋହାର (୨୨) ଓ ଚରଣ ଲୋହାର (୧୭)। ସେହିପରି ଆହତ ଶ୍ରମିକ ହେଲେ ମୁକେଶ ସର୍ଦ୍ଦାର। ମୁକେଶଙ୍କୁ ଟାଟାଷ୍ଟିଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକ୍ରେ ଚମ୍ପୁଆ ଉପଜିଲ୍ଲାପାଳ ଓ ବଡ଼ବିଲ ତହସିଲଦାରଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁସାରେ, ଆଜି ଅପରାହ୍ନ ୩ଟା ସମୟରେ ଜେସିବି ସାହାଯ୍ୟରେ ମାଟିଖୋଳା ଚାଲିଥିଲା। ଅଚାନକ ମାଟି ଅତଡ଼ା ଖସି ପଡ଼ିବାରୁ ଅର୍ଜୁନ ଓ ଚରଣ ସମ୍ପୂର୍ଣ୍ଣ ପୋତି ହୋଇଯାଇଥିବା ବେଳେ ମୁକେଶ ଆଂଶିକ ପୋତିହୋଇ ଯାଇଥିଲେ। ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଘଣ୍ଟାଏ ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ଟାଟାଷ୍ଟିଲ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଅର୍ଜୁନ ଓ ଚରଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ କମାରଯୋଡ଼ା ତାରିଣୀଛକରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା। ଅପରପକ୍ଷେ, ବାରମ୍ବାର ସମାନ ସ୍ଥାନରେ ଖୋଳାପୋତା ହେଉଥିବାରୁ ଅଳ୍ପ ବର୍ଷା ହେଲେ ଉକ୍ତ ସ୍ଥାନଟି ସନ୍ତସନ୍ତିଆ ହୋଇଯାଉଛି। ଯେଉଁଥିପାଇଁ ଆଜି ମାଟି ଅତଡ଼ା ଧସି ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରଥମେ ବିଆର୍ପିଏଲ୍ ଓ ଜେଏସ୍ଡବ୍ଲ୍ୟୁ କମ୍ପାନିର ସ୍ଲରି ପାଇପ୍ ପାଇଁ ମାଟି ଖୋଳାଯାଇ ପୋତା ଯାଇଥିଲା। ପରେ ପାଣି ପାଇପ୍ଲାଇନ୍ ବିଛା ଯାଇଥିଲା। ଏନେଇ ଫ୍ଲାଏଓଭର ଓ ଡ୍ରେନ୍ ନିର୍ମାଣ କରୁଥିବା ଠିକାସଂସ୍ଥା ଚେଭ୍ରକ୍ସର ମାନବସମ୍ବଳ ଅଧିକାରୀ ଭାଗୀରଥି ପଣ୍ଡାଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/fshhfssfhsfffh.jpg)