ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରେଳ ଷ୍ଟେସନ୍ ନିକଟରେ ଆଜି ସନ୍ଧ୍ୟାରେ ବଡ଼ ଅଘଟଣ ଘଟିଛି। ରେଳଧାରଣାରେ ଛିଡ଼ା ହୋଇଥିବା ଏକ ରେଳ ବଗି ଉପରେ ଚଢ଼ି ସେଲ୍ଫି ନେବା କାଳ ହେଲା। ନିମିଷକରେ ହୁତ୍ହୁତ୍ ହୋଇ ଜଳିଗଲେ ନାବାଳକ। ମୃତ ନାବାଳକ ହେଉଛନ୍ତି ଗୌରଚନ୍ଦ୍ର ସାହିର ସୂର୍ଯ୍ୟ କୁମାର (୧୭)। ଏଥିସହିତ ରେଳବଗିଟି ବି ଜଳି ଯାଇଛି। ଏଭଳି ଛାତିଥରା ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। କରୋନା କଟକଣା ପରଠୁ ପାରଳାଖେମୁଣ୍ଡି ଷ୍ଟେସନ୍ ଠାରେ କିଛି ପୁରୁଣା ଓ ନୂଆ ଟ୍ରେନ୍ ଅଟକି ରହିଛି। ଟ୍ରେନ୍ଗୁଡ଼ିକୁ ତାର୍ପୋଲିନ୍ ଘୋଡ଼ାଇ ରଖାଯାଇଛି। ଆଜି ସନ୍ଧ୍ୟାରେ ଷ୍ଟେସନ୍ର ଠିକ୍ ଶେଷ ଭାଗ ରେଳଧାରଣା ନିକଟରେ ୫ଜଣ ନାବାଳକ ପହଞ୍ଚିଥିଲେ। ସେମାନେ କିଛି ସମୟ କଥାବାର୍ତ୍ତା କରିବା ପରେ ତଳେ ସେଲ୍ଫି ନେଉଥିଲେ। ସୂର୍ଯ୍ୟ ସିଧା ବଗି ଉପରକୁ ଚଢ଼ି ଯାଇଥିଲେ। ପକେଟ୍ରୁ ସ୍ମାର୍ଟ ଫୋନ୍ ବାହାର କରି ସେଲ୍ଫି ନେବାକୁ ଚେଷ୍ଟା କରିଥିଲେ। ଏ ସମୟରେ ଅସାବଧାନତାବଶତଃ ବଗି ଉପର ଦେଇ ଯାଇଥିବା ଉଚ୍ଚକ୍ଷମତା ସଂପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ସେ ଆସି ଯାଇଥିଲେ। ଆଉ ତାଙ୍କ ଶରୀର ହୁତ୍ହୁତ୍ ହୋଇ ଜଳି ଉଠିବା ସହ ଶରୀରର କିଛି ଅଂଶ ଖଣ୍ଡଖଣ୍ଡ ହୋଇ ତଳେ ଛିଟିକି ପଡ଼ିଥିଲା। ଖାଲି ଏତିକି ନୁହେଁ, ବଗି ଉପରେ ଘୋଡ଼ା ଯାଇଥିବା ତାର୍ପୋଲିନ୍ ବି ଜଳି ସଂପୃକ୍ତ ବଗିଟି ଜଳିଥିଲା। ଏହି ଭୟାନକ ଦୃଶ୍ୟ ଦେଖି ୨ଜଣ ସେଠାରୁ ପଳାଇଥିଲେ।
ପାରଳାଖେମୁଣ୍ଡି ସହରରେ ଏହି ଖବର ପ୍ରଚାର ହେବା କ୍ଷଣି ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ପାରଳା ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚିଥିଲେ। ଖବର ମିଳିବା ସୁଦ୍ଧା ବଗିରେ ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି। ଏହା ପରେ ସେଠାରୁ ସୂର୍ଯ୍ୟଙ୍କ ଶବ ବାହାର କରାଯିବ ବୋଲି ଜଣାପଡ଼ିଛି। ଅନ୍ୟ ୨ଜଣଙ୍କୁ ଜିଆର୍ପି ଅଟକ ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/2e799eb4-3f36-4a3e-9e69-f5a6279670db.jpg)