ରାୟଗଡ଼ା(ନବୀନ ଚନ୍ଦ୍ର ସାହୁ): ବ୍ଲକ୍, ତହସିଲ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଖାଲି ପଡିଥିବା ପଦବି ପୂରଣ ପାଇଁ ପ୍ରତି ମାସରେ ସରକାର ବିଜ୍ଞପ୍ତି ପ୍ରକାଶ କରୁଛନ୍ତି। ଆଇଏଏସ୍, ଓଏଏସ୍ ସ୍ତରରେ ମଧ୍ୟ ବ୍ୟାପକ ଅଦଳ ବଦଳ ହେଉଛି। କିନ୍ତୁ ରାୟଗଡ଼ା ଜିଲ୍ଲାର ଗୁଣପୁର ଉପଜିଲ୍ଲାପାଳ ପଦବିରେ ସରକାର କାହାକୁ ଅବସ୍ଥାପିତ କରୁନାହାନ୍ତି। ୬ ମାସ ହେଲା ଗୁଣପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ଅତିରିକ୍ତ ଦାୟିତ୍ବରେ ଚାଲିଥିବାରୁ ଉପଖଣ୍ଡ ଅଧୀନରେ ଥିବା ୭ ବ୍ଲକ୍, ତହସିଲ, ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା (ଡିକେଡିଏ), ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥା (ଏଲଏସଡିଏ) ଭଳି ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟାଳୟରେ ବିକାଶ ଧିମା ହୋଇ ପଡିଛି।

Advertisment

ରାୟଗଡ଼ା ଜିଲ୍ଲା ଗଠନ ପୂର୍ବରୁ ଅବିଭକ୍ତ କୋରାପୁଟ ଜିଲ୍ଲା ଅଧୀନରେ ରହିଛି ଗୁଣପୁର ଉପଖଣ୍ଡ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ଥିବା ଆଇଏଏସ୍ ଅଫିସର ପ୍ରଦୀପ୍ତ ମହାପାତ୍ର, ସଞ୍ଜୟ ସିଂ, ଡ. କ୍ରିଷନ୍ କୁମାର, ଭି. ଜୟ କୁମାର, ଅମ୍ରିତ୍ ଋତୁରାଜ, ସିଦ୍ଧେଶ୍ବର ବଳିରାମ ବନ୍ଦର, ଜେ. ସୋନାଲ୍ ଗୁଣପୁର ଉପଜିଲ୍ଲାପାଳ ଭାବେ ନିଜ ଚାକିରି ଜୀବନ ଆରମ୍ଭ କରିଛନ୍ତି। ଆଇଏଏସ୍ ଏ. କେ. ଦଲବାଇ, ଚିନ୍ମୟ ବସୁ, ଶଶୀଭୂଷଣ ମହାପାତ୍ର ଚାକିରି ଜୀବନରୁ ଅବସର ଗ୍ରହଣ କରି ସାରିଲେଣି। ରାୟଗଡ଼ା ଜିଲ୍ଲା ବିକାଶରେ ଗୁଣପୁର ଉପଖଣ୍ଡ ବହୁ ଗୁରୁତ୍ବ ରଖୁଥିବାରୁ ରାଜ୍ୟ ସରକାର ପୂର୍ବରୁ ହିଁ ଏହି ଉପଖଣ୍ଡକୁ ଗୁରୁତ୍ବ ଦେଇ ଆସୁଛନ୍ତି। ଶିକ୍ଷା-ସ୍ବାସ୍ଥ୍ୟ-ଗମନାଗମନ କ୍ଷେତ୍ରରେ ବହୁ ଆଗରେ ଥିବା ଗୁଣପୁର ଉପଖଣ୍ଡ ଅଧୀନରେ ଥିବା ୭ ବ୍ଲକ୍ ଅଧୀନରେ ବହୁ ଦୁର୍ଗମ ଅଞ୍ଚଳ ରହିଛି। ସେହିପରି ଆଦିମ, ବିରଳ ଜନଜାତି ଡଙ୍ଗରିଆ ଓ ଲାଞ୍ଜିଆ ସଉରା ସଂପ୍ରଦାୟ ଏହି ଉପଖଣ୍ଡରେ ବସବାସ କରୁଥିବାରୁ ଉପଖଣ୍ଡର ବିକାଶକୁ ତ୍ବରାନିତ କରିବା ପାଇଁ ଦକ୍ଷ ଅଫିସରଙ୍କୁ ନିଯୁକ୍ତି ଦେଇ ଆସୁଛନ୍ତି ରାଜ୍ୟ ସରକାର।

ପୂର୍ବରୁ ଦାୟିତ୍ବ‌ରେ ଥିବା ଉପଜିଲ୍ଲାପାଳଙ୍କ ବଦଳି ପରେ ସଙ୍ଗେ ସଙ୍ଗେ ଅନ୍ୟ ଜଣେ ଆଇଏଏସଙ୍କୁ ନିଯୁକ୍ତି କରୁଥିଲେ ସରକାର। ହେଲେ ଗତ ୬ ମାସ ହେଲା ଏଥିରେ ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ଗୁଣପୁର ଉପଜିଲ୍ଲାପାଳ ଭାବେ କାର୍ଯ୍ୟରତ ଆଇଏଏସ୍ ଜେ. ସୋନାଲଙ୍କୁ ସରକାର ୨୦୨୨ ଜୁନରେ ବ୍ରହ୍ମପୁର ମହାନଗର ନିଗମର କମିଶନର ଭାବେ ବଦଳି କରିବା ପରେ ଆଉ କାହାକୁ ନିଯୁକ୍ତି ଦେଇନାହାନ୍ତି। ଅତିରିକ୍ତ ଦାୟିତ୍ବ ଭାବେ ଗୁଣପୁର ପିଏ ଆଇଟିଡିଏ ଓଏଏସ୍ ଲୋକନାଥ ଦଳବେହେରାଙ୍କୁ ସରକାର ଦାୟିତ୍ବ ଦେଇ ଚୁପ୍ ବସି ରହିଛନ୍ତି। ଜୁନରୁ ନଭେମ୍ବର ଆଜି ସୁଦ୍ଧା ୧୬ଟି ବଦଳି ଓ ପଦବି ପୂରଣ ପାଇଁ ସରକାର ବିଜ୍ଞପ୍ତି ପ୍ରକାଶ କଲେଣି। ଅନ୍ୟ ଜିଲ୍ଲା ଗୁଡ଼ିକରେ ଅତିରିକ୍ତ ଦାୟିତ୍ବରେ ଚାଲିଥିବା ଅଧିକାଂଶ ପଦବି ଇତି ମଧ୍ୟରେ ପୂରଣ ହୋଇ ସାରିଲାଣି। ହେଲେ ଗୁଣପୁର ଉପଜିଲ୍ଲାପାଳ ଭାବେ ସରକାର କାହାକୁ କାହିଁକି ଅବସ୍ଥାପିତ କରୁନାହାନ୍ତି ତାକୁ ନେଇ ନାନା ପ୍ରଶ୍ନ ସୃଷ୍ଟି ହୋଇଛି।

ଗୁଣପୁର ଉପଖଣ୍ଡ ଅଧୀନରେ ଦୁର୍ଗମ ଚନ୍ଦ୍ରପୁର ବ୍ଲକ୍ ରହିଛି। ଗୁଣପୁର ଉପଖଣ୍ଡରୁ ଚନ୍ଦ୍ରପୁରର ଦୂରତା ୧୨୦ କିମି ହୋଇଥିବା ବେଳେ ଏହି ବ୍ଲକ୍ ଆଜି ସୁଦ୍ଧା ସରକାରଙ୍କ ବିକାଶ ସ୍ରୋତରେ ସାମିଲ୍ ହୋଇପାରିନି। ମାସର ୨୫ ଦିନ ମୋବାଇଲ୍ ସେବା ଉପଲବ୍ଧ ନଥିବା ବେଳେ ସରକାରୀ କର୍ମଚାରୀ ଉପସ୍ଥିତି ଓ ବ୍ଲକର ବିକାଶ କଥା ନ କହିବା ଭଲ। ରାମନାଗୁଡ଼ା, ଗୁଣପୁର ବ୍ଲକକୁ ଆନ୍ଧ୍ର ସୀମାନ୍ତ ଲାଗିଥିବା ବେଳେ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ଲାଗି ରହିଛି ବଂଶଧାରା ଜଳ ବିବାଦ। ଲାଞ୍ଜିଆ ସଉରା, ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ଉପଜିଲ୍ଲାପାଳଙ୍କ ତତ୍ତ୍ବାବଧାନରେ ଚାଲିଛି। ଜିଲ୍ଲାର ସର୍ବାଧିକ ମାଓ ପ୍ରବଣ ଅଞ୍ଚଳ ଚନ୍ଦ୍ରପୁର, ଗୁଡାରି, ବିଷମକଟକ, ମୁନିଗୁଡ଼ା ବ୍ଲକ୍ ଗୁଣପୁର ଉପଖଣ୍ଡ ଅଧୀନରେ ହିଁ ରହିଛି। ଆଇନ ଶୃଙ୍ଖଳା ପରିସ୍ଥିତି କ୍ଷେତ୍ରରେ ମଧ୍ୟ ସମାନ୍ ସ୍ଥିତି। ଉପଖଣ୍ଡ ଅଧୀନରେ ଗୁଣପୁର, ବିଷମକଟକରେ ଦୁଇଟି କୋର୍ଟ ରହିଥିବା ଦୁଇଟି ସବ୍ ଜେଲ୍ ମଧ୍ୟ ରହିଛି। ଏହି ସମସ୍ତ କ୍ଷେତ୍ରରେ ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟଙ୍କ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ରହିଛି। କିନ୍ତୁ ସରକାର ଉପଜିଲ୍ଲାପାଳ ନିଯୁକ୍ତିରେ ବିଳମ୍ବ କରି ଚାଲିଛନ୍ତି। ଅନ୍ୟପକ୍ଷରେ ଧାନ, କପା ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଗୁଣପୁର ଉପଖଣ୍ଡ ସର୍ବାଗ୍ରେ ରହିଛି। ଏହି ଦୃଷ୍ଟି କୋଣରୁ ରାଜ୍ୟ ସରକାର ତୁରନ୍ତ ଜଣେ ଦକ୍ଷ ଅଧିକାରୀଙ୍କୁ ଗୁଣପୁର ଉପଜିଲ୍ଲାପାଳ ଭାବେ ନିଯୁକ୍ତି କରିବା ପାଇଁ ଦାବି ଉଠିଛି।