ଅଣ୍ତା ଦେଲା ‘ଗୋରୀ’, ମା’ ହେବା ପାଇଁ ଜଗି ରହିଛି ବସା

ରାଜନଗର : ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟାଇ ଦେଶର ପ୍ରଥମ ଧଳା ବଉଳା କୁମ୍ଭୀର ‘ଗୋରୀ’ ଅଣ୍ତା ଦେଇଛି। ଗତ ୨୨ ତାରିଖ ଦିନ ସେ ଅଣ୍ତା ଦେବା ସହ ବସାକୁ ଜଗି ରହିଛି। ତେବେ ପୁରୁଷ ସାଥୀ ସହ ମିଳନ ପ୍ରକ୍ରିୟାରେ ସାମିଲ ନ ହୋଇ ଗୋରୀ ଅଣ୍ତା ଦେଇଥିବାରୁ ଏହି ଅଣ୍ତାରୁ ଛୁଆ ବାହାରିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଅଣ୍ତା ଦେବା ପରେ ଗୋରୀ ମା’ ହେବା ପାଇଁ ବସାକୁ ଜଗି ରହିଥିବାରୁ ସେ କେତୋଟି ଅଣ୍ତା ଦେଇଛି ତାହା ଜଣା ପଡି ନାହିଁ।

ଦେଶର ପ୍ରଥମ ବଉଳା କୁମ୍ଭୀର ସଂରକ୍ଷଣ କେନ୍ଦ୍ର ଡାଙ୍ଗମାଳର ଦେଢ ଏକର ପରିମିତ ଆବଦ୍ଧ ପୋଖରୀ ମଧ୍ୟରେ ଗୋରୀ ନିଃସଙ୍ଗ ଜୀବନ ବିତାଉଛି। ଆବଦ୍ଧ ପୋଖରୀର ଜଳଉତ୍ସ ଠାରୁ ୧୦/୧୨ ଫୁଟ ଉପରକୁ ଗୋରୀ ବସା କରିଛି। ଘାସ ଓ ଲତା ପତ୍ରରେ ପ୍ରାୟ ୧ଫୁଟ ଉଚ୍ଚାର ବସା ବାନ୍ଧିଛି। ଗତ ୨୨ ତାରିଖ ଦିନ ଗୋରୀ ଏହି ବସାରେ ଅଣ୍ତାଦେବା ପରେ ଅଣ୍ତାକୁ ଘୋଡାଇ ରଖି ବସା ନିକଟରେ ଜଗି ରହିଛି। କାଳେ ବସାରୁ କିଏ ଅଣ୍ତା ନେଇଯିବ, ଖାଇଯିବ ସେଥିଲାଗି ବସା ଛାଡି କୁଆଡେ ଯାଉନି। ଏପରିକି ଅଣ୍ତାଦେବା ପରଠାରୁ ଖାଦ୍ୟ ବି ଠିକ୍‌ ଭାବେ ଖାଉନି। ୩ ଦିନ ମଧ୍ୟରେ ମାତ୍ର ୧ କିଲୋ କଙ୍କଡା ଖାଇଛି। ଅଣ୍ତା ଦେବା ପରେ ଏକପ୍ରକାର ଖାଦ୍ୟ ଛାଡି ଦେଇଥିବାରୁ କୌଣସି ପ୍ରକାରେ ଗୋରୀ ଦେଇଥିବା ଅଣ୍ତାକୁ ସେଠାରୁ ଆଣି ହାଚେରୀରେ ରଖିବା ପାଇଁ ବନବିଭାଗ ଯୋଜନା କରୁଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଗୋରୀ ପୂର୍ବରୁ ୬ଥର ଅଣ୍ତା ଦେଇଛି। ୨୦୦୭ରେ ୩୧ଟି, ୨୦୦୯ରେ ୨୨ଟି, ୨୦୧୧ରେ ୧୮ଟି, ୨୦୧୩ରେ ୨୨ଟି, ୨୦୧୫ରେ ୩୨ଟି, ୨୦୧୬ରେ ୨୭ଟି ଅଣ୍ତା ଦେଇଥିଲା। ପୁରୁଷ ସାଥୀ ସହ ମିଳନ ବିନା ଗୋରୀ ଅଣ୍ତା ଦେଇଥିବାରୁ ସେହି ଅଣ୍ତାରୁ ଛୁଆ ବାହାରି ନ ଥିଲା। ସପ୍ତମଥର ପାଇଁ ଗୋରୀ ପୁଣି ଅଣ୍ତା ଦେଇଛି। ଏଥର ବି ପୂର୍ବଥର ଭଳି ଅଣ୍ତାରୁ ଛୁଆ ବାହାରିବ ନାହିଁ ବୋଲି ବନବିଭାଗ ସୂତ୍ରରୁ ଜଣାପଡିଛି।

ଉଲ୍ଲେଖଯୋଗ୍ୟ, ୧୯୭୫ ଏପ୍ରିଲ ୨୨ରେ ଡାଙ୍ଗମାଳ ଠାରେ ଦେଶର ପ୍ରଥମ ବଉଳା କୁମ୍ଭୀର ସଂରକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। ସେଇ ବର୍ଷ ପ୍ରଥମଥର ପାଇଁ ୨୫ଟି ଅଣ୍ତା ସଂଗ୍ରହ କରାଯାଇ କୁତ୍ରିମ ଉପାୟରେ ଛୁଆ ଫୁଟା ଯାଇଥିଲା। ତାପମାତ୍ରା କମ ହୋଇଯିବାରୁ ଅଧିକାଂଶ ଅଣ୍ତିରା ଶାବକ ଜନ୍ମ ହୋଇଥିବା ବେଳେ ମାତ୍ର ୨ଟି ମାଈ ଶାବକ ଜନ୍ମ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଗୋଟିଏ ଛୁଆ ସମସ୍ତଙ୍କଠାରୁ ଭିନ୍ନ ଓ ଧଳା ରଂଗର ହୋଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଶଙ୍ଖ ମଲମଲ ପରି ଚକଚକ ଦେହକୁ ଦେଖି ବିଭାଗୀୟ ଅଧିକାରୀମାନେ ଉକ୍ତ କୁମ୍ଭୀରର ନାଁ ଗୋରୀ ଦେଇଥିଲେ। ଗୋରୀ ଯୌବନପ୍ରାପ୍ତ ହେବାପରେ ୧୯୮୭ ମସିହାରେ ହାଇଦ୍ରାବାଦରୁ ଏକ ଅଣ୍ତିରା କୁମ୍ଭୀର ଅଣାଯାଇ ତା’ ସହ ମିଳନ ପାଇଁ ଉଦ୍ୟମ କରାଯାଇଥିଲା। ଲଗାତର ୩ବର୍ଷ କାଳ ଗୋରୀ ସହ ଏହି କୁମ୍ଭୀରକୁ ମିଳନ ପାଇଁ ଛଡାଯାଇଥିଲା। ମାତ୍ର ଗୋରୀ ଆକ୍ରମଣରେ ଅଣ୍ତିରା କୁମ୍ଭୀରର ମୃତ୍ୟୁ ଘଟିଥିଲା। ଏହାପରେ ୧୯୯୦ରେ କାଣି ଓ ୧୯୯୨ରେ ଅଷ୍ଟ୍ରେଲିଆର ଭଏଟର ନାମକ ଅନ୍ୟ ଦୁଇଟି ଅଣ୍ତିରା କୁମ୍ଭୀର ଅଣାଯାଇ ଗୋରୀ ସହ ସମ୍ପର୍କ ସ୍ଥାପନର ସୁଯୋଗ ଦିଆଯାଇଥିଲା। ମାତ୍ର କେହି ଗୋରୀର ଉପଯୁକ୍ତ ଜୀବନ ସାଥୀ ହୋଇପାରି ନ ଥିଲେ। ସେହି କାରଣରୁ ଗୋରୀ ଆଜିଯାଏଁ ମା’ ହୋଇପାରି ନାହିଁ। ଜନ୍ମରୁ ଗୋରୀକୁ ୧୦ ଡିସିମିଲ ବିଶିଷ୍ଟ ଆବଦ୍ଧ ପୋଖରୀରେ ରଖାଯାଇଥିବା ବେଳେ ୫ବର୍ଷ ତଳେ ସେ ରହୁଥିବା ପୋଖରୀର ଆକାର ଦେଢ ଏକରକୁ ବୃଦ୍ଧି କରାଯାଇଛି।

ସମ୍ବନ୍ଧିତ ଖବର