ସାତକୋଶିଆରେ ଆଉ ଦେଖାଯାଉନି ଧଳା ହରିଣ

ବନ୍ତଳା : ଅନୁଗୁଳ ଜିଲ୍ଲାର ଗର୍ବ ଓ ଗୌରବ ସାତକୋଶିଆ ୧୯୭୬ ମସିହାରେ ଅଭୟାରଣ୍ୟ ରୂପେ ସ୍ଥାନ ପାଇଥିଲା। ତାହାର ୭୯୬ ବର୍ଗ କିମି ଅଞ୍ଚଳ ମଧ୍ୟରେ ଥିବା ଏଭଳି ଏକ ଜୈବବିବିଧତା ପୂର୍ଣ୍ଣ ଅଞ୍ଚଳରେ ପୂର୍ବରୁ ଏକ ବିରଳ ପ୍ରଜାତିର ଧଳା ହରିଣ ଦେଖିବାକୁ ମିଳିଥିଲା। ସେତେବେଳେ ବିଭାଗ ତା’ର ରକ୍ଷଣାବେକ୍ଷଣ ଓ ଠାବ କରିନଥିଲା। ଏପରିକି ତା’ର ବଂଶ ବିସ୍ତାର ଓ ଗବେଷଣା ପାଇଁ କେହି ମନ ବଳାଇନଥିଲେ। ଫଳରେ, ଏଠି ଆଉ ଧଳାହରିଣ ଦେଖିବାକୁ ମିଳୁନାହିଁ।

ସାତକୋଶିଆ ଅଭୟାରଣ୍ୟରେ ପ୍ରାୟ ୪୦୦ ପ୍ରକାର ବୃକ୍ଷଲତା, ୩୮ପ୍ରଜାତିର ସ୍ତନପାୟୀ ପ୍ରାଣୀ, ୩୮୦ ପ୍ରକାର ପକ୍ଷୀ ଦେଖାଯାଆନ୍ତି। ହାତୀ, ବାଘ, ସମ୍ବର, ହରିଣ, ବଳିଆ କୁକୁର, କୁଟୁରା, ଝିଙ୍କ, ନୀଳଗାଈ ମଧ୍ୟ ଦେଖିବାକୁ ମିଳେ। ହେଲେ, ଅନ୍ୟତମ ଆକର୍ଷଣ ହେଉଛି ବିରଳ ଧଳା ହରିଣ। ସୂଚନା ଅନୁସାରେ, ପୂର୍ବରୁ ଏହି ଧଳାହରିଣ ସାତକୋଶିଆ କର୍ମଚାରୀଙ୍କ ଦୃଷ୍ଟିଗୋଚର ହୋଇଥିଲା। ‌ଏବେ ଏହା ନିଖୋଜ ଥିବା ବିଭାଗ ସୂତ୍ରରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ଼ ପରେ ସାତକୋଶିଆରେ ହିଁ ଏହି ବିରଳ ପ୍ରଜାତିର ହରିଣ ଦେଖାଦେଇଥିଲା। ସାତକୋଶିଆ ବନ୍ୟପ୍ରାଣୀ ଡିଏଫଓ ରାମାସ୍ୱାମୀ ପିଙ୍କୁ ପଚାରିବାରୁ ସେ କହିଛନ୍ତି, ଗତ ବନ୍ୟପ୍ରାଣୀ ଗଣନା ସମୟରେ ଏହି ଧଳା ହରିଣ ଦୃଷ୍ଟିଗୋଚର ହୋଇନଥିଲା। ଗତ ଏକବର୍ଷ ମଧ୍ୟରେ ଜଂଗଲରେ ଲଗାଯାଇଥିବା କ୍ୟାମେରାରେ ମଧ୍ୟ ଏହାର ଚିତ୍ର ଆସିନାହିଁ ବୋଲି କହିଛନ୍ତି। ଧଳା ହରିଣର ସୁରକ୍ଷା ଦିଗରେ ବନ ବିଭାଗ ପକ୍ଷରୁ ଅବହେଳା ହୋଇଛି କି ବୋଲି ପଚାରିବାରୁ ସେ କହିଛନ୍ତି ଯେ, ତାଙ୍କ ସମୟରେ କୌଣସି ଅବହେଳା ହୋଇନାହିଁ। ତେବେ ପୂର୍ବରୁ କ’ଣ ହୋଇଛି, ସେ ବିଷୟରେ କହିପାରିବେ ନାହିଁ।

ସମ୍ବନ୍ଧିତ ଖବର