ସର୍କିଟ ହାଉସରେ ଜରୁରୀ ବୈଠକ, ଡିଡିସି କରିବ ଶାନ୍ତିସ୍ତୁପର ଫାଟ ମରାମତି

ଧଉଳି: ବାତ୍ୟା ଫନିରେ ଫାଟ ସୃଷ୍ଟି ହୋଇଥିବା ଧଉଳି ଶାନ୍ତିସ୍ତୁପର ମରାମତି ନେଇ ଜିଲ୍ଲା ପ୍ରଶାସନର ଚେତା ପଶିଛି । ଶାନ୍ତିସ୍ତୁପରେ ଫାଟ ଶୀର୍ଷକ ଏକ ସ୍ବତନ୍ତ୍ର ଖବର ସମ୍ବାଦରେ ୧୬ ତାରିଖରେ ପ୍ରକାଶ ପାଇଥିଲା । ଖବର ପ୍ରକାଶିତ ହେବା ପରେ ଆଜି ସନ୍ଧ୍ୟା ୭ଟାରେ ଭୁବନେଶ୍ବର ସର୍କିଟ ହାଉସରେ ଏନେଇ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଧଉଳି ଉନ୍ନୟନ କମିଟି (ଡିଡିସି) ଶାନ୍ତିସ୍ତୁପର ଯାବତୀୟ ମରାମତି କାର୍ଯ୍ୟ କରିବ ବୋଲି ଆଲୋଚନା ହୋଇଥିଲା ।

ଡିଡିସିରୁ ଆବଶ୍ୟକ ଅର୍ଥ ମଂଜୁର ହେବ । ପର୍ଯଟନ ବିଭାଗ ଖର୍ଚ୍ଚ ସମ୍ବନ୍ଧୀୟ ବ୍ୟୟ ଅଟକଳ ଚିଠା ପ୍ରସ୍ତୁତ କରିବା ପରେ ଡିଡିସି ଅର୍ଥ ମଂଜୁର କରିବ । ଅର୍ଥ ମଂଜୁର ହେବା ପରେ ମରାମତି କାର୍ଯ୍ୟ ଆରମ୍ଭ ହେବ। ଏହି ବୈଠକର ଅଧ୍ୟକ୍ଷତା ଖୋର୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି କରିଥିବା ବେଳେ ଶାନ୍ତିସ୍ତୁପର ସାମଗ୍ରିକ ବିକାଶ ‌ଉପରେ ଦୀର୍ଘ ୧ ଘଣ୍ଟା ଧରି ଆଲୋଚନା ହୋଇଥିଲା ।  ବିଶେଷ କରି ଫନି କ୍ଷତିଗ୍ରସ୍ତ ଶାନ୍ତିସ୍ତୁପର ଫାଟ ମରାମତି ନେଇ ପଦସ୍ଥ ଅଧିକାରୀମାନେ ଘୋର ଉଦବେଗ ପ୍ରକାଶ କରିଥିଲେ । ଦେଢ଼ଶହ ଫୁଟ ବିଶିଷ୍ଟ ଶାନ୍ତିସ୍ତୁପର ପାହାଚଠାରୁ ଆରମ୍ଭ କରି ଉପର ଭାଗର ଗମ୍ବୁଜ , ୫ଟି ଛତ୍ରିରୁ ଖସିପଡ଼ିଥିବା କଂକ୍ରିଟ ଖଣ୍ଡ ନେଇ ଆଲୋଚନା ହୋଇଥିଲା । ଏହାର ରକ୍ଷଣାବେକ୍ଷଣ ପ୍ରତି ତୁରନ୍ତ ଦୃଷ୍ଟି ଦେବା ନେଇ ଅଧିକାରୀବୃନ୍ଦ ଘୋର ଉଦବେଗ ପ୍ରକାଶ କରିଥିଲେ । ଶାନ୍ତିସ୍ତୁପ ସମ୍ମୁଖରେ ଥିବା ଦୋକାନୀମାନଙ୍କୁ ଥଇଥାନ କରାଯିବା ସହ ଶାନ୍ତିପାର୍କର ରକ୍ଷଣାବେକ୍ଷଣ ଉପରେ ଆଲୋଚନା ହୋଇଥିଲା ।

୨୦ ଜଣ ସୁରକ୍ଷା କର୍ମୀଙ୍କୁ ୩୦ ଦିନର କାମ ଯୋଗାଇ ଦେବା ସହ ସପ୍ତାହକ ମଧ୍ୟରେ ଲାଇଟ ଆଣ୍ଡ ସାଉଣ୍ଡ ସୋ ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସାମାଜିକ ନିରାପତ୍ତା , ଭିନ୍ନକ୍ଷମ ଓ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା , ଭୁବନେଶ୍ବର ଏଡିଏମ , ପର୍ଯ୍ୟଟନ ବିଭାଗ ନିର୍ବାହୀ ଯନ୍ତ୍ରୀ , ଧଉଳି ସରପଞ୍ଚ ପୂର୍ଣ୍ଣିମା ସାହୁ , ସମାଜ ସେବୀ ହରେକୃଷ୍ଣ ସାହୁ ତଥା ଅନ୍ୟାନ୍ୟ ପଦାଧିକାରୀବୃନ୍ଦ ଉପସ୍ଥିତ ଥିଲେ । ଭୁବନେଶ୍ବର ପର୍ଯ୍ୟଟନ ଅଧିକାରୀ ଅଜୟ କୁମାର ରାଉତ ଧନ୍ୟବାଦ ଦେଇଥିଲେ ।

ସମ୍ବନ୍ଧିତ ଖବର