ବିରଳ ଲୁଣା ଗଛ ଧଳାସୁନ୍ଦରୀ ସଂରକ୍ଷିତ ହେବ
ଡାଙ୍ଗମାଳ, ସୁଆଜୋର, ବାଲିଜୋର, ମହିଷାମାରରେ ଲାଗିବ ୧୦୦ ଚାରା
ଭୁବନେଶ୍ବର : ଓଡ଼ିଶା ଉପକୂଳରେ ଦେଖାଯାଉଥିବା ବିରଳ ଲୁଣାଗଛ ‘ଧଳାସୁନ୍ଦରୀ ସଂରକ୍ଷିତ ହେବ। ‘ଧଳାସୁନ୍ଦରୀର ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଥିବାରୁ ଏହାର ପୂର୍ବସ୍ଥିତି ଫେରାଇ ଆଣିବା ପାଇଁ ଉଦ୍ୟମ କରାଯିବ। ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ କେନ୍ଦ୍ରାପଡ଼ା ଭିତରକନିକାର ଡାଙ୍ଗମାଳ, ସୁଆଜୋର, ବାଲିଜୋର, ମହିଷାମାର ଅଞ୍ଚଳରେ ୧୦୦ ଚାରା ରୋପଣ କରାଯିବ। ପରିବେଶ ସହିତ ଖାପ ଖୁଆଇ ଏବଂ ଶିକାରୀ ଜୀବ(କଙ୍କଡ଼ା, ମୂଷା, ହରିଣ)ମାନଙ୍କ ଠାରୁ ରକ୍ଷା କରାଯାଇପାରିଲେ ଆଗାମୀ ଦିନରେ ଏହି ବିରଳ ଲୁଣାଗଛକୁ ଭିତରକନିକାର ଆଖପାଖ ଅଞ୍ଚଳରେ ଲଗାଯିବ।
ସୂଚନା ମୁତାବକ, କେନ୍ଦ୍ରାପଡ଼ାର ଡାଙ୍ଗମାଳ, ସୁଆଜୋର, ବାଲିଜୋର, ମହିଷାମାର ସମେତ ଏହାର ଆଖପାଖରେ ଥିବା ୮ରୁ ୧୦ଟି ଅଞ୍ଚଳରେ ‘ଧଳାସୁନ୍ଦରୀ ବିଶେଷ ଭାବେ ଦେଖାଯାଉଥିଲା। ମାତ୍ର ପ୍ରାକୃତିକ ବିପର୍ଯ୍ୟୟ ଓ ଲୁଣାପାଣିର ମାତ୍ରା ବଢ଼ିବା ସହିତ ମଧୁର ଜଳ ହ୍ରାସ ପାଇବା କାରଣରୁ ଏହା ବର୍ତ୍ତମାନ ଲୋପ ପାଇବାକୁ ବସିଲାଣି। ଭିତରକନିକାର ଆଖପାଖ ଅଞ୍ଚଳରେ ଥିବା ଏହି ଗଛର ଗଣନା କରାଗଲେ ସଂଖ୍ୟା ମାତ୍ର ୧୦୦ ଭିତରେ ସୀମିତ ରହିବ ବୋଲି ସୁନ୍ଦରବନ ଉପରେ ଗବେଷଣା କରୁଥିବା ବରିଷ୍ଠ ଗବେଷକ ଉଦୟ ଚାନ୍ଦ ବସାକ୍ କହିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସାରା ଭାରତରେ ଯେତେ ଜଙ୍ଗଲ ଅଛି ସେଥିମଧ୍ୟରୁ ଓଡ଼ିଶାର କେନ୍ଦ୍ରାପଡ଼ା ଭିତରକନିକା ଅଞ୍ଚଳରେ ଏହି ବିରଳ ଲୁଣା ଗଛ ଧଳାସୁନ୍ଦରୀ ସର୍ବାଧିକ ଦେଖାଯାଏ। କେନ୍ଦ୍ରାପଡ଼ା ପରେ ମହାରାଷ୍ଟ୍ରର ରତ୍ନଗିରି ଅଞ୍ଚଳରେ ମଧ୍ୟ ଏହି ଗଛ ଅଛି। ମାତ୍ରା ତାହା ନଗଣ୍ୟ। କାରଣ ଲୁଣା ପାଣି ତୁଳନାରେ ଅଧିକ ମଧୁର ଜଳ ଆବଶ୍ୟକତା କରୁଥିବାରୁ ଏହା ରତ୍ନଗିରିରେ ଏହା ବିରଳ ବୋଲି ସେ କହିଛନ୍ତି। ଏପରିକି ପଶ୍ଚିମବଙ୍ଗର ସୁନ୍ଦରବନରେ ମଧ୍ୟ ଧଳାସୁନ୍ଦରୀ ଗଛ ନଥିବା ଗବେଷକ ଶ୍ରୀ ବସାକ୍ ସୂଚନା ଦେଇଛନ୍ତି। ତେବେ ଏହି ବିରଳ ଲୁଣାଗଛର ମଞ୍ଜି ବା ଫଳରୁ ନୂତନ ଗଛ ସୃଷ୍ଟି ହେବା(ସ୍ବ ପ୍ରକ୍ରିୟା) ମଧ୍ୟ ବନ୍ଦ ହୋଇଯାଇଛି। ସେଥିପାଇଁ ଗତ ଦୁଇବର୍ଷ ହେବ ବାୟୋଟେକ୍ନୋଲଜି ବିଭାଗ(ଡିବିଟି) ସହ ମିଶି ଆଞ୍ଚଳିକ ଉଦ୍ଭିଦ ସଂପଦ କେନ୍ଦ୍ର ଗଛ ସଂରକ୍ଷଣ ଉପରେ ଗୁରୁତ୍ବ ଦେଉଥିବା ସେ କହିଛନ୍ତି। ତେବେ ଗତକାଲି ଶ୍ରୀ ବସାକ୍ କେନ୍ଦ୍ରାପଡ଼ା ଗସ୍ତ କରି ସେଠାରେ ୧୦୦ ଧଳାସୁନ୍ଦରୀ ସମେତ ୧୫୦୦ ସୁନ୍ଦରୀ ଚାରାକୁ ଛାୟାଗୃହରେ ରଖିଥିବା କହିଛନ୍ତି। ଏଗୁଡ଼ିକ ସାମାନ୍ୟ ବଡ଼ ହେଲେ ଭିତରକନିକାରେ ଲଗାଯିବ ବୋଲି ସେ କହିଛନ୍ତି।