ଯୁଯୁମୁରା: ମାତୃହରା ୭ ମାସର ଶିଶୁ ପୁତ୍ର କ୍ରିଷ୍ଣାର ଅନ୍ନ ପ୍ରାସନ୍ନ ଉତ୍ସବ ଆନନ୍ଦ ଉଲ୍ଲାସରେ ପାଳନ କରିଛନ୍ତି ହାତୀବାରି ସେକ୍ଟରର ଅଙ୍ଗନବାଡ଼ି କର୍ମୀ ସମୂହ। ଯୁଯୁମୁରା ବ୍ଲକ ଝାଙ୍କରପାଲି ପଞ୍ଚାୟତ ଭବାନୀପାଲି ଗାଁରେ ଶୁକ୍ରବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡିଏସ୍‌ଡବ୍ଲୁଓ ଗୀତାଞ୍ଜଳି ମହାପାତ୍ର, ଏନ୍‌ଓପି ମ୍ୟାନେଜର ବିଚିତ୍ରା ନନ୍ଦ ଆଚାର୍ଯ୍ୟ, ଯୁଯୁମୁରା ସିଡିପିଓ ସବିତା ନାୟକ, ରେଡକ୍ରସ ସମ୍ପାଦକ ଜୟ ଜର୍ଜ, ସମ୍ପାଦିକା ପ୍ରମିଳା ବହିଦାର, ସ୍ଥାନୀୟ ସରପଞ୍ଚ ନିରଞ୍ଜନ ପଣ୍ଡା, ଏଏନ୍‌ଏମ୍‌ ନିରୁପମା ନାୟକ ପ୍ରମୁଖ ଯୋଗ ଦେଇଥିଲେ।

Advertisment

ଗଡ଼ଲୋଇସିଂ ଅଙ୍ଗନବାଡ଼ି କର୍ମୀ ଦ୍ରୌପଦୀ ଧୁରୁଆଙ୍କ ଦ୍ବାରା ପାଲା କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଭବାନୀପାଲି ଗାଁର  ସୁଶାନ୍ତଙ୍କ ସ୍ତ୍ରୀ’ ଗୀତାଞ୍ଜଳି ସୁନା ଗତ ଏପ୍ରିଲ ୪ ତାରିଖରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଶିଶୁ ଜନ୍ମର ୧୦ ଦିନ ପରେ ମା’ ଗୀତାଞ୍ଜଳିଙ୍କ ମୃତ୍ୟୁ ହୋଇ ଯାଇଥିଲା। ଶିଶୁର ଯତ୍ନ ନେବା ପାଇଁ ବାପା ସୁଶାନ୍ତଙ୍କ ବ୍ୟତୀତ ପରିବାରରେ ଆଉ କେହି ନାହାନ୍ତି। ସୁଶାନ୍ତ ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରନ୍ତି। ମା’ର ମୃତ୍ୟୁ ପରେ ତାଙ୍କୁ ଶିଶୁର ଯତ୍ନ ନେବାକୁ ପଡୁଛି। ଫଳରେ ସେ ଆଉ ବାହାରକୁ ମୂଲ ଲାଗିବାକୁ ଯାଇପାରୁ ନାହାନ୍ତି । ଏବେ ଶିଶୁର ଏକମାତ୍ର ଖାଦ୍ୟ ହେଉଛି ଡବା କ୍ଷୀର। ବର୍ତ୍ତମାନ ସ୍ଥିତିରେ ଅର୍ଥାଭାବରୁ ଏହି କ୍ଷୀର କିଣିବାକୁ ସେ ସକ୍ଷମ ନୁହନ୍ତି। ଶିଶୁ ଜନ୍ମ ଠାରୁ ୨ ମାସ ଯାଏ ଯେଉଁ ଡବା କ୍ଷୀର ଖାଉଥିଲା, ସେସବୁ କିଣିବାରେ ହାତୀବାରି ସେକ୍ଟର ସୁପରଭଇଜର ପଙ୍କଜିନୀ ପ୍ରଧାନ, ଅଙ୍ଗନବାଡ଼ି କର୍ମୀ କିଶୋରୀ ତ୍ରିପାଠୀ, ସଂଯୁକ୍ତା ସ୍ବାଇଁ, ମମତା ସେଠ, ସବିତା ପାତ୍ର, ଭବାନୀପାଲି ସିଆରପି ଶାନ୍ତିଲତା ରଣବିଡ଼ା ପ୍ରମୁଖ ସହଯୋଗ କରିଥିଲେ। ଏସଂକ୍ରାନ୍ତରେ ଅଙ୍ଗନବାଡି କର୍ମୀମାନେ ସେତେବେଳେ ସିଡିପିଓଙ୍କୁ ଅବଗତ କରିଥିଲେ, ସିଡିପିଓ ଏନେଇ ସମ୍ବଲପୁର ରେଡ଼କ୍ରସର ଦୃଷ୍ଟି ଆକର୍ଷଣ କରିଥିଲେ। ଶିଶୁର ସହାୟତା ପାଇଁ ୬ ମାସ ପର୍ଯ୍ୟନ୍ତ ପ୍ରତି ମାସ ୩ କେଜି ଶିଶୁ ଖାଦ୍ୟ ରେଡ଼କ୍ରସ ପକ୍ଷରୁ ଯୋଗାଇ ଦିଆ ଯାଇଥିଲା।