କଟକ: ବରିଷ୍ଠ ଆଇପିଏସ୍‌ ଅଧିକାରୀ ଆଶିଷ ସିଂହ, ଡି.ଏସ୍‌. କୁଟ୍ଟେ ଓ ରବିକାନ୍ତଙ୍କୁ ଗୃହ ବିଭାଗର ଓଏସ୍‌ଡି କରାଯିବା ଘଟଣାକୁ ନେଇ ପୁଲିସ ମହଲରେ ହଇଚଇ ସୃଷ୍ଟି ହୋଇଛି। ନୂଆ ସରକାରଙ୍କ ସ୍କାନରରେ ଆହୁରି ୫ ଜଣ ଆଇପିଏସ୍ ଅଧିକାରୀ ଥିବା ଚର୍ଚ୍ଚା ହେଲାଣି। ସେମାନଙ୍କ ମୁଣ୍ଡରେ ଡେମୋକ୍ଲିସ୍ ଖଣ୍ଡା ଝୁଲୁଛି। ଯେ କୌଣସି ମୁହୂର୍ତ୍ତରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି କୁହାଯାଉଛି। ସେପଟେ ବର୍ତ୍ତମାନ ଜିଲ୍ଲାସ୍ତରରେ ୫ ଡିଆଇଜି ପାହ୍ୟାର ଆଇପିଏସ୍ ଅଧିକାରୀ ଏସ୍‌ପି ଭାବେ କାର୍ଯ୍ୟ କରୁଛନ୍ତି। ତେଣୁ ଆଇପିଏସ୍ ସ୍ତରରେ ଖୁବଶୀଘ୍ର ବଡ଼ ଧରଣର ଅଦଳବଦଳ ହେବାକୁ ଯାଉଥିବା ସୂଚନା ମିଳିଛି।

Advertisment

ଗଲା ସାଧାରଣ ନିର୍ବାଚନରେ ବିଜେଡିକୁ ସୁହାଇଲା ଭଳି କାର୍ଯ୍ୟ କରୁଥିବା ଘଟଣାକୁ ନେଇ ଏପ୍ରିଲ ୨ତାରିଖରେ ୬ ଆଇପିଏସ୍‌ଙ୍କ ବିରୋଧରେ ନିର୍ବାଚନ ଆୟୋଗ ପଦକ୍ଷେପ ନେଇଥିଲେ। ନିର୍ବାଚନ ସହିତ ସମ୍ପର୍କ ରଖୁନଥିବା ପଦବିରେ ନିଯୁକ୍ତ ଦେବାକୁ ଆୟୋଗ ନିର୍ଦ୍ଦେଶ ଦେଇଥିଲେ। ଗୃହ ବିଭାଗ ଏପ୍ରିଲ ୫ରେ ଏହି ତାଲିକାରେ ଥିବା ୬ ଆଇପିଏସ୍‌ ଅର୍ଥାତ୍ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ, ରାଉରକେଲା ଏସ୍‌ପି ମିତ୍ରଭାନୁ ମହାପାତ୍ର, କଟକ ଡିସିପି ଡାକ୍ତର କୱଁର ବିଶାଲ ସିଂହ, ଅନୁଗୁଳ ଏସ୍‌ପି ସୁଧାଂଶୁ ଶେଖର ମିଶ୍ର, ଖୋର୍ଧା ଏସ୍‌ପି ଯୁଗଳ କିଶୋର କୁମାର ବନୋଥ, ବ୍ରହ୍ମପୁର ଏସ୍‌ପି ଶ୍ରବଣ ବିବେକ ଏମ୍‌ଙ୍କୁ ହଟାଇ ଦେଇଥିଲେ। ଗୃହ ବିଭାଗ ପକ୍ଷରୁ ଏପ୍ରିଲ ୫ରେ ଜାରି ଆଉ ଏକ ନିର୍ଦ୍ଦେଶନାମାରେ କେନ୍ଦ୍ରାଞ୍ଚଳ ରେଞ୍ଜ ଆଇଜି ଆଶିଷ କୁମାର ସିଂହଙ୍କ ସ୍ଥାନରେ କଟକ ଭିଜିଲାନ୍ସ ଆଇଜି ଥିବା ସଂଜୟ କୁମାର କୌଶଲଙ୍କୁ ନିଯୁକ୍ତି ଦିଆଯାଇଥିଲା। ସେହିଭଳି ଭୁବନେଶ୍ବର ଏସଆଇଡବ୍ଲ୍ୟୁରେ ଥିବା ଡିଆଇଜି ପାହ୍ୟାର ଆଇପିଏସ୍‌ ଡକ୍ଟର ଉମାଶଙ୍କର ଦାସଙ୍କୁ ଅନୁଗୁଳ ଏସ୍‌ପି ଦାୟିତ୍ବ, ଭିଜିଲାନ୍ସ ଡିଆଇଜି ଥିବା ପ୍ରକାଶ ଆରଙ୍କୁ କଟକ ଡିସିପି, ଭୁବନେଶ୍ବର ଗୁଇନ୍ଦା ବିଭାଗର ସିକ୍ୟୁରିଟି ଶାଖାର ଡିଆଇଜି ଥିବା ବ୍ରିଜେଶ କୁମାର ରାୟଙ୍କୁ ରାଉରକେଲା ଏସ୍‌ପି ଭାବେ ନିଯୁକ୍ତ କରାଯାଇଥିଲା।

ଦ୍ବିତୀୟ ଥର ଏପ୍ରିଲ ୮ରେ ଆଉ ଏକ ନିର୍ଦ୍ଦେଶନାମା ବଳରେ କଟକ ଅଗ୍ନିଶମ ଓ ଗୃହରକ୍ଷୀ ଡିଆଇଜି ଥିବା ଡିଆଇଜି ପାହ୍ୟାର ଆଇପିଏସ୍ ଡକ୍ଟର ସାର୍ଥକ ଷଢ଼ଙ୍ଗୀଙ୍କୁ ବ୍ରହ୍ମପୁର ଏସ୍‌ପି ଏବଂ କମିସନରେଟ୍ ପୁଲିସରେ ଅତିରିକ୍ତ ପୁଲିସ କମିସନର ଥିବା ଡିଆଇଜି ପାହ୍ୟାର ଆଇପିଏସ୍ ଅଶ୍ବିନୀ କୁମାରଙ୍କୁ ଖୋର୍ଧା ଏସ୍‌ପି ଭାବେ ନିଯୁକ୍ତି ଦିଆଯାଇଥିଲା। କଟକ, ବ୍ରହ୍ମପୁର, ଖୋର୍ଧା, ଅନୁଗୁଳ, ରାଉରକେଲା ଭଳି ସମ୍ବେଦନଶୀଳ ଜିଲ୍ଲାରେ ଏବେ ବି ଡିଆଇଜି ପାହ୍ୟାର ଆଇପିଏସ୍ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଛନ୍ତି। ତେଣୁ ନୂଆ ସରକାର ଜିଲ୍ଲା ଏସ୍‌ପି ସ୍ତରରେ ବଡ଼ ଧରଣର ପରିବର୍ତ୍ତନ କରିବାକୁ ଯାଉଛନ୍ତି।

ଅନ୍ୟପଟେ ଆଇପିଏସ୍ ଆଶିଷ ସିଂହ(୨୦୦୪ ବ୍ୟାଚ)ଙ୍କୁ ଗଲା ୧୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରୁ ହଟାଇ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ଦିଆଯାଇଛି। ସେହିଭଳି ଏଡିଜି ପାହ୍ୟାର ଆଇପିଏସ୍ ଡି.ଏସ. କୁଟ୍ଟେ(୧୯୯୭ ବ୍ୟାଚ୍)ଙ୍କ ନିଲମ୍ବନ ହଟିବା ପରେ ତାଙ୍କୁ ବି ଗଲା ୧୫ ତାରିଖରେ ଗୃହ ବିଭାଗର ଓଏସ୍‌ଡି ଦାୟିତ୍ବ ଦିଆଯାଇଛି। ସେହିଭଳି ନୂଆଦିଲ୍ଲୀସ୍ଥିତ ଆବାସିକ କମିସନର ଥିବା ରବିକାନ୍ତ(୧୯୯୮ ବ୍ୟାଚ)ଙ୍କୁ ମଧ୍ୟ ଓଏସଡି ଦାୟିତ୍ବ ଦିଆଯାଇଛି। ଏହାପୂର୍ବରୁ ଗୃହ ବିଭାଗରେ ଆଉ ଦୁଇ ଆଇପିଏସ୍ ଏସ.ଏମ୍ ନରଭଣେ(୧୯୮୯ ବ୍ୟାଚ) ଏବଂ ଋତୁ ଆରୋରା(୧୯୯୫ ବ୍ୟାଚ) ମଧ୍ୟ ଓଏସ୍‌ଡି ଭାବେ କାମ କରୁଛନ୍ତି। ଏଥିସହିତ ଗୃହ ବିଭାଗରେ ବର୍ତ୍ତମାନ ସୁଦ୍ଧା ଓଏସ୍‌ଡି ଆଇପିଏସଙ୍କ ସଂଖ୍ୟା ୫ରେ ପହଞ୍ଚିଛି।

ଅନ୍ୟପଟେ ନିର୍ବାଚନ ସମୟରେ ୫ ଜିଲ୍ଲାରୁ ହଟିଥିବା ମିତ୍ରଭାନୁ ମହାପାତ୍ର(ଡିଆଇଜି) ଏବେ ଅତିରିକ୍ତ ଏସଆରସି, ଡାକ୍ତର କୱଁର ବିଶାଲ ସିଂହ(ଡିଆଇଜି)ଙ୍କୁ ଭୁବନେଶ୍ବର ଏସଆଇଡବ୍ଲୁ ଡିଆଇଜି, ସୁଧାଂଶୁ ଶେଖର ମିଶ୍ର(ଏସପି)ଙ୍କୁ ଭିଜିଲାନ୍ସ ଏସ୍‌ପି, ଯୁଗଳ କିଶୋର ବନୋଥ (ଏସପି)ଙ୍କୁ କଟକ ପୁଲିସ ମୁଖ୍ୟାଳୟ ଏଆଇଜି, ଶ୍ରବଣ ବିବେକ ଏମ(ଏସପି)ଙ୍କୁ ଭିଜିଲାନ୍ସ ଏସପି ଦାୟିତ୍ବ ଦିଆଯାଇଛି। ଏସବୁ ଅଧିକାରୀ କିନ୍ତୁ ନୂଆ ସରକାରର ସ୍କାନରରେ ଥିବା କୁହାଯାଉଛି। ଜଣେ ଅବସରପ୍ରାପ୍ତ ପୁଲିସ ଡିଜିଙ୍କ କହିବା ଅନୁଯାୟୀ, ସମ୍ପୃକ୍ତ ଆଇପିଏସ୍ ଅଫିସର ଓଏସ୍‌ଡି ଦାୟିତ୍ବରେ କେତେ ଦିନ ରହିବେ, ତାହା ସରକାରଙ୍କ ଉପରେ ନିର୍ଭର କରେ। ସେହିଭଳି ୫ ଜିଲ୍ଲାରେ ପୂର୍ବ ସରକାରଙ୍କ ଦଳୀୟ କାମ କରିବା ଅଭିଯୋଗରେ ହଟିଥିବା ଆଇପିଏସଙ୍କୁ ନୂଆ ସରକାର ଏବେ ବିଶ୍ବାସକୁ ନେବାର ସମ୍ଭାବନା ବହୁତ କମ୍ ରହିଛି। ଆଶିଷ ସିଂହ ଓ କୁଟ୍ଟେଙ୍କ ଭଳି ସେମାନଙ୍କ ବିରୋଧରେ ମଧ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି ବୋଲି ସମ୍ପୃକ୍ତ ଅବସରପ୍ରାପ୍ତ ଡିଜି ସୂଚନା ଦେଇଛନ୍ତି।