କଣ୍ଟାବାଞ୍ଜି: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମହାଲିଙ୍ଗସ୍ଥିତ ସନ୍ସାଇନ୍ ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ମୃତ୍ୟୁ ଘଟଣାରେ କ୍ରାଇମ୍ବ୍ରାଞ୍ଚର ତଦନ୍ତ ଜାରି ରହିଛି। ଏହି ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍ ଆଜି ଗୋବିନ୍ଦ ରହିଥିବା କଣ୍ଟାବାଞ୍ଜି ଉପକାରାଗାରରେ କିଛି ଅନ୍ତେବାସୀଙ୍କୁ ଜେରା କରିଛି। ଏଥି ସହିତ ଟିମ୍ ଜେଲ୍ରେ ଗୋବିନ୍ଦଙ୍କୁ ଭେଟିଥିବା ଲୋକଙ୍କ ତାଲିକା ଯାଞ୍ଚ କରିଛି। ସେହିପରି ଜେଲ୍ ‘ମୁଲାକାତ୍ ଡାଏରୀ’ ଯାଞ୍ଚ କରିଛି।
କ୍ରାଇମ୍ବ୍ରାଞ୍ଚ ୫ଦିନ ତଦନ୍ତ କଲା ପରେ ଅନେକ ତଥ୍ୟ ଏବଂ ନମୂନା ସଂଗ୍ରହ କରିଛି। ସାଇଟିଫିକ୍ ଦଳ ସହ ମିଶି ଟିମ୍ ଗୋବିନ୍ଦ ସାହୁର ଆତ୍ମହତ୍ୟା କରିଥିବା ସ୍ଥାନରୁ ନେଇ ତାର ଘର, କଲେଜ ଏବଂ ଜେଲ ଭିତରେ ରହିଥିବା ସେଲ୍ର ତଦନ୍ତ ସାରିଛି। ମହାଲିଙ୍ଗ କଲେଜକୁ ଯାଇ ଗୋବିନ୍ଦ ସେଠାରେ ବ୍ୟବହାର କରିଥିବା ରେଜିଷ୍ଟାର୍ ଏବଂ ଘରେ ଥିବା ଏକ ଡାଏରୀ ମଧ୍ୟ ଜବତ କରିଛି।
ସୂଚନାଯୋଗ୍ୟ, ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ମୃତ୍ୟୁକୁ ନେଇ ସନ୍ଦେହ ବଢିଚାଲିଛି। ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛି ନା ମୃତ୍ୟୁ ପଛରେ ଆଉ କିଛି ରହସ୍ୟ ରହଛି ସେ ନେଇ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ୍ ଜାରି ରଖିଛନ୍ତି। ଗୋବିନ୍ଦର ମୃତ୍ୟୁ ନେଇ କ୍ରାଇମ୍ବ୍ରାଞ୍ଚ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରୁ ନାହିଁ। କ୍ରାଇମବ୍ରାଞ୍ଚ ଟିମ୍ ଶନିବାର ମହାଲିଙ୍ଗ କଲେଜରୁ ଏକ ରେଜିଷ୍ଟାର ଏବଂ ମୃତକଙ୍କ ଘରୁ ଏକ ନୋଟ୍ବୁକ୍ ଜବତ କରିଥିଲେ। କ୍ରାଇମ୍ବ୍ରାଞ୍ଚର ଟିମ୍ ଶନିବାର କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ ଆଞ୍ଚଳିକ କଲେଜକୁ ଯାଇଥିଲେ। ମହାଲିଙ୍ଗ କଲେଜରୁ କ୍ରାଇମ୍ବ୍ରାଞ୍ଚର ଟିମ୍ କଲେଜ ରେଜିଷ୍ଟାର ଜବତ କରିଥିଲେ। ଏହି ରେଜିଷ୍ଟାରରେ ମୃତ ଗୋବିନ୍ଦଙ୍କ ଦସ୍ତଖତ ଥାଇପାରେ ବୋଲି ଆଶା କରାଯାଉଛି। କ୍ରାଇମ୍ବ୍ରାଞ୍ଚ ଟିମ୍ କଲେଜର କର୍ମଚାରୀ ତଥା ସଚିବ କିରଣ କୁମାର ସିଂହ ଓ କିରାଣୀ ଯଶୋବନ୍ତ ବାଘଙ୍କୁ ପଚରାଉଚରା କରିଥିଲେ। ସେହିପରି କ୍ରାଇମବ୍ରାଞ୍ଚ ଟିମ୍ ଗୋବିନ୍ଦଙ୍କ ଘରକୁ ତଦନ୍ତ ପାଇଁ ଯାଇଥିଲେ। ତଦନ୍ତ ସମୟରେ ସେମାନେ ଏକ ନୋଟ୍ବୁକ୍ ଜବତ କରିଥିଲେ। କ୍ରାଇମ୍ବ୍ରାଞ୍ଚ ଟିମ୍ ଗୋବିନ୍ଦଙ୍କ ସ୍ତ୍ରୀ ସୁଷମା ସାହୁ ଏବଂ ଝିଅଙ୍କୁ ପଚରାଉଚରା କରିଥିଲେ। ଏଥି ସହିତ ମହାଲିଙ୍ଗ ଗାଁର ସନ୍ତୋଷ ସାହୁ ଏବଂ ତାରିଣୀ ସାହୁଙ୍କୁ ପଚରାଉଚରା କରିଥିଲେ।