ଭୁବନେଶ୍ବର: ଆଜି ପ୍ରଶ୍ନକାଳରେ ଗୃହରେ ଗରିବ ସଂଖ୍ୟା କେତେ ହ୍ରାସ ପାଇଛି, ଗରିବ ହ୍ରାସ ପାଇଁ ସରକାରଙ୍କ ବିଶେଷ ଯୋଜନା ସମ୍ପର୍କରେ ବିଧାୟକ ପ୍ରଫୁଲ ସାମଲ ପଚାରିଥିବା ପ୍ରଶ୍ନର ଉତ୍ତର ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଦେଇଥିେଲ। ଏଥିରେ ଭାଗ ନେଇ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ମନ୍ତ୍ରୀଙ୍କୁ ପଚାରିଥିଲେ ଓଡ଼ିଶାରେ ଗରିବ କିଏ? ଏହାର ସଂଜ୍ଞା କ’ଣ? ଆଞ୍ଚଳିକ ବୈଷମ୍ୟତା ଦୂର କରିବାକୁ ୟୁପିଏ ସରକାର ବିଆର୍ଜିଏଫ୍ ଆରମ୍ଭ କରିଥିବା ବେଳେ ଏନ୍ଡିଏ ସରକାର ଏହାକୁ ବନ୍ଦ କରିଦେଲା। ଏବେ ରାଜ୍ୟ ସରକାର କ’ଣ ଯୋଜନା କରୁଛନ୍ତି?
ଏହାର ଉତ୍ତର ଦେଇ ମନ୍ତ୍ରୀ କହିଥିଲେ, ଆଞ୍ଚଳିକ ବୈଷମ୍ୟ ଦୂର କରିବାକୁ ରାଜ୍ୟ ସରକାର ବିଜୁ କେବିକେ, ବିଜୁ କନ୍ଧମାଳ ଭଳି ଯୋଜନା କରିଛନ୍ତି। ପୂର୍ବରୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ୧୫୦କୋଟି ମିଳୁଥିବା ବେଳେ ଏବେ ୩୫୦କୋଟି ଟଙ୍କା ମିଳୁଛି। ହେଲେ ଓଡ଼ିଶାରେ ଗରିବ କିଏ, ଗରିବର ସଂଜ୍ଞା କ’ଣ ମନ୍ତ୍ରୀ କିଛି କହିନଥିଲେ। ଏହାପରେ ନରସିଂହ କହିଥିଲେ, ମୋ ପ୍ରଶ୍ନର ଉତ୍ତର ଦିଅନ୍ତୁ। ଆପଣ ଗରିବ କିଏ ବୋଲି କେମିତି ଜାଣୁଛନ୍ତି। କେମିତି ଗରିବ କମିଛି ବୋଲି କହୁଛନ୍ତି? ବାଚସ୍ପତି ହସ୍ତକ୍ଷେପ କରି କହିଥିଲେ ଯେ ମନ୍ତ୍ରୀ ପରେ ଆପଣଙ୍କୁ ଏନେଇ କହିଦେବେ।
ସେହିପରି ମୂଳ ପ୍ରଶ୍ନକର୍ତ୍ତା ପ୍ରଫୁଲ ସାମଲଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ, ଯୋଜନା ଆୟୋଗ ଦ୍ବାରା ତେନ୍ଦୁଲକର ମେେଥଡୋଲୋଜି ଅନୁଯାୟୀ ଆକଳନ ହୋଇଥିବା ରାଜ୍ୟର ଦାରିଦ୍ର୍ୟ ହାର ୨୦୧୧-୧୨ରେ ୩୨.୬% ଥିଲା। ନୀତି ଆୟୋଗଙ୍କ ଦ୍ବାରା ଜୁଲାଇ-୨୦୨୩ରେ ପ୍ରକାଶିତ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ ଅନୁଯାୟୀ, ୨୦୧୫-୧୬ରୁ ୨୦୧୯-୨୧ ମଧ୍ୟରେ ଆମ ରାଜ୍ୟରେ ବହୁମୁଖୀ ଦାରିଦ୍ର୍ୟ ୧୫.୬୮% କୁ ହ୍ରାସ ପାଇଛି। ଦାରିଦ୍ର୍ୟ ଦୂରୀକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା, ବିଜୁ ପକ୍କା ଘର, ମୁକ୍ତା, ବିଏସ୍କେୱାଇ, ଜାଗା ମିସନ, କାଳିଆ, ମଧୁବାବୁ ପେନସନ୍ ଯୋଜନା, ମିସନ ଶକ୍ତି, ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା, ସୁଦକ୍ଷା, ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିସନ ଭଳି ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏଥିରେ ବିଧାୟକ ଅମର ଶତପଥୀ ମଧ୍ୟ ଭାଗ ନେଇଥିଲେ।