ଅତ୍ୟାଧୁନିକ ବସ୍‌ ଟର୍ମିନାଲ ପ୍ରସ୍ତାବ ରୋକିଲା କିଏ?

ରାସ୍ତା ଉପରେ ବସ୍‌ ପାର୍କିଂ, ଷ୍ଟାଣ୍ଡରେ ଜାଗା ଧରୁନି, ୩.୫୬ କୋଟି ଖର୍ଚ୍ଚରେ ପୁରୁଣା ବସ୍‌ଷ୍ଟାଣ୍ଡର ନବୀକରଣ ନିଷ୍ପତ୍ତିକୁ ବିରୋଧ

ବାରିପଦା: ବାରିପଦା ସହରରେ ଲୋକସଂଖ୍ୟା ବଢ଼ିଛି। ସେହି ହାରରେ କୋଠାବାଡ଼ି ନିର୍ମାଣ ଚାଲିଛି। ସହର ସଂପ୍ରସାରିତ ହେଉଥିବା ବେଳେ ଖାଲିସ୍ଥାନ ସଙ୍କୁଚିତ ହେବାରେ ଲାଗିଛି। ଆଉ ଏମିତି ସମୟରେ ସହରର ପ୍ରଶସ୍ତ ରାସ୍ତାର ଦୁଇ ପାର୍ଶ୍ବରେ ବସ୍‌ ପାର୍କିଂ କରାଯାଉଥିବାରୁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି। ତେଣୁ ସହର ମଧ୍ୟରେ ଥିବା ପୁରୁଣା ବସ୍‌ଷ୍ଟାଣ୍ଡକୁ ଅନ୍ୟତ୍ର ଉଠାଇ ନେବାର ଆବଶ୍ୟକତା ରହିଛି। ଏଥି ନିମନ୍ତେ ବୁଦ୍ଧିଜୀବୀ ଓ ସଚେତନ ନାଗରିକମାନେ ବହୁବାର ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି। ସେମାନଙ୍କ ଦାବିମତେ ସହରରୁ ଅନତି ଦୂର ଦାରଗୋଡ଼ାହିରେ ନୂତନ ଅତ୍ୟାଧୁନିକ ବସ୍‌ ଟର୍ମିନାଲ ନିର୍ମାଣ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଥିଲା।

୫ ଏକର ଜାଗାରେ ଏହ‌ି ଟର୍ମିନାଲ ନିର୍ମାଣ ପାଇଁ ଜାଗା ଚିହ୍ନଟ ହେବା ସହ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରି ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କ ଆଞ୍ଚଳିକ ପରିବହନ ବିଭାଗକୁ ପଠାଇଥିଲା। ଖୁବ୍ କମ ଦିନରେ କାମ ଆରମ୍ଭ ହେବ ଓ ସହରରେ ବସ୍‌ ପାର୍କିଂ ଯୋଗୁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବ ନାହିଁ ବୋଲି ସମସ୍ତେ ନିଶ୍ଚିତ ଥିଲେ। ହେଲେ ଗତ ୨୬ ତାରିଖରେ ହୋଇଥିବା ଏକ ଘୋଷଣା ଏବେ ବିବାଦ ସୃଷ୍ଟି କରିଛି। ସହରର ପୁରୁଣା ବସ୍‌ଷ୍ଟାଣ୍ଡକୁ ୩ କୋଟି ୫୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଆଦର୍ଶ ବସ୍‌ଷ୍ଟାଣ୍ଡ ଭାବେ ରୂପାନ୍ତର କରିବାକୁ ସରକାର ମଂଜୁରି ଦେଇଥିବା ଜଣାପଡ଼ିବା ପରେ ସହରର ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଆଗାମୀ ୧୦-୧୫ ବର୍ଷ ବେଳକୁ ସହରର ଜନସଂଖ୍ୟା ଓ ଭିଡ଼ ଏତେ ବଢ଼ିଯିବ ଯେ ସହର ଭିତର ଦେଇ ସଂକୀର୍ଣ୍ଣ ରାସ୍ତାରେ ବସ୍‌ ଚଳାଚଳ ସମସ୍ୟା ସୃଷ୍ଟି କରିବ। ଏମିତରେ ପୁରୁଣା ବସ୍‌ଷ୍ଟାଣ୍ଡ ରୂପାନ୍ତରଣ ବଦଳରେ ପ୍ରସ୍ତାବିତ ଅତ୍ୟାଧୁନିକ ନୂତନ ବସ୍‌ ଟର୍ମିନାଲ ନିର୍ମାଣ ଜରୁରୀ ବୋଲି ଯୁବ ସମାଜସେବୀ ଚନ୍ଦନ ଶେଜପଡା କହିଛନ୍ତି। କିଛି ଲୋକ ନିଜର ସ୍ବାର୍ଥ ପାଇଁ ପ୍ରସ୍ତାବିତ ନୂତନ ବସ୍‌ ଟର୍ମିନାଲକୁ ବିରୋଧ କରିବା ସହ ପୁରୁଣା ବସଷ୍ଟାଣ୍ଡ ନବୀକରଣ ନିଷ୍ପତ୍ତିକୁ ସମର୍ଥନ ଜଣାଉଛନ୍ତି। ଏ ବାବଦରେ ଖର୍ଚ୍ଚ ହେବାକୁ ଥିବା ଟଙ୍କା ଚଳୁ କରିବା ପାଇଁ ଯୋଜନା ଚଳାଇଛନ୍ତି ବୋଲି କହିଛନ୍ତି ବିଜୟ କୁମାର ବେହେରା। ବସ୍‌ ଯାତ୍ରୀ ନିରାକାର ବେହେରା ଓ ମମତାରାଣୀ ମହାରଣା ବି ଅନୁରୂପ ଭାବେ ପୁରୁଣା ବସଷ୍ଟାଣ୍ଡକୁ ଅନ୍ୟତ୍ର ଉଠାଇବା ନେଇ ମତ ଦେଇଛନ୍ତି। ଟ୍ରାଫିକ୍ ସମସ୍ୟା ଓ ଦୁର୍ଘଟଣା ଏଡ଼ାଇବା ନିମନ୍ତେ ପୁରୁଣା ବସ୍‌ଷ୍ଟାଣ୍ଡର ନବୀକରଣ କାର୍ଯ୍ୟକୁ ବିରୋଧ କରିବା ସହ ପ୍ରସ୍ତାବିତ ଜାଗାରେ ଟର୍ମିନାଲ ନିର୍ମାଣ ପାଇଁ ସମସ୍ତ ସହରବାସୀ ଏକଜୁଟ୍ ହେବାକୁ ସେ ଆହ୍ବାନ ଦେଇଛନ୍ତି।

ସୂଚନାଯୋଗ୍ୟ; ଏକ ସଙ୍କୁଚିତ ଜାଗାରେ ପୁରୁଣା ବସ୍‌ଷ୍ଟାଣ୍ଡ ରହିଛି। ସେଠାରେ ୫-୬ ଖଣ୍ଡ ବସ୍‌ ଏକକାଳୀନ ରଖିବାକୁ ବି ଜାଗା ନାହିଁ। ବସ୍‌ଗୁଡ଼ିକ ଷ୍ଟାଣ୍ଡକୁ ପ୍ରବେଶ ଓ ପ୍ରସ୍ଥାନ ସମୟରେ ଗୁରୁତର ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି। ସକାଳ ସମୟରେ ତ’ ବସ୍‌ ଚଳାଚଳ ପାଇଁ ଏହି ରାସ୍ତାରେ ଯାଉଥିବା ସାଧାରଣ ଯାତ୍ରୀ ଓ ସ୍କୁଲ, କଲେଜ ଛାତ୍ରୀଛାତ୍ରୀ ବହୁ ସମୟ ଧରି ରାସ୍ତାରେ ଫସି ରହୁଛନ୍ତି। ଏମିତିକି ବାଇକ୍‌ ଖଣ୍ଡେ ପାର୍‌ ହେବା ମଧ୍ୟ କଷ୍ଟକର ହୋଇପଡ଼ୁଛି। ବସ୍‌ଷ୍ଟାଣ୍ଡରେ ଜାଗା ନଥିବାରୁ ଅମ୍ବିକା ମନ୍ଦିରଠୁ ଜଗନ୍ନାଥ ମନ୍ଦିର, ସତ୍ୟସାଇ ଛକରୁ ଟ୍ରେନ୍‌ଲାଇନ ପର୍ଯ୍ୟନ୍ତ ବସ୍‌ଗୁଡ଼ିକ ବେଆଇନ ଭାବେ ପାର୍କିଂ ହେଉଥିବା ଦେଖିବାକୁ ମିଳୁଛି।

ସତ୍ୟସାଇ ଛକରୁ ଟ୍ରେନ୍‌ଲାଇନ ଯାଏ ଧାଡ଼ିହୋଇ ଠିଆ ହେଉଛି ବସ୍‌। ଏହି ବେଆଇନ୍‌ ପାର୍କିଂ ବିପଦକୁ ଆମନ୍ତ୍ରଣ କରୁଛି। ଏମିତିରେ ପ୍ରଶ୍ନ ଉଠୁଛି; ଅତ୍ୟାଧୁନିକ ଟର୍ମିନାଲ ପାଇଁ ଜାଗା ଚିହ୍ନଟ ହେବା ଓ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେବା ପରେ କାମ ଆରମ୍ଭ ପରିବର୍ତ୍ତେ ବନ୍ଦ ହେଲା କାହିଁକି। ଏଥିରେ କିଏ କେଁ ପୂରାଇଲା। ରାଜନେତା ନାଁ  ପ୍ରଭାବଶାଳୀ ବସ୍‌ ମାଲିକ; କାହା ସ୍ବାର୍ଥରେ ଏହି ନିଷ୍ପତ୍ତି ହେଲା। ଆଶ୍ଚର୍ଯ୍ୟର କଥା ହେଉଛି ପୁରୁଣା ବସ୍‌ଷ୍ଟାଣ୍ଡ ନବୀକରଣ ପାଇଁ ସରକାର ଅର୍ଥ ମଂଜୁର କରିବା ପରେ ଏବେ ପ୍ରସ୍ତାବିତ ଟର୍ମିନାଲ ୫ ଏକର ଜାଗାକୁ କିଛି ଜମି ମାଫିଆ ନିଜ ଅକ୍ତିଆରକୁ ନେବାକୁ ଉଦ୍ୟମ ଚଳାଇଛନ୍ତି। ତେଣୁ ସହରବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ଏ ନେଇ ନିଷ୍ପତ୍ତିର ପୁନର୍ବିଚାର କରି ବସ୍‌ଷ୍ଟାଣ୍ଡ ସ୍ଥାନାନ୍ତର ପାଇଁ ଦାବି ହେଉଛି।

ସମ୍ବନ୍ଧିତ ଖବର