ଖଣି ଆଁ ରେ ଗାଁ…କିଏ ବୁଝିବ ଦର୍ଲିପାଲିବାସୀଙ୍କ ଦୁଃଖ

ଝାରସୁଗୁଡା: ଘର ଆଗରେ କୋଇଲା ଖଣି। ରାତିରେ ଭୟଙ୍କର ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦରେ ଘରର କାନ୍ଥବାଡ଼ ଦୋହଲି ଯାଉଥିବା ବେଳେ ଛାତରୁ ସିମେଣ୍ଟ ଖଣ୍ଡ ଓ ଆଜବେଷ୍ଟସ୍ ଖଣ୍ଡ ସିଧା ଶୋଇଥିବା ଖଟ ଉପରେ ପଡ଼େ। ମା’ କୋଳରେ ଶୋଇ ଭବିଷ୍ୟତ ସ୍ବପ୍ନ ଦେଖୁଥିବା ଛୋଟ ଛୁଆ ଏହି ବିସ୍ଫୋରଣର ଶବ୍ଦରେ ବିଚଳିତ ହୋଇ ଚିତ୍କାର କରିଥାଏ। ଗୋଟିଏ ପରେ ଗୋଟିଏ ଏପରି ଭୟଙ୍କର ଶବ୍ଦ ସାରା ଗାଁକୁ ଦୋହଲାଇ ଦେଇଥାଏ। ଏଭଳି ପରିସ୍ଥିତିରେ ଗାଁ ଲୋକୋ ଶୋଇବେ କଣ ସାରା ରାତି ଆତଙ୍କିତ ଅବସ୍ଥାରେ ରହିଥାନ୍ତି। ଏହି ଘଟଣା ଗୋଟିଏ କି ଦୁଇ ଦିନର ନୁହେଁ, ୩୦ ବର୍ଷ ହେଲା ଚାଲି ଆସୁଛି। ଏହି ଭୟଙ୍କର ଶବ୍ଦରେ ଜନ୍ମ ନେଇଥିବା ଶିଶୁ ଆଜି ଯୁବକ । ଏହି ଯୁବକ ଏବେ ତାର ଶିଶୁପୁତ୍ରକୁ ଏହି ଭୟଙ୍କର ଶବ୍ଦରୁ ବଞ୍ଚାଇବା ପାଇଁ ଲଢ଼େଇ କରୁଛି।

ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର ଦର୍ଲିପାଲି ଗ୍ରମାବାସୀ କୋଇଲା ଖଣି ଯୋଗୁଁ ଗତ ୩୦ ବର୍ଷ ହେଲା ଏପରି ଅଭିଶପ୍ତ ଜୀବନ ଜୀଇଁ ଆସୁଛନ୍ତି। ପୂର୍ବରୁ ଏହି ଦର୍ଲିପାଲି ଗାଁ ଶସ୍ୟଶ୍ୟାମଳା ଥିଲା। ଗାଁରେ ବୋହି ଯାଇଥିବା ଲିଲାରି ନାଳର ମଧୁର ଜଳକୁ ଲୋକେସ ବ୍ୟବହାର କରୁଥିଲେ। ଗାଁ ପାଖରେ ଥିବା ନିଜ ଜମିରେ ଚାଷ କରି ସୁନାର ଫସଲ ଉତ୍ପାଦନ କରୁଥିଲେ। ଗାଁ ଜଙ୍ଗଲ ଏମାନଙ୍କୁ ଦେଉଥିଲା ଅନେକ ଉପାଦାନ। ଜଙ୍ଗଲଜାତ ଦ୍ରବ୍ୟରେ ଅନେକ ଗ୍ରାମବାସୀ ନିଜର ଗୁଜୁରାଣ ମଧ୍ୟ ମେଣ୍ଟାଉଥିଲେ। ଗାଁ ରୁ ସହର ଓ ସହରରୁ ଗାଁ ଯିବା ଆସିବା କରୁଥିବା ବେଳେ ଖୁସିରେ ଜୀବନ ବିତାଉଥିଲେ। କିନ୍ତୁ ମାଟି ତଳେ ଥିବା କଳାହୀରା ତାଙ୍କୁ ତାଙ୍କ ଗ୍ରାମରେ ବେଶୀ ଦିନ ଖୁସିରେ ରହିବାକୁ ଦେଲାନି। ମାଟି ତଳୁ କୋଇଲା ଉତ୍ତୋଳନ ପାଇଁ ଗାଁର ସବୁ ସୁଖସ୍ବଛନ୍ଦ ତ୍ୟାଗ କରିବାକୁ ପଡ଼ିଥିଲା।

ତେବେ ଏହି ତ୍ୟାଗ ବଦଳରେ ସେମାନଙ୍କୁ ପ୍ରତାରଣାର ଶିକାର ହେବାକୁ ପଡ଼ିଛି। ଯାହା ଫଳରେ ଏହି ଗ୍ରାମର ଲୋକେେ ଦୀର୍ଘ ୩୦ ବର୍ଷ ହେଲା ତାଙ୍କର ହକ୍ ପାଇଁ ଲଢ଼େଇ କରୁଛନ୍ତି। ଏହି ଲଢ଼େଇ ଭିତରେ କେତେବେଳେ ଯେ, ତାଙ୍କ ଘର ଦ୍ବାର କୋଇଲା ଖଣିର ଆଁ ଭିତରେ ମିଶି ଯିବ ତାର କୌଣସି ଗ୍ୟାରେଣ୍ଟି ନାହିଁ। ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଏହି ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଏପରି ଅନେକ ଛିଦ୍ର ରହି ଯାଇଛି ଯେଉଁ ଛିଦ୍ରରେ ପୁଞ୍ଜିପତି, ପ୍ରଭାବଶାଳୀ ଲୋକ, ବଡ଼ ବଡ଼ ପ୍ରଶାସକ ଅନାୟାସରେ ଗଳି ଯାଉଥିବା ବେଳେ ଦର୍ଲିପାଲି ଗ୍ରାମବାସୀ ଭାଗ୍ୟକୁ ଆଦରି ଏମାନଙ୍କ ଆଗରେ ନିଜର ହକ୍ ମାଗିବା ପାଇଁ ଦଣ୍ଡାୟମାନ ହୋଇ ରହିଛନ୍ତି। ବିସ୍ଥାପନ ନୀତିକୁ ବିଭିନ୍ନ ସ୍ଥାନରେ ଭିନ୍ନ ଭାବରେ ପ୍ରୟୋଗ କରାଯାଇ ସରକାର ଓ କମ୍ପାନିମାନଙ୍କୁ ସୁହାଇଲା ଭଳି କାର୍ଯ୍ୟ କରାଯାଉଛି।

ଦର୍ଲିପାଲି ଗାଁକୁ ୧୯୮୪ ମସିହାରେ ବିସ୍ଥାପନ ପ୍ରକ୍ରିୟାରେ ସାମିଲ କରାଯାଇ ୧୯୯୫ ମସିହାକୁ କଟଅଫ୍ ଡେଟ୍ କରାଯାଇ ଗାଁର ସବୁ ଚାଷଜମି, ଜଳାଶୟ, ଜଙ୍ଗଲ, ଗୋଚର ଜମି, ଦେବସ୍ଥଳୀକୁ ଅଧିଗ୍ରହଣ କରାଯାଇଥିଲା। ମାତ୍ର ଗାଁ ସମେତ ୧୬.୧୩ ଏକର ଜମିକୁ ଅଧିଗ୍ରହଣ କରାଯାଇ ନଥିଲା। କିଛି ଲୋକ ସେହି ସମୟରେ ଘରଦ୍ବାରା ଛାଡ଼ି ଅନ୍ୟତ୍ର ଚାଲି ଯାଇଥିବା ବେଳେ କିଛି ଲୋକ ଖଣିରେ ଚାକିରି ପାଇ ଅନ୍ୟତ୍ର ଯାଇ ରହିଥିଲେ। ତେବେ ନ୍ୟାୟ ଦାବି କରି ରହିଥିବା ଗାଁ ଲୋକ ଆଜି ପର୍ଯ୍ୟନ୍ତ ଶୋଷଣର ଶିକାର ହୋଇ ଆସୁଛନ୍ତି। ଏହି ଗ୍ରାମରେ ସେତେବେଳେ ଥିବା ୬୨ ପରିବାର ଏବେ ବଢ଼ିଯାଇ ୧୧୮ ପରିବାରରେ ପହଞ୍ଚି ସାରିଛନ୍ତି। ଏହି ପରିବାର ମଧ୍ୟରେ ୫୦ ରୁ ଅଧିକ ଜମିହୀନ(ସୁଖବାସୀ) ମଧ୍ୟ ରହିଛନ୍ତି। ଏହି ପରିବାରମାନେ ଗତ ୩୦ ବର୍ଷ ମଧ୍ୟରେ କେତେଯେ ଆନ୍ଦୋଳନ କଲେଣି ତାର ହିସାବ ନାର୍ହି। ଏହି ସମସ୍ୟା ନେଇ ଅନେକ ଥର ଆର୍ପିଡିଏସି ବୈଠକରେ ମଧ୍ୟ ଆଲୋଚନା ହୋଇ ପ୍ରସ୍ତାବ ଗୃହୀତ ହୋଇଛିା ମାତ୍ର ପ୍ରତିକାର ହୋଇ ପାରୁନାର୍ହି। ଗ୍ରାମବାସୀ ନୂଆଁ କଟଅଫ୍ ଡେଟ୍ ପାଇଁ ଦାବି କରୁଛନ୍ତି। ସେହି ଅନୁଯାୟୀ ବିସ୍ଥାପନ ନୀୟମରେ ଥିବା ବ୍ୟବସ୍ଥା ତାଙ୍କୁ ଯୋଗାଇ ଦେବାକୁ କହୁଛନ୍ତି ମାତ୍ର ବିଭିନ୍ନ ଆଳରେ ଏମାନଙ୍କ ଦାବିକୁ ଚପାଇ ଦେବାକୁ ସବୁ ସ୍ତରରେ କୌଶଳ କରାଯାଇ ଏହାକୁ ଏଡ଼ାଇ ଦିଆଯାଉଛି।

ଏପଟେ ଖଣି ଖନନ କରାଯାଇ ଗାଁର ଚତୁର୍ଦିଗକୁ ଖୋଳି ଦିଆଯାଇ ସାରିଲାଣି। ଗାଁ ଲୋକେଉ ବିଷାକ୍ତ କୋଇଲା ଗୁଣ୍ଡରେ ଅଣନିଃଶ୍ବାସୀ ହୋଇ ଗୁରୁତର ପ୍ରଦୂଷଣର ଶିକାର ହେଉଥିବା ବେଳେ ଲିଲାରୀ ନାଳର ବିଷାକ୍ତ କଳା ପ୍ରଦୂଷିତ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଦିନ ତମାମ କୋଇଲା ଖଣି ଯୋଗୁଁ କଷ୍ଟ ଭୋଗୁଥିବା ଗ୍ରାମବାସୀ ରାତିରେ ଭୟଙ୍କର ବିଷ୍ଫୋରଣ ଯୋଗୁଁ ଶୋଇ ପାରୁନାହାନ୍ତି। ଗତ ବର୍ଷ ଜୁନ ୨୮ ତାରିଖ ଠାରୁ ଦର୍ଲିପାଲିବାସୀ ଏହାର ସମାଧାନ ପାଇଁ ବିସ୍ଥାପିତ ସଂଗ୍ରାମ ସମିତି ନେତୃତ୍ବରେ ଦୀର୍ଘ ଦିନ ଧରି ଅନଶନରେ ବସିଥିଲେ । ଅନଶନ ସ୍ଥଳକୁ କେନ୍ଦ୍ର ସରକାରଙ୍କ ପ୍ରତିନିଧି ସାଂସଦ ସୁରେଶ ପୂଜାରୀ, ରାଜ୍ୟ ସରକାରଙ୍କ ପ୍ରତିନିଧି ବିଧାୟକ ସ୍ବର୍ଗତ କିଶୋର ମହାନ୍ତି ମଧ୍ୟ ଯାଇ ଅନଶନକାରୀଙ୍କୁ ସମର୍ଥନ କରିଥିଲେ। ପରେ ରାଜସ୍ବମନ୍ତ୍ରୀ ମଧ୍ୟ ଏଥିରେ ହସ୍ତକ୍ଷେପ କରିଥିଲେ। ବିଧାନସଭା ଗୃହ କମିଟି ମଧ୍ୟ ଦୁଇଥର ଏହି ଗ୍ରାମକୁ ଆସି ଲୋକଙ୍କ ସମସ୍ୟା ବୁଝିଥିଲେ। ତେବେ ଆଜିକୁ ଏକ ବର୍ଷ ବିତିଯାଇଥିଲେ ସୁଦ୍ଧା ଏହି ଗ୍ରାମର ସମସ୍ୟା ସମାଧାନ ହୋଇ ପାରିନାହିଁ। ଏ ନେଇ ଗତ କାଲି ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗ୍ରାମର ୧୦ ଜଣ ବିସ୍ଥାପିତଙ୍କୁ ଡାକି ୧୦ ଲକ୍ଷ ଟଙ୍କାର ପ୍ୟାକେଜ ଘୋଷଣା କରାଯାଇ ତୁରନ୍ତ ଘର ଛାଡ଼ିବାକୁ କୁହାଯାଇଥିଲା। ଏହି ପ୍ୟାକେଜରେ ବିସ୍ଥାପିତଙ୍କୁ ନିଯୁକ୍ତି କଥା ନଥିବାରୁ ଏଥିରେ ବିସ୍ଥାପିତ ପରିବାର ରାଜି ହୋଇନଥିଲେ। ତାଙ୍କୁ ଯଦି ନିଯୁକ୍ତି ନମିଳେ ତେବେ କ୍ଷତିପୂରଣ ବାବଦରେ ଏକ କୋଟି ଟଙ୍କା ଦେବାକୁ ସେମାନେ ଦାବି କରିବା ପରେ ଆଲୋଚନା ଅଧାରୁ ବନ୍ଦ ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର