ଭୁବନେଶ୍ବର: ବିଦ୍ୟୁତ ବିତରଣ କଂପାନିମାନଙ୍କର ଅପାରଗତା ଓ ଦାୟିତ୍ବହୀନତା ପାଇଁ ଏବେ ଦଣ୍ଡ ଭୋଗୁଛନ୍ତି ସାଧାରଣ ଉପ‌ଭୋକ୍ତା। ସେମାନଙ୍କର ଅପରିଣାମଦର୍ଶୀ କାର୍ଯ୍ୟ ଯୋଗୁଁ ଯେଉଁ କ୍ଷତି ହେଉଛି ତ‌‌ାହାର ଭରଣା ଲାଗି ଉପଭୋକ୍ତାମାନଙ୍କୁ ଏକରକମ ବାଧ୍ୟ କରାଯାଉଛି। ଆଉ କେହି ନୁହେଁ, ନିଜେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ବା ଓଇଆର୍‌ସି ପ୍ରତିବର୍ଷ ଏ କ୍ଷେତ୍ରରେ ବଡ଼ ଭୂମିକା ନିଭାଉଛନ୍ତି। ସାଧାରଣ ଜନତାଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଏହି ସଂସ୍ଥା ତାର ବିପରୀତ କାର୍ଯ୍ୟ କରୁଛି, ଅର୍ଥାତ୍ ଲକ୍ଷ ଲକ୍ଷ ଉପଭୋକ୍ତାଙ୍କ ଉପରେ ଆର୍ଥିକ ବୋଝ (କଂପାନିଙ୍କ ପାଇଁ ହେଉଥିବା କ୍ଷତି) ଲଦିବାରେ ଲାଗିଛି। ବେଶୀ ଦୂରକୁ ନ ଯାଇ ନିକଟ ଅତୀତର ଉଦାହରଣ ନେଲେ ଏହା ସ୍ପଷ୍ଟ ହୋଇଯିବ। ୨୦୨୦-୨୧ ବର୍ଷରେ ବିଦ୍ୟୁତ ଉପଭୋକ୍ତାମାନେ ୟୁନିଟ୍ ପିଛା ୧ଟଙ୍କାରୁ ଅଧିକ ତଣ୍ଡ ଗଣିଛନ୍ତି। ତା ପରବର୍ଷ ବି ସେୟା। ହେଲେ ଓଇଆର୍‌ସିଙ୍କ ଏଭଳି ବିଚିତ୍ର ନିଷ୍ପତ୍ତିର କେହି ପ୍ରତିବାଦ କରିନଥିଲେ। ସାଧାରଣ ଲୋକଙ୍କ ସ୍ବାର୍ଥର ସୁରକ୍ଷା କଥା କହୁଥିବା ରାଜ୍ୟ ସରକାର ବି ଚୁପ୍ ରହିଲେ। ସବୁଠାରୁ ବଡ଼ କଥା ହେଲା, ଯେଉଁମାନଙ୍କ ଦୋଷତ୍ରୁଟି କାରଣରୁ ଉପଭୋକ୍ତା ଏତେ କ୍ଷତି ସହୁଛନ୍ତି, ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବାର ନଜିର ନାହିଁ।

Advertisment

ବର୍ଷ ବର୍ଷ ଧରି ହଜାର ହଜାର କୋଟି ଗଣିଲେଣି ବିଦ୍ୟୁତ ଉପଭୋକ୍ତା
ରାଜ୍ୟ ସରକାର ନିରବ; ରାଜନୈତିକ ଦଳଙ୍କ ମୁହଁରେ ତୁଣ୍ଡି

ଶକ୍ତି ସମୀକ୍ଷକଙ୍କ କହିବା କଥା ହେଉଛି, ଉପଭୋକ୍ତାଙ୍କୁ ଲୁଟ୍‌ ଯେମିତି ଆଇନତଃ ବୈଧ, ଠିକ୍ ସେମିତି ଆଚରଣ ପ୍ରଦର୍ଶନ କରୁଛନ୍ତି ଓଇଆର୍‌ସି। ରାଜ୍ୟର ପ୍ରତି ଉପଭୋକ୍ତା ୨୦୨୦-୨୧ ବର୍ଷରେ ୟୁନିଟ୍ ପିଛା ୧ଟଙ୍କା ୦୪ ପଇସା ଅତିରିକ୍ତ ତଣ୍ଡ ଗଣିଲେ। ନିଜେ ଓଇଆର୍‌ସି ସେବର୍ଷ ୟୁନିଟ୍‌ ପିଛା ୨୨.୦୩% ସାମଗ୍ରିକ ବୈଷୟିକ ଓ ବାଣିଜ୍ୟିକ (ଏଟି ଆଣ୍ଡସି) କ୍ଷତି ଅନୁମତି ଦେଇ ନିଜ ଜାଣତରେ ଏତେ ପରିମାଣର କ୍ଷତିକୁ ରାଜ୍ୟର ଲକ୍ଷ ଲକ୍ଷ ଉପଭୋକ୍ତାଙ୍କ ମୁଣ୍ଡକୁ ଠେଲିଦେଲେ। ତା’ ପରବର୍ଷ ଅର୍ଥାତ୍ ୨୦୨୧-୨୨ ବର୍ଷ ଲାଗି ବିଦ୍ୟୁତ ଦର ନିର୍ଧାରଣ ବେଳେ ଆୟୋଗ ବେଫିକର ଢଙ୍ଗରେ ପୁଣି ଥରେ ଓ ପୂର୍ବଠାରୁ ଅଧିକ ୟୁନିଟ୍ ପିଛା ୨୨.୦୩% ହାରରେ ୧ଟଙ୍କା ୧୨ ପଇସା କ୍ଷତି ଲୋକଙ୍କ ଠାରୁ ଭରଣା ପାଇଁ ନିର୍ଦେଶ ଦେଲେ। ସମସ୍ତେ ନିରବରେ ଏହାକୁ ସହିଗଲେ। ରାଜ୍ୟ ସରକାର ମଧ୍ୟ। ୨୦୨୨-୨୩ବର୍ଷ ଲାଗି ଚଳିତମାସ ତୃତୀୟ ସପ୍ତାହରେ ଆୟୋଗ ଯେତେବେଳେ ବିଦ୍ୟୁତ ଦର ନିର୍ଧାରଣ କରିବେ, ସେବେ ଏହି କ୍ଷତି ପରିମାଣ ଆହୁରି ବଢ଼ିବ ପଛେ, କମିବା ସମ୍ଭାବନା କ୍ଷୀଣ। ବିଦ୍ୟୁତ ଦର ନିର୍ଧାରଣ ଶୁଣାଣି ପ୍ରକ୍ରିୟାରେ ବିଭିନ୍ନ କଂପାନି ଯେଉଁ ଦାବି ଉପସ୍ଥାପନ କରିଛନ୍ତି ଓ ମିଳିଥିବା ତଥ୍ୟ ଏଭଳି ଏକ ଆଶଙ୍କାକୁ କ୍ରମଶଃ ଘନୀଭୂତ କଲାଣି। କାହା ସ୍ବାର୍ଥରେ କାମ କରୁଛନ୍ତି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ? କେବଳ କଂପାନିମାନଙ୍କ ସୁରକ୍ଷା ଆୟୋଗଙ୍କ ଦାୟିତ୍ବ କି? କାହିଁକି ଅନ୍ୟମାନଙ୍କ ଅପାରଗତାର ବୋଝ ଖାଉଟିଙ୍କ ମୁଣ୍ଡରେ ଲଦି ଦିଆଯିବ? କେଉଁ ଆଇନରେ ଏକଥା ଲେଖା ଅଛି ଯେ କଂପାନିମାନଙ୍କ କ୍ଷତି ବିଦ୍ୟୁତ ଉପଭୋକ୍ତା ନିଜ ପକେଟ୍‌ରୁ ଦେବେ? ଗତ ୧୦ ବର୍ଷରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ୨୦ହଜାର କୋଟି ଖର୍ଚ୍ଚ ହୋଇଥିଲା; ତାହାର ହିସାବ କାହିଁ? କାହିଁକି ବଣ୍ଟନ କଂପାନିମାନେ ତାଙ୍କର ବାର୍ଷିକ ରାଜସ୍ବ ଆବଶ୍ୟକତା ଉପସ୍ଥାପନ କରିବା ବେଳେ ଏକଥା ଦର୍ଶାଇଲେ ନାହିଁ? କାହିଁକି ଏହି ହିସାବ ସାର୍ବଜନୀନ ହେବନାହିଁ? ଏତେ ଟଙ୍କା ତେବେ କେଉଁଠି ଖର୍ଚ୍ଚ ହେଲା? ଯଦି ସେ ସବୁ ଏହି ଭିତ୍ତିଭୂମି ଉନ୍ନତିରେ ଖର୍ଚ୍ଚ ହୋଇଛି ତେବେ ଏଟି ଆଣ୍ଡ ସି କ୍ଷତି କିଭଳି ହେଉଛି? ଏଭଳି ଶହ ଶହ ପ୍ରଶ୍ନ ଏବେ ରାଜ୍ୟର ଲକ୍ଷ ଲକ୍ଷ ବିଦ୍ୟୁତ ଉପଭୋକ୍ତାଙ୍କୁ ଆନ୍ଦୋଳିତ କରୁଛି। ହେଲେ ଏହି ପ୍ରସଙ୍ଗ କିନ୍ତୁ ରାଜନୈତିକ ଦଳମାନଙ୍କୁ ବିଚଳିତ କରୁନାହିଁ।

ବିଦ୍ୟୁତ ସଂସ୍କାର କ୍ଷେତ୍ରରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଥିଲା। ସେବେ ସରକାର ରାଜ୍ୟବାସୀଙ୍କୁ ସ୍ବପ୍ନ ଦେଖାଇଥିଲେ ଯେ ସୁଲଭ ମୂଲ୍ୟରେ ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଜୁଳି ଯୋଗାଇ ଦିଆଯିବ। ୨୫ବର୍ଷ ପରେ ଆଜି ଏ କ୍ଷେତ୍ରକୁ ନିରେଖି ଦେଖିବା ପରେ ଜଣାପଡୁଛି ଯେ ଶକ୍ତି ବିଭାଗରେ କେଳେଙ୍କାରୀ କାରଣରୁ ଉପଭୋକ୍ତା ଯେଭଳି ସିଧାସଳଖ ଲୁଟ୍‌ର ଶିକାର ହୋଇଛନ୍ତି, ସେଭଳି ଅନ୍ୟ କୌଣସି କ୍ଷେତ୍ରରେ ହୋଇନାହିଁ। ଏହାର ଲୁଟ୍‌ ଅର୍ଥର ପରିମାଣ କେତେ ହଜାର କୋଟି ହେବ, ତାହା ଆକଳନ କରିବା ଏତେ ସହଜ ନୁହେଁ। କାରଣ, ରାଜ୍ୟରେ ବିଦ୍ୟୁତ କ୍ଷେତ୍ରର ପରିଚାଳନାଗତ ତ୍ରୁଟି କାରଣରୁ ବିଭ୍ରାଟ ଏଭଳି ସ୍ତରକୁ ଛୁଇଁସାରିଛି ଯେ ସାମଗ୍ରିକ ବୈଷୟିକ ଓ ବାଣିଜ୍ୟିକ କ୍ଷତି ଜରିଆରେ କୋଟିଏ କି ଦୁଇକୋଟି ନୁହେଁ, ଫି ବର୍ଷ ହଜାର ହଜାର କୋଟି ଟଙ୍କାର ଆର୍ଥିକ ବୋଝ ଗ୍ରାହକଙ୍କ ଉପରେ ଲଦି ଦିଆଯାଉଛି। କେହି ଗ୍ରାହକଙ୍କୁ ସୁରକ୍ଷା ଦେଇନାହାନ୍ତି, ବରଂ ଆବଣ୍ଟନ କଂପାନିମାନଙ୍କୁ ଅଯାଚିତ ଅନୁକମ୍ପା ପ୍ରଦର୍ଶନ କରାଯାଇଛି।

ପାଵାର ଫାଇନାନ୍ସ କର୍ପୋରେସନ୍ ରିପୋର୍ଟ (୨୦୧୯-୨୦) କହୁଛି ଯେ ଦେଶରେ ହାରାହାରି ଏଟି ଆଣ୍ଡ ସି କ୍ଷତି ହାର ୨୦.୯୩%। ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ବିଚାରକୁ ନେଲେ ଓଡ଼ିଶା (୨୦୧୯-୨୦ ବେଳକୁ ଏଟି ଆଣ୍ଡ ସି କ୍ଷତି ୨୮.୯୪% ଥିବା ଏହି ରିପୋର୍ଟ କହୁଛି) ତଳଆଡୁ ଏ କ୍ଷେତ୍ରରେ ଏକାଦଶ ସ୍ଥାନରେ ରହିଛି। ଅର୍ଥାତ୍ ଓଡ଼ିଶା ଉପରେ ୨୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଅଛନ୍ତି, ଯେଉଁମାନଙ୍କ ପ୍ରଦର୍ଶନ ବେଶ୍ ଭଲ। ଦିଲ୍ଲୀରେ ଏହି କ୍ଷତିର ପରିମାଣ ୮.୧୯% ରହିଛି। ତାମିଲନାଡୁ, ଗୁଜରାଟ, ଆନ୍ଧ୍ରପ୍ରଦେଶ, ପଞ୍ଜାବ, କେରଳ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ତେଲେଙ୍ଗାନା, ଆସାମ, ଛତିଶଗଡ ପ୍ରମୁଖ ରାଜ୍ୟର ପ୍ରଦର୍ଶନ ଓଡ଼ିଶା ତୁଳନାରେ ବେଶ୍ ଭଲ।
ତେବେ ଓଡ଼ିଶା ବିଦ୍ୟୁତ କ୍ଷେତ୍ରରେ କରିଥିବା ସଂସ୍କାରର ଲାଭ କ’ଣ ହେଲା? ଓପିଟିସିଏଲ୍, ଗ୍ରିଡ୍‌କୋ ଏବଂ ବିତରକ କଂପାନିମାନେ ଏଥିପାଇଁ ଦଣ୍ଡିତ ହେବେ ନା ସାଧାରଣ ବିଦ୍ୟୁତ ଉପଭୋକ୍ତା? ବିଦ୍ୟୁତ ଦର ନିର୍ଧାରଣ ସଂକ୍ରାନ୍ତ ଜନ ଶୁଣାଣି ବେଳେ ବିଶେଷଜ୍ଞମାନେ ଯୁକ୍ତି ରଖିଥିଲେ ଯେ ଯଦିଓ ଚଣ୍ଡିଗଡ ଆଦି ଅଞ୍ଚଳରେ ଏଟି ଆଣ୍ଡସି କ୍ଷତିର ପରିମାଣ ୫ ପ୍ରତିଶତ ତଳେ, ତଥାପି ଏ କ୍ଷେତ୍ରରେ ୮ ପ୍ରତିଶତ ପର୍ଯ୍ୟନ୍ତ କ୍ଷତି ସହିବା ଲାଗି ବଣ୍ଟନ କଂପାନିମାନଙ୍କୁ ଅନୁମତି ଦିଆଯାଇପାରେ। ହେଲେ ଓଡ଼ିଶାରେ ୨୨ ପ୍ରତିଶତ କ୍ଷତି ଅନୁମତି ଦିଆଯାଉଛି। ୨୦୨୦-୨୧ ବର୍ଷର ବିଦ୍ୟୁତ ଦରକୁ ହିସାବକୁ ବିଚାରକୁ ନିଆଗଲେ, ଉପଭୋକ୍ତା ୟୁନିଟ୍ ପିଛା ୬୬ରୁ ୭୦ ପଇସା ଯାଏ ଅଧିକ କ୍ଷତି ସହିଛନ୍ତି। ୨୦୨୧-୨୨ରେ ଏହି ପରିମାଣ ୭୨ ପଇସା ବୋଲି କୁହାଯାଇପାରିବ। ସିଧା ସିଧା କହିଲେ, ବିଜୁ​ଳି ଦର ୟୁନିଟ୍ ପିଛା ୭୦ରୁ ୭୨ ପଇସା କମିବାର ସୁଯୋଗ ରହିଛି। ପୁଣି ବଳକା କ୍ଷତି ପରିମାଣ ରାଜ୍ୟ ସରକାର ନିଜେ ବହନ କରିବା କଥା। ତାହା କାହିଁକି ବିଦ୍ୟୁତ ଉପଭୋକ୍ତା ବହନ କରିବେ, ତାହା ବୁଝାପଡୁନାହିଁ। ଏସବୁକୁ ମିଶାଇଲେ ୟୁନିଟ୍ ପିଛା ୧ଟଙ୍କାରୁ ଢେର୍ ଅଧିକ ଅର୍ଥ ଉପଭୋକ୍ତାଙ୍କ ଉପରେ ଲଦି ଦିଆଯାଉଛି।

ଉଲ୍ଲେଖଥାଉକି, ୨୦୨୦-୨୧ ବର୍ଷରେ ସବୁ ପ୍ରକାର ଉପଭୋକ୍ତାଙ୍କ ଲାଗି ବିଦ୍ୟୁତ ଦର ୟୁନିଟ୍ ପିଛା ହାରହାରି ୪ ଟଙ୍କା ୯୨ ପଇସା ନିର୍ଧାରଣ କରାଯାଇଥିଲା। ସେବର୍ଷ ଆୟୋଗ ୨୨.୦୨% ଏଟି ଆଣ୍ଡ ସି ଅନୁମତି ଦେବା କାରଣରୁ ଖାଉଟି ଅଯଥାରେ ପ୍ରତି ୟୁନିଟ୍ ପିଛା ୧ଟଙ୍କା ୪ ପଇସା ଦେଲେ। କିନ୍ତୁ ବର୍ଷ ଶେଷକୁ ଦେଖାଗଲା ଯେ ବାସ୍ତବିକ କ୍ଷତି ଏହାଠାରୁ ଆହୁରି ଅଧିକ (୨୭.୮୭%) ହୋଇଛି ଓ ପ୍ରତି ୟୁନିଟ୍‌ ପିଛା ବିଦ୍ୟୁତ ମୂଲ୍ୟରେ ଏହାର ପରିମାଣ ୧ଟଙ୍କା ୨୬ ପଇସା ଛୁଇଁଛି। ଠିକ୍ ସେହିଭଳି ୨୦୨୧-୨୨ବର୍ଷରେ ସବୁ ପ୍ରକାର ଉପଭୋକ୍ତାଙ୍କ ଲାଗି ହାରାହାରି ବିଦ୍ୟୁତ ଦର ୟୁନିଟ୍ ପିଛା ୫ଟଙ୍କା ୨୯ ପଇସା ଧାର୍ଯ୍ୟ ହୋଇଥିଲା। ଆୟୋଗ ୨୨.୦୩% ହିସାବରେ ୧ଟଙ୍କା ୧୨ ପଇସା ଉପଭୋକ୍ତାଙ୍କ ଉପରେ ଲଦିଲେ। ବର୍ଷ ଶେଷକୁ ଏହା ୧ଟଙ୍କା ୨୮ ପଇସା ଛୁଇଁଯାଇଥିବ ବୋଲି ଆକଳନ କରାଯାଉଛି। ଏହି କାରଣରୁ ବିଦ୍ୟୁତ ୟୁନିଟ୍ ପିଛା କମିବା ବଦଳରେ ବଢ଼ିଚାଲିଛି। ଏସବୁ ଭିତରେ ଚଳିତବର୍ଷ କଂପାନିମାନେ ଦାବି କରିଛନ୍ତି ଯେ ୨୦୨୨-୨୩ ବର୍ଷରେ ୟୁନିଟ୍ ପିଛା ହାରାହାରି ୬ଟଙ୍କା ୬ପଇସା ହାରରେ ବିଦ୍ୟୁତ ଶୁକ୍ଳ ଆଦାୟ ପାଇଁ ସେମାନଙ୍କୁ ଅନୁମତି ଦିଆଯାଉ।