କଟକ: ମହାନଦୀବିହାରରେ ଗତକାଲି ହଠାତ୍ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିର ରଙ୍ଗ ବଦଳାଇ ସବୁଜରୁ ତମ୍ବା ରଙ୍ଗ କରି ଦିଆଯିବା ଘଟଣାକୁ ନେଇ ହଟଚମଟ ସୃଷ୍ଟି ହୋଇଛି। ଗୋଟିଏ ପଟେ ସ୍ଥାନୀୟ କର୍ପୋରେଟର ଇଂଜିନିୟର ସୁବ୍ରତ ଘଡ଼େଇ ସିଏମ୍ସି ପକ୍ଷରୁ ଏଭଳି ନିର୍ଦ୍ଦେଶ ଆସିଛି ବୋଲି କହିଥିବା ବେଳେ କଟକ ଜିଲ୍ଲାପାଳ, ସିଏମ୍ସି କମିସନର ଓ ମେୟର ଏଭଳି କୌଣସି ନିର୍ଦ୍ଦେଶ ଦିଆଯିବା ଘଟଣାକୁ ଅସ୍ବୀକାର କରିଛନ୍ତି। ତେଣୁ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରଙ୍ଗ ବଦଳାଇବାକୁ କିଏ ନିଷ୍ପତ୍ତି ନେଲା, ତାହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି।
ଚୌଦ୍ବାର-କଟକ ବିଧାନସଭା କ୍ଷେତ୍ରରେ ଏହି ଅଞ୍ଚଳ ରହିଥିବା ବେଳେ ଏ ପ୍ରସଙ୍ଗରେ କିନ୍ତୁ ବିଧାୟକ ସୌଭିକ ବିଶ୍ବାଳ ଅଥବା ପୂର୍ବତନ ବିଧାୟକ ପ୍ରଭାତରଞ୍ଜନ ବିଶ୍ବାଳ ମୁହଁ ଖୋଲୁ ନାହାନ୍ତି। ଏଭଳି ସ୍ଥିତିରେ ରାଜ୍ୟସଭା ସାଂସଦ ତଥା କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ କହିଛନ୍ତି ଯେ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ଯେଉଁଭଳି ଭାବେ ପ୍ରଥମରୁ ନିର୍ମାଣ ହୋଇଥାଏ, ତାହାକୁ ସେହିଭଳି ରଖିବାର ପରମ୍ପରା ରହି ଆସିଛି। ସରକାର ବଦଳିଲେ ବରପୁତ୍ରଙ୍କ ମୂର୍ତ୍ତିର ଆକାର ଅଥବା ରଙ୍ଗ ବଦଳିବା ଦୁର୍ଭାଗ୍ୟଜନକ। କିନ୍ତୁ ସେଠି ବିଜେଡିର ବିଧାୟକ ଥାଇ ବି ଏଯାଏଁ କାହିଁକି ଜୋରଦାର ବିରୋଧ କରି ନାହାନ୍ତି, ତାହା ଚକିତ କରୁଛି। ଯଦି ବାରବାଟୀ-କଟକରେ ଏଭଳି ସ୍ଥିତି ହୋଇଥାନ୍ତା ତେବେ ବିଜେଡି କର୍ମୀ ହୁଏତ ରାସ୍ତାକୁ ଓହ୍ଲାଇ ସାରିଥାନ୍ତେ ବୋଲି ଦେବାଶିଷ କହିବା ସହିତ ଏଭଳି ନିଷ୍ପତ୍ତିର ବିରୋଧ କରିବାକୁ ବିଧାୟକ ସୌଭିକ ବିଶ୍ବାଳ ଓ ପୂର୍ବତନ ବିଧାୟକ ପ୍ରଭାତରଂଜନ ବିଶ୍ବାଳଙ୍କୁ ଆହ୍ବାନ ଦେଇଛନ୍ତି।
କୌଣସି ନିର୍ଦ୍ଦେଶ ନାହିଁ, ଯାଞ୍ଚ କରାଯିବ: ଜିଲ୍ଲାପାଳ, କମିସନର
ଦେବାଶିଷଙ୍କ ଆହ୍ବାନ: ସୌଭିକ, ପ୍ରଭାତ ଏଯାଏଁ ଚୁପ୍ କାହିଁକି?
ଏ ସଂପର୍କରେ ପ୍ରତିକ୍ରିୟା ରଖି ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ କହିଛନ୍ତି ଯେ ପ୍ରତିମୂର୍ତ୍ତି ରଙ୍ଗ ବଦଳାଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କାହାରିକୁ କୁହାଯାଇ ନାହିଁ। ସରକାରଙ୍କ ପକ୍ଷରୁ ମଧ୍ୟ କୌଣସି ନିର୍ଦ୍ଦେଶନାମା ଆସିନାହିଁ। ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ ବୋଲି ଶ୍ରୀ ଶିନ୍ଦେ କହିଛନ୍ତି।
ସେହିଭଳି ପୌର ନିଗମ କମିସନର ଅନାମ ଚରଣ ପାତ୍ର କହନ୍ତି ଯେ, ପ୍ରତିମୂର୍ତ୍ତିଗୁଡ଼ିକର ରଙ୍ଗ ବଦଳାଇବାକୁ ନିଗମ ପକ୍ଷରୁ କାହାରିକୁ କୁହାଯାଇ ନାହିଁ। ନିଗମ ତରଫରୁ ବରପୁତ୍ରଙ୍କ ଜୟନ୍ତୀ ଅବସରରେ ଆବଶ୍ୟକ ସ୍ଥଳେ ପ୍ରତିମୂର୍ତ୍ତିକୁ ସଫା କରିବା ସହିତ ଯେଉଁ ରଙ୍ଗ ରହିଛି, ସେହି ରଙ୍ଗ କରିବାକୁ ନିର୍ଦ୍ଦେଶ ଦିଆଯାଏ। ମାତ୍ର ପୁରୁଣା ରଙ୍ଗ ବଦଳାଇବାକୁ କାହାରିକୁ ନିର୍ଦ୍ଦେଶ ଦିଆଯାଇ ନାହିଁ। ଏହାର ତଦନ୍ତ କରାଯିବ ବୋଲି ଶ୍ରୀ ପାତ୍ର କହିଛନ୍ତି।
ମେୟର ସୁବାସ ସିଂହ ଅନୁରୂପ ମନ୍ତବ୍ୟ ଦେବା ସହିତ ସହର ମଧ୍ୟରେ ଥିବା ବିଭିନ୍ନ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ରଙ୍ଗ ପରିବର୍ତ୍ତନ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି। ରାଜ୍ୟ ସରକାର ତାଙ୍କ ନୂଆ ନୀତି ଅନୁସାରେ ସରକାରୀ କାର୍ଯ୍ୟାଳୟଗୁଡ଼ିକର ରଙ୍ଗ ବଦଳାଇ ପାରନ୍ତି। ମାତ୍ର ବରପୁତ୍ରଙ୍କ ପ୍ରତିମୂର୍ତ୍ତି ରଙ୍ଗ ପରିବର୍ତ୍ତନ କରାଯାଇ ପାରିବ ନାହିଁ ବୋଲି ଶ୍ରୀ ସିଂହ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/04/02/pTAP8TjKVpnvONcPK8PG.jpg)