ଭୂତ କାର୍ଡଧାରୀଙ୍କ ରାସନ୍ ଖାଉଛି କିଏ?: ବିଜେପି

ପ୍ରାୟ ୫ଲକ୍ଷ ହିତାଧିକାରୀ ରାସନ୍ ନେଉନାହାନ୍ତି

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ମହାମାରୀ ସମୟରେ ୮୦କୋଟି ଲୋକଙ୍କୁ ମାଗଣାରେ ରାସନ୍ ଦେବା ପାଇଁ ବ୍ୟବସ୍ଥା କରିଥିଲେ। କିନ୍ତୁ ବିଜେଡି ସରକାର ଏହି ଯୋଜନାରେ ବ୍ୟାପକ ହେରଫେର କରିଛନ୍ତି। ରାଜ୍ୟ ସରକାର ରାଜ୍ୟରେ ଭୂତ ରାସନ୍ କାର୍ଡଧାରୀଙ୍କ ସଂଖ୍ୟା ବୃଦ୍ଧି କରି କେନ୍ଦ୍ରୀୟ ଅନୁଦାନକୁ ଲୁଟ୍‌ କରୁଛନ୍ତି ବୋଲି ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ଅଭିଯୋଗ କରିଛନ୍ତି।

ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ସରକାରୀ ତଥ୍ୟ ଅନୁଯାୟୀ ରାଜ୍ୟରେ ୯୨,୭୬,୯୩୪ଜଣ ରାସନ୍‌ କାର୍ଡଧାରୀ ଥିବାବେଳେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଚଳିତବର୍ଷ ମେ’ ମାସରେ ମାତ୍ର ୮୭,୩୯,୪୯୪ଜଣ ରାସନ୍ ନେଇଛନ୍ତି। ରାଜ୍ୟ ସରକାରଙ୍କ ହିସାବ ଦେଖିଲେ ୫,୪୩,୬୯୯ଜଣ ମାଗଣା ରାସନ୍ ନେଇନାହାନ୍ତି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ସେହି ମେ’ ମାସରେ ଜାତୀୟ ଖାଦ୍ୟ ସୁରକ୍ଷାରେ ୧ଟଙ୍କା ଦେଇ ୮୮ଲକ୍ଷ ୭୬ହଜାର ୧୬୨ଜଣ ରାସନ୍ ନେଇଛନ୍ତି। ଏହି ଯୋଜନାରେ ମଧ୍ୟ ୪ଲକ୍ଷ ୭ହଜାର ୩୧ଜଣ ରାସନ୍ ନେଇନାହାନ୍ତି।

The Indian Express

କେବଳ ଏତିକି ନୁହେଁ। ଜୁନ୍‌ ମାସରେ ବି ୯୨,୭୭,୪୮୫ଜଣ ରାସନ୍‌ କାର୍ଡଧାରୀଙ୍କ ମଧ୍ୟରୁ ୮୮,୨୩,୦୩୪ଜଣ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ରାସନ୍ ନେଇଛନ୍ତି। ଏହି ମାସରେ ବି ୪,୫୪,୪୫୧ଜଣ ରାସନ୍ ନେଇନାହାନ୍ତି। ସେହିପରି ୮୮,୭୨,୮୨୭ଜଣ ୧ଟଙ୍କା ଦେଇ ରାସନ୍ ନେଇଛନ୍ତି। ଏଥିରେ ବି ୪,୦୪,୬୫୮ଜଣ ରାସନ୍ ସଂଗ୍ରହ କରିନାହାନ୍ତି। ଏଥିରୁ ସ୍ପଷ୍ଟ ଯେ, ପ୍ରାୟ ୫ଲକ୍ଷ କାର୍ଡଧାରୀଙ୍କୁ ରାସନ୍ ବଣ୍ଟାଯାଇପାରିନି କିମ୍ବା ସେମାନେ ଭୂତ ରାସନ୍ କାର୍ଡଧାରୀ। ଯଦି ଏତେ ଲୋକ ରାସନ୍ ନେଉନାହାନ୍ତି ତେବେ ସେମାନଙ୍କ ରାସନ୍ କୁଆଡ଼େ ଯାଉଛି ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଛନ୍ତି।

ଏଠାରେ ପ୍ରଶ୍ନ ଉଠୁଛି ମାଗଣାରେ କମ୍‌ ଲୋକ ରାସନ୍ ନେଉଥିବାବେଳେ ୧ଟଙ୍କା ଦେଇ କିପରି ଅଧିକ ହିତାଧିକାରୀ ରାସନ୍ ନେଉଛନ୍ତି? ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ରାଜ୍ୟରେ ଭୂତ ହିତାଧିକାରୀଙ୍କ ତାଲିକା ଓଡ଼ିଶା ସରକାର କେନ୍ଦ୍ରକୁ ଦେଇଛନ୍ତି ଏବଂ ଏଠାରେ ଭୂତ ରାସନ୍‌ କାର୍ଡଧାରୀଙ୍କ ତାଲିକା ବଢ଼ାଇ ଚାଲିଛନ୍ତି। ସେହିପରି କରୋନାର ପ୍ରଥମ ଲହର ସମୟରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ପ୍ରାୟ ୯୫ଲକ୍ଷ ୫୧ହଜାର କାର୍ଡଧାରୀଙ୍କୁ ସରକାର ହଜାରେ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବା ପାଇଁ ୯୫୫କୋଟି ୧୬ଲକ୍ଷ ୯୫ହଜାର ଟଙ୍କା ଦିଆଯାଇଥିଲା। କିନ୍ତୁ ଜିଲ୍ଲା ଯୋଗାଣ ଅଧିକାରୀମାନେ ୯୩୪କୋଟି ଟଙ୍କାର ୟୁସି ଦେଇଛନ୍ତି। ବାକି ପ୍ରାୟ ୨ଲକ୍ଷରୁ ଊର୍ଦ୍ଧ୍ବ କାର୍ଡଧାରୀଙ୍କୁ ୨୧କୋଟି ଟଙ୍କା ବଣ୍ଟନ କରାଯାଇନି। ବହୁ ଲୋକ ରାଜ୍ୟ ବାହାରେ ରହୁଥିବାରୁ ରାସନ୍ ନେଇପାରିନାହାନ୍ତି।

ରାଜ୍ୟରେ ୱାନ୍ ନେସନ୍ ୱାନ୍ ରାସନ୍ ଯୋଜନା ଆରମ୍ଭ ହୋଇପାରିନଥିବାରୁ ଏହି ସବୁ ସମସ୍ୟା ଦେଖାଦେଇଛି। ତେଣୁ କେବେ ଏହା ଆରମ୍ଭ ହେବ ତାହା ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଏବଂ ଯତୀନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର