ନୟାଗଡ଼ : ଯେଉଁମାନଙ୍କ ପାଖରେ ନିଜର କୌଣସି ଇତିହାସ ନାହିଁ, ଯାହାଙ୍କ ପାଖରେ ସ୍ବାଧୀନତା ସଂଗ୍ରାମରେ ଅବଦାନ ରଖିଥିବା କୌଣସି ବ୍ୟକ୍ତି ନାହାନ୍ତି, ସ୍ବାଧୀନତା ପାଇଁ ଜେଲ୍‌ ଯାଇନାହାନ୍ତି, ସେମାନେ ଆଜି ଦେଶ ଗଢ଼ିବାର ସ୍ବପ୍ନ ଦେଖାଉଛନ୍ତି। ଦେଶକୁ ଖଣ୍ଡ ଖଣ୍ଡ କରିବା, ନାନା ଶ୍ରେଣୀ ସୃଷ୍ଟି କରିବାକୁ ସେମାନେ ଉଦ୍ୟମ କରୁଛନ୍ତି, ସାମ୍ପଦାୟିକତାର ଭାଷା ଶିଖାଉଛନ୍ତି। ସେମାନେ କିଭଳି ଦେଶ ଗଢ଼ିବେ? ଏଭଳି ହେବାକୁ ଆମେ ଦେବା ନାହିଁ। ଏ କ୍ଷେତ୍ରରେ ଗାନ୍ଧୀଜୀ ଆମର ପଥପ୍ରଦର୍ଶକ ହେବେ।

Advertisment

ଆଜି ‘ଆମ ପାଇଁ ବଡ଼, ଆମ ନୟାଗଡ଼’ ପ୍ରାୟୋଜିତ ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ଗାନ୍ଧୀବାଦୀ ପ୍ରବକ୍ତ ତଥା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଷ୍ଟୀୟ ଅଧ୍ୟକ୍ଷ କୁମାର ପ୍ରଶାନ୍ତ ଏଭଳି କହିଛନ୍ତି। ଗାନ୍ଧିଜୀ ନୂଆ କ’ଣ କରିଛନ୍ତି ଶୀଷର୍କରେ ଶ୍ରୀ ପ୍ରଶାନ୍ତ ବକ୍ତବ୍ୟ ରଖିଥିଲେ। ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ପାଳନ ଅବସରରେ ଏହି ସଭାର ଆୟୋଜନ କରାଯାଇଥିଲା। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଓଡ଼ିଶା ଶାଖାର କର୍ମକର୍ତ୍ତା ବିରୁପାକ୍ଷ ତ୍ରିପାଠୀ, ଜଷ୍ଟିସ୍‌ ମନୋରଞ୍ଜନ ମହାନ୍ତି, ଡ. ବିଶ୍ବଜିତ୍‌ ପ୍ରମୁଖ ଏହି ସଭାରେ ସାମିଲ୍‌ ହୋଇଥିଲେ। ଏହି ଅବସରରେ ଶ୍ରୀ ପ୍ରଶାନ୍ତ ଆହୁରି କହିଲେ, ମୁଁ ଗାନ୍ଧୀଙ୍କର ଏକ ଛୋଟ ସିପାହୀ, ଗାନ୍ଧୀଙ୍କ ନିକଟରେ ଆମେ ସଭିଏଁ ଋଣୀ। ସେ ଋଣ ଦେଶବାସୀଙ୍କୁ ଶୁଝିବାକୁ ହେବ। ‌କେବଳ ଦେଶର ସ୍ବାଧୀନତା ସଂଗ୍ରାମ ନୁହେଁ, ହିନ୍ଦୁଧର୍ମରେ ଥିବା କୁସଂସ୍କାର, ଅନ୍ଧବିଶ୍ବାସ ଦୂରୀକରଣ ଭଳି ଗାନ୍ଧୀଜୀ ଅନେକ ନୂତନ କଥା କରିଥିଲେ। ଛୁଆଁଅଛୁଆଁ ଭେଦଭାବଠାରୁ ଅନେକ କଥା ଗାନ୍ଧୀ ଦୂର କରିଛନ୍ତି। ଦକ୍ଷିଣଆଫ୍ରିକାରୁ ‌ଫେରିବା ପରେ ଗାନ୍ଧୀ କଂଗ୍ରେସର ଲକ୍ଷ୍ୟ, ମନୋବୃତ୍ତି ବଦଳାଇଥିଲେ। ମହିଳାମାନଙ୍କୁ ସେ ଘରକୋଣରୁ ବାହାରକୁ ଆଣିଥିଲେ। ସ୍ବାଧୀନତା ସଂଗ୍ରାମରେ ମହିଳାମାନେ ଝାସ ଦେଇଥି‌ଲେ। ପୁରୁଷଙ୍କ ଭଳି ଲାଠି ପାହର ମଧ୍ୟ ଖାଇଥିଲେ। ବର୍ତ୍ତମାନ ଦେଶ ଶାସନରେ ଥିବା ସରକାରରେ ମହିଳାମାନେ ବିପଦରେ ବୋଲି କୁମାର ପ୍ରଶାନ୍ତ କହିଥିଲେ। ମାଙ୍କଡ଼ ହାତରେ ଶାଳଗ୍ରାମ ଭଳି ଅବସ୍ଥା ବୋଲି କେନ୍ଦ୍ର ସରକାରଙ୍କୁ ଇଙ୍ଗିତ କରିଥିଲେ।

ଦେଶ ଗଠନରେ ଭାଗିଦାରୀ ନଥିବା ଲୋକ, ନିଜର ଇତିହାସ ନଥିବା ଗୋଷ୍ଠୀ ବର୍ତ୍ତମାନ ଇତିହାସକୁ ବିକୃତ କରିବାକୁ ଉଦ୍ୟମ କରୁଛନ୍ତି। ଗାନ୍ଧୀଜୀଙ୍କ ସାବରମତୀ ଆଶ୍ରମକୁ ୧୨୦୦ କୋଟି ବ୍ୟୟ କରି ଅତ୍ୟାଧୁନିକ ଉଦ୍ୟାନ ବନାଇବାକୁ ଚେଷ୍ଟା କରୁଛନ୍ତି। ଜାଲିଆନୱାଲବାଗ ହତ୍ୟାକାଣ୍ଡ ଘଟିଥିବା ସ୍ଥାନକୁ ମନୋରଞ୍ଜନ ସ୍ଥାନରେ ପରିଣତ କରିସାରିଲେଣି। ଦେଶ ଗଠନରେ ଯେଉଁମାନଙ୍କର ସାମାନ୍ୟ ଅବଦାନ ନାହିଁ, ସେମାନଙ୍କୁ ନାୟକ ଭାବେ ଉପସ୍ଥାପନ କରାଯାଉଛି। ସର୍ଦ୍ଦାର ପଟେଲ କଂଗ୍ରେସର ଥିଲେ, ତାଙ୍କୁ ନିଜର ବୋଲି କହି ବିରାଟ ପ୍ରତିମୂର୍ତ୍ତି କରାଯାଉଛି। ପଟେଲଙ୍କ ଉଚ୍ଚତାର ବ୍ୟକ୍ତିତ୍ବର ଅଧିକାରୀ ହୁଅ ବୋଲି କହିଥିଲେ। ରାମ ଶବ୍ଦର ଅର୍ଥ ଏମାନେ ବୁଝିନାହାନ୍ତି, ପ୍ରଥମେ ଏହି ଶବ୍ଦର ଅର୍ଥ ବୁଝିବା ଦରକାର; ତାହା ପରେ ମନ୍ଦିର ତିଆରି କରିବ। ମନ୍ଦିର ତିଆରି କରିଦେଲେ ରୋଗ କି ଭୋକ ଅବା ବେକାରୀ ଦୂର ହୋଇଯିବନି। ରାମ ମନ୍ଦିର ଭିନ୍ନ କଥା ପ୍ରଥମେ ଗାନ୍ଧୀଙ୍କ ରାମରାଜ୍ୟ ପ୍ରତିଷ୍ଠା ହେବାର ଆବଶ୍ୟକତା ରହିଛି। ଗାନ୍ଧୀଙ୍କ ଚିନ୍ତାଧାରା, ଆଦର୍ଶକୁ ଆମେ ଆଗକୁ ନେବା, ଦେଶର ଅସମାନତା ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ବ୍ୟକ୍ତିଙ୍କୁ ପ୍ରତିହତ କରିବାକୁ କୁମାର ପ୍ରଶାନ୍ତ ଆହ୍ବାନ ଦେଇଥିଲେ। ନୟାଗଡ଼ବାସୀ ମଧ୍ୟ ଏଥିରେ ସାମିଲ୍‌ ହେବାକୁ ନିବେଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବହୁ ମୁରବୀଶ୍ରେଣୀୟ ବ୍ୟକ୍ତି, ଯୁବକ, ମହିଳା ସାମିଲ୍‌ ହୋଇଥିଲେ। ସମାଜସେବୀ ପ୍ର ମୋଦ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ମନ୍ତ୍ରୀ ଡ. ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ନୟାଗଡ଼ ମାଟିର ବୀରପୁତ୍ର ସ୍ବାଧୀନତା ସଂଗ୍ରାମୀ ସହିଦ୍‌ ରଘୁ ଦିବାକର, କଷ୍ଟି ଡାକୁଆ ପ୍ରମୁଖଙ୍କ ନାମ କୁମାର ପ୍ରଶାନ୍ତ ନେଇ ବକ୍ତବ୍ୟ ଆରମ୍ଭ କରିଥିଲେ। ନୟାଗଡ଼ ମାଟି ଆସିଥିବାରୁ ଏହି ମହାପୁରୁଷଙ୍କର ସ୍ବାଧୀନତାରେ ଅବଦାନ ବିଷୟରେ ଜାଣିପାରିଲି ବୋଲି କହିଥିଲେ। ଏଥି ସହିତ ନୂଆଗାଁରେ ଅବସ୍ଥିତ ଦାସିଆ ଅଜା‌ ସଂଗ୍ରହାଳୟକୁ ପ୍ରଶଂସା କରିଥିଲେ। ସଂଗ୍ରାହକ ଦାଶରଥୀ ପଟ୍ଟନାୟକଙ୍କୁ ମନେ ପକାଇଥିଲେ।