ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା ଗୋପାଳ ଦାସ କିଏ?

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା ଗୋପାଳ ଦାସ କିଏ?

ଭୁବନେଶ୍ବର: ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଆଜି ବ୍ରଜରାଜନଗରରେ ଗୁଳିମାଡ଼ ହୋଇଛି। ଜଣେ ପୁଲିସ କର୍ମଚାରୀଙ୍କ ଗୁଳିମାଡ଼ର ଶିକାର ହେଲା ପରେ ଶ୍ରୀ ଦାସଙ୍କୁ ଗୁରୁତର ଅବସ୍ଥାରେ ଏୟାରଲିଫ୍ଟ କରି ଭୁବନେଶ୍ବର ଅଣାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ନବ ଦାସଙ୍କୁ ବିମାନବନ୍ଦରରୁ ଗ୍ରିନ୍ କରିଡ଼ରରେ ନିଆଯାଇ ଆପଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମନ୍ତ୍ରୀ ଶ୍ରୀ ଦାସଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ତେବେ ଗୁଳିମାଡ଼ କରିଥିବା ଅଭିଯୁକ୍ତ ଏଏସ୍ଆଇ ଗୋପାଳ ଦାସ କିଏ ସଂକ୍ଷେପରେ ଜାଣନ୍ତୁ। କାହିଁକି ସେ ଏପରି କାଣ୍ଡ ଘଟାଇଲେ?

ବିଭିନ୍ନ ସୂତ୍ରରୁ  ମିଳିଥିବା  ରିପୋର୍ଟ ଅନୁସାରେ ଅଭିଯୁକ୍ତ ପୁଲିସ ଏଏସଆଇ ଗୋପାଳ ଦାସ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରସ୍ଥିତ ଗାନ୍ଧି ଛକ ଫାଣ୍ଡିରେ ଇନଚାର୍ଜ ଭାବେ ୨୦୨୦ ନଭେମ୍ବର ୨୮ ତାରିଖ ଠାରୁ ମୁତୟନ ଥିଲେ। ସେ ବ୍ରଜରାଜଗନରରେ ରହୁଥିବା ବେଳେ  ଗଂଜାମ ଜିଲ୍ଲା ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ଶିଳ୍ପାଞ୍ଚଳରେ ଗୋପାଳ ଦାସଙ୍କ ପରିବାର  ରହୁଛନ୍ତି। ଗଞ୍ଜାମ ଜିଲ୍ଲା ଜଳେଶ୍ବରଖଣ୍ଡିରେ ସେ ଜନ୍ମ ହୋଇଥିଲେ ବୋଲି ସୂଚନା ମିଳିଛି। ଚାକିରି ଜୀବନ ଆରମ୍ଭ କରିବା ସମୟରେ ସେ କନେଷ୍ଟବଳ ଥିଲେ। ବିଗତ ୧୨ ପୂର୍ବରୁ କନଷ୍ଟେବଳରୁ ପଦୋନ୍ନତି ପାଇ ଏଏସ୍ଆଇ ପଦରେ ଅବସ୍ଥାପିତ ହୋଇଥିଲେ। ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଥାନାରେ ମୁତୟନ ହୋଇଛନ୍ତି।

ଗୋପାଳ ଦାସ ବାଇପୋଲାର ଅଫେକଟିଭ ଡିଜଅର୍ଡର ରୋଗରେ ଆକ୍ରାନ୍ତ ଥିଲେ। ତାଙ୍କୁ ଡାକ୍ତର ଚନ୍ଦ୍ରଶେଖର ତ୍ରିପାଠୀ ବ୍ରହ୍ମପୁରରେ ୧୦ ବର୍ଷ ପୂର୍ବରୁ ଚିକିତ୍ସା କରୁଥିଲେ। ତାଙ୍କ ଠାରେ ଏକାଧିକ ଲକ୍ଷଣ ଥିଲା। ଅତ୍ୟଧିକ ରାଗିବା, ବାଡିଆପିଟା କରିବା, ପାଗଳାମି ବାହାରିବା, ରାତିରେ ନିଦ ନ ହେବା ଆଦି ଅସୁବିଧା ଥିଲା। ରେଗୁଲାର ଫଲୋଅପ ମେଡ଼ିସିନ ନ ଖାଇଲେ ଏ ଲକ୍ଷଣ ବଢ଼ିପାରେ ବୋଲି ଡାକ୍ତର କହିଥିଲେ। ଗଲା ବର୍ଷେ ଭିତରେ ସେ ଥରେ ଚେକଅପ ପାଇଁ ଆସିଥିଲେ ‌ବୋଲି ଡାକ୍ତର ତ୍ରିପାଠୀ କହିଛନ୍ତି।

ଗୋପାଳ ଦାସଙ୍କ ପତ୍ନୀ ଜୟନ୍ତୀ ଦାସ କହିଛନ୍ତି, ମନ୍ତ୍ରୀଙ୍କୁ ଗୁଳିମାଡ଼ ଘଟଣା ସଂପର୍କରେ ମୁଁ କିଛି ଜାଣି ନାହିଁ। ଝିଅଙ୍କ ସହିତ ଆଜି ଭିଡିଓ କଲିଂରେ କଥା ହୋଇଥିଲେ। ଅଚାନକ କାମ ଅଛି କହି କଲ୍ କାଟି ଦେଇଥିଲେ। ତେଣୁ ତାଙ୍କ ସହିତ ମୁଁ ମୋବାଇଲ୍ ଫୋନରେ କଥା ହୋଇପାରିନାହିଁ। ୪ରୁ ୫ ମାସ ଆଗରୁ ଘରକୁ ଆସିଥିଲେ। ସେ ମାନସିକ ରୋଗର ଶିକାର ଥିଲେ। ମନ୍ତ୍ରୀଙ୍କ ସହିତ ଶତ୍ରୁତା ନେଇ ମୁଁ କିଛି ଜାଣି ନଥିଲି। ଏବେ ମୋ ପିଲାମାନେ ଚିନ୍ତାରେ ଅଛନ୍ତି। ଘଟଣାର ତଦନ୍ତ ହେବା ଦରକାର।

ତେବେ ମାସକ ତଳେ ମନ୍ତ୍ରୀ ନବ ଦାସ ଗାଳି ଦେଇଥିଲେ ବୋଲି କୁହାଯାଉଛି। ଯଦି ଏହି ଘଟଣା ସତ ହୋଇଥିବ, ତା’ହେଲେ ଏଥିରେ ଗୋପାଳ ଦାସ ପ୍ରତିକ୍ରିୟାଶୀଳ ହୋଇ ଏହି କାଣ୍ଡ ଘଟାଇଥାଇ ପାରନ୍ତି ବୋଲି ମଧ୍ୟ ଅନୁମାନ କରାଯାଉଛି। କିନ୍ତୁ ଏ ପର୍ଯ୍ୟନ୍ତ ଏ ସଂକ୍ରାନ୍ତରେ କୌଣସି ଠୋସ୍ କଥା ସାମ୍ନାକୁ ଆସିନାହିଁ। ତେଣେ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe