କଟକ/ ରାୟଗଡ଼ା : ୟୁକ୍ରେନ୍-ରୁଷ୍ ଯୁଦ୍ଧ ପରଠାରୁ ରୁଷ୍ର ସାଂସଦ ତଥା ବ୍ୟବସାୟୀ ପାଭେଲ ଆଣ୍ଟୋଭ ଓ ତାଙ୍କ ବନ୍ଧୁ ଭ୍ଲାଦିମିର୍ ବିଦେନୋଭଙ୍କୁ ମିଶାଇ ୯ ଜଣଙ୍କର ରହସ୍ୟଜନକ ମୃତ୍ୟୁ ହୋଇସାରିଲାଣି। ଏଥିରେ ବ୍ୟବସାୟୀ, କର୍ପୋରେଟ୍ ଜଗତର ପ୍ରତିଷ୍ଠିତ ବ୍ୟକ୍ତି ଓ ସେମାନଙ୍କ ପରିବାର ସଦସ୍ୟ ଥିବାରୁ ଏବେ ରାୟଗଡ଼ାରେ ଆଣ୍ଟୋଭ ଓ ତାଙ୍କ ବନ୍ଧୁ ବିଦେନୋଭ ମୃତ୍ୟୁ ଘଟଣାର ତଦନ୍ତ ଓଡ଼ିଶା ଗୁଇନ୍ଦା ଓ କ୍ରାଇମବ୍ରାଞ୍ଚ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ସ୍ଥିତି ଏମିତି ହେଲାଣି ଯେ ତଦନ୍ତ ଯେତିକି ଆଗଉଛି, ଘଟଣାଟି ସେତିକି ରହସ୍ୟମୟ ହେବାରେ ଲାଗିଛି। ଏଣୁ କ୍ରାଇମବ୍ରାଞ୍ଚ ଆଜି ଆଉ ଗୋଟିଏ ଟିମ୍ (୪ଜଣିଆ) ଗଠନ କରିବା ସହିତ ରାୟଗଡା
ପଠାଇଛି। ଡିଏସପି ସରୋଜ କାନ୍ତ ମହାନ୍ତଙ୍କ ନେତୃତ୍ବରେ ଗଠିତ ଏହି ଟିମରେ ୨ ଜଣ ଫରେନସିକ୍ ଏକ୍ସପର୍ଟ ଏବଂ ଫଟୋଗ୍ରାଫର୍ ରହିଛନ୍ତି। ଏହି ଟିମ୍ ରାୟଗଡ଼ା ଗସ୍ତ କରି ସାଇ ଇଣ୍ଟରନ୍ୟାସନାଲ୍ ହୋଟେଲର କର୍ମଚାରୀଙ୍କୁ ପଚରାଉଚରା କରୁଛି। ଦମ୍ପତିଙ୍କ ସମେତ ମୃତ ଦୁଇ ବନ୍ଧୁ ଭାରତରେ ପହଞ୍ଚିବା ପରେ ବିଭିନ୍ନ ହୋଟେଲରେ ରହଣୀ, ବୀମା ଓ ଟ୍ରାଭେଲ୍ କମ୍ପାନିର ସହାୟତା ନେଇଛନ୍ତି। ଏ ସମସ୍ତ ସ୍ଥାନର ସିସି କ୍ୟାମେରା ଫୁଟେଜ୍ ଓ ବୁକିଂ ବାବଦ କାଗଜପତ୍ର କ୍ରାଇମବ୍ରାଞ୍ଚ ସଂଗ୍ରହ କରୁଥିବା ସୂଚନା ମିଳିଛି।
ଆଣ୍ଟୋଭଙ୍କ ଯକୃତ, ଚମଡ଼ା ଫାଟିଛି, ହାଡ଼ ଗୁଣ୍ଡ ହୋଇଯାଇଛି
ସଂଗ୍ରହ ହେଲାନି ଭିସେରା, ଅଧିକାରୀଙ୍କ ଅଜବ ଯୁକ୍ତି
ସେପଟେ ଏହି ଘଟଣାରେ ତନାଘନା ଆରମ୍ଭ କରିଛି ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ବ୍ୟୁରୋ (ସିଆଇବି)। ସିଆଇବି ଡିଏସ୍ପିଙ୍କ ନେତୃତ୍ବରେ ୩ ଜଣିଆ ଟିମ୍ ଆଜି ରାୟଗଡାସ୍ଥିତ ରୁଷୀୟ ପର୍ଯ୍ୟଟକ ରହୁଥିବା ହୋଟେଲରେ ପହଞ୍ଚି ସିସିଟିଭି କ୍ୟାମେରା ଫୁଟେଜ୍ ଯାଞ୍ଚ କରିଛନ୍ତି। ଏଥିସହିତ ହୋଟେଲରେ ମହଜୁଦ୍ ଥିବା ରେକର୍ଡପତ୍ର ଟିମ୍ ସଂଗ୍ରହ କରିଛନ୍ତି ଓ ହୋଟେଲ୍ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରିବା ସହିତ ରୁଷୀୟ ପର୍ଯ୍ୟଟକ ରହୁଥିବା ରୁମ୍କୁ ମଧ୍ୟ ସିଆଇବି ଟିମ୍ ଅନୁଧ୍ୟାନ କରିଛନ୍ତି। କିପରି ଓ କେଉଁ ପରିସ୍ଥିତିରେ ଉଭୟଙ୍କର ମୃତ୍ୟୁ ହେଲା ସେ ତଥ୍ୟ ସଂଗ୍ରହ କରୁଛି ସିଆଇବି। ଆନ୍ଥେଭ ଛାତରୁ ଖସି ଯେଉଁ ସ୍ଥାନରେ ପଡ଼ିଥିଲେ ସେଠାକୁ ସିଆଇବି ଟିମ୍ ଯାଇଥିଲେ। ହୋଟେଲରେ ଛାନଭିନ୍ ପରେ ଟିମ୍ ରାୟଗଡ଼ା ଥାନାରେ ପହଞ୍ଚି ପୁଲିସ୍ ସହ ଆଲୋଚନା କରିଛନ୍ତି। ପୁଲିସ୍ ନିକଟରୁ ଅପମୃତ୍ୟୁ ମାମଲା ସଂପର୍କିତ କାଗଜପତ୍ର, ରୁଷ ରାଷ୍ଟ୍ରଦୂତଙ୍କ ନିକଟରୁ ଆସିଥିବା ସମ୍ମତିପତ୍ର, ଶେଷକୃତ୍ୟ ପାଇଁ ସଂପର୍କୀୟ ଦେଇଥିବା ଇ-ମେଲ୍ ସହ ଅନ୍ୟ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛନ୍ତି।
ଖବର ଅନୁସାରେ, ରୁଷର ପ୍ରତିଷ୍ଠିତ ମାଂସ କମ୍ପାନି ‘ଭ୍ଲାଡିମିର୍ ଷ୍ଟାଣ୍ଡାର୍ଡର ପ୍ରତିଷ୍ଠାତା ତଥା ସାଂସଦ ପାଭେଲ୍ ଆଣ୍ଟୋଭ, ତାଙ୍କ ବନ୍ଧୁ ଭ୍ଲାଦିମିରଙ୍କ ରାୟଗଡ଼ାରେ ମୃତ୍ୟୁ ହୋଇଛି। ଏହା ପୂର୍ବରୁ ସେପ୍ଟେମ୍ବରରେ ରୁଷର ତୈଳ କମ୍ପାନି ଲୁକୋଏଲର ଅଧ୍ୟକ୍ଷ ରବିଲ ମାଗାନୋଭଙ୍କର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଝରକା ତଳେ ପଡ଼ି ମୃତ୍ୟୁ ହୋଇଥିଲା। ଏପ୍ରିଲରେ ରୁଷର ଏକ ଗ୍ୟାସ୍ କମ୍ପାନି ନୋଭୋଟେକର ପୂର୍ବତନ ମ୍ୟାନେଜର ସର୍ଗି ପ୍ରାଟୋସନା, ତାଙ୍କ ପତ୍ନୀ ଓ ଝିଅଙ୍କ ମୃତଦେହ ସ୍ପେନରୁ ମିଳିଥିଲା। ସେହି ମାସରେ ରୁଷିଆର ଗାଜପ୍ରୋମବ୍ୟାଙ୍କ ପୂର୍ବତନ ଉପାଧ୍ୟକ୍ଷ ଭ୍ଲାଡିସ୍ଲାଭ ଅଭୟେଭଙ୍କ ସମେତ ପତ୍ନୀ ଓ ଝିଅଙ୍କର ମସ୍କୋର ଏକ ଆପାର୍ଟମେଣ୍ଟରୁ ଶବ ମିଳିଥିଲା। ଏ ସମସ୍ତ ସିରିଜ୍ ମୃତ୍ୟୁ ଘଟଣାରେ ପରସ୍ପର ସହିତ ସମ୍ପର୍କ ଥିବା କୁହାଯାଉଥିବାରୁ ଓଡ଼ିଶା ଗୁଇନ୍ଦା ବିଭାଗ ଏବେ କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋର ସହଯୋଗ ଲୋଡ଼ିଛି। ପୂର୍ବ ମାମଲାକୁ ଦେଖିଲେ ରାୟଗଡ଼ାରେ ଦୁଇ ବନ୍ଧୁଙ୍କ ମୃତ୍ୟୁ ଏକ ବିଶ୍ବସ୍ତରୀୟ ରହସ୍ୟଜନକ ପ୍ରସଂଗ ହୋଇଥିବାରୁ କ୍ରାଇମବ୍ରାଞ୍ଚ ସହିତ କେନ୍ଦ୍ରର ପ୍ରମୁଖ ତଦନ୍ତକାରୀ ସଂସ୍ଥା ଏଭଳି ମାମଲାକୁ ଅନୁଧ୍ୟାନ ଆରମ୍ଭ କରିଥିବା ଗୁଇନ୍ଦା ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
କ୍ରାଇମବ୍ରାଞ୍ଚ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ରାୟଗଡ଼ାର ସାଇ ଇଣ୍ଟରନ୍ୟାସନାଲ୍ ହୋଟେଲରେ ବନ୍ଧୁ ଭ୍ଲାଦିମିର୍ ବିଦେନୋଭ ଯେଉଁ ରୁମରେ ରହୁଥିଲେ ଉକ୍ତ ରୁମରେ ଭଙ୍ଗା କାଚ ବୋତଲ, ପ୍ଲେଟ୍ ଓ ଖାଦ୍ୟ ତଳେ ପଡ଼ିଥିବା ଅବସ୍ଥାରେ ଜବତ କରାଯାଇଛି। ୨୨ ତାରିଖରେ ବିଦାନୋଭ ହୋଟେଲ ରୁମରେ ହୃତଘାତରେ ପ୍ରାଣ ହରାଇବା ପୂର୍ବରୁ ଉକ୍ତ ରୁମରେ ଉଭୟ ବିଦେନୋଭ ଓ ଆଣ୍ଟୋଭଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏ ସମ୍ପର୍କରେ କ୍ରାଇମବ୍ରାଞ୍ଚକୁ ହୋଟେଲ୍ କର୍ମଚାରୀ ବୟାନ ଦେଇଛନ୍ତି। ନିର୍ଦ୍ଦିଷ୍ଟ ଭାବେ କେଉଁ କାରଣ ପାଇଁ ପାଟିତୁଣ୍ଡ ହୋଇଥିଲା, ସେ ସମ୍ପର୍କରେ କ୍ରାଇମବ୍ରାଞ୍ଚ ମୁହଁ ଖୋଲୁନାହିଁ। ବିଦାନୋଭଙ୍କ ମୃତ୍ୟୁ ପରେ ତାଙ୍କ ଭିସେରା ସଂଗ୍ରହ କରି ୨୩ ତାରିଖରେ ସଂସ୍କାର ହୋଇଥିଲା। କିନ୍ତୁ ଆଣ୍ଟୋଭଙ୍କର କୌଣସି ଭିସେରା ନମୁନା ଡାକ୍ତରୀ ଟିମ୍ ସଂଗ୍ରହ କରି ନାହାନ୍ତି। ବିଦେନୋଭଙ୍କ ପେଟରେ ଗଞ୍ଜେଇ ଅଂଶ ଠାବ ହୋଇଛି। ଆଣ୍ଟୋଭ ପ୍ରଚୁର ମଦ ପିଇଥିବା କୁହାଯାଉଥିବା ବେଳେ ତାଙ୍କ ଭିସେରା ନମୁନା ଡାକ୍ତର ସଂଗ୍ରହ କରିନଥିବାରୁ କ୍ରାଇମବ୍ରାଞ୍ଚ ଏବେ ଅକଳରେ ପଡ଼ିଯାଇଛି। ତାଙ୍କ ଯକୃତ ଓ ଚମଡ଼ା ଫାଟିଥିଲା ଓ ଶରୀରର ହାଡ଼ଗୁଡ଼ିକ ଗୁଣ୍ଡ ହୋଇଯାଇଛି। ଭିସେରା ସଂଗ୍ରହ ନହେବା ସମ୍ପର୍କରେ କ୍ରାଇମବ୍ରାଞ୍ଚ ଟିମ୍ ରାୟଗଡ଼ାର ଡାକ୍ତରଙ୍କୁ ପଚରାଉରା କରିଥିଲା। ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ କହିବାନୁଯାୟୀ, ବ୍ୟବଚ୍ଛେଦ କରିଥିବା ଡାକ୍ତରୀ ଟିମ୍ର ସୁପାରିସକ୍ରମେ ଭିସେରା ସଂଗ୍ରହ କରାଯାଇଥାଏ। ଆନ୍ଥେଭଙ୍କ ଶବ ବ୍ୟବଚ୍ଛେଦ କରିଥିବା ଟିମ୍ ସୁପାରିସ କରିନଥିବାରୁ ଭିସେରା ସଂଗ୍ରହ ହୋଇନି।
ପୁଲିସ ବିଭାଗର ଏସଓପି ଅନୁଯାୟୀ, କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ପରେ ଖାଦ୍ୟରେ କୌଣସି ବିଷକ୍ରିୟା, ନିଶା, କିମ୍ବା ରାସାୟନିକ ଦ୍ରବ୍ୟର ପ୍ରୟୋଗ ହୋଇଛି କି ନାହିଁ ତାହା ଜାଣିବା ପାଇଁ ଡାକ୍ତରୀ ଟିମ୍ ଶବ ବ୍ୟବଚ୍ଛେଦ ସମୟରେ ଭିସେରା ସଂଗ୍ରହ କରିଥାନ୍ତି। ଶରୀରର ଫୁସଫୁସ, କିଡନି, ସ୍ପ୍ଲିନରୁ ସଂଗ୍ରହ ନମୁନା ସଂଗ୍ରହ କରି ତାହାର ପରୀକ୍ଷା ଫରେନସିକ୍ ସାଇନ୍ସ ଲାବରେଟୋରିରେ କରାଯାଏ। ଗୋଟିଏ ପଟେ ଆଣ୍ଟୋଭ ପ୍ରଚୁର ନିଶା ସେବନ କରିଥିବା କୁହାଯାଉଥିବା ବେଳେ କେଉଁ ପରିସ୍ଥିତିରେ ତାଙ୍କ ଭିସେରା ସଂଗ୍ରହ ହେଲାନାହିଁ, ତାହା ଏବେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି।
ସେହିଭଳି ବୁଧବାରଠାରୁ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ଜେରା ହେଉଥିବା ରୁଷ ଦମ୍ପତି ତୁରୋଭ ମିଖେଲ୍ ଓ ତାଙ୍କ ପତ୍ନୀ ପାନାସାସେଙ୍କୋ ନାଟାଲିଆ ଯେଉଁ ତଥ୍ୟ ସେମାନଙ୍କର ଦୁଇ ମୃତ ବନ୍ଧୁଙ୍କ ସମ୍ପର୍କରେ ଦେଇଛନ୍ତି, ତାହାର ସତ୍ୟାସତ୍ୟ ଯାଞ୍ଚ ପାଇଁ ସେମାନଙ୍କ ପରିବାର ସଦସ୍ୟଙ୍କୁ କ୍ରାଇମବ୍ରାଞ୍ଚ ଯୋଗାଯୋଗ କରିଛି। ଗାଇଡ୍ ତଥା ଅନୁବାଦକ ଜିତେନ୍ଦ୍ର ସିଂହ ଓ ଇନୋଭା ଡ୍ରାଇଭର୍ ନଟବର ମହାନ୍ତିଙ୍କୁ ମଧ୍ୟ ଗୁରୁବାର ସନ୍ଧ୍ୟା ଯାଏ ଜେରା କରାଯାଇଛି।
ଏସବୁ ଭିତରେ ଏହି ପ୍ରସଙ୍ଗଟି ରାଜନୈତିକ ଦଳ ପାଇଁ ଖୋରାକ ଯୋଗାଇଲାଣି। ବରିଷ୍ଠ କଂଗ୍ରେସ ନେତା ମନୀଷ ତିଵାରି ଏହି ପ୍ରସଙ୍ଗକୁ ନେଇ ଟ୍ବିଟ୍ କରିଛନ୍ତି। କେଉଁ ପରିସ୍ଥିତିରେ ରୁଷୀୟ ପର୍ଯ୍ୟଟକଙ୍କ ଶବକୁ ପୋଡ଼ିଦିଆଗଲା, ସେ ନେଇ ସେ ଆପତ୍ତି ଉଠାଇଛନ୍ତି। ସେହିଭଳି କୋରାପୁଟ ସାଂସଦ ସପ୍ତଗିରି ଉଲାକା କହିଛନ୍ତି ଯେ ଭାରତ ଭ୍ରମଣରେ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂପର୍କରେ କୌଣସି ସୂଚନା ରହୁନି। ଯାହା ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି। ବିଦେଶୀ ପର୍ଯ୍ୟଟକଙ୍କ ସୁରକ୍ଷାରେ ଢିଲା, ସନ୍ଦେହଜନକ ମୃତ୍ୟୁକୁ ନେଇ ସଂସଦରେ ଉଠିବ ପ୍ରସଙ୍ଗ। ଅନ୍ୟ ଦେଶର ଜଣେ ସାଂସଦ ଭାରତ ପରିଭ୍ରମଣରେ ଆସିଥିବା ବେଳେ ଦେଶର ଗୁଇନ୍ଦା ସଂସ୍ଥା କିପରି ଏ ସଂପର୍କରେ ଜାଣିପାରିଲା ନାହିଁ? ଓଡ଼ିଶା ସରକାର ମଧ୍ୟ ଏ ଦିଗରେ କିଭଳି ଅନ୍ଧାରରେ ରହିଲେ ସେ ନେଇ ସେ ପ୍ରଶ୍ନ ଉଠାଇବା ସହିତ ଭାରତ ସରକାରଙ୍କ ଅବହେଳାରୁ ଦୁଇ ରୁଷ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଲା ବୋଲି ଶ୍ରୀ ଉଲାକା ଅଭିଯୋଗ କରିଛନ୍ତି।