ଦୁଷ୍ମନ୍ତଙ୍କ ମୃତ୍ୟୁ ପଛ‌ରେ କିଏ ?

ମା’ଙ୍କ ଅଭିଯୋଗ: ଜଣେ ଲୋକ ଦୁଷ୍ମନ୍ତଙ୍କୁ କଟକରୁ ଭୁବନେଶ୍ବର ନେଇ ଏଭଳି କରିଛି, ପୁଲିସର ଛାନଭିନ୍‌ ଆରମ୍ଭ

କୁଜଙ୍ଗ/କଟକ/ଜଗତସିଂହପୁର : ଦୁଷ୍ମନ୍ତ ଦାସ ନିଜେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ଯୋଜନାବଦ୍ଧ ଢଙ୍ଗରେ କଟକରୁ ଭୁବନେଶ୍ବର ନେଇ ଯାଇ ଏଭଳି କାଣ୍ଡ କରାଇଛି? ଦୁଷ୍ମନ୍ତଙ୍କ ମା ବାସନ୍ତୀ ଦାସ ଗୁରୁବାର କୁଜଙ୍ଗ ଥାନାରେ ଏ ସଂକ୍ରାନ୍ତରେ ଏକ ଏତଲା ଦେବା ପରେ ଏହି ଘଟଣା ଏବେ ନୂଆ ମୋଡ଼ ନେଇଛି। ବାସନ୍ତୀଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବାସନ୍ତୀ ଅଭିଯୋଗରେ ଦର୍ଶାଇଛନ୍ତି ଯେ ତାଙ୍କର ପୁଅ ସହଜରେ ଚାଲବୁଲ କରିବାକୁ ଅକ୍ଷମ। ତାଙ୍କ ସହ ସେ ଦୁଇ ମାସ ହେଲା କଟକ ବଡ ମେଡିକାଲରେ ପାଖେପାଖେ ରହି ଆସୁଥିଲେ। ଗତକାଲି ସକାଳେ ଜଣେ ବ୍ୟକ୍ତି ତାଙ୍କ ପୁଅକୁ କଟକ ବଡ ମେଡିକାଲରେ ପହଞ୍ଚି ବିଭିନ୍ନ କଥା କହି ଭୁବନେଶ୍ୱର ନେଇ ଯାଇଥିଲା। ପୁଅ ଗଲାବେଳେ କହିଥିଲା ଯେ ସେ ଭୁବନେଶ୍ୱର ଯାଉଛି। ସେଠୁ ଆସିଲେ ଗାଁକୁ ଯିବା। କିନ୍ତୁ ତାହାର କିଛି ସମୟପରେ ସେ ବିଧାନସଭା ସମ୍ମୁଖରେ ହାତକାଟି, ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜାଣିବାକୁ ପାଇଥିଲେ। ତାଙ୍କ ପୁଅକୁ କଟକରୁ ନେଇ ଯାଇଥିବା ବ୍ୟକ୍ତି ଏଭଳି ହାତକାଟି, ବିଷ ପିଆଇଥିବା ସେ ସନ୍ଦେହ କରୁଛନ୍ତି ଏବଂ ଘଟଣାର ତଦନ୍ତ କରି ସଂପୃକ୍ତ ବ୍ୟକ୍ତିକୁ ଠାବ କରାଯାଉ ବୋଲି ବାସନ୍ତୀ ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ଦୁଷ୍ମନ୍ତଙ୍କ ମୃତ୍ୟୁକୁ ନେଇ କୁଜଙ୍ଗରେ ପହଞ୍ଚି ରାସ୍ତାରୋକ କରିଥିବା ବିଜେପି ନେତାମାନେ ବି ଅଡୁଆରେ ପଡିଥିଲେ। ବିଜେପି ପକ୍ଷରୁ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ପୂର୍ବତନ ସାଂସଦ ତଥା ବିଜେପିର ଅନୁସୂଚିତ ଜାତି ସେଲର ଅଧ୍ୟକ୍ଷ ଡକ୍ଟର ବିଭୂପ୍ରସାଦ ତରାଇ, ପାରାଦୀପ ନିର୍ବାଚନ ମଣ୍ଡଳୀର ବିଜେପି ନେତା ସମ୍ପଦ କୁମାର ସ୍ବାଇଁ ପ୍ରମୁଖ ମୃତ ଦୁଷ୍ମନ୍ତଙ୍କ ଘରକୁ ଯାଇ ତାଙ୍କ ଘରେ ଥିବା ବାପାଙ୍କୁ ସାକ୍ଷାତ କରିବା ସହିତ ତାଙ୍କୁ ରାଜ୍ୟ ସରକାର ଆବଶ୍ୟକ ସହାୟତା ପ୍ରଦାନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପରେ ସେମାନେ କଟକ-ପାରାଦୀପ ରଜ୍ୟ ରଜପଥର ମନ୍ତ୍ରୀପାଟଣା ଠାରେ ରାସ୍ତାରୋକ କରିଥିଲେ। ମୃତ ଦୁଷ୍ମନ୍ତଙ୍କ ବାପାଙ୍କ ସହିତ ସ୍ଥାନୀୟ ଲୋକ ବି ଏଥିରେ ସାମିଲ ହୋଇଥିଲେ। ରାସ୍ତାରୋକ ଦିନ ୧୨ଟାରୁ ଅପରାହ୍ନ ୪ଟା ୩୦ ପର୍ଯ୍ୟନ୍ତ ଚାଲିଥିଲା। କିନ୍ତୁ ଦୁଷ୍ମନ୍ତଙ୍କ ବାପା ଦାଶରଥି ଦାସ ରାସ୍ତାରୋକ ଆରମ୍ଭର କିଛି ସମୟ ପରେ ଧାରଣାସ୍ଥଳରୁ ଉଠି ଯାଇଥିଲେ। ଅପରାହ୍ନରେ ଧାରଣାସ୍ଥଳରେ ମୃତ ଦୁଷ୍ମନ୍ତଙ୍କ ମା ବାସନ୍ତୀ ପହଞ୍ଚି ବିଜେପି ନେତା ମାନଙ୍କୁ ହାତ ଯୋଡି ଧାରଣାସ୍ଥଳରୁ ଉଠି ଯିବା ପାଇଁ ନିବେଦନ କରିଥିଲେ। ତାଙ୍କ ପାଇଁ କାହାର ରାସ୍ତାରୋକ କରିବାର ଆବଶ୍ୟକତା ନାହିଁ ବୋଲି କହିଥିଲେ। ବାସନ୍ତୀ କହିଥିଲେ ଯେ ତାଙ୍କର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଭରସା ଅଛି। ସେ ନିଶ୍ଚୟ ତାଙ୍କ ପରିବାରର ଭବିଷ୍ୟତ ପାଇଁ କିଛି କରିବେ। ବାସନ୍ତୀଙ୍କ ଏଭଳି କଥା ଶୁଣିବାପରେ ବିଜେପି ନେତା ମାନେ ରାସ୍ତାରୋକରୁ ଓହରି ଯାଇଥିଲେ।


ସୂଚନାଯୋଗ୍ୟ ଯେ କୁଜଙ୍ଗ ପଙ୍କପାଳ ଗ୍ରାମର ଦୁଷ୍ମନ୍ତ ଗତକାଲି ବିଧାନସଭା ସମ୍ମୁଖରେ ହାତ କାଟି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ଅଣା ଯାଇଥିଲା। ଏସ୍‌ସିବିରେ କାଜୁଆଲିଟିରେ ପହଞ୍ଚିବା ପରେ ତାଙ୍କୁ ମେଡିସିନ୍‌ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କୁ ବେଡ୍‌ରେ ଚିକିତ୍ସା କରାଯାଉଥିବା ବେଳେ ଆଇସିୟୁକୁ ନିଆଯାଇ ପାରି ନଥିଲା। ବିଷକ୍ରିୟା ପ୍ରଭାବ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।

ସଂଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଜିଲ୍ଲାପାଳଙ୍କ ସ୍ବତନ୍ତ୍ର ଅନୁମତିକ୍ରମେ ତାଙ୍କର ଶବ ବ୍ୟବଚ୍ଛେଦ ବିଳମ୍ବିତ ରାତି ସୁଦ୍ଧା କଟକ ବଡ ମେଡିକାଲରେ ଶେଷ କରି ତାଙ୍କ ମରଶରୀରକୁ ପୁରୀ ସ୍ବର୍ଗଦ୍ବାର ନେଇ ସତ୍କାର କରାଯାଇଥିଲା। ପ୍ରଶାସନ ସହଯୋଗରେ ସ୍ଥାନୀୟ ଅଞ୍ଚଳର କିଛି ବ୍ୟକ୍ତି ଓ ଦୁଷ୍ମନ୍ତଙ୍କ ମାମୁ ପୁରୀ ସ୍ବର୍ଗଦ୍ବାର ଯାଇ ଶବ ସତ୍କାର କରିଥିଲେ। କିନ୍ତ ସାଧାରଣ ଭାବେ ଅପରାହ୍ନ ୫ଟା ପରେ ଶବ ବ୍ୟବଚ୍ଛେଦ ହେଉ ନଥିବା ବେଳେ ଏଭଳି ରାତି ଅଧିଆ ଶବ ବ୍ୟବଚ୍ଛେଦ ଏବଂ ପୁରୀ ସ୍ବର୍ଗଦ୍ବାର ନେଇ ଶବ ସତ୍କାରର ଉଦ୍ଦେଶ୍ୟକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି।

ଅନ୍ୟପଟେ ଚିକିତ୍ସା ମିଳୁନଥିବା ଓ ତ୍ରୃଟିପୂର୍ଣ୍ଣ ଚିକିତ୍ସା ନେଇ ଅଭିଯୋଗ କରି ଆସୁଥିବା ଦୁଷ୍ମନ୍ତଙ୍କ ମୃତ୍ୟୁପରେ ଏସ୍‌ସିବି କର୍ତ୍ତୃପକ୍ଷ ଏକ ୭ଜଣିଆ ଆଭ୍ୟନ୍ତରୀଣ କମିଟି ଗଠନ କରି ସରକାରଙ୍କୁ ଦୁଷ୍ମନ୍ତଙ୍କ ଚିକିତ୍ସା ସଂପର୍କିତ ରିପୋର୍ଟ ପ୍ରଦାନ କରିଛନ୍ତି ବୋଲି ଏସ୍‌ସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ପ୍ରଥ‌ମ ଅସ୍ତ୍ରୋପଚାର ପରେ ତାଙ୍କର ମାନସିକ ସମସ୍ୟା ଆରମ୍ଭ ହୋଇଥିଲା। ତାଙ୍କୁ ବିଭିନ୍ନ ଚିକିତ୍ସା ପରେ ଜୁଲାଇ ୧୫ରେ ଏସ୍‌ସିବିରୁ ଡିସ୍‌ଚାର୍ଜ କରାଯାଇଥିଲା। ଏହାପରେ ପୁଣି ନଭେମ୍ବର ୨୫ରେ ଅସ୍ଥିଶଲ୍ୟ ବିଭାଗରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କୁ ତିନି ପ୍ରକାର ଚିକିତ୍ସା କରିବା ପାଇଁ ପରାମର୍ଶ ଦିଆଯାଇଥିଲା।

ସମ୍ବନ୍ଧିତ ଖବର