ମାଫିଆଙ୍କ ପଛରେ କିଏ? ୬ ମାସରେ ୪ ତହସିଲ୍‌ଦାରଙ୍କୁ ଆକ୍ରମଣ, କାର୍ଯ୍ୟାନୁଷ୍ଠାନ ଶୂନ

ଜିଲ୍ଲା ପ୍ରଶାସନ ଓ ପୁଲିସ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ

ବାଲେଶ୍ବର: ଜିଲ୍ଲାରେ ଆଇନ୍‌ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଗଲାଣି। ସାଧାରଣ ଲୋକ ତ ଦୂରର କଥା ଖୋଦ୍‌ ତହସିଲ୍‌ଦାର ବି ଏଠି ଅସୁରକ୍ଷିତ। ଜିଲ୍ଲାରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ ଏତେ ବଢ଼ିଯାଇଛି ଯେ, ବେଆଇନ୍ ବାଲି ଚାଲାଣକୁ ରୋକିବାକୁ ଚେଷ୍ଟା କଲେ ମାଫିଆମାନେ ସରକାରୀ ଅଧିକାରୀଙ୍କୁ ବି ଆକ୍ରମଣ କରିବାକୁ ପଛାଉନାହାନ୍ତି। ଜିଲ୍ଲା ପ୍ରଶାସନ ଓ ପୁଲିସକୁ ଚ୍ୟାଲେଞ୍ଜ କଲା ଭଳି ଦିନ ଦିପହରରେ ବନ୍ଧୁକ, ଖଣ୍ଡା, ଭୁଜାଲି ଆଦି ମାରଣାସ୍ତ୍ର ଦେଖାଇ ଆତଙ୍କ ସୃଷ୍ଟି କରୁଛନ୍ତି। ଆଉ ସେମାନଙ୍କୁ ରୋକିବାରେ ସରକାରୀକଳ ବି ବିଫଳ ହେଉଛି। ଥାନା ଠାରୁ ଆରମ୍ଭ କରି ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ନିକଟରେ ଅଭିଯୋଗ ହେଲେ ବି କେହି କିଛି ଶୁଣୁ ନାହାନ୍ତି।

ଗତ ୬ ମାସ ମଧ୍ୟରେ ଜିଲ୍ଲାର ଚାରି ଚାରି ଜଣ ତହସିଲ୍‌ଦାର ମାଫିଆଙ୍କ ଆକ୍ରମଣର ଶିକାର ହେବା ଓ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବା ଏହା ଦର୍ଶାଉଛି। ପୁଲିସ ଓ ପ୍ରଶାସନର ବାଲି ମାଫିଆଙ୍କ ପ୍ରତି ଏଭଳି ଅହେତୁକ ଅନୁକମ୍ପା କାହିଁକି? ନା କୌଣସି ଅଦୃଶ୍ୟ ଚାପରେ ଜିଲ୍ଲା ପ୍ରଶାସନ ଓ ପୁଲିସ ଚାପି ହୋଇଯାଇଛି ଏଭଳି ଅନେକ ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି। ଗତ ୨୩ ତାରିଖ ସକାଳେ ରେମୁଣା ତହସିଲ୍‌ଦାର ଚାର୍ଲସ ନାୟକ ଓ ତାଙ୍କ ଟିମ୍‌ ଯାଞ୍ଚ ପାଇଁ ବାହାରିଥିଲେ। ସେମାନେ ସାହୁପଡା ଛକ ନିକଟରେ ଏକ ବାଲି ବୋଝେଇ ଟ୍ରାକ୍ଟର ଦେଖି ଅଟକି ଯାଇଥିଲେ। ସନ୍ଦେହ ହେବାରୁ କିଛି ବାଟ ପିଛା କରିଥିଲେ। ଟ୍ରାକ୍ଟର ଚାଳକ ଏହା ଜାଣିପାରି ଗାଡିକୁ କ୍ଷୀପ୍ର ଗତିରେ ଚଳାଇ ଆଗକୁ ମାଡ଼ିଚାଲିଥିଲେ। ନହରପଟଣା ଛକ ନିକଟରେ ଥିବା ଏକ ଫ୍ଲାଏ ଆସ ଫ୍ୟାକ୍ଟ୍ରି ଭିତରେ ଗାଡିକୁ ପୂରାଇଦେଇଥିଲେ। ପିଛା କରି ତହସିଲଦାରଙ୍କ ଗାଡି ବି ଫ୍ୟାକ୍ଟ୍ରି ଭିତରକୁ ପଶିଥିଲା। କର୍ମଚାରୀମାନେ ଗାଡ଼ିରୁ ବାହାରି ଟ୍ରାକ୍ଟର ଚାଳକଙ୍କୁ କାଗଜପତ୍ର ମାଗିଥିଲେ। କିଛି ସମୟ ମଧ୍ୟରେ ୨୦ରୁ ୨୫ ଯୁବକ କାଠଫାଳିଆ, ଲୁହାରଡ ଧରି ସେଠାରେ ପହଞ୍ଚିଥିଲେ। କେହି କିଛି ବୁଝିବା ପୂର୍ବରୁ ଦୁର୍ବୃତ୍ତମାନେ ତହସିଲଦାର ଓ କର୍ମଚାରୀଙ୍କ ସହ ଧସ୍ତାଧସ୍ତି ହୋଇ ଟ୍ରାକ୍ଟର ଛଡ଼ାଇ ନେଇଥିଲେ। ଏନେଇ ସହଦେବଖୁଣ୍ଟା ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ପାରିନାହିଁ। ଏଥିରେ ପୁଲିସ କେବଳ ଟ୍ରାକ୍ଟର ଚାଳକ ଓ ହେଲ୍ପରକୁ ଗିରଫ କରିଥିଲା।

୩୦/୧୨: ଦିନ ପ୍ରାୟ ୧୦ଟା ବ‌େଳେ ସଦର ତହସିଲ୍‌ଦାର ଅନାମିକା ସିଂହ ଓ ତାଙ୍କ ଟିମ୍‌ ବାଲି ଖାଦାନ ଯାଞ୍ଚ ପାଇଁ କୁଡ଼ିଆ ଅଞ୍ଚଳକୁ ଯାଇଥିଲେ। ଯାଞ୍ଚ ବେଳେ ବୁଢ଼ାବଳଙ୍ଗ ନଦୀକୂଳରେ ଥିବା ଏକ ବୁଦାମୂଳରୁ ସକ୍‌ସନ ମେସିନ୍‌ ଲାଗିଥିବା ଏକ ବୋଟ୍‌କୁ ଜବତ କରିଥିଲେ। ଅପରାହ୍ନରେ ସିନ୍ଧିଆ ଘାଟ ନିକଟରେ ହଠାତ୍ ୨୦ରୁ ୨୫ ଜଣ ଯୁବକ ବନ୍ଧୁକ, ଖଣ୍ଡା, କାତି ଧରି ବୋଟ୍‌ ମାଗିଥିଲେ। ଅନ୍ୟଥା ଗୁଳି କରିବା ସହ ଅନ୍ୟମାନଙ୍କୁ କାଟି ନଦୀରେ ଫୋପାଡ଼ି ଦେବାକୁ ଧମକ ବି ଦେଇଥିଲେ। ଭୟରେ ସମସ୍ତେ ବୋଟ୍‌ରୁ ଓହ୍ଲାଇ ପଡ଼ିବା ପରେ ଦୁର୍ବୃତ୍ତମାନେ ବୋଟ୍‌ ନେଇ ଫେରାର୍‌ ହୋଇ ଯାଇଥିଲେ। ପ୍ରଶାସନ ତହସିଲ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ।

୨୪/୧୨: ନୀଳଗିରି ତହସିଲ ଅଧିନସ୍ଥ ପୁନ୍ଦାଳ ବାଲି ଖାଦାନରେ ବାଲି ମାଫିଆ ଜୋର ଜବରଦସ୍ତ ବାଲି ଲୋଡ କରୁଥିଲେ। ଖବରପାଇ ଲିଜଧାରୀମାନେ ଘଟଣାସ୍ଥଳରେ ପହଞ୍ଚି ଏହାର ବିରୋଧ କରିଥିଲେ। ତହସିଲଦାର ଅଶେଷ ନାୟକ ସଦଳବଳେ ଘଟଣାସ୍ଥଳରେ ପହଞ୍ଚିଥିଲେ। ତହସିଲଦାରଙ୍କୁ ଦେଖି ମାଡ଼ି ଆସିଥିଲେ ମାଫିଆ। ଧସ୍ତାଧସ୍ତି ହେଲା ଓ ତହସିଲ୍‌ଦାରଙ୍କ ଜିପ୍‌କୁ ଭାଙ୍ଗିଥିଲେ। ଏହାପରେ ବାଲି ବୋଝେଇ ଟ୍ରାକ୍ଟରକୁ ଜୋରଜବରଦସ୍ତ ନେଇଯାଇଥିଲେ। ଏନେଇ ତହସିଲ୍‌ଦାର ନୀଳଗିରି ଥାନାରେ ଅଭିଯୋଗ କରିଥିଲେ।

୨୬।୬: ସଟ୍‌ଡାଉନ୍‌ରେ ସ୍ଥାନୀୟ ବାଲିଘାଟ ନିକଟରେ ଏକାଧିକ ଯୁବକ ମେଳି ବାନ୍ଧିବା ଦେଖି ସଦର ତହସିଲ୍‌ଦାର ପଞ୍ଚାନନ ପାତ୍ର ଓ ତାଙ୍କ ଟିମ୍‌ ଚଢ଼ଉ କରିଥିଲେ। ଜରିମାନା ମାଗିବାରୁ ସେମାନେ ଉତ୍ତ୍ୟକ୍ତ ହୋଇ ଗଣ୍ଡଗୋଳ କରିଥିଲେ। ଟାଉନ୍‌ ଥାନାରେ ଆଇଆଇସି ସରୋଜିନୀ ନାୟକ ଦୁଇଟି ମାମଲା ରୁଜୁ କରିଥିଲେ। ଗୋଟିଏ ତହସିଲ୍‌ଦାରଙ୍କ ପକ୍ଷରୁ ଅନ୍ୟଟି ଅଭିଯୁକ୍ତଙ୍କ ପକ୍ଷରୁ। ଯେଉଁଥିରେ ପୁଲିସ ଅଭିଯୁକ୍ତଙ୍କୁ ସହଯୋଗ କରିଥିବା ଚର୍ଚ୍ଚା ହୋଇଥିଲା।

ସମ୍ବନ୍ଧିତ ଖବର