ସାମ୍ବାଦିକଙ୍କ ଉପରେ ପୁଲିସ୍‌ ଆକ୍ରୋଶ ପଛରେ କିଏ?

ବାଲେଶ୍ବର: ପ୍ରତ୍ୟେକ ପୁଲିସ ଭଦ୍ର, ସହନଶୀଳ, ଜନସାଧାରଣଙ୍କ ବିଶ୍ବାସଭାଜନ ହେବା ସହ ସେମାନଙ୍କ ଧନଜୀବନର ସୁରକ୍ଷା ତଥା ଆଇନର ରକ୍ଷକ ହେବା ଉଚିତ। ସପ୍ତାହେ ପୂର୍ବରୁ ଅର୍ଥାତ୍‌ ଗତ ୧ ତାରିଖ ପବିତ୍ର ଉତ୍କଳ ଦିବସ ଅବସରରେ ଜିଲ୍ଲା ସଦର ମହକୁମାରେ ଥିବା ରିଜର୍ଭ ପୁଲିସ ପଡ଼ିଆରେ ଜିଲ୍ଲାର ବରିଷ୍ଠ ପୁଲିସ ଅଧିକାରୀ ଓ ଉପସ୍ଥିତ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଏମିତି କିଛି ମହତ୍‌ ବାକ୍ୟ ପଢ଼ି ଶୁଣାଇଥିଲେ ବାଲେଶ୍ବର ଏସ୍‌ପି ସୁଧାଂଶୁ ଶେଖର ମିଶ୍ର। ହେଲେ ସ୍ଥଳ ବିଶେଷରେ ଏସବୁ ସେ ନିଜେ ଏବଂ ତାଙ୍କ ଅଧୀନସ୍ଥ ପୁଲିସବାବୁ ମାନେ କେତେ ମାନୁଛନ୍ତି ତାହା ଦୁଇଦିନ ତଳେ ନୀଳଗିରି ଠାରେ ସାମ୍ବାଦିକ ଲୋକନାଥ ଦଳେଇଙ୍କ ଘଟଣାରୁ ସ୍ପଷ୍ଟ ହୋଇଯାଇଛି। ଜଣେ ହୋମଗାର୍ଡଙ୍କ ସହ ଶ୍ରୀ ଦଳେଇଙ୍କ ସାମାନ୍ୟ ବଚସାକୁ କେନ୍ଦ୍ର କରି ପୁଲିସ ନିଜ ବର୍ଦ୍ଦିର କେତେ ଦୁରୁପୋଯୋଗ କରିପାରେ ତାର ଇଏ ହେଉଛି ଜ୍ବଳନ୍ତ ଦୃଷ୍ଟାନ୍ତ।

ତେବେ ପ୍ରଶ୍ନ ଉଠୁଛି, ବାଲେଶ୍ବର ଜିଲ୍ଲାରେ ଆରମ୍ଭରୁ ପୁଲିସ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ରହି ଆସିଥିବା ବେଳେ ଏବେ କେଉଁ କାରଣରୁ ଏଥିରେ ଫାଟ ସୃଷ୍ଟି ହୋଇଛି। ଉଭୟଙ୍କ ମଧ୍ୟରେ କିଏ ପ୍ରତିବନ୍ଧକ ସାଜି ଏକ ଅସୁସ୍ଥ ପରମ୍ପରା ସୃଷ୍ଟି କରିଛି ସେନେଇ ଏବେ ସବୁଠି ଚର୍ଚ୍ଚା ଜୋର୍‌ ଧରିଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାରେ ବେଆଇନ ନିଶା କାରବାର, ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ ଏବଂ ସରକାରୀ ଦୁର୍ନୀତି ଏବେ ସୀମା ଅତିକ୍ରମ କରିଥିବା ବେଳେ ବ୍ରାଉନସୁଗାର ଲିଙ୍କ୍‌, ଚାନ୍ଦିପୁର ଡିଆରଡିଓ ନିଷିଦ୍ଧାଞ୍ଚଳରେ ପୁଲିସ ଗାଡ଼ି ଫସିବା, ଜାତୀୟ ରାଜପଥରେ ଟ୍ରକରୁ ବଟି ଆଦାୟ ଭଳି ଚର୍ଚ୍ଚିତ ଘଟଣାର କଳାଛିଟା ଜିଲ୍ଲା ପୁଲିସ ‌ଦେହରେ ଲାଗିଥିବା ବେଳେ ଗଣମାଧ୍ୟମରେ ସେସବୁ ଲଗାତାର ପ୍ରକାଶ ପାଉଥିବାରୁ ସାମ୍ବାଦିକଙ୍କ ପ୍ରତି ପୁଲିସ ଆକ୍ରୋଶମୂଳକ ପନ୍ଥା ଆପଣାଇଛି।

ଜିଲ୍ଲା ପୁଲିସ ଇତିହାସରେ କେବେ ଏମିତି ହୋଇନଥିଲା

ଅନ୍ୟାୟ ବିରୋଧରେ ମୁହଁ ଖୋଲିଲେଣି ସଚ୍ଚୋଟ

ଏପରି ସମୟରେ ନୀଳଗିରି ଘଟଣାରେ ସେମାନେ ଫାଇଦା‌ ନେବାକୁ ବିଧିବଦ୍ଧ ଷଡ଼ଯନ୍ତ୍ର ରଚିଥିଲେ। ନୀଳଗିରିରେ ବ୍ରାଉନସୁଗାର ଓ ବେଆଇନ ମଦ କାରବାର ସହ ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ ବଢ଼ି ଚାଲିଥିବା ବେଳେ ସ୍ଥାନୀୟ ପ୍ରଶାସନ ଓ ପୁଲିସ ସହ ସେଠାକାର କିଛି ମାଫିଆ ଲିଙ୍କ୍‌ରେ ଅଛନ୍ତି। ତେବେ ସ୍ଥାନୀୟ ସାମ୍ବାଦିକମାନେ ଯେତେବେ‌ଳେ ଏହାକୁ ଖବର ମାଧ୍ୟମରେ ସାମ୍ନାକୁ ଆଣିଲେ ଏବଂ ସେମାନଙ୍କ ମୁଖା ଖୋଲିବାକୁ ଚେଷ୍ଟା କଲେ ତାର ପରିଣତି ସ୍ବରୂପ ଜଣେ ସାମ୍ବାଦିକଙ୍କୁ ମିଥ୍ୟା ମାମଲା ଶିକାର ହେବାକୁ ପଡ଼ିଲା। ସ୍ଥାନୀୟ ସାମ୍ବାଦିକଙ୍କୁ ସାବାଡ଼ କରିବା ପାଇଁ ପ୍ରଶାସନ ଓ ପୁଲିସ ସୁଯୋଗ ଖୋଜୁଥିବା ଘଟଣାକୁ ଅସ୍ତ୍ର କରାଯାଇଥିଲା।

ସମ୍ପୃକ୍ତ ହୋମଗାର୍ଡଜଣକ ଥାନାରେ କରିଥିବା ଅଭିଯୋଗର ଆପସ ବୁଝାମଣା କରିବାକୁ ଚାହୁଁଥିବା ବେଳେ ଆଇଆଇସି ଦ୍ରୌପଦୀ ଦାସ ଶ୍ରୀ ଦଳେଇଙ୍କୁ ଥାନାକୁ ଡକାଇ ଜବରଦସ୍ତି ଅଟକ ରଖିଥିଲେ। ଆଉ ତା ପରେ ତାଙ୍କ ମୋବାଇଲ ଛଡ଼ାଇ ନେବା ସହ ନିସ୍ତୁତ ମାଡ଼ ମାରିଥିଲେ। ଶ୍ରୀ ଦଳେଇ ଯେତେବେଳେ ଗୁରୁତର ହୋଇପଡ଼ିଲେ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣି ଜଣେ ପେଶାଦାର ଅପରାଧୀ ଭଳି ଗୋଡ଼ରେ ବେଡ଼ି ବାନ୍ଧି ଦେଲେ। ନିଜ ଆକ୍ରୋଶକୁ ସୁଝାଇବା ପାଇଁ ପୁଲିସ ନିଜ କ୍ଷମତାର ଦୁରୁପୋ‌ଯୋଗ କରି କେତେ ତଳକୁ ଖସିଯାଇପାରେ ଇଏ ହେଉଛି ତାର ଜ୍ବଳନ୍ତ ଦୃଷ୍ଟାନ୍ତ।

ଏବେ ପୁଲିସ ଦ୍ବାରା ହୋଇଥିବା ଏହି ବେଆଇନ ଘଟଣା ପଛରେ କିଏ ଦାୟୀ ତାହା ଖୋଳତାଡ଼ ଚାଲିଥିବା ବେଳେ ସମସ୍ତେ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା କରିଛନ୍ତି। ଏପରିକି ଏସ୍‌ପି ଶ୍ରୀ ମିଶ୍ର ମଧ୍ୟ ନିଜ ପାଇଁ ମାପିଚୁପି କଥା ହେଉଛନ୍ତି। ତେବେ ପୁଲିସ ଓ ଗଣମାଧ୍ୟମର ସମ୍ପର୍କକୁ ଭାଙ୍ଗିବାକୁ ଯେଉଁମାନେ ହୀନ ପ୍ରୟାସ କରିଛନ୍ତି ଏବେ ସେମାନେ ପରସ୍ପର ଦୋଷ ଠେଲାଠେଲି ହେଉଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର