ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବା ନେଇ ବାରମ୍ବାର ଚର୍ଚ୍ଚା ହେଉଥିବା ବେଳେ ନିଜେ ନବୀନ ନିବାସରୁ ବାହାରକୁ ଆସି ମୁଖ୍ୟମନ୍ତ୍ରୀଙ୍କୁ ଏହାର ଜବାବ୍ ଦେବାକୁ ପଡ଼ୁଛି। ଗତ ଦୁଇ ମାସ ଭିତରେ ଏହି ଚର୍ଚ୍ଚା ଦୁଇ ଥର ସାମ୍ନାକୁ ଆସିଲାଣି। ଗତ ଜାନୁଆରି ୨୬ରେ ମୁଖ୍ୟମନ୍ତ୍ରୀ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଯୋଗଦେବା ସହ ଲୋକସଭା ଭବନରେ ଫଟୋ ପୋଜ୍ ଦେଇଥିଲେ। ପୁଣି ଏବେ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇଛି ବୋଲି ଚର୍ଚ୍ଚା ହୋଇଥିଲା। ତେବେ ଗତ ଶୁକ୍ରବାର ସେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ସହ ଏକାମ୍ର କ୍ଷେତ୍ର ପ୍ରକଳ୍ପର ସମୀକ୍ଷା କରିଥିଲେ ଓ ନିଜେ ସୁସ୍ଥ ଥିବା ରାଜ୍ୟବାସୀଙ୍କୁ ଜଣାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ବାରମ୍ବାର ନକରାତ୍ମକ ଚର୍ଚ୍ଚା ହେଉଥିବା ବେଳେ ଆଜି ପର୍ଯ୍ୟନ୍ତ କିଏ ଏହାର ସୃଷ୍ଟିକର୍ତ୍ତା ଜଣାପଡ଼ୁନି। କେଉଁଠୁ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଅପପ୍ରଚାର ଆରମ୍ଭ ହେଉଛି, କିଏ ଏମିତି ପ୍ରଚାର କରୁଛି, କିପରି ଏହା କ୍ଷଣିକରେ ସାରା ଓଡ଼ିଶାରେ ଖେଳି ଯାଉଛି ସେନେଇ କିନ୍ତୁ ଗୁଇନ୍ଦା ବିଭାଗର ଖବର ରହୁନି।
ଏପରିକି ଏହି ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ପୁଲିସ ବିଭାଗ ପକ୍ଷରୁ ଏନେଇ ଏପର୍ଯ୍ୟନ୍ତ କାହା ନାଁରେ ଏଫ୍ଆଇଆର୍ଟିଏ ବି ହୋଇନି। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଧମକପୂର୍ଣ୍ଣ ଚିଠିଟିଏ ଆସିଲେ କି ସୋସିଆଲ ମିଡିଆରେ କୌଣସି ନକରାତ୍ମକ ପୋଷ୍ଟ ହେଲେ ସେନେଇ ଖୋଳତାଡ଼ କରିବା ସହ ଅପପ୍ରଚାରକାରୀଙ୍କୁ ଗିରଫ କରାଯାଇଛି। ହେଲେ ଏ କ୍ଷେତ୍ରରେ ସମସ୍ତେ ଚୁପ୍ ବସିଯାଇଛିନ୍ତି। ଫଳରେ ବିରୋଧୀ ବିଜେପି ଓ କଂଗ୍ରେସକୁ ଅଭିଯୋଗ କରିବାର ସୁଯୋଗ ମିଳିଯାଉଛି।। ଦୁଇ ଦଳର ଅଭିଯୋଗ, ଏହି ଅପପ୍ରଚାରର ସୃଷ୍ଟି ବିଜେଡି ଦଳରୁ ହିଁ ହେଉଛି। ଆଉ ମୁଖ୍ୟମନ୍ତ୍ରୀ ନିଜ ପ୍ରଚାର ପାଇଁ ବାହାରକୁ ଆସି ତାକୁ ପ୍ରତ୍ୟାଖାନ କରୁଛନ୍ତି। ଏପଟେ ବିଜେଡି କହୁଛି ଯେ ନିର୍ବାଚନ ଆସିଲେ ବିରୋଧୀ ଏମିତି ଅପପ୍ରଚାର କରନ୍ତି।
କିନ୍ତୁ ଏହି ଘଟଣାରେ ନୂଆ ମୋଡ଼ ଆଣିଛନ୍ତି ବିଜେଡି ମୁଖପାତ୍ର ଲେଲିନ ମହାନ୍ତି। ସେ କନକ ନ୍ୟୁଜ୍ର ଏକ ଆଲୋଚନାରେ କହିଛନ୍ତି ଯେ ଜଣେ ପୂର୍ବତନ ସାଂସଦ ଏବଂ ଜଣେ ବର୍ତମାନର ସାଂସଦ ହିଁ ଗୁଜବକାରୀ। ଏହି ଦୁଇ ଜଣ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଅପପ୍ରଚାର କରୁଛନ୍ତି। ହେଲେ ଏହି ଦୁଇ ଜଣ କିଏ, ସେ ସେମାନଙ୍କ ନାଁ କହିନଥିଲେ। ଏପରିକି ଜଣେ ପୂର୍ବତନ ସାଂସଦ ତଥା ଗଣମାଧ୍ୟମ ସହ ସଂପର୍କ ଥିବା ନେତା ଏହା ପଛରେ ଅଛନ୍ତି ବୋଲି କହିଥିଲେ ହେଁ ସେ କିଏ ସିଧାସଳଖ ତାଙ୍କ ନାଁ କହିନଥିଲେ। ଏଠାରେ ଦୁଇ ପ୍ରମୁଖ ବିରୋଧୀ ଦଳ ପକ୍ଷରୁ ପ୍ରଶ୍ନ ଉଠାଯାଉଛି, ବିଜେଡି ଯଦି ଜାଣିଛି ପ୍ରକୃତରେ କିଏ ଏହି ଗୁଜବ ସୃଷ୍ଟି କରୁଛି ତେବେ କାହିଁକି ତାଙ୍କ ନାଁରେ ଥାନାରେ ମାମଲା ରୁଜୁ କରୁନି? ସୂଚନାଯୋଗ୍ୟ, ଗତ ୨୦୧୯ ସାଧାରଣ ନିର୍ବାଚନ ବେଳେ ମଧ୍ୟ ଏପରି ଗୁଜବ ହୋଇଥିଲା। ମୁଖ୍ୟମନ୍ତ୍ରୀ ସେତେବେଳେ ବୈଜୟନ୍ତ ପଣ୍ଡାଙ୍କ ଆଡ଼କୁ ଇଙ୍ଗିତ କରିଥିଲେ ଓ ଶ୍ରୀ ପଣ୍ଡା ଏହାକୁ ଅସ୍ବୀକାର କରିବା ସହ ମୁଖ୍ୟମନ୍ତ୍ରୀଙ୍କର ଦୀର୍ଘ ଜୀବନ କାମନା କରିବାରୁ ପ୍ରସଙ୍ଗ ସେଇଠି ସରିଥିଲା। ତେବେ ବାରମ୍ବାର ଏପରି ଗୁଜବ ସୃଷ୍ଟି ହେଉଥିବାରୁ ଏଥର କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/images-1-1.jpg)