ଭୁବନେଶ୍ବର: ବର୍ଷା ଆରମ୍ଭରୁ ପ୍ରଦୂଷିତ ଜଳ ପାଇଁ ବିଭିନ୍ନ ଜିଲ୍ଲାରେ ଭୟାନକ ଡାଇରିଆ ଓ ହଇଜାକୁ ନେଇ ଜାତୀୟ ସ୍ତରରେ ଓଡ଼ିଶା ସମାଲୋଚିତ ହେଲା। ଶହଶହ କୋଟିର ବୃହତ ପାନୀୟ ଜଳ ପ୍ରକଳ୍ପ ନିର୍ମାଣରେ ଗୁରୁତର ତ୍ରୁଟି ନେଇ ଏବେ ବଡ଼ଚଣା ବିଧାୟକ ଅମର କୁମାର ନାୟକ ରାଜ୍ୟ ସରକାରଙ୍କୁ ଅବଗତ କରିବା ସହିତ ସମ୍ପୃକ୍ତି ଠିକାସଂସ୍ଥା ଓ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ବନ୍ୟା ସମୟରେ ପ୍ରକଳ୍ପ ବୁଡ଼ିଯିବାର ସମ୍ଭାବନାକୁ ନେଇ ବିଧାୟକ ସମ୍ବେଦନଶୀଳ ପ୍ରଶ୍ନ ଉଠାଇଛନ୍ତି। ରାଜ୍ୟରେ ୨୦୭ଟି ବୃହତ୍ ପାନୀୟ ଜଳ ପ୍ରକଳ୍ପ ବାବଦରେ ୩୦,୦୫୪କୋଟି ଟଙ୍କା ଠିକାସଂସ୍ଥାଗୁଡ଼ିକ ହାତେଇଛନ୍ତି। ଏଥି ମଧ୍ୟରୁ ମାତ୍ର ୭ଟି ଠିକାସଂସ୍ଥା ୧୫୬ଟି ପ୍ରକଳ୍ପ ନିର୍ମାଣ କରୁଛନ୍ତି। ଏମାନେ ପ୍ରାୟ ସମସ୍ତେ ବାହାର ରାଜ୍ୟର ଠିକାଦାର। ଏହି ପ୍ରକଳ୍ପଗୁଡ଼ିକରେ ଅଧିକ କେଳେଙ୍କାରୀ ହୋଇଥିବାର ତୃଣମୂଳରେ ଦେଖିବାକୁ ମିଳିଛି। ଅବଶିଷ୍ଟ ୫୧ଟି ପ୍ରକଳ୍ପକୁ ୫୧୪୧କୋଟି ଟଙ୍କା ବ୍ୟୟରେ ରାଜ୍ୟର କିଛି ଠିକାଦାର କରୁଛନ୍ତି।
କାର୍ଯ୍ୟାନୁଷ୍ଠାନ ପାଇଁ ବିଧାୟକ ଲେଖିଲେ ଚିଠି
ରାଜ୍ୟବାସୀଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଣ ପାଇଁ ହଜାରହଜାର ନଳକୂପ ଖନନ କରାଯାଇଥିଲା। ସେଥିରେ ସମସ୍ୟା ସମାଧାନ ହୋଇନପାରିବାରୁ ବସୁଧା ଯୋଜନା କରାଗଲା। ବସୁଧା ଯୋଜନା ଅଧାରେ ଅଣ୍ଠେଇଥିବା ବେଳେ ବୃହତ୍ ପାନୀୟ ଜଳ ପ୍ରକଳ୍ପ ୧୦ବର୍ଷ ହେଲାଣି ଆରମ୍ଭ ହୋଇଛି। ମାତ୍ର ତାହା ସେପରି ଆଗେଇ ପାରିନାହିଁ। ୧୬ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବା ବେଳେ ୧୯୧ଟି ନିର୍ମାଣ ଚାଲିଛି। ଏ ସମ୍ପର୍କରେ ପଞ୍ଚାୟତରାଜ ଓ ପାନୀୟ ଜଳଯୋଗାଣ ମନ୍ତ୍ରୀ ରବିନାରାୟନ ନାଏକ ବିଧାନସଭାରେ କହିଥିଲେ, ପ୍ରକଳ୍ପ ନିର୍ମାଣରେ ୩୫,୨୫୦କୋଟି ଟଙ୍କା ବ୍ୟୟ ହୋଇଛି। ଅବଶିଷ୍ଟ ୨୧,୫୦୦ କୋଟି ଟଙ୍କା ପ୍ରଦାନ କରାଯାଇ ଅର୍ଧନିର୍ମିତ ପ୍ରକଳ୍ପଗୁଡ଼ିକୁ ପୂର୍ଣ୍ଣାଙ୍ଗ କରି ଡିସେମ୍ବର ସୁଦ୍ଧା ରାଜ୍ୟବାସୀଙ୍କୁ ବିଶୁଦ୍ଧ ପାଇପ୍ ପାଇବା ପାଣି ଯୋଗାଣ କରାଯିବ। ମାତ୍ର ତୃଣମୂଳରେ ନିର୍ମାଣ କାମରେ ସେପରି ଅଗ୍ରଗତି ହେଉନାହିଁ।
ସରକାରୀ ତଥ୍ୟରୁ ଜଣାପଡ଼ିଛି ସମୁଦାୟ ପ୍ରକଳ୍ପ ମଧ୍ୟରୁ ୮୯୮୬.୫୩ କୋଟି ଟଙ୍କା ବ୍ୟୟ ଅଟକଳରେ ୩୪ଟିର ଠିକାକାମ ଏଲ୍ ଆଣ୍ଡ୍ ଟି କରୁଛି। ସେହିପରି ଏନ୍ସିସି ୨୩ଟି ପ୍ରକଳ୍ପ ପାଇଁ ୩୫୬୧.୯୯କୋଟି ଟଙ୍କା, ଜେଏମ୍ସି ୨୯ଟି ପ୍ରକଳ୍ପ ପାଇଁ ୫୦୭୫.୫୫କୋଟି ଟଙ୍କା, ଜିଭିପିଆର୍ ୫ଟି ପ୍ରକଳ୍ପ ପାଇଁ ୧୪୭୩.୮୮କୋଟି ଟଙ୍କା, ଏମ୍ଇଆଇଏଲ୍ ୩୭ଟି ପ୍ରକଳ୍ପ ବାବଦକୁ ୬୨୦୨.୦୨କୋଟି ଟଙ୍କା, ଭୋଲ୍ଟାସ୍ ର ୧୧ଟି ପ୍ରକଳ୍ପରେ ୧୫୮୪.୭୩କୋଟି ଟଙ୍କା ଓ କେଇସି ୧୭ଟି ପ୍ରକଳ୍ପ ପାଇଁ ୩୧୬୯.୫୧କୋଟି ଟଙ୍କାର କାମ କରିଛି। ବଡ଼ଚଣା ବିଧାୟକ ଶ୍ରୀ ନାୟକ ବିଭାଗୀୟ ମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ମେଘା ଇଂଜିନିୟରିଂ ଆଣ୍ଡ ଇନ୍ଫ୍ରାଷ୍ଟଚର୍ ଲିମିଟେଡ୍(ଏମଆଇଇଏଲ୍) ବଡ଼ଚଣାରେ ନିର୍ମାଣ କରିଥିବା ବୃହତ୍ ପାନୀୟ ଜଳ ପ୍ରକଳ୍ପର ଜଳ ବିଶୋଧନ ପ୍ରକଳ୍ପ(ଡବ୍ଲୁଟିପି) ବନ୍ୟାରେ ବୁଡ଼ିଯିବ। ଏହିପରି ବିଭିନ୍ନ ପ୍ରକଳ୍ପରେ ନିମ୍ନମାନର କାମ ଯୋଗୁଁ ଲୋକମାନଙ୍କୁ ପାଣି ଯୋଗାଣ ପୂର୍ବରୁ ଭାଙ୍ଗିବାକୁ ବସିଲାଣି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ନିର୍ମାଣରେ ଥିବା ତ୍ରୁଟିକୁ ସଂଶୋଧନ କରି ଧାର୍ଯ୍ୟ ସମୟ ମଧ୍ୟରେ ଲୋକମାନଙ୍କୁ ପିଇବା ପାଣି ଯୋଗାଣ କରିବାକୁ ସାଧାରଣରେ ଦାବି ହେଉଛି।