କିଏ କୁମ୍ଭୀର କାନ୍ଦଣା କାନ୍ଦୁଛି?

ରାଜନୀତି ପଶାପାଲିରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ

ବିଜେଡି-ବିଜେପି ତୁଚ୍ଛା କଳି, ଆଦିବାସୀ ଭୋଟକୁ ଡର

ଭୁବନେଶ୍ୱର: ରାଉରକେଲା ଠାରେ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ପ୍ରସଙ୍ଗକୁ ନେଇ ରାଜନୀତି ଜୋର ଧରିଛି। କେନ୍ଦ୍ର ନ କଲେ ଆମେ କରିବୁ ବୋଲି ଗତକାଲି ମୁଖ୍ୟମନ୍ତ୍ରୀ ଦେଇଥିବା ବୟାନକୁ କୁମ୍ଭୀର କାନ୍ଦଣା ବୋଲି କଟାକ୍ଷ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମାନ କଥା ଦୋହରାଇ ବିଜେପି ଉଦ୍ଦେଶ୍ୟରେ କହିଛନ୍ତି ଯେ କୁମ୍ଭୀର କାନ୍ଦଣା ନ କରି ବ୍ରାହ୍ମଣୀ ସେତୁ କାମ କର। ଉଭୟଙ୍କ ବୟାନ ବାଜି ରାଜନୈତିକ ତଥ୍ୟାଭିଜ୍ଞ ମହଲରେ ଚର୍ଚ୍ଚାର ଖୋରାକ ଯୋଗାଇଛି। ବାସ୍ତବରେ ଏହି ପ୍ରକଳ୍ପକୁ ନେଇ କିଏ କୁମ୍ଭୀର କାନ୍ଦଣା କାନ୍ଦୁଛି? ରାଜ୍ୟ ସରକାର ନା କେନ୍ଦ୍ର? ବିଜେପି ନା ବିଜେଡି? ସାଧାରଣ ଲୋକଙ୍କ ଆଗ୍ରହ, ଆବଶ୍ୟକତାକୁ ସାମ୍ନାରେ ରଖି ରାଜନୈତିକ ଦଳ ଏହି ପ୍ରକଳ୍ପକୁ ମୋହରା ବନାଇନାହାନ୍ତି ତ? ଅନ୍ୟଥା କାହିଁକି ଏ ପ୍ରକଳ୍ପ ୪ବର୍ଷ ଧରି ହୋଇପାରୁନାହିଁ? କିଏ ବାସ୍ତବରେ ବାଧକ ସାଜୁଛି? ଏମିତି ଅନେକ ପ୍ରଶ୍ନ ଉପରୁ ରହସ୍ୟ ଉଠିନାହିଁ।

ଉଲ୍ଲେଖଯୋଗ୍ୟ, ବ୍ରାହ୍ମଣୀ ସେତୁକୁ ନେଇ ପ୍ରଥମେ ଯେଉଁ ନକ୍ସା ପ୍ରସ୍ତୁତ କରାଯାଇଥିଲା, ତାହାକୁ କାହିଁକି ବାତିଲ୍‌ କରାଗଲା, ସେ ରହସ୍ୟ ଏବେ ବି ଅସମାହିତ ରହିଛି। ପ୍ରଥମେ ପ୍ରସ୍ତାବ ଥିଲା, ୪-ଲେନ୍‌ ରାସ୍ତା ଓ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ପାଇଁ ୧୪୩ ନମ୍ବର ଜାତୀୟ ରାଜପଥ କଡ଼ରେ ବେଦବ୍ୟାସରୁ ପାନପୋଷ ପର୍ଯ୍ୟନ୍ତ (ପୁରୁଣା ରାସ୍ତାର ଉଭୟ ପାର୍ଶ୍ୱରୁ) ଜମି ଅଧିଗ୍ରହଣ କରାଯିବ। କରାଗଲା ବି। ୨୦୧୫ରେ ଅଧିକାଂଶ ଜମି ମାଲିକ ମଧ୍ୟ ସେ ବାବଦରେ କ୍ଷତିପୂରଣ ପାଇଲେ। ହେଲେ ପ୍ରଭାବଶାଳୀ ନେତା ଓ ସେମାନଙ୍କ ସମ୍ପର୍କୀୟଙ୍କ ଜମି, ବିଲ୍‌ଡରଙ୍କ ଆପାର୍ଟମେଣ୍ଟକୁ ସୁରକ୍ଷା ଦେବା ପାଇଁ ୨୦୧୬ରେ ହଠାତ ନକ୍ସା ପରିବର୍ତ୍ତନ କରାଯାଇଥିଲା। ଏଥିସହିତ ବ୍ରାହ୍ମଣୀ ସେତୁ ପ୍ରକଳ୍ପକୁ ପ୍ରଥମ ଧକ୍‌କା ଲାଗିଲା।

ଏବେ ପରିବର୍ତ୍ତିତ ନକ୍ସାରେ ଦୟାନନ୍ଦ ନଗର ବାଏପାସ୍‌ ଦେଇ ଦ୍ୱିତୀୟ ବ୍ରହ୍ମଣୀ ସେତୁ ନିର୍ମାଣ କରାଯିବାକୁ ଯୋଜନା ହୋଇଛି। ଏହି ପ୍ରକଳ୍ପ ଲାଗି ଏ ପର୍ଯ୍ୟନ୍ତ ଜମି ଅଧିଗ୍ରହଣ ହୋଇନାହିଁ। ତେବେ ଯାହା ସୂଚନା ମିଳିଛି, ଏ ମଧ୍ୟରୁ ଅଧିକାଂଶ ସରକାରୀ ଜମି ରହିଛି, ଯାହା ଆଦିବାସୀଙ୍କ ଦଖଲରେ ଅଛି। ଏବେ ଗୋଟିଏ ପଟେ ଆଦିବାସୀଙ୍କୁ ଅସନ୍ତୁଷ୍ଟ ନ କରିବା ଲାଗି ସରକାର ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଯେତେଟା ଗୁରୁତ୍ୱ ଦେବା କଥା ଦେଉନାହାନ୍ତି। ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ଆଦିବାସୀଙ୍କୁ ତତାଇବା ଲାଗି କାହାର ଆଗ୍ରହ ନାହିଁ। ତେବେ ଆଦିବାସୀମାନେ କିନ୍ତୁ ଏ ପ୍ରକଳ୍ପକୁ ବିରୋଧ କରିବା ଲାଗି ମାନସିକସ୍ତରରେ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ପୂର୍ବରୁ ଏ ନେଇ ବିଧାୟକ ଜର୍ଜ ତିର୍କୀ ମଧ୍ୟ ତାଙ୍କ ଆଭିମୁଖ୍ୟ ରଖିସାରିଛନ୍ତି। ଗଣମାଧ୍ୟମକୁ କହିଛନ୍ତି ଯେ ବାଏପାସ୍‌ ରାସ୍ତା ଓ ଦ୍ୱିତୀୟ ବ୍ରାହ୍ମଣୀ ସେତୁକୁ ସେମାନେ ବିରୋଧ କରିବେ। ଅର୍ଥାତ୍‌ ସେ ସେତୁ କେନ୍ଦ୍ର ସରକାର କରନ୍ତୁ ବା ରାଜ୍ୟ ସରକାର, ଯିଏ ବି ଆଗେଇବ, ଆଦିବାସୀଙ୍କ ଆକ୍ରୋଶର ଶିକାର ହେବାକୁ ପଡିପାରେ। ଏପରିସ୍ଥଳେ କେନ୍ଦ୍ର ନକଲେ, ରାଜ୍ୟ ସରକାର କଣ ଆଦିବାସୀଙ୍କ ବିରୋଧକୁ ସାମ୍ନା କରି ଏହି ପ୍ରକଳ୍ପକୁ ଆଗେଇ ନେଇପାରିବେ? ଏବେ ପ୍ରଶ୍ନ ଉଠୁଛି, ଆପ୍ରୋଚ ରୋଡ୍‌କୁ ନେଇ ଦ୍ୱନ୍ଦ୍ୱ ରହିଛି। କିନ୍ତୁ ସେତୁ ନିର୍ମାଣ ଆରମ୍ଭ କରାଯିବାରେ କି ଅସୁବିଧା ରହିଛି? ଏ ଦିଗରେ କେନ୍ଦ୍ର ସରକାର କାହିଁକି ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ଵିତ କରିବାକୁ ଚାହୁଁନାହାନ୍ତି।

ରାଜନୈତିକ ତଥ୍ୟାଭିଜ୍ଞ ମହଲର କହିବା କଥା ହେଉଛି, ରାଜନୈତିକ ଚାପ ଭିତରେ ଏ ପ୍ରକଳ୍ପଟିର ଭାଗ୍ୟ ଏବେ ଚେପା ହୋଇଯିବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। କାରଣ, ବିଧାୟକ ଜର୍ଜ ତିର୍କୀ ଆଜି ଜେଏମ୍‌ଏମ୍‌ରେ ଯୋଗ ଦେଉଛନ୍ତି। କାଉ ରାବିବା.. ତାଳ ପଡିବା ନ୍ୟାୟରେ ଜର୍ଜ ଏହାକୁ ରାଜନୈତିକ ପ୍ରସଙ୍ଗରେ ପରିଣତ କରିବାର ସମ୍ଭାବନା ଅଧିକ ରହିଛି। କାରଣ ଏହି ଗୋଟିଏ ପ୍ରସଙ୍ଗରେ ସେ ଉଭୟ ବିଜେଡି ଓ ବିଜେପିକୁ ଚମ୍‌କାଇବାରେ ସକ୍ଷମ ହୋଇପାରେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଣ୍ଡବିନ୍ଧାର କାରଣ ହେବେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଏବଂ ପ୍ରଧାନମନ୍ତ୍ରୀଙ୍କର ବି। ମିଳିଥିବା ସୂଚନା ଅନୁସାରେ ସେ ଆସନ୍ତା ୭ ତାରିଖ ଦିନ ଏହି ସେତୁକୁ ନେଇ ରାସ୍ତାକୁ ଓହ୍ଲାଇବାକୁ ଯୋଜନା କରିଛନ୍ତି। ଯଦି ତାହା ହୁଏ, ତେବେ ରାଉରକେଲା ଓ ରାଜ୍ୟ ଅର୍ଥନୀତିର ବିକାଶ ସହିତ ଯୋଡି ହୋଇଥିବା ଏହି ପ୍ରକଳ୍ପର ଭାଗ୍ୟ ବାମ ଧରିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ। ରାଜନୀତିକ ପଶାପାଲି ଭିତରେ ଏହି ପ୍ରକଳ୍ପର ଭାଗ୍ୟ ବାନ୍ଧି ହୋଇଯିବା ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର