ହିସାବ ଦିଆଯାଉଛି ୨ଟି, ମିଳୁଛି ଗୋଟିଏ, ପିଲାଙ୍କ ଅଣ୍ଡା ଖାଉଛି କିଏ?

ସାରନଗରୀ: ଜଲଦା ‘ସି’ ବ୍ଲକ୍‌ ଛକ ନିକଟରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଛାତ୍ରୀନିବାସରେ ପିଲାଙ୍କ ଖାଦ୍ୟପାନୀୟକୁ ନେଇ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ସେଠାରେ ଛାତ୍ରୀମାନଙ୍କୁ ସପ୍ତାହରେ ୨ଟି ବଦଳରେ ଗୋଟିଏ ଅଣ୍ଡା ଦିଆଯାଉଛି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ଏହି ଛାତ୍ରୀନିବାସରେ ଅଛନ୍ତି ୧୫୦ ଅନ୍ତେବାସୀ। ପିଲାମାନଙ୍କ ପୌଷ୍ଟିକତାକୁ ଆଖିରେ ରଖି ଏହି ଛାତ୍ରୀନିବାସରେ ପ୍ରତି ସପ୍ତାହରେ ଖାଦ୍ୟରେ ମଙ୍ଗଳବାର ୨ଟି ଅଣ୍ଡା, ବୁଧବାର କୁକୁଡ଼ାମାଂସ, ଶୁକ୍ରବାର ମାଛ, ରବିବାର ମାଛ ଦେବାର ନିୟମ ରହିଛି।

ମାତ୍ର ସେମାନଙ୍କୁ ମିଳୁଛି ଗୋଟିଏ ଲେଖାଏଁ ଅଣ୍ଡା। ଖାତାରେ ୨ଟି ଅଣ୍ଡାର ହିସାବ ଦେଖାଉଥିବା ବେଳେ ବଳକା ୬୦୦ ଅଣ୍ଡା ଖାଉଛି କିଏ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି। ଖାଲି ଏତିକି ନୁହେଁ ରୋଷେଇରେ ବ୍ୟବହାର ହେଉଥିବା ଖାଇବା ତେଲ ମଧ୍ୟ ଅତି ନିମ୍ନମାନର ବୋଲି ମଧ୍ୟ ଅଭିଯୋଗ ହେଉଛି। ଏ ନେଇ ଛାତ୍ରୀନିବାସ ୱାର୍ଡେନଙ୍କୁ ପଚାରିବାରୁ ସବୁକିଛି ଠିକ୍‌ଠାକ୍ ଚାଲିଥିବା ସଫେଇ ଦେଇଥିବା ବେଳେ ପ୍ରଧାନଶିକ୍ଷୟିତ୍ରୀ ସୁମିତା ସାହୁ ଖରାଦିନ ପାଇଁ ଗୋଟିଏ ଲେଖାଏଁ ଅଣ୍ଡା ଦିଆଯାଉଛି ଓ ଅନ୍ୟ ଅଣ୍ଡା ବଦଳରେ ପାଉଁରୋଟି, ନୁଡୁଲ୍‌ସ କିଂବା ଅନ୍ୟ ଖାଦ୍ୟସାମଗ୍ରୀ ଦିଆଯାଉଛି ବୋଲି କହିଥିଲେ। ଲାଠିକଟା ବ୍ଲକ୍‌ ଶିକ୍ଷାଧିକାରୀ ଦେବେନ୍ଦ୍ର ସାହାଙ୍କୁ ପଚାରିବାରୁ ଏନେଇ କୌଣସି ଅଭିଯୋଗ ଆସିନାହିଁ। ଯଦି ଏଭଳି ଦୁର୍ନୀତି ହେଉଥାଏ ତାହାହେଲେ ନିଶ୍ଚିତ କାର୍ଯାନୁଷ୍ଠାନ ଗ୍ରହଣ କରିବୁ ବୋଲି କହିଥିଲେ।

ସମ୍ବନ୍ଧିତ ଖବର