ମଙ୍ଗୁଙ୍କ ପରେ କାହାକୁ ମଙ୍ଗ ଧରାଇବ ବିଜେପି?

ବାଲେଶ୍ବର : ବାଲେଶ୍ବର ବିଧାୟକ ମଦନମୋହନ ଦତ୍ତ(ମଙ୍ଗୁ)ଙ୍କ ଆକସ୍ମିକ ଦେହାନ୍ତ ପରେ ସଦର ନିର୍ବାଚନମଣ୍ଡଳୀ ବାସିନ୍ଦା ଖୁବ୍‌ଶୀଘ୍ର ଏକ ଉପନିର୍ବାଚନର ସାମ୍‌ନା କରିବାକୁ ଯାଉଛନ୍ତି। ଯଦିଓ ନିର୍ବାଚନ ପ୍ରକ୍ରିୟା ପାଇଁ ଆହୁରି ଅନେକ ସମୟ ରହିଛି, ରାଜନୈତିକ ମହଲରେ ଏହାକୁ ନେଇ କିନ୍ତୁ ଚର୍ଚ୍ଚା ଓ ଆଲୋଚନା ଜୋର୍‌ ଧରିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଶ୍ରୀ ଦତ୍ତଙ୍କ ବିୟୋଗ ପରେ ରାଜ୍ୟ ବିଜେପିର ବିଧାୟକଙ୍କ ସଂଖ୍ୟା ୨୨କୁ ହ୍ରାସ ପାଇଛି। ଗତ ନିର୍ବାଚନରେ ବାଲେଶ୍ବର ସଦରକୁ ମିଶାଇ ବିଜେପି ୨୩ଟି ଆସନରେ ବିଜୟ ହାସଲ କରିଥିଲା। ତେଣୁ ବିଜେପି ତା’ର ସ୍ଥିତି ବଜାୟ ରଖିବା ପାଇଁ ଉଦ୍ୟମ କରିବ ବୋଲି କୁହାଯାଉଛି। ‌ଏହାକୁ ଦୃଷ୍ଟିରେ ରଖି ମଙ୍ଗୁଙ୍କ ଅବର୍ତ୍ତମାନରେ ଦଳ କାହାକୁ ମଙ୍ଗ ଧ‌ରାଇବ, ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଦଳୀୟ ନେତାଙ୍କ ମଧ୍ୟରେ ବିଚାରବିର୍ମଶ, ମାନସମନ୍ଥନ ଚାଲିଥିବା ଏକ ନିର୍ଭର‌ଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।

୨୦୦୦ ମସିହା ସାଧାରଣ ନିର୍ବାଚନରେ ବିଜେପି-ବିଜେଡି ମଧ୍ୟରେ ଯେଉଁ ମେଣ୍ଟ ହୋଇଥିଲା ସେଥିରେ ବାଲେଶ୍ବର ସଦର ଆସନ ଜିତିଥିଲା ବିଜେପି। ଦଳୀୟ ପ୍ରାର୍ଥୀ ଜୀବନପ୍ରଦୀପ ଦାଶ ପୂର୍ବତନ ବିଧାୟକ ଅରୁଣ ଦେଙ୍କୁ ହରାଇ ବିଜୟ ହାସଲ କରିଥିଲେ। ପରେ ୨୦୦୪ରେ ଶ୍ରୀ ଦେ ଏହି ଆସନକୁ ଅକ୍ତିଆର କରିଥିଲେ। ୨୦୦୯ରେ ବିଜେପି-ବିଜେଡି ମେଣ୍ଟ ସରକାର ଭାଙ୍ଗିଯିବା ପରେ ଶ୍ରୀ ଦାଶ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ ଏବଂ ଲଗାତାର ୨୦୦୯ ଓ ୨୦୧୪ ନିର୍ବାଚନ ଜିତିଥିଲେ। ୨୦୧୪ରେ ବିଜେପି ପ୍ରଥମ ଥର ଲାଗି ମଦନମୋହନ ଦତ୍ତଙ୍କୁ ଏଠାରୁ ଲଢ଼ାଇଲା। ଯଦିଓ ଶ୍ରୀ ଦତ୍ତ ୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଶ୍ରୀ ଦାଶଙ୍କଠାରୁ ହାରିଯାଇଥିଲେ, କିନ୍ତୁ କଡ଼ା ଟକ୍କର ଦେଇଥିଲେ। ମାତ୍ର ୯୭୯୧ ଖଣ୍ଡ ଭୋଟରେ ପରାଜିତ ହୋଇଥିଲେ। ଆଉ ୧୯ ନିର୍ବାଚନରେ ଶ୍ରୀ ଦାଶଙ୍କୁ ମାତ୍‌ ଦେଇ ଶ୍ରୀ ଦତ୍ତ ୧୩,୪୦୬ ଅଧିକ ଭୋଟ୍‌ ପାଇ ବିଜୟୀ ହୋଇଥିଲେ। ବିଜେପି ଦୀର୍ଘ ୧୫ ବର୍ଷ ପରେ ଏହି ଆସନ ଅକ୍ତିଆର କରିଥିଲା। କିନ୍ତୁ ଠିକ୍‌ ଗୋଟିଏ ବର୍ଷ ପରେ ଶ୍ରୀ ଦତ୍ତଙ୍କ ଅକାଳ ବିୟୋଗ ଯୋଗୁଁ ସଦର ଆ‌ସନ ପୁଣି ଦଳ ହାତରୁ ଚାଲିଯାଇଛି। ଜିଲ୍ଲାରେ ବିଜେପି ସଂଗଠନକୁ ମଜବୁତ୍‌ କରିବାରେ ସ୍ବର୍ଗତ ଦତ୍ତଙ୍କର ପ୍ରଚ୍ଛନ୍ନ ଭୂମିକା ରହିଥିଲା। ଦଳର ଦୁର୍ଦ୍ଦିନ ସମୟରେ ଜିଲ୍ଲା ସଭାପତି ଦାୟିତ୍ବ ସମ୍ଭାଳି ସେ ବାଲେଶ୍ବର ବିଜେପିକୁ ଢ଼େର ଆଗକୁ ନେଇ ଯାଇଥିଲେ।

ବିଧାୟକ ଭାବେ ନିର୍ବାଚିତ ହେବାର କିଛି ମାସ ପରେ ଅସୁସ୍ଥ ହୋଇଥିଲେ ବି ସ୍ବଳ୍ପ ସମୟ ମଧ୍ୟରେ ଶ୍ରୀ ଦତ୍ତ ନିଜ ନିର୍ବାଚନମଣ୍ଡଳୀର ଅନେକ ସମସ୍ୟା ଓ ପ୍ରସଙ୍ଗକୁ ବିଧାନସଭାରେ ଉପସ୍ଥାପିତ କରିବା ସହ ରାସ୍ତାଘାଟ ନିର୍ମାଣ, ପାନୀୟ ଜଳଯୋଗାଣ, ଜଳନିଷ୍କାସନ ଆଦି ମୌଳିକ ସମସ୍ୟାଗୁଡ଼ିକର ସମାଧାନ ଲାଗି ବଳିଷ୍ଠ ପଦକ୍ଷେପ ନେଇଥିଲେ। ଏ ଦୃଷ୍ଟିରୁ ସ୍ବର୍ଗତ ଦତ୍ତଙ୍କ ଲୋକପ୍ରିୟତା ଓ ତାଙ୍କ ମୃତ୍ୟୁ ପରେ ଭୋଟରଙ୍କ ଅନୁକମ୍ପା ହାତେଇବା ଲାଗି ଦଳ ଏବେ ରଣନୀତି ପ୍ରସ୍ତୁତ କରି ପ୍ରାର୍ଥୀ ଚୟନ କରିବାକୁ ଚିନ୍ତା କରୁଛି। ସେଥିରେ ସ୍ବର୍ଗତ ଦତ୍ତଙ୍କ ପରିବାରରୁ ତାଙ୍କ ପତ୍ନୀ ପ୍ରେମଲତା ଦତ୍ତ କିମ୍ବା ପୁତ୍ର ମାନସ କୁମାର ଦତ୍ତଙ୍କ ନାମ ଚର୍ଚ୍ଚାକୁ ଆସୁଛି। ତେବେ, ବିଜେଡି ଓ କଂଗ୍ରେସର ରଣନୀତିକୁ ନଜରରେ ରଖି ପୂର୍ବତନ ସାଂସଦ ମହାମେଘନବାହାନ ଐର ଖାରବେଳ ସ୍ବାଇଁ କିମ୍ବା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କୁ ମଧ୍ୟ ସଦରରେ ପ୍ରାର୍ଥୀ କରାଯାଇପାରେ ବୋଲି ଶୁଣିବାକୁ ମିଳୁଛି। ଅନ୍ୟପକ୍ଷରେ ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ଉପସଭାପତି ପର୍ଶୁରାମ ବେହେରା, ରାଜ୍ୟ ସମ୍ପାଦିକା ଶୋଭନା ମହାନ୍ତି ଓ ପୂର୍ବତନ ବିଧାୟକ ଗୋପନାରାୟଣ ଦାସଙ୍କ ପୁଅ ତଥା ଯୁବମୋର୍ଚ୍ଚା ନେତା ବିଭୁପଦ ଦାସ, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ବିପନ ବିହାରୀ ଦାସଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି।

ସମ୍ବନ୍ଧିତ ଖବର