କିଏ ଧରିବ ରାଜ୍ୟ ବିଜେପି ମଙ୍ଗ? ଦୌଡ଼ରେ ଜୁଏଲ୍‌, କନକ, ସମୀର ଆଗରେ; ଆଶାୟୀ ତାଲିକାରେ ମନମୋହନ, ସୁରେଶ

ଉପକୂଳ ଓଡ଼ିଶାକୁ ମିଳିପାରେ ପ୍ରାଧାନ୍ୟ

ଭୁବନେଶ୍ବର : କିଏ ଧରିବ ରାଜ୍ୟ ବିଜେପିର ମଙ୍ଗ? କୌଣସି ପୂର୍ବତନ ସଭାପତିଙ୍କୁ ଆଉ ଥରେ ଭରସା କରାଯିବ ନା ନୂଆ ନେତାଙ୍କୁ ମିଳିବ ଦାୟିତ୍ବ? ପଶ୍ଚିମ ଓଡ଼ିଶା ନା ଉପକୂଳ ଓଡ଼ିଶା ନେତାଙ୍କୁ ଦିଆଯିବ ପ୍ରାଧାନ୍ୟ? ସଭାପତି ଚୟନରେ କାହାର ଭୂମିକା ହେବ ନିର୍ଣ୍ଣାୟକ? ଏହା ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ପ୍ରମୁଖ ପ୍ରସଙ୍ଗ। ଏଥି ପାଇଁ ବିଜେପିର ଶୀର୍ଷ ସ୍ତରରେ ଅଙ୍କକଷା ଚାଲିଥିଲା ବେଳେ ଦଳର ଆଭ୍ୟନ୍ତରୀଣ ରାଜନୀତି ସରଗରମ ହୋଇଉଠିଛି।

ପାଞ୍ଚ ବର୍ଷ ତଳେ ବିଜେପି ରାଜ୍ୟ ସଭାପତି କିଏ ହେ‌େବ ଓ କିଏ କଟି‌େବ, ତାହା ରାଜ୍ୟ ରାଜନୀତିରେ ସେତେଟା ଗୁରୁତ୍ବ ରଖୁ ନ ଥିଲା। କିନ୍ତୁ ରାଜ୍ୟରେ ବିଜେପିର ଶକ୍ତି ବଢ଼ୁଥିବାରୁ ସଭାପତି ପଦ ଉପରେ ଏବେ ସବୁ ଦଳର ନଜର ରହିଛି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପିର ରାଜ୍ୟ ଚେହେରା କୁହାଯାଉଥିଲେ ବି ସାଂଗଠନିକ ଦୃଷ୍ଟିକୋଣରୁ ସଭାପତି ପଦବିର ଗୁରୁତ୍ବ ବେଶ୍‌ ରହିଛି। ପୁଣି ଏଥର ଯିଏ ନୂଆ ସଭାପତି ହେ‌େବ, ତାଙ୍କରି ନେତୃତ୍ବରେ ହିଁ ପୌର ଓ ପଞ୍ଚାୟତ ନିର୍ବାଚନ ମଇଦାନକୁ ଓହ୍ଲାଇବ ଦଳ।

ଡିସେମ୍ବର ମାସରେ ସଭାପତି ପଦ ପାଇଁ ନିର୍ବାଚନ ହେବ। ନିର୍ବାଚନ ନାମକୁ ମାତ୍ର ହେବ, ବାସ୍ତବରେ ସଭାପତି ଚୟନ ଦଳର ଶୀର୍ଷ ନେତୃତ୍ବ ହିଁ କରିବେ। ତେବେ ଦଳର ଏହି ଶୀର୍ଷ ପଦ ପାଇଁ ସଂଘ ପରିବାରର ସମର୍ଥନ, ଆନୁଗତ୍ୟ, ବରିଷ୍ଠତା, ଦଳର ସାଂଗଠନିକ କାର୍ଯ୍ୟରେ ସକ୍ରିୟ ସଂପୃକ୍ତି ଆଦିକୁ ବିଚାରକୁ ନିଆଯିବ। ତାହା ସହ ଦୀର୍ଘ ବର୍ଷ ଧରି ପଶ୍ଚିମ ଓଡ଼ିଶାର ନେତା ରାଜ୍ୟ ବିଜେପିର ମଙ୍ଗ ଧରୁଥିଲା ବେଳେ ଏଥର ଉପକୂଳ ଓଡ଼ିଶାକୁ ପ୍ରାଧାନ୍ୟ ମିଳିପାରେ ବୋଲି ଦଳୀୟ ମହଲରେ ଜୋର୍‌ସୋର ଚର୍ଚ୍ଚା ହେଉଛି। ଉପକୂଳ ଓଡ଼ିଶାରେ ଦଳର ପ୍ରଦର୍ଶନ ଆଶାନୁରୂପକ ହୋଇ ନ ଥିବାରୁ ଓ ପଶ୍ଚିମ ଓଡ଼ିଶାକୁ ବିରୋଧୀ ଦଳ ନେତା ପଦ ମିଳିଥିବାରୁ ଉପକୂଳ ନେତାଙ୍କୁ ଦାୟିତ୍ବ ଦେଇ ସଂଗଠନକୁ ମଜବୁତ୍ କରିବା ପାଇଁ ଶୀର୍ଷ ନେତୃତ୍ବ ବିଚାର କରୁଥିବା କୁହାଯାଉଛି।

ତାହା ସତ୍ତ୍ବେ ସଭାପତି ପଦ ପାଇଁ ବିଭିନ୍ନ ନେତାଙ୍କ ନାମ ଚର୍ଚ୍ଚାକୁ ଆସିବା ସହ ଲବି ବି ଆରମ୍ଭ ହୋଇଗଲାଣି। ଦୌଡ଼ରେ ତିନି ଜଣ ପୂର୍ବତନ ସଭାପତିଙ୍କ ନାମ ଚର୍ଚ୍ଚାରେ ରହିଛି। ସେମାନେ ହେଲେ ଜୁଏଲ ଓରାମ, କନକ ବର୍ଦ୍ଧନ ସିଂହଦେଓ ଓ ମନମୋହନ ସାମଲ। ତିନି ଜଣ ଯାକ ବିଭିନ୍ନ ସମୟରେ ଦଳର ନେତୃ୍ତ୍ବ ନେଇଛନ୍ତି। ରାଜ୍ୟ ବିଜେପିରେ ଜୁଏଲ୍‌ ଓରାମ ଜଣେ ଟାଣୁଆ ନେତା ଭାବେ ପରିଚିତ। ରାଜ୍ୟ ଓ ଜାତୀୟ ସ୍ତରରେ ବିଜେପି ସଂଗଠନର ବିଭିନ୍ନ ପଦପଦବିରେ ରହିବା ସହ ଦୁଇ ଦୁଇ ଥର ରାଜ୍ୟରେ ଦଳର ନେତୃତ୍ବ ନେଇଛନ୍ତି। ଉଭୟ ଅଟଳ ବିହାରୀ ବାଜପେୟୀ ଓ ନରେନ୍ଦ୍ର ମୋଦୀଙ୍କ ସରକାରରେ ୧୦ ବର୍ଷ ଆଦିବାସୀ ବ୍ୟପାର ବିଭାଗ ସମ୍ଭାଳିଛନ୍ତି। କିନ୍ତୁ ମୋଦୀଙ୍କ ପ୍ରଥମ ପାଳିରେ ମନ୍ତ୍ରୀ ହିସାବରେ ତାଙ୍କ ପ୍ରଦର୍ଶନ ସେତେଟା ଉତ୍ସାହଜନକ ନ ଥିଲା। ସେଥି ପାଇଁ ମୋଦୀଙ୍କ ଦ୍ବିତୀୟ ପାଳିରେ ତାଙ୍କୁ ବାଦ୍ ଦିଆଯାଇଥିବା କୁହାଯାଉଛି। ଏହାକୁ ନେଇ ଜୁଏଲ୍‌ ଦୁଃଖୀ ଅଛନ୍ତି। ତେଣୁ ତାଙ୍କୁ ରାଜ୍ୟ ସଭାପତି ପଦ ଦିଆଯାଇ ଖୁସି କରାଯିବ ବୋଲି ତାଙ୍କ ସମର୍ଥକମାନେ ଆଶା ବାନ୍ଧିଛନ୍ତି। କିନ୍ତୁ ତୃତୀୟ ଥର ପାଇଁ ତାଙ୍କୁ ସୁଯୋଗ ମିଳିବାର ସମ୍ଭାବନା କମ୍ ବୋଲି ଅନ୍ୟ ଗୋଷ୍ଠୀ ଯୁକ୍ତି ବାଢ଼ୁଛନ୍ତି। ଆହୁରି ମଧ୍ୟ ଜୁଏଲ୍‌ ଜାତୀୟ ସ୍ତରର ଆଦିବାସୀ ନେତା ହୋଇଥିବାରୁ ତାଙ୍କୁ ଦିଲ୍ଲୀରେ କୌଣସି ଏକ ପଦବି ଦେବା ନିମନ୍ତେ ବିଚାର କରାଯାଉଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି।

ସଭାପତି ପଦ ପାଇଁ ଆଉ ଜଣେ ପ୍ରମୁଖ ଦାବିଦାର ଅଛନ୍ତି କନକ ବର୍ଦ୍ଧନ ସିଂହଦେଓ। ଅଭିଜ୍ଞତା ଓ ଲମ୍ବା ରାଜନୈତିକ କ୍ୟାରିୟର୍‌ ଦୃଷ୍ଟିରୁ କନକ ବର୍ଦ୍ଧନ ଦଳ ଭିତରେ ନିଜର ସ୍ଥିତି ସୁଦୃଢ଼ କରିଛନ୍ତି। ତେବେ ତାଙ୍କ ନେତୃତ୍ବରେ ଦଳ ୨୦୧୪ ନିର୍ବାଚନରେ ଦଳ ଲଢ଼ିଥିଲେ ବି କୌଣସି ଆଖିଦୃଶିଆ ସଫଳତା ମିଳି ନ ଥିଲା। ପ‌ାରିବାରିକ ରାଜନୀତି ବିରୋଧରେ ଥିବା ବିଜେପିରେ ଖୁବ୍ କମ୍ ପରିବାରରୁ ଏକାଧିକ ଟିକେଟ୍‌ ଦିଆଯିବାର ନଜିର ରହିଛି। ସେହି ପରିବାର ଭିତରେ କେଭିଙ୍କ ପରିବାର ବି ରହିଛି। କେଭିଙ୍କୁ ବିଧାୟକ ଓ ତାଙ୍କ ପତ୍ନୀ ସଙ୍ଗୀତା ସିଂହଦେଓଙ୍କୁ ସାଂସଦ ଟିକେଟ୍‌ ଦିଆଯାଇଥିଲା। ସଙ୍ଗୀତା ବିଜୟୀ ହୋଇଥିଲା ବେଳେ କେଭି ପରାଜୟର ସାମ୍ନା କରିଥି‌େଲ। ଯେହେତୁ ପତ୍ନୀ ସାଂସଦ ଅଛନ୍ତି, ତେଣୁ କେଭିଙ୍କୁ ସଭାପତି କରି ପାରିବାରିକ ରାଜନୀତିର ଛାପ ଛାଡ଼ିବାକୁ ଶୀର୍ଷ ନେତୃତ୍ବ ଅମଙ୍ଗ ହୋଇପାରନ୍ତି ବୋଲି କୁହାଯାଉଛି।

ସଭାପତି ପଦ ପାଇଁ ମନମୋହନ ସାମଲଙ୍କ ନାମ ବି ଆଶାୟୀଙ୍କ ତାଲିକାରେ ରହିଛି। ପୂର୍ବରୁ ଥ‌େର ଶ୍ରୀ ସାମଲ ବିଜେପିର ମଙ୍ଗ ଧରିଥିଲେ। ନବୀନ ପଟ୍ଟନାୟକଙ୍କ ଦ୍ବିତୀୟ ପାଳିରେ ମେଣ୍ଟ ସରକାରରେ ସେ ମନ୍ତ୍ରୀ ଥିଲେ। ଏକ ବିବାଦୀୟ ପରିସ୍ଥିତିରେ ମନ୍ତ୍ରିମଣ୍ଡଳରୁ ତାଙ୍କୁ ବିଦା ହେବାକୁ ପଡ଼ିଥିଲା। ପରବର୍ତ୍ତୀ ସମୟରେ ତିନି ତିନିଟି ନିର୍ବାଚନରେ ସେ ପ୍ରାର୍ଥୀ ହୋଇଥିଲେ ବି ପରାଜୟ ବରଣ କରି ଆସୁଛନ୍ତି। ଶ୍ରୀ ସାମଲ ଉପକୂଳ ଅଞ୍ଚଳର ଜଣେ ବରିଷ୍ଠ ନେତା ହୋଇଥିବାରୁ ଓ ଥରେ ସଭାପତି ଥିବାରୁ ଅଭିଜ୍ଞତା ଦୃଷ୍ଟିରୁ ତାଙ୍କୁ ଆଉ ଥରେ ସୁଯୋଗ ‌େଦବା ପାଇଁ ତାଙ୍କ ସମର୍ଥକ ଗୋଷ୍ଠୀ ଲବି କରୁଛନ୍ତି। ଅବଶ୍ୟ ଉପକୂଳରେ ବିଜେପି ସଂଗଠନରେ ଶ୍ରୀ ସାମଲଙ୍କୁ ନେଇ ବିରୋଧାଭାସ ରହିଛି। ପୁଣି ମନ୍ତ୍ରୀ ଥିଲା ବେଳେ ଦଳର ସଂଗଠନକୁ ସୁଦୃଢ଼ କରିବା ପାଇଁ ଆଖିଦୃଶିଆ ପଦକ୍ଷେପ ନେଇ ନ ଥିବାର ଅପବାଦ ବି ସେ ମୁଣ୍ଡାଇଛନ୍ତି।

ଅନ୍ୟପକ୍ଷରେ ବିଜେପିର ବରିଷ୍ଠ ନେତା ତଥା ରାଜ୍ୟ ଉସପଭାପତି ସମୀର ମହାନ୍ତିଙ୍କ ନାମ ସଭାପତି ଦୌଡ଼ର ଆଗରେ ରହିଛି। ଗତ କିଛି ବର୍ଷ ଧରି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଥିଲେ ବି ଶ୍ରୀ ମହାନ୍ତି ହିଁ ସମସ୍ତ ଆନ୍ଦୋଳନ ଓ ସାଂଗଠନିକ କାର୍ଯ୍ୟର ଅଗ୍ରଭାଗରେ ରହୁଥିବା ଦେଖାଯାଉଛି। ରାଜ୍ୟ ବିଜେପିର ଜଣେ ଜଣାଶୁଣା ଚେହେରା ସେ ପାଲଟିଯାଇଛନ୍ତି। ଥରେ ବିଧାୟକ ପ୍ରାର୍ଥୀ ହୋଇଥିଲେ ବି ପରାଜୟର ସାମ୍ନା କରିଥ‌ିଲେ। ଯେହେତୁ ରାଜ୍ୟ ସଂଗଠନରେ ବିଭିନ୍ନ ପଦପଦବିରେ ରହି ସଂଗଠନ ସହ ସେ ପରିଚିତ ଅଛନ୍ତି, ତେଣୁ ତାଙ୍କୁ ଥରେ ଦଳର ମଙ୍ଗ ଧରିବାକୁ ସୁଯୋଗ ଦେବା ପାଇଁ ଯୁକ୍ତି କରାଯାଉଛି। ଉପକୂଳ ଓଡ଼ିଶାରେ ସେ ଗ୍ରହଣୀୟ ନେତା ହୋଇପାରିବେ ବୋଲି ତାଙ୍କ ସମର୍ଥକମାନେ ଆଶାବାଦୀ।

ବର୍ତ୍ତମାନର ସଭାପତି ତଥା ସାଂସଦ ବସନ୍ତ ପଣ୍ଡା ଦ୍ବିତୀୟ ଥର ସୁଯୋଗ ପାଇପାରନ୍ତି ବୋଲି ଆଲୋଚନା ଚାଲିଛି। ଏହି ସମ୍ଭାବନାକୁ ଏଡ଼ାଇ ଦିଆଯାଉ ନ ଥିଲେ ବି ଶ୍ରୀ ପଣ୍ଡାଙ୍କ ପ୍ରଦର୍ଶନ ସେପରି ଉତ୍ସାହଜନକ ନ ଥିଲା ବୋଲି ବହୁ ନେତା ଯୁକ୍ତି ବାଢ଼ୁଛନ୍ତି। ସେହିପରି ପୂର୍ବତନ ସଭାପତି ତଥା ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ନାମ ଚର୍ଚ୍ଚାରେ ରହିଥିଲେ ବି ତାଙ୍କୁ ଦ୍ବିତୀୟ ଥର ସୁଯୋଗ ମିଳିବାର ସମ୍ଭାବନା କ୍ଷୀଣ।

ସଭାପତି ପଦବି ପାଇଁ ଅଙ୍କକଷା ଆରମ୍ଭ ହେଲା ବେଳେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ନାମ ମଧ୍ୟ ଆଲୋଚନା ପରିସରକୁ ଆସିଛି। ନିର୍ବାଚନ ପୂର୍ବରୁ ଶ୍ରୀ ମହାପାତ୍ର ଦଳୀୟ ନେତୃତ୍ବ ବିରୋଧରେ ବିଷୋଦ୍‌ଗାର କରି ଇସ୍ତଫା ଦେଇଥିଲେ ବି ପରବର୍ତ୍ତୀ ସମୟରେ ତାଙ୍କୁ ମନାଇ ଦଳକୁ ଫେରାଇ ଅଣାଯାଇଥିଲା। ୨୦୧୩ ଓ ୨୦୧୬ ମସିହା‌େର ସଭାପତି ନିର୍ବାଚନ ବେଳେ ବିଜୟଙ୍କ ନାମ ଚର୍ଚ୍ଚାର ଆଗ‌େର ରହିଥିଲା। କିନ୍ତୁ ତାହା କେବଳ ଚର୍ଚ୍ଚାରେ ହିଁ ସୀମିତ ରହିଲା। ଆହୁରି ମଧ୍ୟ ସଂଘ ପରିବାରର ମୂଳ ସଦସ୍ୟ ନ ହୋଇଥିଲେ ସଭାପତି ପଦ ପରି ଗୁରୁ ଦାୟିତ୍ବ ମିଳିବା ବିଜେପିରେ କଷ୍ଟ ବୋଲି ରାଜନୈତିକ ମହଲର ବିଶ୍ବାସ। ତେଣୁ ସେହି ଦୃଷ୍ଟିରୁ ଶ୍ରୀ ମହାପାତ୍ରଙ୍କ ଗ୍ରହଣୀୟତା କେତେ ରହିବ, ତାହା ଆଗାମୀ ଦିନରେ ଜଣାପଡ଼ିବ।

ସଭାପତି ମନୋନୟନରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିକା ଉପରେ ସମସ୍ତଙ୍କ ନଜର ରହିଛି। ଶ୍ରୀ ପ୍ରଧାନ ଏବେ ଶୀର୍ଷ ନେତୃ୍ତ୍ବଙ୍କର ଏତେ ଘନିଷ୍ଠ ଯେ ଏଠାରେ ଯିଏ ସଭାପତି ହେ‌େବ ସେ ତାଙ୍କ ନେତୃତ୍ବ ମାନିବାକୁ ଏକ ପ୍ରକାର ବାଧ୍ୟ ହେ‌େବ। ଫଳରେ ରାଜ୍ୟ ସଂଗଠନକୁ ନିଜ ନିୟନ୍ତ୍ରଣରେ ରଖିବାରେ ତାଙ୍କୁ କୌଣସି ସମସ୍ୟା ହେବ ନାହିଁ। କାରଣ ଗତ ୫ ବର୍ଷ ହେଲା ତାହା ହିଁ ଦେଖିବାକୁ ମିଳୁଛି। ଶୀର୍ଷ ନେତୃତ୍ବ ଯାହା ମୁଣ୍ଡରେ ସୁନା କଳସ ଢାଳିବେ, ସେହି ନିଷ୍ପତ୍ତି ନେବାରେ ଶ୍ରୀ ପ୍ରଧାନ ହିଁ ନିର୍ଣ୍ଣାୟକ ଭୂମିକା ନେବେ ବୋଲି କୁହାଯାଉଛି। ତେବେ ଶ୍ରୀ ପ୍ରଧାନଙ୍କର ନିର୍ଦ୍ଦିଷ୍ଟ କେଉଁ ସଭାପତି ଦାବିଦାରଙ୍କ ପ୍ରତି ସମର୍ଥନ ରହିଛି, ତାହା ରାଜ୍ୟ ନେତାମାନେ ସ୍ପଷ୍ଟ ଆକଳନ କରିପାରୁ ନାହାନ୍ତି।

ସମ୍ବନ୍ଧିତ ଖବର