ଭୁବନେଶ୍ବର: ଫେବ୍ରୁଆରି ୧୧ରୁ ପ୍ରଦେଶ କଂଗ୍ରେସ ସଭାପତି ନିଯୁକ୍ତି ସରିଲାଣି। ଏପ୍ରିଲ ୧୯ରେ ନବମ ଥର ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେଡି ପୁଣି ସଭାପତି ପଦରେ ବସାଇଲା। ହେଲେ ରାଜ୍ୟ ବିଜେପି ସଭାପତି ଅଙ୍କ ଛିଣ୍ଡୁନି। ଏପରିକି ରାଜ୍ୟ ସଭାପତି ଚୟନ ପାଇଁ ୩୭ରୁ ୧୯ଟି ଜିଲ୍ଲା ସଭାପତି ଚୟନ ହେବା ଦରକାର। ମାସେ ହେଲାଣି ସେ ମାନଦଣ୍ଡ ମଧ୍ୟ ପୂରଣ ହୋଇସାରିଛି। ହେଲେ କାହିଁକି ବିଜେପି ସଭାପତି ବାଛିପାରୁନି, ସଭାପତି ନିର୍ବାଚନ ପାଇଁ ଓଡ଼ିଶା ଦାୟିତ୍ବରେ ଥିବା ସାଂସଦ ସଞ୍ଜୟ ଜୟସ୍ବାଲ ଓଡ଼ିଶା ଆସୁନାହାନ୍ତି, ସେ କଥା କେହି ଠଉରାଇ ପାରୁନାହାନ୍ତି।
ଦଳର ଜଣେ ବରିଷ୍ଠ ନେତାଙ୍କ କହିବାନୁଯାୟୀ, ବିଜେପି ରାଷ୍ଟ୍ରୀୟ ସଭାପତି ନିର୍ବାଚନ ପୂର୍ବରୁ ୨୮ଟି ରାଜ୍ୟ, ୮ଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଜେପିର ରାଜ୍ୟ ସଭାପତି ନିର୍ବାଚନ କରିବାକୁ ଶୀର୍ଷସ୍ତରରେ ଏକପ୍ରକାର ସହମତି ହୋଇଥିଲା। ଇତିମଧ୍ୟରେ ୧୪ଟି ରାଜ୍ୟରେ ସଭାପତି ନିର୍ବାଚନ ସରିଲାଣି। ହେଲେ ଓଡ଼ିଶା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜୁରାଟ, କର୍ଣ୍ଣାଟକ, ପଶ୍ଚିମବଙ୍ଗ ଭଳି ପ୍ରମୁଖ ରାଜ୍ୟରେ ସଭାପତି ନିର୍ବାଚନ ଏଯାଏଁ ସରିପାରୁନାହିଁ। ନିୟମ ଅନୁସାରେ, ରାଷ୍ଟ୍ରୀୟ ସଭାପତି ନିର୍ବାଚନ ପାଇଁ ୧୯ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ସଭାପତି ନିର୍ବାଚନ ପ୍ରକ୍ରିୟା ସରିବା ଦରକାର। ଚଳିତ ମାସ ଶେଷ ସୁଦ୍ଧା ରାଷ୍ଟ୍ରୀୟ ସଭାପତି ନିର୍ବାଚନ ସାରିବାକୁ ଆଲୋଚନା ଚାଲିଛି। ଯଦି ରାଜ୍ୟ ସଭାପତି ନିର୍ବାଚନ ଏବେ ହେବନାହିଁ, ତେବେ ରାଷ୍ଟ୍ରୀୟ ସଭାପତି ନିର୍ବାଚନରେ ଓଡ଼ିଶା ଭାଗ ନେଇପାରିବ ନାହିଁ। ଏପରିସ୍ଥଳେ ଦଳୀୟ କନ୍ଦଳ ଚାପ ଏଡ଼ାଇବା ଲାଗି କେନ୍ଦ୍ରୀୟ ନେତୃତ୍ବ ଓଡ଼ିଶାରେ ଏବେ ସଭାପତି ଚୟନ ନକରି ନୂଆ ରାଷ୍ଟ୍ରୀୟ ସଭାପତିଙ୍କ ଉପରେ ଛାଡ଼ି ପାରନ୍ତି। ଏମିତି ହେଲେ ଓଡ଼ିଶା ବିଜେପି ପାଇଁ ଅପମାନ ହେବ। ପ୍ରଥମ ଥର ଏକାକୀ ସରକାର କରିବା ପରେ ରାଷ୍ଟ୍ରୀୟ ସଭାପତି ଚୟନରେ ଓଡ଼ିଶା ସାମିଲ ହୋଇପାରିବନି।
ରାଷ୍ଟ୍ରୀୟ ସଭାପତି ନିର୍ବାଚନରେ ଭାଗ ନ ନେଇପାରେ ଓଡ଼ିଶା
ସବୁ ରାଜନୈତିକ ପଦପଦବି ଫାଙ୍କା ପଡ଼ିଛି, ଅସନ୍ତୋଷ ତେଜୁଛି
କେବଳ ରାଜ୍ୟ ସଭାପତି ନୁହେଁ, ସଂଗଠନ ମନ୍ତ୍ରୀ ସମେତ ସାଧାରଣ ସମ୍ପାଦକ, ଉପସଭାପତି ଭଳି ବହୁ ଗୁରୁତ୍ବପୂର୍ଣ୍ଣ ପଦପଦବି ମଧ୍ୟ ପୂରଣ ହେବା ବାକି ଅଛି। ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ, ବିଭିନ୍ନ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ, ବିଭିନ୍ନ ବୋର୍ଡର ସଭାପତି, ନିଗମର ଅଧ୍ୟକ୍ଷ ଭଳି ରାଜନୈତିକ ପଦପଦବିରେ ନିଯୁକ୍ତି ନେଇ ମଧ୍ୟ କିଛି ନିଷ୍ପତ୍ତି ହୋଇପାରୁନି। ଏସବୁ ନିଯୁକ୍ତିରେ ବିଳମ୍ବ ମଧ୍ୟ ଦଳୀୟ ଅନ୍ତଃକନ୍ଦଳକୁ ବହୁଗୁଣିତ କରୁଛି। ପ୍ରଥମ ଥର ପାଇଁ ରାଜ୍ୟରେ ବିଜେପି ଏକାକୀ ସରକାର କରିବା ନେଇ ଯେଉଁ ନେତାମାନେ ଉତ୍ସାହିତ ହୋଇ ପଡ଼ିଥିଲେ, ସେମାନେ ଏକପ୍ରକାରର ହତାଶ ହୋଇଗଲେଣି। ଯାହାକୁ ପଚାରିଲେ ଗୋଟିଏ ଉତ୍ତର ମିଳୁଛି; ଦଳରେ କ’ଣ ହେଉଛି ଆମକୁ ଆଉ ପଚାରନି। ଯେଉଁମାନେ ଏଇ ମାସରେ ରାଜ୍ୟ ସଭାପତି, ଦିନେ ଦୁଇଦିନରେ ନିଗମ, ବୋର୍ଡ ସଭାପତି ଘୋଷଣା ହୋଇଯିବ ଏକଦା କହୁଥିଲେ, ସେମାନେ ବି ମୁହଁ ଖୋଲୁନାହାନ୍ତି। ବଡ଼ କଥାଟି ହେଲା, ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଜିଲ୍ଲା ଯୋଜନା ବୋର୍ଡ ମାଧ୍ୟମରେ କାର୍ଯ୍ୟକାରୀ ହୋଇଥାଏ। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦବି ମଧ୍ୟ ଖାଲିପଡ଼ିଛି। ଫଳରେ ଯୋଜନା ପ୍ରସ୍ତୁତି ବାଟ ହୁଡ଼ିଲାଣି ଓ ସବୁଠି ବାବୁମାନଙ୍କ ଦବ୍ଦବା ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ, ଯୋଗାଣ ନିଗମ, ଓଟିଡିସି, ଖଦି ବୋର୍ଡ, କୃଷି ଶିଳ୍ପ ନିଗମ, ପଣ୍ୟାଗାର ନିଗମ, ଉଠାଜଳସେଚନ ନିଗମ ଭଳି ଗୁରୁତ୍ବପୂର୍ଣ୍ଣ ନିଗମରେ ଅଧ୍ୟକ୍ଷ ନିଯୁକ୍ତି ଦିଆଯାଉନଥିବାରୁ ସେଠାରେ ଏକପ୍ରକାରର ଅଚଳାବସ୍ଥା ସୃଷ୍ଟି ହେଲାଣି।
ସୂଚନାଯୋଗ୍ୟ, ଜାନୁଆରି ୨୦୨୩ରେ ବିଜେପି ରାଜ୍ୟ ସଭାପତିଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ସେତେବେଳେ ତତ୍କାଳୀନ ସଭାପତି ସମୀର ମହାନ୍ତିଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା। ହେଲେ ସେହି ବର୍ଷ ମାର୍ଚ୍ଚରେ ମନମୋହନ ସାମଲଙ୍କୁ ସଭାପତି ଭାବେ ନିଯୁକ୍ତି ଦିଆଗଲା। ଯେହେତୁ ସେ ନିର୍ବାଚିତ ହୋଇନାହାନ୍ତି, ଏଣୁ ତାଙ୍କ କାର୍ଯ୍ୟକାଳ ୩ ବର୍ଷିଆ ଧରାଯାଉ ନାହିଁ।