ଜିଲ୍ଲାରେ ଯୋଜନା କରୁଛି କିଏ ? ମନ୍ତ୍ରୀ କହିଲେ, ମୁଁ ବି ଅନ୍ଧାରରେ

ଜନପ୍ରତିନିଧିଙ୍କୁ ଅଣଦେଖା ଅଭିଯୋଗ, ଆଗକୁ ଏମିତି ହେବନି କହିଲେ ଜିଲ୍ଲାପାଳ

କୋରାପୁଟ : ଜିଲ୍ଲାରେ ଯୋଜନା ସବୁ କିଏ କରୁଛି ? କାହିଁ ଆମକୁ ତ ଦିନେ କେହି ପଚାରୁ ନାହାନ୍ତି। ଏପରିକି ଆମେ ଦେଉଥିବା ପ୍ରସ୍ତାବ ବି ଯୋଜନାରେ ରହୁନି। ଆମ କାମ ଯଦି ହେଉନି, ତେବେ କାହା ଇଙ୍ଗିତରେ ଏଠି କାମ ସବୁ ଚାଲିଛି ବୋଲି ପ୍ରଶ୍ନ କରିଛନ୍ତି ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ। ଆଜି କୋରାପୁଟ ଜିଲ୍ଲା ଯୋଜନା ବୋର୍ଡ ବୈଠକରେ ମନ୍ତ୍ରୀ ଏମିତି ଅସହାୟତା ପ୍ରକାଶ କରିବା ପରେ ଅନ୍ୟ ଜନ ପ୍ରତିନିଧି ମଧ୍ୟ ସମାନ ମତ ରଖିଥିଲେ। ବିଭିନ୍ନ ଯୋଜନା ପ୍ରସ୍ତୁତି ଓ ପ୍ରଣୟନ ସମୟରେ ଜନ ପ୍ରତିନିଧିଙ୍କୁ ଅଣଦେଖା କରାଯାଉଥିବା ସାଂଘାତିକ ଅଭିଯୋଗ ଆଣିଥିଲେ। ଶେଷରେ ଜିଲ୍ଳାପାଳ କହିଥିଲେ, ଆଗକୁ ଆଉ ଏମିତି ହେବନି।

ସଦଭାବନା ସଭାଗୃହରେ ଆଜି ଜିଲ୍ଲା ଯୋଜନା କମିଟି ବୈଠକ ବସିଥିଲା। କୋରାପୁଟ ସାଂସଦ ସପ୍ତଗିରି ଉଲାକା ଅଭିଯୋଗ କରିଥିଲେ, ଜିଲ୍ଲା ଯୋଜନା କମିଟି ଦ୍ବାରା ପ୍ରଦତ ଅର୍ଥ କେତେ ଖର୍ଚ୍ଚ କରାଯାଉଛି ତାହା ନିର୍ବାଚିତ ପ୍ରତିନିଧି ଜାଣି ପାରୁ ନାହାନ୍ତି। ଏପରିକି ସେ ଦେଇଥିବା ପ୍ରସ୍ତାବଗୁଡିକ କାର୍ଯ୍ୟକାରୀ କରାଯାଉ ନ ଥିବା ସେ ଅଭିଯୋଗ କରିଥିଲେ। ଏଥିରେ ତାଳ ଦେଇଥିଲେ ମନ୍ତ୍ରୀ ଦିଆନ। ତାଙ୍କ କୋଟପାଡ ନିର୍ବାଚନମଣ୍ତଳୀରେ କେତେ ଅର୍ଥ ଖର୍ଚ୍ଚ କରାଗଲା ତାହା ସେ ଜାଣିପରୁ ନ ଥିବା କହିଥିଲେ। ଏପରିକି ଯୋଜନା କରିବା ଆଗରୁ ତାଙ୍କୁ କେହି ପଚାରି ନାହାନ୍ତି କି ପରାମର୍ଶ ଲୋଡି ନାହାନ୍ତି। କେବଳ ବୈଠକ ହେଲେ ଯୋଜନା ସଂପର୍କରେ ଜଣାପଡୁଛି। ଏହା ପରେ କ’ଣ ହେଉଛି ସେଥିନେଇ ଜନପ୍ରତିନିଧିଙ୍କୁ ଅନ୍ଧାରରେ ରଖାଯାଉଛି। ଲକ୍ଷ୍ମୀପୁର ବିଧାୟକ ପ୍ରଭୂ ଜାନୀ ମଧ୍ୟ ଆଜି ବୈଠକରେ ବର୍ଷିଥିଲେ। ତାଙ୍କ ନିର୍ବାଚନମଣ୍ଡଳୀରେ ଉନ୍ନୟନମୂଳକ କାମ ସଂପର୍କରେ ତାଙ୍କୁ କେହି ଜଣାଉ ନ ଥିବା ନେଇ ସେ ବିଗିଡିଥିଲେ। ବିଭିନ୍ନ ଯୋଜନା ପ୍ରସ୍ତୁତ କରିବା ସମୟରେ ଜନ ପ୍ରତିନିଧିଙ୍କୁ ଉପେକ୍ଷା କରାଯାଉଥିବା ଏମିତି ମାଳ ମାଳ ଅଭିଯୋଗ ଆଜିର ବୈଠକକୁ ଗରମ କରିଥିଲା। ଏହାର ପୁନଃରାବୃତ୍ତି ହେବନି ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର କହିବା ସହ ଯୋଜନା ପ୍ରସ୍ତୁତି ସମୟରେ ଜନ ପ୍ରତିନିଧିଙ୍କ ମତାମତ ନିଆଯିବ ବୋଲି କହିଥିଲେ।

ପୁଣି ଜିଲ୍ଲାରେ ଟଙ୍କା ଖର୍ଚ୍ଚ ହୋଇ ନ ପାରିବା ନେଇ ଜନପ୍ରତିନିଧୀମାନେ ବିରକ୍ତି ପ୍ରକାଶ କରିଥିଲେ। ଜିଲ୍ଳାରେ ବିଭିନ୍ନ ଉନ୍ନୟନମୂଳକ କାମ ପାଇଁ ଟଙ୍କା ଆସୁଥିଲେ ମଧ୍ୟ କାମ ହୋଇ ପାରୁନି। ଏପଟେ ଲୋକେ ସମସ୍ୟା ଭିତରେ ରହୁଛନ୍ତି। ଗତ ଆର୍ଥିକ ବର୍ଷରେ ବ୍ୟୟ ଅଟକଳର ମାତ୍ର ୩୮ ପ୍ରତିଶତ ଟଙ୍କା ଖର୍ଚ୍ଚା ହୋଇଥିଲାବେଳେ କିଛି ବିଭାଗରେ ଖର୍ଚ୍ଚ ଅତ୍ୟଧିକ ନୈରାଶ୍ୟଜନକ। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଶତ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଥିବା ବେଳେ ପିଡବ୍ଲୁଡି ଡିଭିଜନ କୋରାପୁଟ ପ୍ଲାନ ସ୍କିମ(ଆରଡିପି)ରେ ୧୧୩ ପ୍ରତିଶତ ଓ ପ୍ଲାନ ସ୍କିମ (ଗୃହ)ରେ ମାତ୍ର ୩ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଥିବା ଜଣାପଡିଛି। ଜୟପୁର ଡିଏଫଓ ବନୀକରଣ ଓ ବନ୍ୟପ୍ରାଣୀ ସୁରକ୍ଷାରେ କ୍ଷେତ୍ରରେ ଶତ ପ୍ରତିଶତ ଏବଂ କୋରାପୁଟ ଡିଏଫଓ ୯୬ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଥିବା ଜଣାପଡିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ୨୩୪ କୋଟିରୁ ୧୪୦ କୋଟି, ପରିବହନ ବାବଦରେ ୧୩୨ କୋଟିରୁ ୩୬ କୋଟି, ସୁନାବେଡା ଜାତୀୟ ରାଜପଥ କାର୍ଯ୍ୟାଳୟ ୧୨୧ କୋଟିରୁ ମାତ୍ର ୭ କୋଟି, ପରିମଳ ପାଇଁ ୪୩୦ କୋଟିରୁ ୧୧୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହାକୁ ନେଇ ବୈଠକରେ ଉଦ୍ବେଗ ପ୍ରକାଶ ପାଇଥିଲା। ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ, ଗତବର୍ଷରେ ବନ ବିଭାଗ ଶତପ୍ରତିଶତ ଅର୍ଥ ଖର୍ଚ୍ଚ କରିଥିବା ଦର୍ଶାଯାଇଥିବା ବେଳେ କେଉଁଠି ଏହାକୁ ଖର୍ଚ୍ଚ କରାଗଲା ତାହା ଲୋକମାନେ ଜାଣିପାରୁ ନାହାନ୍ତି। ପ୍ରକୃତରେ କାମ ନ କରିକେବଳ ଅର୍ଥକୁ ହରିଲୁଟ କରାଯାଇଛି। ଏହି ସବୁ କାମର ତଦାରଖ ସହ ଯେଉଁ ବିଭାଗ କମ ଅର୍ଥ ଖର୍ଚ୍ଚ କରିଛନ୍ତି ସେହି ବିଭାଗର ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ସେ ଦାବି କରିଥିଲେ। ତେବେ କରୋନା କଟକଣା ପାଇଁ ଠିକ ଭାବେ ଅର୍ଥ ଖର୍ଚ୍ଚ କରାଯାଇ ପାରି ନ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଥିଲା।

ଏମିତି ଏକାଧିକ ପ୍ରସଙ୍ଗକୁ ନେଇ ଆଜିର ବୈଠକରେ ଜିଲ୍ଲାରେ ଜନପ୍ରତିନିଧିଙ୍କ ଅସହାୟତାକୁ ପଦାରେ ପକାଇ ଦେଇଥିଲା। ଜିଲ୍ଲାରେ ଅଧିକାରୀମାନଙ୍କ ମନମାନୀ ଚାଲିଥିବା ଓ ସେମାନେ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ମଧ୍ୟ ଗୁରୁତ୍ବ ଦେଉ ନ ଥିବା ଚର୍ଚ୍ଚା ହୋଇଥିଲା। ଆଗରୁ ବିରୋଧୀ ଦଳର ନେତାମାନେ ଏମିତି ଅଭିଯୋଗ ଆଣୁଥିଲାବେଳେ ଆଜି ଖୋଦ ଶାସକ ଦଳର ନେତାଙ୍କ ଏମିତି ଅଭିଯୋଗ ପ୍ରଶାସନକୁ ଅଡୁଆରେ ପକାଇ ଦେଇଛି।

ସମ୍ବନ୍ଧିତ ଖବର