କଟକ : ନକଲି ଔଷଧ କାରବାର ଜରିଆରେ ଲୋକଙ୍କ ଜୀବନ ସହ ଖେଳୁଥିବା ବ୍ୟବସାୟୀଙ୍କୁ ସୁରକ୍ଷା ଦେଉଛି କିଏ? ଗଲା କିଛିବର୍ଷ ଭିତରେ ଏଭଳି ଏକାଧିକ ସାଂଘାତିକ ଘଟଣା ସାମ୍ନାକୁ ଆସିଛି। କି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଉଭୟ ପୁଲିସ ଓ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ବିଫଳ ହୋଇଛନ୍ତି। ଗୋଟିଏ ଦୁର୍ବଳ ଭିତ୍ତିଭୂମି ଏବଂ ଅନ୍ୟପଟେ ଆନ୍ତରିକତାର ଅଭାବରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି।
ଗଲା ସେପ୍ଟେମ୍ବର ମାସରେ କଟକରେ ନକଲି ଉଚ୍ଚରକ୍ତଚାପ ଔଷଧ କାରବାର ଘଟଣା ଧରାପଡ଼ିଥିଲା। ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ଏହି ଘଟଣାରେ ୫ଜଣଙ୍କ ନାମରେ ମାମଲା ରୁଜୁ କରିଛି। ପୁଲିସ କଟକର ୨ଜଣଙ୍କୁ ଏବଂ ବାହାର ରାଜ୍ୟର ୨ଜଣଙ୍କୁ ଏହି ଘଟଣାରେ ଗିରଫ କରିଛି। ସେପଟେ ରାଜ୍ୟର କଟକ, ଭୁବନେଶ୍ବର, ବାଲେଶ୍ବର ଓ ଝାରସୁଗୁଡା ଆଦି ବିଭିନ୍ନ ଜିଲ୍ଲାକୁ ଯାଇଥିବା ୫୦ଲକ୍ଷରୁ ଅଧିକ ଟଙ୍କାର ଔଷଧକୁ ଫେରସ୍ତ ଅଣାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। କିନ୍ତୁ, ଏହି ଔଷଧ କାରବାରରେ ସଂପୃକ୍ତ ରାଜ୍ୟର ଅନ୍ୟ ରିଟେଲର ଓ ବ୍ୟବସାୟୀଙ୍କ ବିରୋଧରେ ଆଜିପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି। ଏଦିଗରେ ତଦନ୍ତ ବି ବିଶେଷ ଆଗେଇପାରିନି। ମାଣିକଘୋଷ ବଜାରସ୍ଥିତ ଭି.ଆର୍ ଡ୍ରଗ୍ ଏଜେନ୍ସିର ରାହୁଲ କୁମାର କ୍ୟାଲ୍ ଓ ଯାଉଁଳିଆପଟିସ୍ଥିତ ପୂଜା ଏଣ୍ଟରପ୍ରାଇଜର୍ସ ସଞ୍ଜୟ ଜଲାନ୍ଙ୍କୁ ପୁଲିସ ଗିରଫ କରିଛି। ନୟାସଡ଼କ ଓ ନିମଚୌଡ଼ି ଅଂଚଳରେ ଥିବା ୩ଟି ଔଷଧ ବିତରକ ସଂସ୍ଥା(ଏଜେନ୍ସି) ଉପରେ ବି ଏହି ଘଟଣାରେ ଚଢ଼ଉ କରାଯାଇ ୨୦ଲକ୍ଷ ଟଙ୍କାର ନକଲି ଉଚ୍ଚରକ୍ତଚାପ ଔଷଧ ଜବତ କରାଯାଇଛି। ମୋଟ ୫ଟି କମ୍ପାନି ନାମରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ଏସ୍ଡିଜେମ୍ଙ୍କ ଅଦାଲତରେ ମାମଲା ରୁଜୁ କରିବା ସହ ମାଣିକଘୋଷ ବଜାରସ୍ଥିତ ଭି.ଆର୍ ଡ୍ରଗ୍ ଏଜେନ୍ସି ଓ ଯାଉଁଳିଆପଟିସ୍ଥିତ ପୂଜା ଏଣ୍ଟରପ୍ରାଇଜର୍ସ ଲାଇସେନ୍ସ ବାତିଲ କରିଛନ୍ତି। ଅନ୍ୟ ୩ଟି ଏଜେନ୍ସି ଉପରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ମାସକ ପରେ ବି ତାହାର ତର୍ଜମା ଚାଲିଥିବା କୁହାଯାଉଛି।
ଶୀତଳଭଣ୍ଡାରରେ କୋଭିଡ୍ ନକଲି ଔଷଧ ମାମଲା
ମଣିଷ ଜୀବନ ପ୍ରତି ବିପଦ ସୃଷ୍ଟିକାରୀ ଔଷଧର କାରବାର ଉପରେ ତୁରନ୍ତ ଅଙ୍କୁଶ ଲଗାଇବା ଦିଗରେ କଠୋରେ ପଦକ୍ଷେପ ନିଆଯିବା ବଦଳରେ କର୍ମଚାରୀ ଅଭାବରୁ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ କେବଳ ଅଭିଯୋଗ ମିଳିଲେ ଚଢଉ କରୁଛି। ବିଭାଗର ନିଜସ୍ବ ଗୁଇନ୍ଦା ବ୍ୟବସ୍ଥା ନାହିଁ। ବିଭାଗ ପାଖରେ ଔଷଧ କାରବାର ସଂପର୍କିତ ତଥ୍ୟ ବି ନାହିଁ। ଆସିଷ୍ଟାଣ୍ଟ୍ ଡ୍ରଗ୍ସ କଣ୍ଟ୍ରୋଲର ତୁଷାର ରଞ୍ଜନ ପାଣିଗ୍ରାହୀ କହିବା ଅନୁଯାୟୀ ନକଲି ଉଚ୍ଚରକ୍ତଚାପ ଔଷଧ ଘଟଣାରେ ୫ଟି ଏଜେନ୍ସି ନାମରେ ଏସ୍ଡିଜେମ୍ଙ୍କ ଅଦାଲତରେ ମାମଲା ଦିଆଯାଇଛି। ଯେଉଁମାନଙ୍କଠାରୁ ମେଡିସିନ୍ ଫେରସ୍ତ ଅଣାଯାଇଛି, ସେମାନଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ନିୟମ ରହିଛି। ଏ ଦିଗରେ ଆଇନ ଅନୁସାରେ ପଦକ୍ଷେପ ନିଆଯାଉଛି। କିନ୍ତୁ, ଅନ୍ୟ ଯେଉଁ ଔଷଧ ସଂପର୍କରେ ନକଲି କୁହାଯାଇ ତାହାକୁ ପ୍ରଚାର କରାଯାଉଛି, ତାହା ମିଛ, ଲୋକେ ତାହାକୁ ବିଶ୍ବାସ ନ କରିବାକୁ ଶ୍ରୀ ପାଣିଗ୍ରାହୀ କହିଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ନକଲି ଉଚ୍ଚରକ୍ତଚାପ ଔଷଧକୁ ନେଇ ଏବେ ଚର୍ଚ୍ଚା ହେଉଥିବା ବେଳେ ମାତ୍ର ବର୍ଷକ ପୂର୍ବରୁ ଏହିଭଳି ଏକ ଘଟଣା ଘଟିଥିଲା। ୨୦୨୧, ଜୁନ ମାସରେ ନକଲି ଔଷଧ କାରବାର ନେଇ ରୁଜୁ ମାମଲାରେ ମେଡିଲୟେଡ ମେଡିକାମେଣ୍ଟ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ, ନିର୍ଦ୍ଦେଶକଙ୍କ ସମେତ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। କଂପାନି ଯୋଗାଉଥିବା କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ମିଳୁଥିବା ଜୀବନରକ୍ଷାକାରୀ ଔଷଧ ନକଲି ବୋଲି ଜଣା ପଡ଼ିଥିଲା। କ୍ରାଇମବ୍ରାଞ୍ଚ ଏସଟିଏଫ ତଦନ୍ତ କରି ପ୍ରାଥମିକ ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲା। କିନ୍ତୁ, ରହିତାଦେଶ ଯୋଗୁଁ ନିମ୍ନ ଅଦାଲତରେ ବିଚାରାଧୀନ ଏ ସଂପର୍କିତ ମାମଲାର ଶୁଣାଣି ଆଗେଇ ପାରୁନାହିଁ।