ମାନସଙ୍କୁ ସୁରକ୍ଷା ଦେଉଛି କିଏ?

ହତ୍ୟା, ଅପହରଣ, ଆକ୍ରମଣ ଭଳି ଅନେକ ମାମଲା, ବ୍ରାଉନ୍‌ସୁଗାର୍‌ କାରବାରରେ ମାନବବାଦୀ ସଂଗଠନ

ଖୋର୍ଦ୍ଧା : ବହୁ ଅଭିଯୋଗ, ଥାନାରେ ଏକାଧିକ ଏତଲା ଓ ଅନେକ ତଥ୍ୟ ପ୍ରମାଣ ଥାଇ ବି ମାନବବାଦୀ ସଂଗଠନର ମୁଖିଆ ଓରଫ ଓକିଲ ବାବୁ ଓରଫ ଗୁରୁଜୀ ମାନସ ଦାସଙ୍କୁ ପୁଲିସ ଏପର୍ଯ୍ୟନ୍ତ ଗିରଫ କରିନାହିଁ। ଗତ ଦଶନ୍ଧି ଧରି ମାନସଙ୍କ ସଂଗଠନ ମାନବସେବା ନାମରେ ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ, ଆକ୍ରମଣ ଭଳି ଏକାଧିକ ସାଂଘାତିକ ଅପରାଧିକ ମାମଲାରେ ଜଡ଼ିତ ଥିଲେ ବି ସମସ୍ତେ ଚୁପ୍‌। ଏପରିକି ସଂଗଠନ ବ୍ରାଉନ୍‌ସୁଗାର୍‌ ଭଳି ନିଶା ବେପାରରେ ଜଡ଼ିତ ଥିବା ଗୁରୁତର ଅଭିଯୋଗ ଆସିଛି। ସଂଗଠନର ନିର୍ଯାତନା ସହି ନ ପାରି ୬ ପରିବାର ଗାଁ ଛାଡ଼ି ପଳାଇଥିବା ଜଣାପଡ଼ିଛି।

ମାନବାଦୀ ସଂଗଠନ ନିରୀହ ଆଦିବାସୀଙ୍କୁ ସହାୟତା ନାମରେ ଶୋଷଣ କରୁଥିଲା। ମହିଳାଙ୍କୁ ସାମାଜିକ ସୁରକ୍ଷା ନାମରେ ଶଙ୍ଖା-ସିନ୍ଦୂର ପିନ୍ଧିବାକୁ ବାରଣ କରୁଥିଲା। ସଂସ୍କାର ନାମରେ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ଭାଙ୍ଗିବା, ଘରେ ପୂଜା କରୁଥିବା ସଅର ସମ୍ପ୍ରଦାୟଙ୍କୁ କଙ୍ଗାରୁ କୋର୍ଟରେ ନିର୍ଯାତନା ଦିଆଯାଉଥିଲା। ମାସିକ ବଟି ନଦେଲେ ଗାଁରୁ ବାସନ୍ଦ କରିବା ଭଳି ଅମାନବୀୟ କାର୍ଯ୍ୟ ଗତ ଦଶନ୍ଧି ଧରି ମାନସ ଦାସ ଓ ତା’ର ସଂଗଠନ ରାଷ୍ଟ୍ରୀୟ ସାମାଜିକ ନ୍ୟାୟମଞ୍ଚ କରୁଥିଲା। ଏନେଇ ଏକାଧିକ ଅଭିଯୋଗ ପୁଲିସ ନିକଟରେ ଦିଆଯାଇଥିଲେ ମଧ୍ୟ ଏସ୍‌ପି ଏଭଳି କିଛି ଅଭିଯୋଗ ମିଳିନାହିଁ ବୋଲି କହୁଛନ୍ତି। ଅଗଷ୍ଟ ୨ ତାରିଖରେ ସଅର ଯୁବକ ସତ୍ୟବ୍ରତ ନାୟକଙ୍କୁ ସଂଗଠନରୁ ଦୂରେଇ ଯିବାକୁ କେନ୍ଦ୍ରକରି କଙ୍ଗାରୁ କୋର୍ଟରେ ଦଣ୍ତିତ କରିବା ଓ ପରେ ହତ୍ୟାକରି ପୋଡ଼ି ଦେବା ଘଟଣା ଘଟିଥିଲା। ‌ଏହାପରେ ଅଗଷ୍ଟ ୯ ତାରିଖରେ ଭୂମିପୁତ୍ର ସ୍ବାଭିମାନ ମଂଚ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜ କିଶୋର ଦୋରାଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ଏଥିରେ ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ, ଆକ୍ରମଣ ଭଳି ଏକାଧିକ ସାଂଘାତିକ ଅପରାଧିକ ମାମଲାରେ ମାନବବାଦୀ ସଂଗଠନ ଓ ଏହାର ମୁଖିଆ ମାନସ ଦାସ ଜଡ଼ିତ ବୋଲି ଦର୍ଶାଯାଇଥିଲା। ଏହାର ଦୁଇଦିନ ପରେ ନୀଳମାଧବ ଆଦିବାସୀ ସଂଗଠନ ମଧ୍ୟ ଏନେଇ ଆରକ୍ଷୀ ଅଧୀକ୍ଷକଙ୍କ ଠାରେ ଅନେକ ସମ୍ବେଦନଶୀଳ ଘଟଣାରେ ମାନବବାଦ ସଂଗଠନ ଓ ମାନସ ଦାସର ସମ୍ପୃକ୍ତି ସମ୍ପର୍କରେ ଲିଖିତ ଭାବେ ଜଣାଇଥିଲେ। ଏଥିରେ ଚୋଡ଼ିପାଳଙ୍ଗରେ ମାନବବାଦ ଓ ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚର ଆତଙ୍କ, ବେଗୁନିଆ ଗୋଡ଼ିପାଟଣା ହତ୍ୟା ମାମଲା, ରଣପୁର ମୟୁରଝାଲିଆ ଆକ୍ରମଣ, ଦଧିମାଛ ଗାଡ଼ିଆ ଲାଲା ପ୍ରଧାନ ହତ୍ୟାକାଣ୍ତରେ ମାନସ ଦାସର ସଂପୃକ୍ତି କଥା ଦର୍ଶାଇଛନ୍ତି।


ଦଧିମାଛଗାଡ଼ିଆରେ ଦଳିତ ଆଦିବାସୀ ସଂପ୍ରଦାୟର ଜଣେ ଯୁବକ ଲାଲା ପ୍ରଧାନର ହତ୍ୟାକାଣ୍ତ ଘଟଣାରେ ମାନସ ଦାସ ସମ୍ପୃକ୍ତ ଥିବା ଖୋଦ୍‌ ସଂଗଠନର ଜଣେ ସଦସ୍ୟ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଦଧିମାଛଗାଡ଼ିଆ ଅଞ୍ଚଳରେ ମାନସ ଦାସର ପ୍ରମୁଖ ହାତବାରିସି ଥିଲା ଲାଲା ପ୍ରଧାନ। ସେ ଲାଲା ପ୍ରଧାନକୁ ବ୍ୟବହାର କରି ଅଞ୍ଚଳରେ ଦାଦାବଟି ଆଦାୟ କରିବା ଠାରୁ ଆରମ୍ଭ କରି ବ୍ରାଉନ୍‌ସୁଗାର କାରବାର କରୁଥିଲା। ଚଳିତବର୍ଷ ଦଧିମାଛଗାଡ଼ିଆ ଲାଲା ପ୍ରଧାନ ହତ୍ୟାକାଣ୍ତର ତଦନ୍ତରେ ପୁଲିସ ମନୋରଂଜନ ସାହୁ ନାମକ ଜଣେ ଯୁବକଙ୍କ ସହ ୩ଜଣଙ୍କୁ ଗିରଫ କରିବା ସହ ରେକର୍ଡ ପରିମାଣ ୩ କିଲୋଗ୍ରାମ ୬୦୨ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିଥିଲା। ଏହି ସମୟରେ ଲାଲା ପ୍ରଧାନର ହତ୍ୟା ଅଞ୍ଚଳରେ ଚାଲୁଥିବା ବ୍ରାଉନ୍‌ସୁଗାର କାରବାରକୁ ନେଇ ହୋଇଥିବା ସ୍ପଷ୍ଟ ହୋଇଥିଲା। ଏହି ସମସ୍ତ ତଥ୍ୟ ଓ ଲିଖିତ ଅଭିଯୋଗ ପୁଲିସ ନିକଟରେ ରହିଥିଲେ ମଧ୍ୟ ପୁଲିସ କାହିଁକି ମାନସ ଦାସ ଓ ତା’ର ମାନବବାଦୀ ସଂଗଠନକୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛନ୍ତି, ତାହା ରହସ୍ୟମୟ ମନେହେଉଛି।

ଏତେ ତଥ୍ୟ ପ୍ରମାଣ ସତ୍ତ୍ବେ ପୁଲିସ କାହିଁକି ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଡରୁଛି? ମାନସକୁ ସୁରକ୍ଷା କିଏ ଦେଉଛି? କାହା ଚାପରେ ପୁଲିସ ଚୁପ୍ ବସିଛି? କ୍ଷମତାସୀନ ଦଳର ଅନେକ ନେତାଙ୍କ ସହିତ ସଂପର୍କ ଯୋଗୁଁ ପୁଲିସ ଡରୁଛି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର