ଭୁବନେଶ୍ବର: ପ୍ରକାଶ ପାଇଛି ଯୁକ୍ତ୨ ବିଜ୍ଞାନ ପରୀକ୍ଷା ଫଳ। କମିଛି ପାସ୍ହାର। ମେଧାବୀଙ୍କ ସଂଖ୍ୟା କିଛିଟା ବଢ଼ିଥିଲେ ମଧ୍ୟ ଆଖିଦୃଶିଆ ହୋଇପାରି ନାହିଁ। ଗୋଟିଏ ପଟେ ସିବିଏସ୍ଇ ଓ ଆଇସିଏସ୍ଇ ବୋର୍ଡର ପାସ୍ହାର ପ୍ରତିବର୍ଷ ବଢ଼ୁଥିବା ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନ କଲେଜଗୁଡ଼ିକର ପାସ୍ହାର ହ୍ରାସ ପାଇବାରେ ଲାଗିଛି। ସିସିଟିଭି ଲଗାଇବା, କପି ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଦ୍ବାରା ପାସ୍ହାର କମିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି। ତେବେ କେବଳ ଯେ ସିସିଟିଭି ଲଗାଯିବା ଦ୍ବାରା ପାସ୍ହାର କମିଛି କହିବାକୁ ଶିକ୍ଷାବିତ୍ମାନେ ସହଜରେ ଗ୍ରହଣ କରିପାରି ନାହାନ୍ତି। ଶିକ୍ଷାନୁଷ୍ଠାନର ଭିତ୍ତିଭୂମି, ଅଧ୍ୟାପକଙ୍କ ଅଭାବ, ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ଅବହେଳା କରାଯାଉଥିବା ଶିକ୍ଷକ ନେତାମାନେ ମତପ୍ରକାଶ କରିଛନ୍ତି।
କାମ ଦେଉନି ସିବିଏସ୍ଇ ପାଠ୍ୟକ୍ରମ ନକଲ ଢାଞ୍ଚା
କୁଆଡ଼େ ଗଲା ଶିକ୍ଷାବିତ୍ଙ୍କ ସଂସ୍କାର ରିପୋର୍ଟ
ସବୁଠାରୁ ବଡ଼ କଥା ହେଉଛି ଓଡ଼ିଶାର ଯୁକ୍ତ୨ ଛାତ୍ରଛାତ୍ରୀଙ୍କୁ ସିବିଏସ୍ଇ ଅଧୀନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ସମକକ୍ଷ କରିବା ଲାଗି ୨୦୧୬ରେ ପାଠ୍ୟକ୍ରମକୁ ସିବିଏସ୍ଇ ଢାଞ୍ଚାରେ ପ୍ରସ୍ତୁତ କରାଯାଇଥିଲା। ସେହି ଅନୁଯାୟୀ ସିଲାବସ୍ ହୋଇଥିଲା। ପରୀକ୍ଷାରେ ପ୍ରଶ୍ନପତ୍ର ବି ସମାନ ଢାଞ୍ଚାରେ ହୋଇଥିଲା। ତା’ ପରେ ବି ପାସ୍ହାର କମିଚାଲିଛି। ଗତବର୍ଷ ରେଜଲ୍ଟ ପ୍ରକାଶ ପାଇବା ବେଳେ ସେତେବେଳେର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଥିଲେ ପରୀକ୍ଷାର୍ଥୀ ଖାତାରେ ଯେଉଁଭଳି ଉତ୍ତର ଲେଖିଥିଲେ ସେଭଳି ମାର୍କ ମିଳିଛି। ପରୀକ୍ଷା ପରିଚାଳନା ଓ ଉତ୍ତର ଖାତା ମୂଲ୍ୟାୟନରେ ବି ତ୍ରୁଟି ହୋଇନି। କପି ରୋକିବା ଦିଗରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଥିବାରୁ ପାସ୍ହାର କମିଛି। ବର୍ଷକ ପରେ ନୂଆ ଦାୟିତ୍ବ ନେଇଥିବା ମନ୍ତ୍ରୀ ଶ୍ରୀ ଦାସ ମଧ୍ୟ ସମାନ ଉତ୍ତର ଦେଇଛନ୍ତି। ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିବା ସହ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି ହେବାରୁ ପାସ୍ହାର କମିଛି। ସରକାରୀ କଲେଜଗୁଡ଼ିକର ନୈରାଶ୍ୟଜନକ ପ୍ରଦର୍ଶନ ନେଇ ସେ କୌଣସି ମତ ରଖି ନ ଥିଲେ। ବର˚ କହିଥିଲେ ସମୀକ୍ଷା କରାଯିବ। କେବେ ସମୀକ୍ଷା ହେବ? କେଉଁଭଳି ସମୀକ୍ଷା କରାଯିବ? ସେନେଇ କିଛି କହି ନଥିଲେ।
ମନ୍ତ୍ରୀଙ୍କ ବକ୍ତବ୍ୟକୁ ନେଇ ଶିକ୍ଷାବିତ୍ମାନେ ପ୍ରଶ୍ନ ଉଠାଇଛନ୍ତି। ଶିକ୍ଷାବିତ୍ ଶରତ ପଣ୍ଡା କହିଛନ୍ତି ଯଦି ସିସିଟିଭି ଯୋଗୁ କମିଛି ତେବେ ପ୍ରତିବର୍ଷ କ’ଣ କପି ହେଉଥିଲା? ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ଯାଉ ନଥିଲା? ଅଧ୍ୟାପକମାନେ କ’ଣ କ୍ଲାସ କରୁନାହାନ୍ତି? କେବଳ କପି କରି ପିଲାମାନେ ପାସ୍ କରୁଛନ୍ତି କି? ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଭିଭାବକଙ୍କୁ ମୋହରା କରିବା ଠିକ୍ ନୁହେଁ। ସମୀକ୍ଷା କରାଯାଉ। ପ୍ରତିବର୍ଷ ୨୦ରୁ ୩୦ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ) ଖୋଲିଦେଲେ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ହୋଇଯିବ ନାହିଁ। ବରଂ ଯେଉଁ କଲେଜ ରହିଛି ସେଠାରେ କିଭଳି ଗୁଣାତ୍ମକ ଶିକ୍ଷା ଦିଆଯାଇପାରିବ, ପାଠପଢ଼ା ନିୟମିତ ହେବ, ଖାଲିଥିବା ଅଧ୍ୟାପକ ପଦବି ପୂରଣ ହେବ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ। ୪ ବର୍ଷ ତଳେ ଶିକ୍ଷାବିତ୍ମାନଙ୍କ ଦ୍ବାରା ପ୍ରସ୍ତୁତ ସଂସ୍କାର ରିପୋର୍ଟ କୁଆଡ଼େ ଗଲା? ଏପର୍ଯ୍ୟନ୍ତ ଯୁକ୍ତ୩ ଓ ଯୁକ୍ତ୨ କଲେଜ ଅଲଗା ହୋଇପାରିଲାନି କାହିଁକି? ମନ୍ତ୍ରୀ ଏହାର ସମୀକ୍ଷା କରନ୍ତୁ। ୬୬୨ ବେସରକାରୀ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘର ସଭାପତି ଗୋଲକ ନାୟକ କହିଛନ୍ତି ଓଡ଼ିଶାର ପିଲାମାନେ ଓ ଶିକ୍ଷକମାନେ କ’ଣ କେବଳ କପି କରି ପାସ୍ କରନ୍ତି? ମାର ମାର ଭଣ୍ଡାରିଆକୁ ମାର ନୀତିରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ବଦନାମ କରାଯାଉଛି। କେବଳ କାମଚଳା ଦାୟିତ୍ବ ନିଭାଇବାକୁ ଯାଇ ଦି ପଦ କହିଦେଲେ ହେବ ନାହିଁ। ବରଂ ଏହାର ମୂଳକୁ ଯାଇ ସମାଧାନ କରିବାକୁ ହେବ। ଏଥର ଗଣଶିକ୍ଷା ଓ ଉଚ୍ଚଶିକ୍ଷାର ଦୁଇ ଜଣ ମନ୍ତ୍ରୀ ଯୁବକ ଓ ଉଚ୍ଚଶିକ୍ଷିତ। ଦୁଇ ଜଣ ଛାତ୍ର ରାଜନୀତିରୁ ଆସି ମନ୍ତ୍ରୀ ହୋଇଛନ୍ତି। ସେମାନେ ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ କଥା ସଠିକ୍ ଭାବେ ବୁଝି ସୁଧାରିଲେ ଆଗାମୀ ପିଢ଼ି ଖୁସିରେ ରହିବେ। ନଚେତ ଗୋଡ଼ ଟଣାଟଣି ଭିତରେ ସମୟ ଗଡ଼ିଯିବ ସିନା ମୂଳ କଥାର ସମାଧାନ ହୋଇପାରିବ ନାହିଁ।