ରାୟଗଡା : ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିବା ୪ ହାତୀ ପ୍ରକୃତରେ କେଉଁ ରାଜ୍ୟର? ଆନ୍ଧ୍ରର ନା ଓଡ଼ିଶା? ଗତକାଲି ଆନ୍ଧ୍ରର ପାର୍ବତୀପୁରମ ମାନ୍ୟମ ଡିଏଫ୍‌ଓ ଜି.ଏ.ପି ପ୍ରସାନ୍ନା ଏହି ୪ହାତୀ ଓଡ଼ିଶାରୁ ଆସିଥିବା କହିଥିବା ବେଳେ ରାୟଗଡ଼ା ଡିଏଫ୍‌ଓ ବିଜୟ କୁମାର ପରିଡ଼ା ଭିନ୍ନ ମତ ଦେଇଛନ୍ତି। ହାତୀ କୌଣସି ସୀମା ମଧ୍ୟରେ ଆବଦ୍ଧ ହୋଇ ରହିନଥାନ୍ତି। ମୁକ୍ତ ହୋଇ ବୁଲନ୍ତି, ଯେଉଁଠି ପର୍ଯ୍ୟାପ୍ତ ଖାଦ୍ୟ ମିଳେ ସେଠାରେ କିଛିଦିନ ରହିବାପରେ ପୁଣି ନୂଆ ସ୍ଥାନ ସନ୍ଧାନ କରନ୍ତି। ହେଲେ, ହାତୀ ସୁରକ୍ଷା ପାଇଁ ଆନ୍ଧ୍ରର ବନବିଭାଗ କ'ଣ ପଦକ୍ଷେପ ନେଇଥିଲା ବୋଲି ପ୍ରଶ୍ନ କରିଛନ୍ତି।

Advertisment

publive-image

ଶୁକ୍ରବାର ଦିନ ଓଡ଼ିଶା-ଆନ୍ଧ୍ର ସୀମାନ୍ତ କଟ୍ରାଗଡ଼ା ଗାଁରେ ମୃତ୍ୟୁବରଣ କରିଥିବା ହାତୀ ମଧ୍ୟ ପ୍ରାୟ ୪ମାସ ତଳେ ଓଡ଼ିଶା ସୀମାରେ ରହିଥିଲେ। କ୍ଷୟକ୍ଷତି କରିଥିଲେ ସୁଦ୍ଧା ଓଡ଼ିଶା ବନ ବିଭାଗ ସେମାନଙ୍କୁ ସଂପୂର୍ଣ୍ଣ ସୁରକ୍ଷା ଯୋଗାଇ ଦେଇଥିଲା ବୋଲି ଶନିବାର ଦିନ ରାୟଗଡ଼ା ଡିଏଫ୍‌ଓ ଶ୍ରୀ ପରିଡ଼ା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶା ସୀମା ଛାଡ଼ି ହାତୀପଲ ଆନ୍ଧ୍ରରେ ପ୍ରବେଶ କରିବା ପରେ ସଂପୂର୍ଣ୍ଣ ଦାୟିତ୍ବ ଆନ୍ଧ୍ର ବନ ବିଭାଗର ରହିଥିଲା। ଖାଦ୍ୟ ସନ୍ଧାନରେ ହାତୀ ଆନ୍ଧ୍ର ଜଙ୍ଗଲରେ ବୁଲାବୁଲି କରୁଥିବା ନେଇ ମଧ୍ୟ ସେଠାକାର ବନ ବିଭାଗ କର୍ମଚାରୀ ଭଲ ରୂପେ ଏବଂ ବହୁପୂର୍ବରୁ ଜାଣିଥିଲେ। ତଥାପି ଗତିବିଧି ଉପରେ ଆଦୌ ନଜର ନଥିଲା କିମ୍ବା ସୁରକ୍ଷା ନିମନ୍ତେ କୌଣସି ପଦକ୍ଷେପ ନେଇନଥିଲେ। ଆନ୍ଧ୍ରରୁ ହିଁ ଏହି ହାତୀପଲ ଗତଦିନରେ ଓଡ଼ିଶାକୁ ଆସିଥିଲେ। ତେଣୁ କିଛିଦିନ ଏଠାରେ ରହିବା ପରେ ପୁଣି ଆନ୍ଧ୍ରକୁ ଚାଲିଯାଇଥିଲେ। ହାତୀପଲ ଆଦୌ ଓଡ଼ିଶାର ନଥିଲେ ବୋଲି ରାୟଗଡ଼ା ଡିଏଫ୍‌ଓ ଆଜି ସ୍ପଷ୍ଟ କରିଛନ୍ତି।

ସେହିପରି, ତଦନ୍ତ କରିବା ପୂର୍ବରୁ ହିଁ ହାତୀ ଓଡ଼ିଶାର ବୋଲି କେମିତି ପାର୍ବତୀପୁରମ ମାନ୍ୟମ ଡିଏଫ୍‌ଓ ଉତ୍ତର ଦେଲେ ବୋଲି ପରିବେଶବିତ୍‌ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।