ଗଂଜେଇ ଜବତ ମାମଲାରେ କିଏ ସତ? ଅବକାରୀ ପୁଲିସ କହୁଛି ୩୨ କେଜି, ଗାଁ ଲୋକେ କହୁଛନ୍ତି ୧ କ୍ବିଣ୍ଟାଲ

ସୁନ୍ଦରଗଡ଼/ସବଡେଗା: ଶୁକ୍ରବାର ତଳସରା ଥାନା ସବଡେଗା ନିକଟ ରାଶିପତ୍ରାର ଗଂଜେଇ ବେପାରୀ ବିଶିକେସନ ଶତପଥିଙ୍କ ଘରୁ ଓ ତାଙ୍କ କାରରୁ ଅବକାରୀ ବିଭାଗ ଗଂଜେଇ ଜବତ କରିଥିଲା। ଚଢ଼ାଉ ସମୟରେ ସେଠାରେ ଉପସ୍ଥିତ ଥିବା ବିଶିକେସନଙ୍କ ପୁଅ ପରେ ଫେରାର ମାରିଥିଲା। ଏହା ପରେ  ସ୍ତ୍ରୀ ପ୍ରାଣେଶ୍ବରୀଙ୍କୁ  ଉଠାଇ ଆଣିଥିଲା ଅବକାରୀ ଟିମ୍। ଶନିବାର ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ପୂର୍ବରୁ ବିଶିକେସନ ଗଂଜେଇ ଚାଲାଣ ଅଭିଯୋଗରେ ଗିରଫ ହୋଇ ୬ ମାସ ହେଲା ଜେଲରେ।  ତେବେ ଜବତ ଗଂଜେଇର ପରିମାଣ ଓ ତା’ ପଛର ଘଟଣାକ୍ରମ ଭିନ୍ନ ଚର୍ଚ୍ଚା ସୃଷ୍ଟି କରିଛି।

ଅବକାରୀ ବିଭାଗ ୩୨ କେଜି ଗଂଜେଇ ଜବତ କରିଥିବା କହୁଛନ୍ତି। କିନ୍ତୁ ଇଣ୍ଡିଗୋ କାର୍ ଡିକିରୁ ୨ ବସ୍ତା ଓ ପଛ ସିଟରୁ ୨ ବସ୍ତା ଓ ଘରୁ କିଛି ଏପରି ପ୍ରାୟ ୧ କ୍ବିଣ୍ଟାଲ ଗଂଜେଇ ଅବକାରୀ ପୁଲିସ ନେଇଥିବା ଗାଁ ଲୋକେ କହୁଛନ୍ତି। ହେଲେ ଏହାକୁ ଅସ୍ବୀକାର କରିଛି ବିଭାଗ। କେବଳ କାର୍ ଡିକିରୁ  ୩୨ କେଜି ଜବତ ହୋଇଥିବା ବିଭାଗର ଜଣେ ଅଧିକାରୀ କହିଛନ୍ତି। ଇଣ୍ଡିଗୋର ପଛ ସିଟରୁ ୨ଟି  ଭରା ବସ୍ତା ଜବତ କରାଯାଇଥିବା ସମ୍ପର୍କରେ ତାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ପ୍ରଥମେ ମନା କରିଥିଲେ ମଧ୍ୟ ପରେ ତାହା ଖାଲି ବସ୍ତା ଗୁଡ଼ାଇ ରଖା ଯାଇଥିଲା ବୋଲି କହିଥିଲେ। ତେବେ ଗାଁ ଲୋକେ ଚଢ଼ାଉ ସମୟରେ ଉତ୍ତୋଳନ କରିଥିବା   ଭିଡିଓ ଚିତ୍ର ସାମାଜିକ ଗଣମାଧ୍ୟମରେ ଛାଡ଼ି ବିଭାଗର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି।

ଚିତ୍ରରେ ଅବକାରୀ ପୁଲିସ  ଅଭିଯୁକ୍ତଙ୍କ କାର୍ ଡିକିରୁ ୨ ବସ୍ତା ଗଂଜେଇ ବାହାର କରୁଥିବା ବେଳେ ଓ କାରର  ପଛ ସିଟରେ ଥିବା   ୨ଟି   ଭରା ବସ୍ତା  ବାହାର କରୁଥିବା ଦେଖାଯାଇଛି। ଅନ୍ୟପଟେ ଚଢ଼ଉ ସମୟରେ ଗାଁର ଜଣେ ଯୁବକ ଭିଡିଓ ଉତ୍ତୋଳନ କରୁଥିବା ବେଳେ ଅବକାରୀ ଟିମର ଜଣେ ସଦସ୍ୟ ମୋବାଇଲ୍ ଛଡ଼ାଇ ନେଇ ଭିଡିଓ ସବୁ ଡିଲେଟ୍ କରି ଦେଇଥିଲେ। ଅବଶ୍ୟ ପରେ ସଫ୍ଟୱେର ଇଞ୍ଜିନିୟରଙ୍କ ସହାୟତାରେ ଭିଡିଓକୁ ପୁଣି ବାହାର କରାଯାଇଥିବା ଓ ଜିଲ୍ଲାପାଳଙ୍କୁ ପଠାଯାଇଥିବା ଗାଁ ଲୋକେ କହିଛନ୍ତି। ଏବେ ଚର୍ଚ୍ଚା ଜୋର୍ କିଏ ସତ କହୁଛନ୍ତି, ଗାଁ ଲୋକେ ନା ଅବକାରୀ ବିଭାଗ। ସୂଚନାଯୋଗ୍ୟ,  ଜେଲରେ ଥିବା ରାଶିପତ୍ରାର ବିଶିକେସନ ଶତପଥିଙ୍କ ଘରେ ଗଂଜେଇ କାରବାର ଚାଲୁଥିବା ଓ କାରରେ ବୋଝେଇ କରିଥିବା  ନେଇ କେହି ଜଣେ  ଜିଲ୍ଲାପାଳଙ୍କୁ ସୂଚନା ଦେଇଥିଲେ। ସୂଚନା ପାଇବା ପରେ ତୁରନ୍ତ ଚଢ଼ଉ କରିବାକୁ ଜିଲ୍ଲାପାଳ ଅବକାରୀ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।

ନିର୍ଦ୍ଦେଶ ମୁତାବକ ସୁନ୍ଦରଗଡ଼ ଅବକାରୀ ଟିମ୍ ରାଶିପତ୍ରା ଯାଇ ବିଶିକେସନଙ୍କ ଘରେ ଚଢ଼ଉ  କରି ୪ କେଜି ଗଂଜେଇ ଜବତ କରିଥିଲା। ଏହି ସମୟରେ ଗାଁ ଲୋକେ କାରରେ ଗଂଜେଇ ଥିବା କହିଥିଲେ।  ଟିମ୍ କାରରୁ ମଧ୍ୟ ୪ ବସ୍ତା ଗଂଜେଇ ଜବତ କରିଥିଲା। ଏହା ପରେ ଅତି ରହସ୍ୟଜନକ ଭାବେ ବିଶିକେସନଙ୍କ ପୁଅ ସେଠାରୁ ଉଭାନ ହୋଇଯାଇଥିଲା। ତେବେ ବିଶିକେସନଙ୍କ ପୁଅ ଫେରାର ମାରିବା ଓ ୪ ବସ୍ତା ଗଂଜେଇ ଜବତ କରି  ମାତ୍ର  ୩୨ କେଜି  ଗଂଜେଇ ଦର୍ଶାଇବାକୁ ନେଇ ଗାଁ ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି। ଏହାର ସଠିକ ତଦନ୍ତ କରି  ସତ୍ୟ ସାମ୍ନାକୁ ଆଣିବା ପାଇଁ ଗାଁ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର