ବାଲୁଗାଁ/ବାଣପୁର/ଖୋର୍ଦ୍ଧା/ତୁମୁଡ଼ିବନ୍ଧ : ‘‘ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ତାରର ଅସଲି ଚାବି କିଭଳି ହଜିଲା? କାହିଁକି ହଜିଲା? ରତ୍ନଭଣ୍ତାରର ଚାବି କେଉଁଠି ଅଛି ନବୀନ ବାବୁଙ୍କୁ ଜଣାନାହିଁ। ସେ ଏହାର ଏକ ନକଲି ଚାବି ସାଥୀରେ ଧରି ବୁଲୁଛନ୍ତି। ମୋତେ ଜଣାପଡ଼ୁନାହିଁ ଓଡ଼ିଶାରେ ସରକାର କିଏ ଚଳାଉଛି। ଅରିଜିନାଲ୍ ଚଳାଉଛନ୍ତି ନା ଆଉ କିଏ? ’ ଆଜି ଓଡ଼ିଶା ଗସ୍ତ ଅବସରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ରାଜ୍ୟ ସରକାରଙ୍କୁ ଏମିତି ଭର୍ତ୍ସନା କରିଛନ୍ତି।

Advertisment

କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀର ତୁମୁଡ଼ିବନ୍ଧ ମିନି ଷ୍ଟାଡିୟମ୍‌ ଓ ପୁରୀ ଲୋକସଭା ନିର୍ବାଚନମଣ୍ଡଳୀର ବାଣପୁର ପଲଟନ ପଡ଼ିଆରେ ପୃଥକ ପୃଥକ ସାଧାରଣ ସଭାକୁ ସମ୍ବୋଧନ କରିବା ଅବସରରେ ଶ୍ରୀ ନଡ୍ଡା ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ କଡ଼ା ସମାଲୋଚନା କରିଥିଲେ। ସେ କହିଥିଲେ, ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋ ତଥ୍ୟ ଅନୁଯାୟୀ ମହିଳାଙ୍କ ଉପରେ ବିଶେଷତଃ ଆଦିବାସୀ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ିଛି। ଏଠାରେ ପୁଲିସ ରକ୍ଷକ ନ ହୋଇ ଭକ୍ଷକ ସାଜିଛି। କେହି ଏଠାରେ ସୁରକ୍ଷିତ ନୁହନ୍ତି। ଓଡ଼ିଶାରେ ରାଜନୀତିରେ ଅପରାଧୀକରଣ ଚରମ ସୀମାରେ ପହଞ୍ଚିଛି। ସେହିପରି ରାଜ୍ୟ ସରକାର ନିଜର କୌଣସି ପ୍ରତିଶ୍ରୁତି ରକ୍ଷା କରୁନାହାନ୍ତି। ନୂଆ ଓଡ଼ିଆ ବିଶ୍ବବିଦ୍ୟାଳୟ ଘୋଷଣାକୁ ୪ ବର୍ଷ ପୂରଣ ହୋଇଥିଲେ ବି ତାହା ସମ୍ଭବ ହୋଇପାରିଲା ନାହିଁ। ନୟାଗଡ଼ସ୍ଥିତ ଚିନିକଳକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଘୋଷଣା ହୋଇଥିଲେ ବି ତାହା କାର୍ଯ୍ୟକାରୀ ହୋଇନି। କେନ୍ଦ୍ର ସରକାରଙ୍କ ଅନେକ ଯୋଜନାକୁ ଓଡ଼ିଶାରେ ନବୀନ ପଟ୍ଟନାୟକ ନିଜ ନାମରେ କରିଦେଉଛନ୍ତି। ରାଜ୍ୟର ୬୦ଲକ୍ଷ ଲୋକଙ୍କୁ ନବୀନବାବୁ ଓ ବିଜେଡି ସରକାର ଆୟୁଷ୍ମାନ ଯୋଜନାରୁ ବଂଚିତ କରିଛନ୍ତି ବୋଲି କହିଥିଲେ ଶ୍ରୀ ନଡ୍ଡା।

publive-image

ଓଡ଼ିଶାର ଦାଦନ ସମସ୍ୟା କଥା ଉଠାଇ ଶ୍ରୀ ନଡ୍ଡା କହିଲେ, ନବୀନଙ୍କ ଶାସନ କାଳରେ ଦାଦନ ଖଟିବା କ’ଣ ବନ୍ଦ ହୋଇଯାଇଛି? ମୁମ୍ବାଇରେ କାମ କରୁଥିବା ଓଡ଼ିଆ ଶ୍ରମିକଙ୍କ ଅସୁସ୍ଥତା ସମୟରେ ନବୀନ ବାବୁ ସେମାନଙ୍କ ଚିକିତ୍ସା କରନ୍ତି ନାହିଁ, ଏହା କିନ୍ତୁ ଆୟୁଷ୍ମାନ ଯୋଜନା ଦ୍ବାରା ସମ୍ଭବ। ଜାତୀୟସ୍ତରରେ ଓଡ଼ିଶାର ସମ୍ମାନକୁ ବିଜେପି ହିଁ ବଢ଼ାଇଛି। ଓଡ଼ିଶାର ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିବା, ବାଣପୁରର ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନଙ୍କୁ ରାଜ୍ୟପାଳ କରିବା, କୋଷ୍ଟାଲ୍ ହାଇୱେ, ପୁରୀରେ ଜଗନ୍ନାଥ ଷ୍ଟାଡିୟମ୍‌, ୨୦୦ କୋଟି ଟଙ୍କାର ଜଗନ୍ନାଥ ମେଡିକାଲ୍ କଲେଜ, ୩୬୪ କୋଟି ଟଙ୍କାର ପୁରୀ ରେଳ ଷ୍ଟେସନ, ୮ହଜାର କୋଟି ଟଙ୍କାର ପୁରୀ କୋଷ୍ଟାଲ୍ ହାଇୱେ, ବେଦ ବିଶ୍ବବିଦ୍ୟାଳୟ ଆଦି ଯୋଜନା ସମ୍ପର୍କରେ କହି ଆଗାମୀ ଦିନରେ ପଦ୍ମଫୁଲକୁ ଜିତାଇବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଦେଶରେ ପ୍ରଚଳିତ ଉଜ୍ଜ୍ବଳା, ଆୟୁଷ୍ମାନ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରତି ଘରକୁ ପିଇବା ପାଣି, ନିଯୁକ୍ତି ମେଳା ସହାୟତାରେ ୧୦ଲକ୍ଷ ଯୁବକଯୁବତୀଙ୍କ ନିଯୁକ୍ତି, ଦେଶରେ ୮୦ କୋଟି ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନା ଆଦି ସମ୍ପର୍କରେ ଆଲୋଚନା କରିଥିଲେ ଶ୍ରୀ ନଡ୍ଡା।

publive-image

ମହିଳାମାନେ ଇଚ୍ଛା କଲେ ବିଜେଡି ସରକାର ଶହେ ବର୍ଷ ପର୍ଯ୍ୟନ୍ତ ସେବା କରିବ ବୋଲି ପୁରୀରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦେଇଥିବା ମନ୍ତବ୍ୟକୁ ସମାଲୋଚନା କରିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଥିଲେ, ପ୍ରଜାତନ୍ତ୍ରରେ ଶହେ ବର୍ଷ ତିଷ୍ଠି ରହିବାର ଦମ୍ଭ ଓ ଅହଙ୍କାର ଅଶୋଭନୀୟ। ମୁଖ୍ୟମନ୍ତ୍ରୀ ନେତୃତ୍ବ ନେଉଥିବା ଦୀର୍ଘ ୨୨ ବର୍ଷର ଶାସନରେ ନାରୀ ନିର୍ଯାତନା ଚରମ ସୀମାରେ ପହଞ୍ଚିଛି। କଳାହାଣ୍ଡି ଜିଲ୍ଲାର ଶିକ୍ଷୟିତ୍ରୀ ମମିତା ମେହେର ମୃତ୍ୟୁର କାରଣ ଓ ତଦନ୍ତର ସ୍ଥିତାବସ୍ଥା କ’ଣ? ଗୃହ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ସୁରକ୍ଷା ନଦେଇ ସେମାନଙ୍କ ଆଶୀର୍ବାଦ ପାଇବାର ଦମ୍ଭ କ’ଣ ପାଇଁ ଦେଖାଉଛନ୍ତି? ବିଜେଡି ସରକାରକୁ ଆଗାମୀ ଦିନରେ ଏହି ମହିଳାମାନେ ହିଁ ଉଚିତ ଜବାବ ଦେବେ। ଭ୍ରଷ୍ଟାଚାରରେ ଲିପ୍ତ ରାଜ୍ୟ ସରକାରଙ୍କ ଶାସନରେ ଭିଜିଲାନ୍ସ ତଦନ୍ତରେ ଅନେକ ନିମ୍ନଶ୍ରେଣୀର କର୍ମଚାରୀ ଧରାପଡ଼ୁଥିଲା ବେଳେ ବଡ଼ ଅଧିକାରୀଙ୍କୁ କାହିଁକି ଧରାଯାଉନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ବାଣପୁର ସଭାରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଥିଲେ, ବାଣପୁର ସାହିତ୍ୟ, କବିତା, ଧାର୍ମିକ ଓ ବୀରର ମାଟି। ଏଠାରେ ଅନ୍ୟାୟ କରି ତିଷ୍ଠି ରହିବା କଷ୍ଟକର। ବାଣପୁର ସଭାକୁ ପୃଥ୍ବୀରାଜ ହରିଚନ୍ଦନ ସଂଯୋଜନା କରିଥିଲେ।

ଶ୍ରୀ ନଡ୍ଡା ଆଜି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲା ପରେ ରାଜ୍ୟ ସଭାପତି ସମୀର ମହାନ୍ତି, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ଡି ପୁର‌ନ୍ଦେଶ୍ବରୀ, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ସାଂସଦ ଅପରାଜିତା ଷଡ଼ଙ୍ଗୀ, ବରିଷ୍ଠ ନେତା ମନମୋହନ ସାମଲ, ଉପସଭାନେତ୍ରୀ ପ୍ରଭାତୀ ପରିଡ଼ା, ସୁକେଶୀ ଓରାମ, ଅନିତା ଶୁଭଦର୍ଶିନ, ଠାକୁର ରଣଜିତ ଦାସ ଓ ବାବୁ ସିଂହ ପ୍ରମୁଖ ସ୍ବାଗତ କରିଥିଲେ। ବିମାନବନ୍ଦରରୁ ସିଧାସଳଖ ତୁମୁଡ଼ିବନ୍ଧ ଗସ୍ତ କରି ସାଧାରଣ ସଭାରେ ଯୋଗ ଦେବା ସହ ଜଳେଶପଟ୍ଟା ଆଶ୍ରମରେ ଓଏନ୍‌ଜିସିର ସାମାଜିକ ଦାୟିତ୍ବବୋଧ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ନିର୍ମିତ ନୂତନ ଛାତ୍ରୀନିବାସକୁ ଉଦ୍‌ଘାଟନ କରିଥିଲେ। ଏହା ପରେ ପୁରୀ ଲୋକସଭା ନିର୍ବାଚନମଣ୍ଡଳୀର ବାଣପୁରଠାରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗ ଦେବା ସହ ମା’ ଭଗବତୀଙ୍କୁ ଦର୍ଶନ କରିଥିଲେ। ଚିଲିକା ବିଧାନସଭା ନିର୍ବାଚନମଣ୍ଡଳୀର ନାଚୁଣୀଠାରେ ଅନୁଷ୍ଠିତ ଏକ କର୍ମକର୍ତ୍ତା ବୈଠକରେ ଯୋଗ ଦେଇ ଶ୍ରୀ ନଡ୍ଡା ଭୁବନେଶ୍ବର ଆସି ନୂଆଦିଲ୍ଲୀ ଫେରିଯାଇଥିଲେ।