ନୂଆ ସଭାପତି ପାଇଲା ପ୍ରଦେଶ କଂଗ୍ରେସ, ଜର୍ଜଙ୍କ ପରେ ଜିଲ୍ଲା କଂଗ୍ରେସ ସଭାପତି କିଏ ?

ରାଉରକେଲା: ବହୁ କଳ୍ପନାଜଳ୍ପନା ପରେ ପ୍ରଦେଶ କଂଗ୍ରେସ ସଭାପତି ହୋଇଛନ୍ତି ଶରତ ପଟ୍ଟନାୟକ। ପ୍ରଦେଶ କଂଗ୍ରେସ ନୂଆ ସଭାପତି ପାଇବା ପରେ ନେତା ଓ କର୍ମୀ ମହଲରେ ଯେଉଁ ଦ୍ବନ୍ଦ ସୃଷ୍ଟି ହୋଇଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି।  ଏବେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ନୂଆ ସଭାପତି ନିଯୁକ୍ତି ପାଇବାକୁ ଯାଉଥିବା ଜଣାପଡିଛି। ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି  ଓ ପ୍ରାଥମିକତା ସଦସ୍ୟ ପଦରୁ ଜର୍ଜ ତିର୍କୀ ଇସ୍ତଫା ଦେବା ପରେ ଜିଲ୍ଲା କଂ‌ଗ୍ରେସ ସଭାପତି ପଦ ଖାଲି ପଡିଛି।  ଜର୍ଜ ତିର୍କୀ ଥିବାବେଳେ କଂଗ୍ରେସକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବାକୁ ଚେଷ୍ଟା ଜାରି ରଖିଥିଲେ।

ପଞ୍ଚାୟତ ଓ ପୌର ନିର୍ବାଚନରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ତାଙ୍କୁ ସେତେଟା ସହଯୋଗ ମିଳିନଥିଲା। ଶେଷରେ ବାଧ୍ୟ ହୋଇ ଦଳ ଛାଡିବାକୁ ବାଧ୍ୟ ହୋଇଥିଲେ ବୋଲି ସେ ତାଙ୍କ ଚିଠିରେ ଦର୍ଶାଇଥିଲେ। କଂଗ୍ରେସ ନେତା ଓ କର୍ମୀଙ୍କ ମଧ୍ୟରେ ଯେମିତି ସମ୍ପର୍କ ରହିବା କଥା, ସେମିତି ରହୁ ନଥିବାରୁ ଜିଲ୍ଲା କଂଗ୍ରେସ ରାଉରକେଲାବାସୀଙ୍କ ଦ୍ବାରା ସେତିକି ଗ୍ରହଣୀୟ ହୋଇପାରୁ ନାହାନ୍ତି। କାରଣ ସଭାପତି ଥିବା ବେଳେ ଓ ଏହା ପୂର୍ବରୁ  କଂଗ୍ରେସର ନେତାଙ୍କ ମଧ୍ୟରେ ଅର୍ନ୍ତଦ୍ବନ୍ଦ ଲାଗିରହିଛି।

ସହରର ସ୍ବାର୍ଥ ସମ୍ବଳିତ ଇସ୍ୟୁ ହେଉ ଅବା ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ଦଳ ବର୍ଷ ବର୍ଷ ଧରି ଏକାଠି କାମ କରି ଆସୁନଥିବା ଦେଖିବାକୁ ମିଳୁଛି। ଗୋଟିଏ କି ଦୁଇଟି କାର୍ଯ୍ୟକ୍ରମ ନୁହେଁ ପ୍ରାୟ ସମସ୍ତ କାର୍ଯ୍ୟର କଂଗ୍ରେସର ଏଭଳି ସ୍ଥିତି ଦେଖିବାକୁ ମିଳୁଛି। ସମାନ ଇସ୍ୟୁକୁ ନେଇ ବେଳେ ବେଳେ କଂଗ୍ରେସ ସମାନ୍ତରାଳ ଭାବେ ତିନିଟି କାର୍ଯ୍ୟକ୍ରମ ମଧ୍ୟ କରୁଛନ୍ତି। ଅନ୍ୟ ରାଜନୈତିକ ଦଳ ବିଜେପି ଓ ବିଜେଡିର ନେତା ଓ କର୍ମୀଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ଏକାଠି ହୋଇ କାମ କରୁଥିବା ଥିବାବେଳେ ଜିଲ୍ଲା କଂଗ୍ରେସ କିନ୍ତୁ ଏହାର ବହୁ ବ୍ୟତିକ୍ରମ। ସବୁଠୁ ଆଶ୍ଚର୍ଯ୍ୟ କଥା, ଅଧିକାଂଶ ଯୁବନେତା ଓ ଛାତ୍ର ନେତାମାନଙ୍କ ମଧ୍ୟରୁ କିଛି ଏକାକୀ କାମ କରୁଥିବା  ମଧ୍ୟ ଦେଖିବାକୁ ମିଳୁଛି। ଏଭଳି ସ୍ଥିତି ରାଉରକେଲାରେ ଦଳକୁ  ସୁଦୃଢ଼ ନୁହେଁ ବରଂ ଦିନକୁ ଦିନ ଦୁର୍ବଳ କରୁଛି।

ପ୍ରତିବାଦର ସ୍ବର ଜିଲ୍ଲା ପ୍ରଶାସନଙ୍କ ଉପରେ ସେମିତି କୌଣସି ପ୍ରଭାବ ପକାଇପାରୁନି। ରାଉରକେଲା ଜିଲ୍ଲା କଂଗ୍ରେସରେ ଚାଲିଥିବା ଏଭଳି ଅର୍ନ୍ତଦ୍ବନ୍ଦ ଭିତରେ ନୂତନ ପ୍ରଦେଶ କଂଗ୍ରେସ ସଭାପତି ରାଉରକେଲା ଜିଲ୍ଲା କଂଗ୍ରେସକୁ ଏକାଠି କରିବାକୁ କେତେଦୂର ସଫଳ ହେଉଛନ୍ତି, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେପଟେ ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ରେସ୍‌ରେ ଅନେକ ବରିଷ୍ଠ ନେତା ରହିଥିବା କର୍ମୀ ଓ କିଛି ନେତାଙ୍କ ମୁହଁରୁ ଶୁଣିବାକୁ ମିଳୁଛି। ଏମାନଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର,  ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ବିରେନ ସେନାପତି, ରବି ରାୟ୍, ଦେବବ୍ରତ ବିହାରି ପ୍ରମୁଖ। ପୂର୍ବତନ ବିଧାୟକ ପ୍ରଭାତ ମହପାତ୍ର, ବୀରେନ ସେନାପତି, ରବି ରାୟ ପୂର୍ବରୁ ଜିଲ୍ଲା କଂଗ୍ରେସ ସଭାପତି ମଙ୍ଗ ଧରିଛନ୍ତି।

ମାତ୍ର ଜିଲ୍ଲା କଂଗ୍ରେସକୁ ଏକାଠି କାମ କରିବାରେ ଆଦୌ ସଫଳ ହୋଇପାରି ନାହାନ୍ତି। ଅର୍ନ୍ତଦ୍ବନ୍ଦ ଓ ଅନ୍ୟାନ୍ୟ କାରଣରୁ  ଅନେକ ନେତା ଓ କର୍ମୀ କଂଗ୍ରେସ ଛାଡି ଅନ୍ୟ ରାଜନୈତିକ ଦଳରେ ସାମିଲ ହୋଇ ସାରିଛନ୍ତି। ଏଭଳି ଘଡିସନ୍ଧି ଅବସ୍ଥାରେ ଜିଲ୍ଲା କଂଗ୍ରେସ ଆଗକୁ‌ ନେବା ଭଳି ନେତାଟିଏ ଦରକାର ବୋଲି କର୍ମୀମହଲରେ ଶୁଣିବାକୁ ମିଳୁଛି। ଅନ୍ୟପଟେ ଦଳ ପାଇଁ ବର୍ଷ ବର୍ଷ ଧରି କାମ କରୁଥିବା କିଛି ଯୁବ ନେତା ମଧ୍ୟ ସଭାପତି ରେସ୍‌ରେ ରହିଥିବା ବେଶ୍‌ ଚର୍ଚ୍ଚା ହେଉଛି। ଏହି ଯୁବନେତାମାନଙ୍କ ମଧ୍ୟରୁ କିଏ ଦଳକୁ ଏକାଠି କରି ଆଗକୁ ନେଇପାରିବ ?  ସହରରେ ବିଭିନ୍ନ ବିଭାଗରେ ଚାଲିଥିବା ଦୁର୍ନୀତି, ବିକାଶମୂଳକ କାମକୁ ନେଇ ସ୍ବର ଉତ୍ତୋଳନ କରି ପାରିବ ? ସେଭଳି ଯୁବ ନେତାଙ୍କୁ ପ୍ରଦେଶ କଂଗ୍ରେସ ସଭାପତି ଚୟନ କରିପାରନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି। ତେବେ ଆଗାମୀ ଦିନରେ ପ୍ରଦେଶ କଂଗ୍ରେସର ନୂତନ ସଭାପତି ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ଭାବେ କାହାକୁ ନିଯୁକ୍ତି ଦେଉଛନ୍ତି ? ‌ସେ ସହରରେ କଂଗ୍ରେସ ଦଳକୁ ସୁଦୃଢ଼ କରିବାରେ କେତେ ସଫଳ ହୋଇପାରୁଛନ୍ତି, ତା’ ଉପରେ ସହରବାସୀଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର